Unknown

 

 

 

 

 

 

 

 

 

କିଶୋରୀଚରଣ

ଡକ୍ଟର ବିଜୟାନନ୍ଦ ସିଂହ

 

ସୂଚୀପତ୍ର

 

୧.

ସ୍ମୃତିହୀନ ଶୈଶବ

୨.

ଛାତ୍ର ଜୀବନ

୩.

ସ୍କୁଲ ଜୀବନ

୪.

କଲେଜ ଜୀବନ

୫.

କର୍ମମୟ ଜୀବନ

୬.

ପାରିବାରିକ ଜୀବନ

୭.

ସାରସ୍ୱତ ଜୀବନ

୮.

ଶେଷଯାତ୍ରା

୯.

ପରିଶିଷ୍ଟ

 

(କ) ସଂକ୍ଷେପରେ କିଶୋରୀଚରଣ ଦାସ

 

(ଖ) କିଶୋରୀଚରଣଙ୍କ ପ୍ରକାଶିତ ରଚନାବଳୀ

 

(ଗ) ସାରସ୍ୱତ ପୁରସ୍କାର ଓ ସମ୍ମାନ

 

(ଘ) ସାକ୍ଷାତ୍‌କାର ଓ ନିଜସ୍ୱ ବକ୍ତବ୍ୟର

 

ଉପସ୍ଥାପନା

 

(ଙ) କିଶୋରୀଚରଣ : ମତ ଓ ମନ୍ତବ୍ୟ

 

(ଚ) ସୃଜନଶୀଳତାର ମୁକ୍ତ ସ୍ୱୀକାରୋକ୍ତି

 

ପ୍ରାଗ୍‌ଭାଷ

 

ଓଡ଼ିଆ ସାହିତ୍ୟକୁ ଯେଉଁ ପ୍ରଖ୍ୟାତ ଲେଖକଗଣ ସେମାନଙ୍କ ସୃଷ୍ଟି ଓ ସାଧନା ବଳରେ ସମୃଦ୍ଧ କରିଛନ୍ତି ସେହି କାଳଜୟୀ ଅନନ୍ୟ ସ୍ରଷ୍ଟାଗଣଙ୍କୁ ଉତ୍ତରପିଢ଼ିଙ୍କ ନିକଟରେ ପରିଚିତ କରାଇବା ନିମନ୍ତେ ସେମାନଙ୍କର ସାରସ୍ୱତ ଜୀବନ ଓ ସାହିତ୍ୟ ସମ୍ପର୍କରେ ମନୋଗ୍ରାଫ୍‌ମାନ ବିଶିଷ୍ଟ ଲେଖକମାନଙ୍କଦ୍ୱାରା ପ୍ରଣୟନ କରାଯାଇ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ନିୟମିତ ପ୍ରକାଶ କରାଯାଉଅଛି । ଏହି କ୍ରମରେ ଏପର୍ଯ୍ୟନ୍ତ ପ୍ରାୟ ଷାଠିଏ ଜଣ ଓଡ଼ିଆ ବରପୁତ୍ରଙ୍କ ସମ୍ପର୍କରେ ମନୋଗ୍ରାଫ୍‌ ପ୍ରକାଶ ପାଇ ଅଶେଷ ପାଠକୀୟ ଆଦୃତି ଲାଭ କରିପାରିଛି । ଆଧୁନିକ ଓଡ଼ିଆ କଥାସାହିତ୍ୟର ଦୀପ୍ତିମନ୍ତ ସାଧକ କିଶୋରୀଚରଣଙ୍କୁ ଏହି ବର୍ଗରେ ଗ୍ରହଣ କରି ଏକାଡେମୀ ମନୋଗ୍ରାଫ୍‌ ପ୍ରକାଶନରେ ଏକ ନୂତନ ସଂସ୍କରଣ ସଂଯୋଗ କରୁଅଛି ।

 

କିଶୋରୀଚରଣ ଦାସ (୧୯୨୪-୨୦୦୪) ଆଧୁନିକ ଓଡ଼ିଆ ସାହିତ୍ୟର ଜଣେ ପ୍ରଥିତଯଶା ସାଧକ । ଦୀର୍ଘ ଛ’ ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ଧରି ସେ ଲେଖନୀ ଚାଳନା କରି ୨୧୯ଟି କ୍ଷୁଦ୍ରଗଳ୍ପ ରଚନା କରିଯାଇଛନ୍ତି, ଯାହା ୨୦ଟି ଗଳ୍ପ ସଂକଳନରେ ସ୍ଥାନିତ ହୋଇଛି । ଏତଦ୍‌ବ୍ୟତୀତ ସେ ଉପନ୍ୟାସ, କବିତା, ପ୍ରବନ୍ଧ, ଆତ୍ମଚରିତ ଇତ୍ୟାଦି ମଧ୍ୟ ରଚନା କରି ଓଡ଼ିଆ ସାରସ୍ୱତ କ୍ଷେତ୍ରରେ ଯଶସ୍ୱୀ ହୋଇଛନ୍ତି । ତାଙ୍କର ବହୁ ଗଳ୍ପ ଭାରତବର୍ଷର ତଥା ପୃଥିବୀର ବିଭିନ୍ନ ଦେଶର ଭାଷାରେ ଅନୂଦିତ ହୋଇ ଅଶେଷ ପାଠକୀୟ ଶ୍ରଦ୍ଧା ଅର୍ଜନ କରିପାରିଛି । ଜଣେ ପ୍ରବୀଣ କଥାକାର, ବରିଷ୍ଠ ଲେଖକ ତଥା ଅଭିଜ୍ଞ ପ୍ରଶାସକ ହେତୁ ସେ ୧୨.୭.୧୯୯୪ଠାରୁ ୧୨.୫.୧୯୯୭ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦରେ ଅଧିଷ୍ଠିତ ହୋଇପାରିଥିଲେ । କିଶୋରୀଚରଣଙ୍କ ବିପୁଳାୟତନ ସାହିତ୍ୟ ଓଡ଼ିଆ ବାଣୀଭଣ୍ଡାରର ଅମୂଲ୍ୟ ସମ୍ପଦ ଯାହା କାଳଜୟୀ ସୃଷ୍ଟି ଭାବରେ ଗ୍ରହଣୀୟ । ଆମ ସମାଜର ଚିରାଚରିତ ପ୍ରଥା, ଚଳଣି ଓ ଆଧୁନିକ ଜୀବନ ଜିଜ୍ଞାସାର ସ୍ୱର ବେଶ୍‌ ରସୋତ୍ତୀର୍ଣ୍ଣଭାବେ ଅନୁରଣିତ ହୋଇଛି କିଶୋରୀଚରଣଙ୍କ କଥା ସମଗ୍ରରେ । ଭାବ ପ୍ରକାଶର କୁଶଳୀ କାରିଗର କିଶୋରୀଚରଣ ଓଡ଼ିଆ କ୍ଷୁଦ୍ରଗଳ୍ପର ଉପଯୁକ୍ତ ଦାୟାଦ । ଅନନ୍ୟ ପ୍ରତିଭାର ଅଧିକାରୀ କିଶୋରୀଚରଣ ମଣିଷ ମନର ଗହନ କଥାକୁ ତାଙ୍କ ଲେଖା ମାଧ୍ୟମରେ ପାଠକମାନଙ୍କ ନିକଟରେ ଉପସ୍ଥାପନ କରି ଯାଇଛନ୍ତି, ଯାହା ତାଙ୍କ ସାହିତ୍ୟରେ ସାମାଜିକ ଚେତନା ଅପେକ୍ଷା ବ୍ୟକ୍ତିଚେତନା ଅଧିକ ଗୁରୁତ୍ୱପୂର୍ଣ୍ଣବୋଲି ମନେ ହୋଇଥାଏ । ଏହିଭଳି ଜଣେ ସର୍ବକାଳୀନ କଥାକାରଙ୍କ ସାହିତ୍ୟ ଜୀବନକୁ ସଂକ୍ଷେପରେ ଆକଳନ କରି ପାଠକମାନଙ୍କ ନିକଟରେ ଉପସ୍ଥାପନ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ବହୁପୂର୍ବରୁ ନିଷ୍ପତ୍ତି ଗ୍ରହଣ କରିଥିଲା । ଆଧୁନିକ ଓଡ଼ିଆ ଗଦ୍ୟସାହିତ୍ୟକୁ ଋଦ୍ଧିମନ୍ତ କରିଥିବା ଏହି ପ୍ରଥିତଯଶା ପ୍ରଜ୍ଞାପୁରୁଷଙ୍କ ସମ୍ପର୍କରେ ଏକ କ୍ଷୁଦ୍ର ପୁସ୍ତିକା ରଚନା କରିବାକୁ ଗବେଷକ ଓ ପ୍ରାବନ୍ଧିକ ଡକ୍ଟର ବିଜୟାନନ୍ଦ ସିଂହଙ୍କୁ ଏକାଡେମୀ ପକ୍ଷରୁ ଅନୁରୋଧ କରାଯାଇଥିଲା ।

 

ଏକାଡେମୀର ସଶ୍ରଦ୍ଧ ଆଗ୍ରହକୁ ସମ୍ମାନ ଜଣାଇ କିଶୋରୀଚରଣ ସାହିତ୍ୟର ଏକନିଷ୍ଠ ଆଲୋଚକ ତଥା ତାଙ୍କ ଘନିଷ୍ଠ ଅନୁଗାମୀ ଡକ୍ଟର ସିଂହ ସାରସ୍ୱତ ଦାୟିତ୍ୱ ନିର୍ବାହପୂର୍ବକ ଯଥାସମୟରେ ପାଣ୍ଡୁଲିପିଟି ପ୍ରସ୍ତୁତ କରିଛନ୍ତି । ଅଧ୍ୟାପକ ପଠାଣି ପଟ୍ଟନାୟକ ଉକ୍ତ ପାଣ୍ଡୁଲିପିଟିକୁ ସମୀକ୍ଷାପୂର୍ବକ ଉଚ୍ଚ ପ୍ରଶଂସା କରି ଏକାଡେମୀ ପକ୍ଷରୁ ଏହାର ପ୍ରକାଶ ଓଡ଼ିଆ ପାଠକମାନଙ୍କ ସାରସ୍ୱତ ଜିଜ୍ଞାସାକୁ ଚରିତାର୍ଥ ନିମନ୍ତେ ଉଦ୍ଦିଷ୍ଟବୋଲି ମତବ୍ୟକ୍ତ କରିଥିବାରୁ ତାଙ୍କ ନିକଟରେ ଧନ୍ୟବାଦ ପ୍ରକାଶ କରୁଅଛି । ଡକ୍ଟର ସିଂହ ବହୁ ପରିଶ୍ରମ କରି କିଶୋରୀବାବୁଙ୍କ ସମ୍ପର୍କରେ ଅନେକ ଅଜ୍ଞାତ ଉପାଦେୟ ତଥ୍ୟ ଉକ୍ତ ପୁସ୍ତକରେ ସନ୍ନିବେଶିତ କରି ଏହାକୁ ଏକ ପୂର୍ଣ୍ଣାଙ୍ଗ ଗ୍ରନ୍ଥ ଭାବରେ ପ୍ରତିପାଦିତ କରିଥିବାରୁ ତାଙ୍କୁ ଏହି ଅବସରରେ ମୋର ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଅଛି । ଆକାର ଦୃଷ୍ଟିରୁ ଉକ୍ତ ପୁସ୍ତକଟି କ୍ଷୁଦ୍ର ହେଲେ ମଧ୍ୟ କିଶୋରୀଚରଣଙ୍କୁ ଯେଉଁଭଳି ଭାବରେ ଏଥିରେ ଆକଳନ କରାଯାଇଛି, ତାହା ସ୍ୱୟଂସଂପୂର୍ଣ୍ଣ ଗ୍ରନ୍ଥ ଭାବରେ ତା’ର କର୍ତ୍ତୃତ୍ୱ ଜାହିର କରିବ ଏଥିରେ ସନ୍ଦେହ ନାହିଁ ।

 

ଏକାଡେମୀର ଅନ୍ୟାନ୍ୟ ପ୍ରକାଶନ ଭଳି ଉକ୍ତ ପୁସ୍ତକଟି ସାହିତ୍ୟାନୁରାଗୀ ପାଠକମାନଙ୍କ ଦ୍ୱାରା ସମାଦୃତ ହେବ ବୋଲି ଆଶା କରୁଛି ଏବଂ ଏହାର ଦ୍ରୁତ ପ୍ରସାର ନିମନ୍ତେ କାମନା କରୁଅଛି ।

 

ଭୁବନେଶ୍ୱର

ଡକ୍ଟର ରାମଚନ୍ଦ୍ର ବେହେରା

ତା ୩ ଡିସେମ୍ବର ୨୦୧୦

ସଭାପତି

ଭୁବନେଶ୍ୱର

ଓଡ଼ିଶା ସାହିତ୍ୟ ଏକାଡେମୀ

 

ପୂର୍ବଭାଷ

 

କିଶୋରୀଚରଣ ଦାସ (୧୯୨୪-୨୦୦୪) ଆମ ସମୟର ଜଣେ ପ୍ରଥିତଯଶା ସାହିତ୍ୟ ଶିଳ୍ପୀ । ଗଳ୍ପ, କବିତା ଓ ଉପନ୍ୟାସାଦି ଦିଗରେ ନିଜର ଲେଖନୀ ଚାଳନା କରି ସେ ଓଡ଼ିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିଯାଇଛନ୍ତି । ଓଡ଼ିଶାର ସାରସ୍ୱତ ଜଗତକୁ ତାଙ୍କର ଦାନ ଅତୁଳନୀୟ ଓ ଅପରିକଳ୍ପନୀୟ । ଏକ ଆଭିଜାତ୍ୟସଂପନ୍ନ ଉଚ୍ଚ ବଂଶରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଅହଂଭାବ ଓ ଅହମିକା ତାଙ୍କୁ ଆଦୌ ସ୍ପର୍ଶ କରିନଥିଲା । ଏହି କାରଣରୁ ସେ ନିଜର ଦରଦୀ ମନ ନେଇ ଏକ ସାଧାରଣ ମଣିଷର ସୁଖଦୁଃଖର ସଂସାରରେ ଅତିବାହିତ ହେଉଥିବା ନିତିଦିନିଆ ଘଟଣା-ଅଘଟଣାକୁ ଗଭୀର ଭାବରେ ଉପଲବ୍‌ଧି କରିପାରିଥିଲେ । ବ୍ୟକ୍ତିଗତ ଜୀବନରେ ସେ ଯେପରି ସାଧାରଣ ମଣିଷର ଦୁଃଖସୁଖରେ ଭାଗୀଦାର ହୋଇ ବ୍ୟକ୍ତିବିଶେଷଙ୍କର ଅତ୍ୟନ୍ତ ଅନ୍ତରଙ୍ଗ ହୋଇ ଉଠିଛନ୍ତି ସାରସ୍ୱତ କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବରେ ସେ ସେହି ଭାବନାକୁ ସାହିତ୍ୟ ମାଧ୍ୟମରେ ରୂପାୟନ କରିପାରିଛନ୍ତି । ସେହି କାରଣରୁ ଆଧୁନିକ ମଣିଷର କଠୋରତା, ଛଳନା, ଆତ୍ମପ୍ରତାରଣା, ନିଃସଙ୍ଗତା, ଅହଂପ୍ରବଣତା, ଅସହାୟତା ଓ ଦୁର୍ବଳତା ତାଙ୍କ ଲେଖନୀରେ ଆପେ ଆପେ ଆସି ଧରା ଦେଇଛନ୍ତି ଓ ସାହିତ୍ୟର ବିଭିନ୍ନ ଚରିତ୍ରରେ ସେ ସବୁ ରୂପାୟିତ ହୋଇ ଉଠିଛନ୍ତି-

 

କିଶୋରୀଚରଣଙ୍କ ଚରିତ୍ରମାନେ ମୁଖ୍ୟତଃ ମଧ୍ୟବିତ୍ତ ଶ୍ରେଣୀୟ । ସରଳ ଭାଷାର ବ୍ୟବହାର ଓ ଅନୁଭୂତିର ଗଭୀରତା, ତୀକ୍ଷ୍‌ଣ ଅନ୍ତର୍ଦୃଷ୍ଟି ତାଙ୍କ ସୃଷ୍ଟିର ବିଶେଷତ୍ୱ । ଓଡ଼ିଆ ସାହିତ୍ୟକୁ ଚିରାଚରିତ ପାରମ୍ପରିକ ବନ୍ଧନରୁ ମୁକ୍ତ କରି ଏକ ନୂତନ ଭାବଚେତନା ପ୍ରଦାନ କରିବାରେ ତାଙ୍କର ଉଦ୍ୟମ ଉଲ୍ଲେଖନୀୟ । ଅନ୍ୟ ପକ୍ଷରେ ଓଡ଼ିଆ ସାହିତ୍ୟକୁ ସର୍ବଭାରତୀୟ ତଥା ଆନ୍ତର୍ଜାତିକ ସ୍ତରରେ ପ୍ରତିଷ୍ଠା କରାଇବା ପାଇଁ ତାଙ୍କର ନିଷ୍ଠା ଓ ସାଧନାର ପଟାନ୍ତର ନାହିଁ ।

 

କିଶୋରୀଚରଣଙ୍କ ଜୀବନ ଓ ସାହିତ୍ୟ ଏତେ ଅନ୍ତରଙ୍ଗ ଯେ, ଜୀବନୀର ଅଧ୍ୟୟନ ବିନା ତାଙ୍କ ସାହିତ୍ୟକୁ ଆକଳନ କରିବା ଅତ୍ୟନ୍ତ ଦୁରୂହ ବ୍ୟାପାର । ଅନ୍ୟପକ୍ଷରେ ତାଙ୍କ ସାରସ୍ୱତ ସୃଷ୍ଟିର ଅନୁଶୀଳନ, ତାଙ୍କ ଜୀବନୀର ଅଧ୍ୟୟନ ବ୍ୟତିରେକେ ନିଷ୍ପ୍ରାଣ ଓ ନିରର୍ଥକ । ଏହି ହେତୁରୁ ତାଙ୍କ ଜୀବନୀର ଏକ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

 

ଏହି ପୃଥିବୀରେ କିଶୋରୀଚରଣଙ୍କର ଜୀବନକାଳ ମାତ୍ର ୮୦ ବର୍ଷ ୦୫ ମାସ ୧୬ ଦିନ । ଏହି ବିସ୍ତୃତ ଜୀବନରୁ କିଛି ସମୟ ତାଙ୍କର ସ୍ମୃତି ସୀମାର ବାହାରେ ରହି ଯାଇଥିବାବେଳେ ଆଉ ଅବଶିଷ୍ଟ ଜୀବନ ସ୍ମୃତି ମଧ୍ୟରେ ରହିଯାଇଛି । ଏହି ଗ୍ରନ୍ଥରେ କେବଳ ଜୀବନଭିତ୍ତିକ ଆଲୋଚନା କରାଯାଇଛି ମାତ୍ର ।

 

କିଶୋରୀଚରଣ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦମଣ୍ଡନ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ମୋତେ କିଶୋରୀଚରଣଙ୍କ ଜୀବନୀ ଲେଖିବାକୁ ସୁଯୋଗ ପ୍ରଦାନ କରି ଅନୁଗୃହୀତ କରିଛନ୍ତି । ମୁଁ ଏହି କାର୍ଯ୍ୟଟିକୁ ସମ୍ପନ୍ନ କରି ବାସ୍ତବରେ ଆନନ୍ଦିତ । କାରଣ କିଶୋରୀଚରଣଙ୍କ ସହିତ ମୋର ସମ୍ପର୍କ ନିବିଡ଼ ଥିଲା-ପ୍ରାୟ କୋଡ଼ିଏ ବର୍ଷର ସମ୍ପର୍କ । ମୁଁ ତାଙ୍କୁ ଖୁବ୍‌ ନିକଟରୁ ଅନୁଭବ କରିଛି । ତାଙ୍କୁ ମୁଁ ଯେତିକି ବୁଝିଛି; ସେହି ପରିମାଣରେ ତାଙ୍କ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଉଠିଛି ମଧ୍ୟ ।

 

ଏକଦା କିଶୋରୀଚରଣଙ୍କୁ ମୁଁ ଏକ ଆତ୍ମଜୀବନୀ ଲେଖିବା ପାଇଁ ପ୍ରସ୍ତାବଟିଏ ଦେଇଥିଲି । ସେ ମୋ ଅନୁରୋଧ ରକ୍ଷା କରିଥିଲେ ଏବଂ ନାମକରଣ କରିଥିଲେ ‘ସମୟ ନାହିଁ’ । ଆତ୍ମଜୀବନୀଟିଏ ଲେଖିବା ପାଇଁ ସମୟ ନ ଥିଲା ନା ତାକୁ ପୁସ୍ତକାକାରରେ ଦେଖିବାକୁ ତାଙ୍କର ସମୟ ନ ଥିଲା ? ଯଦିଓ ସେତେବେଳେ ଏହି ଶିରୋନାମଟି ରହସ୍ୟାବୃତ୍ତ ହୋଇ ରହିଥିଲା ମୋ ପାଇଁ । ପ୍ରକାଶକଙ୍କ ସହ ଯୋଗାଯୋଗ କରି ଆତ୍ମଜୀବନୀ ‘ସମୟ ନାହିଁ’ର ପ୍ରକାଶନ ପାଇଁ ମୋତେ ସେ କହୁଥିଲେ ଓ ଚିଠି ଲେଖୁଥିଲେ । ଏପରିକି ଏ.ଆଇ.ଆଇ.ଏମ୍‌.ଏସ୍‌., ଦିଲ୍ଲୀରୁ ସେ ଶେଷ ଚିଠି ମଧ୍ୟ ମୋତେ ଲେଖିଥିଲେ ‘ସମୟ ନାହିଁ’ର ମୁଦ୍ରଣ ରୂପ ଦେଖିବା ପାଇଁ । ତଥାପି ଅତ୍ୟନ୍ତ ଉତ୍ସାହର ସହିତ ତା’ର ମୁଦ୍ରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ଲାଗି ପଡ଼ିଥିଲି । ହେଲେ ଶେଷରେ ଅନୁଭବ କଲି, ସତରେ ! ସେହି ଆତ୍ମଜୀବନୀର ମୁଦ୍ରିତ ରୂପଟିକୁ ଦେଖିବା ପାଇଁ ବୋଧହୁଏ ତାଙ୍କ ପାଖରେ ଆଉ ସମୟ ନ ଥିଲା । ତାଙ୍କ ସହିତ ଥିବା ସେହି ଆତ୍ମୀୟତାକୁ ହିଁ ପାଥେୟ କରି ଓ ତାଙ୍କର ମୋ ପ୍ରତି ଥିବା ଶ୍ରଦ୍ଧା ଓ ଆତ୍ମବିଶ୍ୱାସକୁ ଆଧାର କରି ଏହି ଗ୍ରନ୍ଥଟିକୁ ରଚନା କରିଛି । ତାଙ୍କର ଅଦୃଶ୍ୟ ଆଶୀର୍ବାଦ ମଧ୍ୟ ଏହି ଅବସରରେ କାମନା କରୁଛି ଓ ଓଡ଼ିଶା ସାହିତ୍ୟ ଏକାଡେମୀକୁ ଧନ୍ୟବାଦ ଜ୍ଞାପନ କରୁଛି ।

 

ବିଜୟାନ୍ଦ ସିଂହ

ଯଶୁଆପୁର, ମାହାଙ୍ଗା

କୁମାର ପୂର୍ଣ୍ଣିମା

୨୨ ଅକ୍ଟୋବର ୨୦୧୦

 

ସ୍ମୃତିହୀନ ଶୈଶବ

 

କିଶୋରୀଚରଣ ନିଜର ଆତ୍ମଜୀବନୀ ‘ସମୟ ନାହିଁ’ର ପ୍ରଥମ ପରିଚ୍ଛେଦ ‘ସ୍ମୃତିଶୂନ୍ୟ ସକାଳ’ର ଆରମ୍ଭରୁ ଗୋଟିଏ ବାକ୍ୟ ଏହିପରି କହିଛନ୍ତି, “କେଉଁ ମହାମାନବ ତା’ର ସ୍ମୃତିକୁ ଆହ୍ୱାନ କରି କହିପାରିବ ନାହିଁ ଯେ, ତା’ର ଆଖିଦେଖା ସଂସାରଟା ଏମିତି ଦିଶୁଥିଲା ସେ ଜନ୍ମ ହେଲାବେଳେ ।’’ (ସମୟ ନାହିଁ/ସ୍ମୃତିଶୂନ୍ୟ ସକାଳ/ପୃଷ୍ଠା-୧) ବାସ୍ତବରେ ଜନ୍ମବେଳର କଥା କାହାରି କ’ଣ ମନେଥାଏ ? ଯାହାସବୁ ଶୁଣାକଥା । କିଶୋରୀଚରଣ ନିଜ ଜନ୍ମବେଳର ବିଭିନ୍ନ କଥାକୁ ଶୁଣିଛନ୍ତି । ସେହି କଥା ଭିତରେ କେବେ ରୋମାଞ୍ଚିତ ହୋଇ ଉଠିଛନ୍ତି ତ ପୁଣି କେତେବେଳେ ନିଜ ବଂଶର ଆଭିଜାତ୍ୟ ପାଇଁ ଉଲ୍ଲସିତ ହୋଇ ଉଠିଛନ୍ତି । ସେହି ସ୍ମୃତି ଭିତରେ ଆସିଛି ନିଜର ଜନ୍ମମାଟିର କଥା- ପୁଣି ଆସିଛି ନିଜର ଭିଟାମାଟି ଗାଁ ମାହାଙ୍ଗାସ୍ଥିତ ଶୁକ୍ଳେଶ୍ୱର ଗାଁ । କେବେ ଶୁଣାକଥାରେ ଆସିଛି ନିଜ ଜନ୍ମବେଳେ ତାଙ୍କ ବାପା-ମା’ଙ୍କ ଆନନ୍ଦର କଥା ତ ମଧ୍ୟ ପୁଣି ଭୀତି ସଂଚରି ଯାଇଛି । ଯେତେବେଳେ ସେ ଶୁଣିଛନ୍ତି ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଜନ୍ମଲାଭ କରିଥିବା ହେତୁ ଶିଶୁର ବଞ୍ଚିବାକୁ ନେଇ ଦେଖାଦେଇଥିବା ଅନିଶ୍ଚିତତାରେ ନିଜ ବାପା-ମା’ଙ୍କର ଆବେଗଶଙ୍କିତ ମନୋଭାବକୁ । ଏମିତି ଅନେକ କଥା କହିବାକୁ ଗଲେ ନିଜର ଶୈଶବର ସବୁକିଛି ଖାଲି ସ୍ମୃତିରେ-ସ୍ମୃତିଶୂନ୍ୟ ସକାଳରେ ।

 

କିଶୋରୀବାବୁ ତାଙ୍କ ବଂଶ ପରମ୍ପରାକୁ ତାଙ୍କ ପ୍ରପିତାମହ ସ୍ୱର୍ଗତ ଅନାମ ଦାସଙ୍କଠାରୁ ଆରମ୍ଭ କରିଛନ୍ତି । ତାଙ୍କ ବଂଶ ରେଖାଚିତ୍ରଟି ଏଠାରେ ଉଲ୍ଲେଖ କରାଯାଇଅଛି ।

 

କିଶୋରୀଚରଣଙ୍କ ବଂଶ ଆଭିଜାତ୍ୟକୁ ତାଙ୍କର ଜନ୍ମ ପୂର୍ବରୁ ଆଲୋଚନା କରାଯାଇପାରେ-। କିଶୋରୀଚରଣଙ୍କ ପୂର୍ବପୁରୁଷଙ୍କ ଆଦି ଉତ୍ସ କେବେ ଓ କେଉଁଠୁ, ଯଦିଓ କହିବା କେବେ ସହଜ ବ୍ୟାପାର ନୁହେଁ; ତେବେ ଅନାମ ଦାସଙ୍କଠାରୁ ତାଙ୍କର ବଂଶର ଗୌରବକୁ ଆରମ୍ଭ କଲେ ଠିକ୍‌ ହେବ । କିଶୋରୀଚରଣ ମଧ୍ୟ ନିଜ ଆତ୍ମଜୀବନୀ ‘ସମୟ ନାହିଁ’ରେ ଠିକ୍‌ ଏହିଠାରୁ ନିଜ କଥାକୁ ଆରମ୍ଭ କରିଛନ୍ତି ।

 

ଅନାମ ଦାସ ହେଉଛନ୍ତି କଟକ ଜିଲ୍ଲାର ମାହାଙ୍ଗା ବ୍ଲକ୍‌ ଓ ଥାନା ଅନ୍ତର୍ଗତ ଶୁକ୍ଳେଶ୍ୱର ଗ୍ରାମର ଜଣେ ଖୁବ୍‌ ଜଣାଶୁଣା ବ୍ୟକ୍ତି । ଘର କହିଲେ ତଳ ପକ୍‌କା ଚାଳଘର ଖଣ୍ଡିଏ, ଯାହାକୁ କିଶୋରୀଚରଣ ଦେଖିଛନ୍ତି । ଅବଶ୍ୟ ଅନାମ ଦାସଙ୍କ ସମୟରେ ତାହା କେଉଁ ଅବସ୍ଥାରେ ଥିଲା ତାହା କହିହେବ ନାହିଁ । ତେବେ ସେହି ଚାଳଘର ଜୀଇଁ ରହିଥିବ ବୋଲି ଅନୁମାନ କରାଯାଇପାରେ । କାରଣ ଏତେ ପୁରୁଣା କାଳରେ କୋଠାଘର କଥା କଳ୍ପନା କରିହେବ ନାହିଁ । ତେବେ ଏହି ମାହାଙ୍ଗା ଅଞ୍ଚଳର ନାଁ କିନ୍ତୁ ଇତିହାସରେ ଖୁବ୍‌ ପ୍ରସିଦ୍ଧି ଲାଭ କରିଅଛି ପରବର୍ତ୍ତୀ କାଳରେ । କାରଣ ଏହି ଅଞ୍ଚଳରେ ଅନେକ ମହାନ୍‌ ମହାନ୍‌ ବ୍ୟକ୍ତିମାନେ ଜନ୍ମଗ୍ରହଣ କରି ଏହି ଅଞ୍ଚଳକୁ ପବିତ୍ର କରିଯାଇଛନ୍ତି । ସେମାନଙ୍କ ମଧ୍ୟରେ ଆଦି ନାଟ୍ୟକାର ଜଗନମୋହନ ଲାଲା, ଗଣକବି ବୈଷ୍ଣବ ପାଣି, ସମାଜ ସଂସ୍କାରକ ତଥା ଓଡ଼ିଶାର ପ୍ରଥମ ଐତିହାସିକ ପ୍ୟାରୀମୋହନ ଆଚାର୍ଯ୍ୟ, ବିଶିଷ୍ଟ ସାହିତ୍ୟିକ ତଥା ପଲ୍ଲୀକବି ନନ୍ଦ କିଶୋର ବଳ, ବାଗ୍ମୀ ବିଶ୍ୱନାଥ କର, ଚିତ୍ରଶିଳ୍ପୀ ବିମ୍ବାଧର ବର୍ମା, କବିପ୍ରାଜ୍ଞ ପ୍ରାଣକୃଷ୍ଣ ସାମଲ, ସଂସ୍କାରକ ବୈରାଗୀ ମିଶ୍ର ପ୍ରମୁଖ ବ୍ୟକ୍ତିଙ୍କ ନାମ ବିଶେଷ ଭାବରେ ପ୍ରଣିଧାନ ଯୋଗ୍ୟ ।

C:\Users\USER-10\Desktop\kishoricharan.jpg

 

ମାହାଙ୍ଗାର ଏହି ଶୁକ୍ଳେଶ୍ୱର ଗ୍ରାମର ଏକ ଐତିହାସିକ ସ୍ୱୀକୃତି ମଧ୍ୟ ରହିଛି । ଏକ ପ୍ରସିଦ୍ଧ ଶାକ୍ତପୀଠରୂପେ ଏହି ସ୍ଥାନ ଅତ୍ୟନ୍ତ ସୁପରିଚିତ । ମା’ ଭଗବତୀଙ୍କର ଏକ ସୁନ୍ଦର ମନ୍ଦିର ସହିତ ଅନେକ ପ୍ରାଚୀନକୀର୍ତ୍ତି ଏହି ସ୍ଥାନକୁ ମହିମାମଣ୍ଡିତ କରୁଅଛି । ଏହି ଗ୍ରାମରେ ଅନେକ ବ୍ୟକ୍ତି ନିଜର କର୍ମ ପାଇଁ ନିଜ ଭିଟାମାଟିକୁ ଧନ୍ୟ କରିଛନ୍ତି, ସେହି ମାଟିରେ ଅନାମ ଦାସଙ୍କ ପରିବାର ମହାନ୍‌ ଗୁଣଧର୍ମରେ ବିଭୂଷିତ ହୋଇ ପ୍ରତିଷ୍ଠା ଲାଭ କରିଛି । ଅନେକ କୁହନ୍ତି, ଏହି ବଂଶର ଅନେକ ବ୍ୟକ୍ତି ଢେଙ୍କାନାଳର ରାଜବଂଶ ଓ ଖୋର୍ଦ୍ଧାର ଭୋଇବଂଶ ରାଜାମାନଙ୍କ ନିକଟକୁ ଯାଇ ସେମାନଙ୍କ ନିକଟରେ ଦେୱାନ କାର୍ଯ୍ୟ କରୁଥିଲେ । ଅନାମ ଦାସଙ୍କବେଳକୁ ତାଙ୍କ ବଂଶରୁ ଅନେକ ବ୍ୟକ୍ତି ରାଜକର୍ମରେ ଲିପ୍ତ ରହି ରାଜକାର୍ଯ୍ୟ କରିବାକୁ ସୁଖ ମଣୁଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ବ୍ୟକ୍ତିଗତ ତଥା ବଂଶଗତ ଗୁଣଟି ଅନାମ ଦାସଙ୍କ ଉତ୍ତରପୁରୁଷଙ୍କଠାରେ ପରବର୍ତ୍ତୀ କାଳରେ ମଧ୍ୟ ଲକ୍ଷ୍ୟ କରାଯାଇଥାଏ । ବ୍ୟତିକ୍ରମ ଦୁର୍ଲକ୍ଷ୍ୟ ମାତ୍ର ।

 

ଅନାମ ଦାସଙ୍କର ଥିଲେ ତିନି ପୁତ୍ର । ଜ୍ୟେଷ୍ଠ ପୁତ୍ର ଦାମୋଦର ଦାସ, କଟକ ଜଜ୍‌ କୋର୍ଟରେ ବଡ଼ବାବୁ ଭାବରେ କାର୍ଯ୍ୟ କରୁଥିଲେ । ମଧ୍ୟମ ପୁତ୍ର ଭିକାରୀଚରଣ ଦାସ, ସବ୍‌-ଡେପୁଟି କଲେକ୍ଟର ଥିଲେ ଓ ସାନ ପୁତ୍ର ରାଜକିଶୋର ଦାସ ସ୍କୁଲ-ଇନିସପେକ୍ଟର ଥିଲେ । ପ୍ରତ୍ୟେକ ରାଜକର୍ମରେ ଲିପ୍ତ ସରକାରୀ କର୍ମଚାରୀ । ବଂଶର ଐତିହ୍ୟରେ ଭବିଷ୍ୟତ ଉତ୍ତରାଧିକାରୀମାନେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିଯାଇଛନ୍ତି ।

 

ଦାମୋଦର ଦାସଙ୍କର ଚାରି ପୁଅ ଓ ଗୋଟିଏ ମାତ୍ର ଝିଅ, ଊର୍ମିଳା । ଚାରି ପୁଅ ହେଲେ ରାୟବାହାଦୁର ରାଧାଚରଣ ଦାସ, ହରେକୃଷ୍ଣ ଦାସ, ନିଶାମଣି ଦାସ ଓ ବିପ୍ରଚରଣ ଦାସ । ରାୟବାହାଦୁର ରାଧାଚରଣ ଦାସ ଥିଲେ ଦ୍ୱିତୀୟ ଓଡ଼ିଆ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ । ଅବସର ଗ୍ରହଣ ପରେ ସେ ଯୁଗ୍ମ ପବ୍ଲିକ ସର୍ଭିସ୍‌ କମିଶନର ମଧ୍ୟ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ । ହରେକୃଷ୍ଣ ଦାସ ଥିଲେ ରେଭେନ୍‌ସା କଲେଜର ଗଣିତ ଅଧ୍ୟାପକ, ନିଶାମଣି ଦାସ ଜଣେ ତହସିଲଦାର । ସେ ନିଜ ପିଉସୀଙ୍କ ଘରକୁ ପୁଅ ହୋଇ ଚାଲି ଯାଇଥିଲେ । ଚତୁର୍ଥ ପୁତ୍ର ବିପ୍ରଚରଣ ଦାସ ସେ ସମୟରେ ଏମ.ଏ., ବି.ଏଲ୍‌. ଓ ମୁନ୍‌ସିଫ୍‌ କାର୍ଯ୍ୟରୁ କାର୍ଯ୍ୟ ଆରମ୍ଭ କରି ଅବସର ଗ୍ରହଣବେଳକୁ ଜିଲ୍ଲା ଜଜ୍‌ ଭାବରେ ଅବସ୍ଥାପିତ ହୋଇପାରିଥିଲେ ।

 

ଅନାମ ଦାସଙ୍କ ଦ୍ୱିତୀୟ ପୁତ୍ର ଭିକାରୀଚରଣଙ୍କର ଗୋଟିଏ ସନ୍ତାନ ହୋଇ ନଷ୍ଟ ହୋଇଗଲା । ତେଣୁ ସେ ନିଜର ବଡ଼ଭାଇ ଦାମୋଦରଙ୍କର ସବା ସାନପୁଅ ବିପ୍ରଚରଣଙ୍କୁ ନିଜର ପୁତ୍ର କରି ଆଣିଲେ । ଅନ୍ୟପକ୍ଷରେ ସାନପୁଅ ରାଜକିଶୋର ଦାସଙ୍କର ଦୁଇପୁତ୍ର ଥିଲେ । ଜ୍ୟେଷ୍ଠ ପୁତ୍ର ଶ୍ୟାମାଚରଣ ଓ କନିଷ୍ଠ ପୁତ୍ର ବାମାଚରଣ । ଶ୍ୟାମାଚରଣ ଓକିଲାତି କରୁଥିବାବେଳେ ବାମାଚରଣ ରେଭେନ୍‌ସା କଲେଜରେ ଗଣିତ ଅଧ୍ୟାପକ ଭାବରେ କାର୍ଯ୍ୟ କରି ଅବସର ଗ୍ରହଣ କଲାବେଳକୁ ଶିକ୍ଷା ବିଭାଗର ଡି.ପି.ଆଇ. ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ଅଧିଷ୍ଠିତ ହୋଇ ପାରିଥିଲେ ।

 

କିଶୋରୀଚରଣ ଦାସଙ୍କର ପୂର୍ବପୁରୁଷଙ୍କର ତଥା କେତେକାଂଶରେ ନିଜ ସାମସମୟିକ ପିଢ଼ିର ଉଜ୍ଜ୍ୱଳ ଇତିହାସର କଥା କହିଛନ୍ତି । ଏମାନଙ୍କ ମଧ୍ୟରେ କେବଳ ଶ୍ୟାମାଚରଣଙ୍କୁ ଛାଡ଼ିଦେଲେ ସମସ୍ତେ ଥିଲେ ରାଜକର୍ମଚାରୀ । ରାଜକାର୍ଯ୍ୟରେ ନିଜକୁ ଲିପ୍ତ ରଖି ରାଜକାର୍ଯ୍ୟକୁ ସଂପନ୍ନ କରିବାରେ ଏମାନେ ଥିଲେ ପାରଙ୍ଗମ । ସବୁଠାରୁ ବଡ଼କଥା ହେଲା, ଏ ସମସ୍ତଙ୍କଠାରେ ଥିଲା ସଚ୍ଚୋଟପଣିଆ । ମନରେ ଥିଲା ରାଜଭକ୍ତି ଓ କର୍ମରେ ଥିଲା ରାଜକର୍ମ ପ୍ରତି ସଚେତନଶୀଳତା ଓ ନିଷ୍ଠାପର ଭାବ । ତାଙ୍କ ବଂଶ ପରମ୍ପରାରେ ଥିବା ରାଜଭକ୍ତି ସାଙ୍ଗକୁ ସତ୍ୟଶୀଳତା ଓ ନିଷ୍ଠାପରତାର ଏକ ଦୃଷ୍ଟାନ୍ତ ଏହି କ୍ଷେତ୍ରରେ ଉପସ୍ଥାପିତ କରାଯାଇପାରେ । ଉଦାହରଣ ଭାବରେ କିଶୋରୀଚରଣ ତାଙ୍କ ବଡ଼ବାପା ରାୟବାହାଦୁର ରାଧାଚରଣ ଦାସଙ୍କ କଥାକୁ ନିଜ ଜୀବନୀରେ ଅବତାରଣା କରିଛନ୍ତି । ରାଧାଚରଣ ଦାସଙ୍କ ଏପରି ରାଜଭକ୍ତ ତଥା ବ୍ରିଟିଶ ରାଜାଙ୍କର ଏକାନ୍ତ ଅନୁଗତ ଥିଲେ । ପ୍ରତ୍ୟେକ ଦିନ ସ୍ନାନତୀର୍ଥ ପରେ ଠାକୁରଙ୍କୁ ପ୍ରଣାମ କରିସାରି ସେ ସମ୍ରାଟ୍‌ ପଞ୍ଚମ ଜର୍ଜଙ୍କ ଫଟୋ ତଳେ ମୁଣ୍ଡିଆ ମାରୁଥିଲେ । ତାଙ୍କର ସତ୍ୟପ୍ରିୟତା ଓ ନିଷ୍ଠାପରତାର ମଧ୍ୟ ସୀମା ନ ଥିଲା । ଏହାର ମଧ୍ୟ ଏକ ସୁନ୍ଦର ଦୃଷ୍ଟାନ୍ତ ରହିଛି । ଏକଦା ସେ ଟୁରରେ ଯାଉଥିବାବେଳେ କୌଣସି ଏକ ଡାକବଙ୍ଗଳାରେ ଅବସ୍ଥାନ କରିଥିଲେ । ହଠାତ୍‌ ତାଙ୍କର କେତୋଟି କାଗିଜିଲେମ୍ବୁ ଦରକାର ହେବାରୁ ହତା ମଧ୍ୟରେ ଥିବା ଲେମ୍ବୁଗଛରୁ ତୋଳା ହୋଇ ଅଣାଯାଇଥିଲା । ତାହାକୁ ଆଣି ସେ ସେହି ଲେମ୍ବୁର ନ୍ୟାଯ୍ୟ ମୂଲ୍ୟକୁ ଡାକବଙ୍ଗଳାର ଚୌକିଦାରକୁ ପ୍ରଦାନ କରିବା ସହ ଡାକବଙ୍ଗଳାର ରେଜିଷ୍ଟାର ଖାତାରେ ମଧ୍ୟ ତାହାକୁ ଉଲ୍ଲେଖ କରିଦେଇଥିଲେ-। ଯେପରି ସେହି ଅର୍ଥ ସିଧାସଳଖ ଭାବରେ ସରକାରୀ ତହବିଲ୍‌କୁ ଯାଇପାରିବ । ଏମିତି ଅନେକ ଉଦାହରଣମାନ ରହିଛି । ଏପରିକି କିଶୋରୀଚରଣଙ୍କର ବାପା ବିପ୍ରଚରଣ ମଧ୍ୟ କୌଣସି ଭେଟିକୁ ଗ୍ରହଣ ନ କରି ଫେରାଇ ଦେଉଥିଲେ । ଏହି ଭାବଧାରାଟି କିଛି କମ୍‌ ପରିମାଣରେ କିଶୋରୀଚରଣଙ୍କୁ ପ୍ରଭାବିତ କରିନଥିବ । କିଶୋରୀଚରଣ ନିଜର ପରବର୍ତ୍ତୀ ଜୀବନରେ ଠିକ୍‌ ନିଜର ପୂର୍ବସୂରୀଙ୍କ ପରି ରାଜକର୍ମରେ ରାଜଭକ୍ତି ଦେଖାଇବା ସହିତ ନିଜର କର୍ମରେ ସତ୍ୟଶୀଳତା ଓ ନିଷ୍ଠାପରତାର ଅନେକ ସୂଚନା ପ୍ରଦାନ କରିଛନ୍ତି ।

 

କିଶୋରୀଚରଣଙ୍କ ବାପା ବିପ୍ରଚରଣ ଦାସ ପ୍ରାଥମିକ ଅବସ୍ଥାରେ ଆତ୍ମମଗ୍ନ ବ୍ୟକ୍ତିଟିଏ ଥିଲେ । ଏହି କାରଣରୁ ବିବାହ କରିବା କଥାକୁ ସେ ଅନେକ ସମୟରେ ଏଡ଼େଇ ଦେଉଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଆଖପାଖ ଗାଁ ଧର୍ମାଗତପୁରର ଜଣେ ଅଠର ବର୍ଷୀୟା ଝିଅର ବିବାହ ପ୍ରସ୍ତାବରେ ସେ ରାଜି ହୋଇଥିଲେ । ବାହାଘରବେଳକୁ ବିପ୍ରଚରଣଙ୍କୁ ହୋଇଥିଲା ତିରିଶ ବର୍ଷ ଓ ତାଙ୍କ ପତ୍ନୀ ସୀତାମଣି ଦେବୀଙ୍କୁ ହୋଇଥିଲା ମାତ୍ର ଅଠରବର୍ଷ । ତାଙ୍କ ଜୀବନର ପ୍ରଥମ ସୃଷ୍ଟି ଥିଲେ କିଶୋରୀଚରଣ ଦାସ । କିଶୋରୀଚରଣ ଜନ୍ମ ହେବାର ଠିକ୍‌ ସମୟ ପୂର୍ବରୁ ପୃଥିବୀପୃଷ୍ଠକୁ ଚାଲି ଆସିଥିଲେ । ଅର୍ଥାତ୍‌ ଗର୍ଭରେ ସାତମାସ ରହୁ ନ ରହୁଣୁ ତାଙ୍କର ଜନ୍ମ ହୋଇଯାଇଥିଲା । ସେତେବେଳେ ସେ ତାଙ୍କ ବାପାଙ୍କ ହାତ ମାପରେ ଚାଖଣ୍ଡେ ବୋଲି ଶିଶୁ । ସମସ୍ତଙ୍କ ମନରେ ଶିଶୁଟିର ବଞ୍ଚିବାକୁ ନେଇ ଉପୁଜି ଉଠୁଥିଲା ସଂଶୟ । ପିଲାଟିର ଦୀର୍ଘ ଜୀବନର କାମନା କରିବା ତ ଦୂରର କଥା, କେବଳ ବଞ୍ଚିଯାଉ ବୋଲି ସମସ୍ତେ ଈଶ୍ୱରଙ୍କଠାରେ ପ୍ରାର୍ଥନା କରୁଥିଲେ ।

 

ସମସ୍ତଙ୍କ ମଧ୍ୟରେ ଜଣେ ଡାକ୍ତରାଣୀ ମାତ୍ର ଥିଲେ ସେଠି । ସେ ହିଁ ଶିଶୁଟିକୁ ଜନ୍ମ ମୁହୂର୍ତ୍ତରୁ କୋଳରେ ଧରି ବେଶ୍‌ ପରୀକ୍ଷା ନିରୀକ୍ଷା କରିଥିଲେ ଓ ଶେଷରେ ତାଙ୍କ ବାପା ବିପ୍ରଚରଣଙ୍କୁ ଅଭୟ ବାଣୀ ଶୁଣାଇ ଆନନ୍ଦିତ କରାଇଥିଲେ ଯେ, ଶିଶୁଟି ପ୍ରିମାଚୁର ହେଲେ ମଧ୍ୟ ନର୍ମାଲ ଅବସ୍ଥାରେ ଅଛି । ଶିଶୁଟି ବଞ୍ଚିରହିବ ଓ ବଡ଼ ହେବ । ବାପା ଓ ବୋଉଙ୍କ ମନରେ ଆନନ୍ଦ ଖେଳାଇଥିବା ଏହି ଡାକ୍ତରାଣୀ ଥିଲେ ସଦ୍ୟ ଏଲ୍‌.ଏମ୍‌.ପି. ପାସ୍‍ କରି କଟକରେ ପ୍ରାକ୍ଟିସ୍‍ କରୁଥିବା ତଥା ଓଡ଼ିଆ ସାହିତ୍ୟର ଅନ୍ୟତମ ସାହିତ୍ୟ ସାଧିକା ଡଃ କୁନ୍ତଳା କୁମାରୀ ସାବତ । ଜନ୍ମ ମୁହୂର୍ତ୍ତରୁ କୁନ୍ତଳାକୁମାରୀଙ୍କ କୋଳରେ ରହି ନିଜକୁ ନିରାପଦ ମଣିଥିବା ଓ ପ୍ରକାରାନ୍ତରେ ତାଙ୍କର ଆଶିଷ ଲାଭ କରିଥିବା ଏହି ଶିଶୁ କିଶୋରୀଚରଣଙ୍କର ସେହି ଜନ୍ମ ମୁହୂର୍ତ୍ତଟି ଥିଲା ୧୯୨୪ ମସିହା ମାର୍ଚ୍ଚ ମାସ ୧ ତାରିଖ । ଜନ୍ମସ୍ଥାନ- କଟକସ୍ଥ ଖଟବିନ୍‌ ସାହିରେ । ଯେଉଁଠି ବର୍ତ୍ତମାନ ତାଙ୍କର ସାନଭାଇ ପ୍ରଫେସର ରେବତୀଚରଣ ଦାସ ରହୁଛନ୍ତି ପୈତୃକ ସମ୍ପତ୍ତିର ଭାଗ ବଣ୍ଟୁଆରା ସୂତ୍ରରେ । କିଶୋରୀଚରଣ କିନ୍ତୁ ନିଜର ଶେଷ ଜୀବନ ପର୍ଯ୍ୟନ୍ତ ରହି ଆସିଛନ୍ତି ଖଟବିନ୍‌ ସାହି ଗଳିରେ । ମୁଣ୍ଡ ଟେକି ରହିଥିବା ଦି’ ମହଲା କୋଠାଘରେ, ଯେଉଁଟି ‘ବିପ୍ରଚରଣ ଭବନ’ ନାମରେ ନାମିତ ହୋଇଛି-

 

କିଶୋରୀଚରଣ ପ୍ରଖ୍ୟାତ ସାହିତ୍ୟିକା ଡଃ କୁନ୍ତଳା କୁମାରୀଙ୍କର ଆଶୀର୍ବାଦ ଲାଭ କରି ଆସ୍ତେ ଆସ୍ତେ ବଡ଼ ହୋଇ ଉଠିଲେ । ଅଳ୍ପ ସମୟ ମଧ୍ୟରେ ସେ ସମ୍ପୂର୍ଣ୍ଣ ନର୍ମାଲ ପିଲାଟିଏ ପାଲଟିଗଲେ । ଅନ୍ୟ ପକ୍ଷରେ ଆବଶ୍ୟକତାଠାରୁ ଅଧିକ ସେ ମୋଟା ହୋଇଯାଇଥିଲେ । ତେଣୁ ସମସ୍ତେ ତାଙ୍କୁ ‘ଗେଧେକା’ଟିଏ ହୋଇଗଲାଣି ବୋଲି ଥଟ୍ଟାରେ ଥଟ୍ଟାରେ କହୁଥିଲେ । ପରବର୍ତ୍ତୀ କାଳରେ ସେହି ମୋଟାପଣ ପାଇଁ ସମ୍ଭବତଃ ତାଙ୍କର ପେଟେଇବା, ଚାଲିବା ଓ କଥା କହିବା ଆଦି ସମସ୍ତ କାର୍ଯ୍ୟ ବିଳମ୍ବରେ ହିଁ ସମ୍ପାଦିତ ହେଲା । ସେ ପ୍ରାୟ ଅଢ଼େଇବର୍ଷ ପର୍ଯ୍ୟନ୍ତ ଭଲ ଭାବରେ ଚାଲି ପାରୁ ନ ଥିଲେ କି କଥା ମଧ୍ୟ କହିପାରୁ ନ ଥିଲେ । ଖୁବ୍‌ ମୋଟା ଥିବାରୁ ସେ ଚଳଚଞ୍ଚଳ ମଧ୍ୟ ହୋଇପାରୁ ନ ଥିଲେ । ତେଣୁ ତାଙ୍କଠାରେ ଦୁଷ୍ଟାମିର ଆଦୌ କୌଣସି ଲକ୍ଷଣ ମାତ୍ର ନ ଥିଲା । ସେ ପିଲାଦିନେ ଥିଲେ ଅତ୍ୟନ୍ତ ପରିମାଣରେ ଖୁବ୍‌ ଶାନ୍ତଶିଷ୍ଟ ଓ କିଶୋର ଭାବରେ ଆତ୍ମଭୋଳା । କଣ୍ଢେଇଟିଏ ଧରି ଖେଳୁଥିବେ ଯେ ଖେଳୁଥିବେ । ସେହି କଣ୍ଢେଇ ଖେଳ ମଧ୍ୟରେ ସେ ନିଜକୁ ପ୍ରାୟ ହଜାଇ ଦେଉଥିଲେ । ତାଙ୍କର ପ୍ରିୟ କଣ୍ଢେଇଟି ଥିଲା ‘କେଶବ କଣ୍ଢେଇ’ । କିଶୋରୀଚରଣଙ୍କର ଏହି କେଶବ କଣ୍ଢେଇ ପ୍ରତି ଅତ୍ୟନ୍ତ ଆସକ୍ତି ଭାବ ଦେଖି ତାଙ୍କର ଜେଜେବାପା ଭିକାରୀଚରଣ ତାଙ୍କର ନାମକରଣ କରିଥିଲେ ‘କେଶବ’ ବୋଲି । ପରବର୍ତ୍ତୀ ପର୍ଯ୍ୟାୟରେ ‘ଚରଣ’ ଶବ୍ଦଟିକୁ ତାଙ୍କ ବାପା ପୁରୁଷାନୁକ୍ରମରେ ସଂପାଦି ରଖିବାକୁ ଚାହୁଁଥିବାରୁ ତାଙ୍କ ନାମରେ ମଧ୍ୟ ସେହି ଚରଣ ଶବ୍ଦଟି ଯୋଡ଼ି ହୋଇଗଲା । ‘କେଶବ’ ଶବ୍ଦରୁ ଡାକ ନାମ ହୋଇଗଲା ‘କେଶ’ ଓ ଭଲ ନାମ ହୋଇ ଉଠିଲା ‘କିଶୋରୀଚରଣ’ ।

 

କ୍ରମେ କିଶୋରୀଚରଣ ଚାଲି ଶିଖିଲେ ଓ କଥା କହି ଶିଖିଲେ । ଚାଲିବା ଓ କଥା କହିବା ଆରମ୍ଭ ହେବା ସହିତ ତାଙ୍କର ଦୁଷ୍ଟାମିପଣିଆ ମଧ୍ୟ ଏହି ସମୟରୁ କ୍ରମଶଃ ବୃଦ୍ଧି ପାଇଲା । ସେ ଜିଦଖୋର ପିଲାଟିରେ ପରିଣତ ହୋଇଗଲେ । କୌଣସି କଥାକୁ ମାନିବାକୁ ସହଜରେ ପ୍ରସ୍ତୁତ ହେଉ ନ ଥିଲେ । ଥରେ ସେ ଜିଦ୍‌ ଧରିଲେ ବାଡ଼ିଆଡ଼କୁ ଯିବା ପାଇଁ । ସେତେବେଳକୁ ଅନ୍ଧାର ଘୋଟି ଆସିଲାଣି । ତେଣୁ ଅନ୍ଧାରରେ ବାଡ଼ିଆଡ଼କୁ ଯିବା ଠିକ୍‌ ନୁହେଁ ବୋଲି ମନା କରାଗଲା କିଶୋରୀଚରଣଙ୍କୁ । ସେ କିନ୍ତୁ ମାନିବାକୁ ନାରାଜ । କାନ୍ଦି କାନ୍ଦି ତା’ର ପ୍ରତିବାଦ କରିଥିଲେ । ସେ ବାରମ୍ବାର କହୁଥିଲେ ଯେ- “ମୁଁ କହୁଛି ମୁଁ ବାଡ଼ିକି ଯିବି । ତମେ କୁହ ବାଡ଼ିରେ ବାୟା ଅଛି.... ।’’ (ସମୟ ନାହିଁ/ପୃଷ୍ଠା-୧୧) । ଏହି କଥାରୁ ସ୍ପଷ୍ଟ ହୋଇ ଉଠୁଥିଲା ‘ବାୟା’ ପରି କୌଣସି ଅର୍ଥହୀନ ଶବ୍ଦ କହି ତାଙ୍କୁ ଭୁଲାଇଦେବା ବା ଭୟ ଦେଖାଇବାଟା କେବେ ସହଜ ନ ଥିଲା । ବାସ୍ତବ କାରଣଟା ନ ଜାଣିବା ପର୍ଯ୍ୟନ୍ତ ସେ କୌଣସି କାଳ୍ପନିକ କଥାରେ ବିଶ୍ୱାସ କରୁ ନ ଥିଲେ । କିଏ ଜାଣିଥିଲା ଏହି ଶିଶୁ ‘କେଶ’ ଯିଏ କୌଣସି କଳ୍ପନାକୁ ବିଶ୍ୱାସ କରିବାକୁ ପ୍ରସ୍ତୁତ ନ ଥିଲା । ସିଏ ବଡ଼ ହୋଇ କେବଳ କଳ୍ପନାର ଚରିତ୍ର ଓ କାହାଣୀ ସୃଷ୍ଟି କରି ଓଡ଼ିଆଙ୍କୁ ଚକିତ କରାଇଦେବ ବିଶିଷ୍ଟ କଥାଶିଳ୍ପୀ କିଶୋରୀଚରଣଟିଏ ହୋଇ । ବାସ୍ତବରେ ଯେଉଁ କିଶୋରୀଚରଣ ନିଜର ବାଲ୍ୟକାଳରେ କୌଣସି କଳ୍ପନାରେ ବିଶ୍ୱାସ ନ ରଖି ତର୍କ ପରାୟଣ ହୋଇ ଉଠୁଥିଲେ । ବଡ଼ ହୋଇ ସେ ନିଜର କଳ୍ପନାର ମାୟାଜାଲରେ ସମସ୍ତଙ୍କୁ ଅଭିଭୂତ କରିଦେଲେ । ଏହାଠାରୁ ବଳି ଆଶ୍ଚର୍ଯ୍ୟର କଥା ଆଉ କ’ଣ ଥାଇପାରେ ?

 

ଛାତ୍ର ଜୀବନ

 

ହିନ୍ଦୁ ପରମ୍ପରା ଅନୁଯାୟୀ ଠିକ୍‌ ୪ ବର୍ଷ ୪ ମାସ ୪ ଦିନରେ କିଶୋରୀଚରଣଙ୍କର ବିଦ୍ୟାରମ୍ଭର ଉପକ୍ରମ ଘଟେ । ଠାକୁରଙ୍କ ନିକଟରେ ଖଡ଼ି ଛୁଆଁପୂର୍ବକ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରରୂପୀ ତିନିଗୋଟି ଶୂନ୍ୟ ମଡ଼ାଇବାରୁ ପ୍ରାଥମିକ ସ୍ତରୀୟ ବିଦ୍ୟାରମ୍ଭ ହେଲେ ମଧ୍ୟ ଯଥାର୍ଥ ଆନୁଷ୍ଠାନିକ ବିଦ୍ୟାରମ୍ଭ ହେଲା ତାଙ୍କର ବହୁତ ପରେ, କହିବାକୁ ଗଲେ ଷଷ୍ଠ ଶ୍ରେଣୀରୁ । ଚାହାଳି ପାଠଠାରୁ ଆରମ୍ଭ କରି ପ୍ରାଥମିକ ଶିକ୍ଷା ପର୍ଯ୍ୟନ୍ତ ସେ ଘରେ ରହି ପାଠ ପଢ଼ିଥିଲେ । ବିଦ୍ୟାଦାତା ଥିଲେ ତାଙ୍କର ବାପା ବିପ୍ରଚରଣ । ଏହି ପାଠପଢ଼ା ଦିଗରେ କେତେକାଂଶରେ ମଧ୍ୟ ତାଙ୍କର ମାତା ସୀତାମଣୀ ଦେବୀଙ୍କର ଭୂମିକା ଅନସ୍ୱୀକାର୍ଯ୍ୟ । ବାପା ଓ ମା’ଙ୍କର ଯଥାର୍ଥ ତତ୍ତ୍ୱାବଧାନରେ ସେ କ୍ରମଶଃ ବିଦ୍ୟାଧ୍ୟୟନ ଦିଗରେ ଅଗ୍ରସର ହେଉଥିବାବେଳେ ବୋଧହୁଏ ତାଙ୍କର ବାପା ଅନୁଭବ କଲେ ଯେ କେବଳ ପିତାମାତାଙ୍କର ଶିକ୍ଷା ଯଥାର୍ଥ ନୁହେଁ । ତେଣୁ ସେ ଆନୁଷ୍ଠାନିକ ବିଦ୍ୟାଳୟର ଅନ୍ୟାନ୍ୟ ବିଷୟକୁ ବିଦ୍ୟାଳୟସ୍ତରୀୟ ପାଠ୍ୟକ୍ରମ ଓ ପାଠ୍ୟଦାନ ପଦ୍ଧତିରେ ନିଜ ପୁତ୍ରକୁ ପରିଚୟ କରାଇବା ପାଇଁ ଆଉ ଏକ ଘରୋଇ ବ୍ୟବସ୍ଥା ଗ୍ରହଣ କଲେ । ଏହିପରି ଭାବରେ ତାଙ୍କର ପ୍ରାଥମିକ ବିଦ୍ୟାରମ୍ଭର ଭୂୟୋବିକାଶ ଘଟିବାକୁ ଆରମ୍ଭ କଲା ।

 

ଆନୁଷ୍ଠାନିକ ଭାବରେ ବିଦ୍ୟାଳୟ ଯିବା ପୂର୍ବରୁ କିଶୋରୀଚରଣଙ୍କ ଜୀବନରେ ଗୋଟିଏ ଘଟଣା ଘଟେ, ଯାହାକି ପରବର୍ତ୍ତୀ କାଳରେ ତାଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ କରାଇ ନେଇଥିଲା । ଘରେ ଟ୍ୟୁସନ୍‌ ମାଷ୍ଟ୍ର ତାଙ୍କୁ ପାଠ୍ୟ ବହିର୍ଭୂତ ଏକ ବିଷୟ ଭାବରେ ରଚନାଟିଏ ଦେଇଥିଲେ ଲେଖିବାପାଇଁ । ରଚନାଟିର ବିଷୟବସ୍ତୁ ଥିଲା ‘ବର୍ଷାଋତୁ’ । କିଶୋରୀଚରଣ ସେହି ବିଷୟଟି ଉପରେ ନିଜର ଭାବନାକୁ ବ୍ୟକ୍ତ କରିଚାଲିଲେ । ପ୍ରଥମେ କେମିତି ଆକାଶରେ କଳାହାଣ୍ଡିଆ ମେଘ ଘନେଇ ଆସେ । କିପରି ବିଜୁଳି ଓ ଘଡ଼ଘଡ଼ି ମାରେ । ବିଜୁଳିର ଚକ୍‌ ଚକ୍‌ ଆଲୁଅ ଓ ଘଡ଼ଘଡ଼ିର ଭୟଙ୍କର ଶବ୍ଦ କିପରି ମନରେ ଭୟ ସଂଚାର କଲେ ମଧ୍ୟ ପରେ ମନକୁ କିପରି ଆହ୍ଲାଦିତ କରିଦିଏ । ବଡ଼ ପିଲାଟିଏ ହୋଇଯାଇଥିଲେ ମଧ୍ୟ କିପରି ମାଆ କୋଳରେ ଗୁଞ୍ଜି ହୋଇ ଯିବାକୁ ଇଚ୍ଛା ହୁଏ ଇତ୍ୟାଦି ଇତ୍ୟାଦି । କିଶୋରୀଚରଣଙ୍କର କଲମ ଅଟକିବାକୁ ନାରାଜ । ଭାବନା କିନ୍ତୁ ପରିବ୍ୟାପ୍ତ ହୋଇଉଠୁଛି । ନିଜ ଭାବନାକୁ ରୂପ ଦେବା ପାଇଁ ସମୟ ମଧ୍ୟ ଯେପରି ପ୍ରଶସ୍ତ ହୋଇଉଠୁଛି । ହଠାତ୍‌ ମାଷ୍ଟ୍ରେ ତାଙ୍କ ହାତରୁ ଖାତା ଛଡ଼ାଇ ନେଲେ ଓ ଏତେ ସମୟ ପର୍ଯ୍ୟନ୍ତ କ’ଣ ଲେଖା ଚାଲିଛି ବୋଲି ପ୍ରଶ୍ନ କରି ତାକୁ ପଢ଼ିବାକୁ ଲାଗିଲେ । ଶେଷରେ ଖାତା ଉପରେ ଗୋଟିଏ ମୋଟା ନାଲି ଛକିଟିଏ ମାରି ନିଜର ବିରକ୍ତିଭାବକୁ ପ୍ରକାଶ କରିବା ସହିତ କଟୁ ମନ୍ତବ୍ୟ ପ୍ରଦାନ କରି କହିଲେ, “ମୂର୍ଖ ! କ’ଣ ସବୁ ବାଜେ କଥା ଲେଖିଛୁ ? ବର୍ଷା କାହିଁକି ହୁଏ ତା’ ଜଣା ନାହିଁ ତତେ ? ଆଉ ବର୍ଷା ଯୋଗୁଁ କ’ଣ ଲାଭ ହୁଏ ଆମର, କମ୍‌-ବେଶି ହେଲେ କ’ଣ କ୍ଷତି ହୁଏ, ସେସବୁ ବିଷୟରେ କିଛି ଲେଖିବାର ନ ଥିଲା ? ହୋପଲେସ୍‌ ।’’ କଥାଟି ମଧ୍ୟ ଏତିକିରେ ଅଟକି ରହିଲା ନାହିଁ । କଥା ଗଲା ବାପାଙ୍କ ନିକଟକୁ । ବାପା ରଚନାଟିକୁ ପଢ଼ିଲେ, କିନ୍ତୁ ଆଦୌ ବିରକ୍ତି ହେଲେ ନାହିଁ । ମାଷ୍ଟ୍ରେଙ୍କୁ ବୁଝାଇ କହିଲେ ଯେ, ଶିଶୁ କିଶୋରୀଚରଣ ଯାହା ଲେଖିଛି କିଛି ମନ୍ଦ ନୁହେଁ; ଅବଶ୍ୟ ସେଥିରେ କିଛି ଫ୍ୟାକ୍ଟସ୍‌ ଦେବା ଉଚିତ ଥିଲା ଏବଂ ସାମାନ୍ୟ ମୁହୂର୍ତ୍ତଟିଏ ହସି ନିଜ ପୁଅକୁ ସେତେବେଳେ ସେ ବୁଝାଇ ଦେଇଥିଲେ ଯେ ସେ କୁଆଡ଼େ କବିତାଟି ଭଲ ଲେଖିଛନ୍ତି ଓ ତାହା ସହିତ କିଛି ଆନୁଷଙ୍ଗିକ ତଥ୍ୟ ପ୍ରଦାନ କରିଥିଲେ ତାହା ପୂରିଉଠିଲା ପରି ଲାଗିଥା’ନ୍ତା ।

 

ଏଇ ଘଟଣାଟିରେ କିଶୋରୀଚରଣଙ୍କ ମନରେ ଦୁଇଟି କଥା ଦ୍ୱନ୍ଦ ସୃଷ୍ଟି କରିବା ସାଙ୍ଗକୁ ନିଜ ମଧ୍ୟରେ ଭୟ ପରିବର୍ତ୍ତେ ଅପୂର୍ବ ସାହସ ସଞ୍ଚରିଗଲା । ପ୍ରଥମ କଥା ହେଉଛି ମାଷ୍ଟ୍ରେଙ୍କ ଅଭିଯୋଗ ସତ୍ତ୍ୱେ ବାପା ରାଗିଲେ ନାହିଁ । ତେଣୁ ରଚନାଟି ଅଳ୍ପ ବହୁତେ ବାପାଙ୍କୁ ଭଲ ଲାଗିଛି ନିଶ୍ଚୟ । ଦ୍ୱିତୀୟଟି ହେଉଛି ନିଜେ ଲେଖିଥିବା ରଚନାଟି ବାପାଙ୍କ ଦୃଷ୍ଟିରେ କବିତା ହେଲା କିପରି-? ପ୍ରଥମେ ପ୍ରଥମେ ସେ କିଛି ବୁଝିପାରିଲେ ନାହିଁ । ବାପାଙ୍କୁ ମଧ୍ୟ ସେ ସଂକ୍ରାନ୍ତରେ କେବେ କିଛି ପଚାରି ନାହାନ୍ତି । କେବଳ ମନରେ ଗୋଟିଏ ଦୃଢ଼ପଣ ଆସିଲା ଯେ, ସେ ଯାହା ଲେଖିଥିଲେ, ତାହା ଯାହା ହେଉନା କାହିଁକି ତାଙ୍କ ବାପାଙ୍କ ମନକୁ ପାଇଛି । ତେଣୁ ସେ ନିଶ୍ଚୟ ସେପରି ଲେଖିବେ ଓ ଲେଖାକୁ ଆହୁରି ସ୍ରୋତସ୍ୱିନୀ କରିଦେବେ ।

 

ଏବେ କିନ୍ତୁ ସେହିକଥା ଭାବିଲେ ବୁଝିବାକୁ ଆଉ ବାକି ରହେ ନାହିଁ ଯେ ଶିଶୁ କିଶୋରୀଚରଣଙ୍କର ବର୍ଷାଋତୁ ରଚନାଟି ତାଙ୍କ ବାପାଙ୍କୁ କାହିଁକି କବିତା ପରି ମନେହେଲା । ତେବେ ଆନୁଷ୍ଠାନିକ ଭାବରେ ସେ ଯେତେବେଳେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ, ସେହି ୧୯୩୬ ସାଲରେ ସେ ପ୍ରଥମ କରି ଗୋଟିଏ କବିତା ଲେଖିଥିଲେ । କବିତାଟିର ଶୀର୍ଷକ ଥିଲା, “ମେରୀ ରାଣୀଙ୍କ ହୃଦୟ ଧନ ।’’ ଏହି କବିତାଟିରେ ରାଜା ପଞ୍ଚମ ଜର୍ଜଙ୍କର ବିୟୋଗ କାଳରେ ଶୋକ ପାଳନ କରିବାର ଉଦ୍ୟମକୁ ପ୍ରକାଶ କରାଯାଇଥିଲା । ସେତେବେଳେ ସେ କିନ୍ତୁ କେନ୍ଦ୍ରାପଡ଼ାରେ । ଏହା ମଧ୍ୟରେ କିନ୍ତୁ ଅନେକ କିଛି ଘଟଣା ଘଟିଯାଇଛି; ଯାହାକି ତାଙ୍କ ସ୍ମୃତିକୁ ଜାବୁଡ଼ି ଧରିଛି ଶେଷଯାତ୍ରା ପର୍ଯ୍ୟନ୍ତ । ସେ ସବୁ ଏଠାରେ ନିଶ୍ଚୟ ସ୍ମରଣୀୟ ।

 

ଶିଶୁ କିଶୋରୀଚରଣ ଓରଫ କେଶବଙ୍କର ପିଲାଦିନେ କେହି ବାଲ୍ୟ ସାଙ୍ଗ-ସାଥି ନ ଥିଲେ । ଏକମାତ୍ର ସାଙ୍ଗ ଥିଲେ ସ୍ୱୟଂ ତାଙ୍କର ଜେଜେ ଭିକାରୀଚରଣ । ସେ ବାର୍ଦ୍ଧକ୍ୟ ହେତୁ କେଉଁଆଡ଼େ ଚଲାବୁଲା ପ୍ରାୟ ନ କରି ଗୋଟିଏ ବଡ଼ ଆରାମ ଚୌକିରେ ବସୁଥିଲେ । କେଶବ ମଧ୍ୟ କେଉଁଆଡ଼େ ବିଶେଷ ଯିବାକୁ ଇଚ୍ଛା ପ୍ରକାଶ ନ କରି ଘରେ ରହୁଥିଲେ । ଏହି କାରଣରୁ ସମ୍ଭବତଃ ଜେଜେ ଓ ନାତିଙ୍କ ମଧ୍ୟରେ ଏକ ଭିନ୍ନ ଧରଣର ବନ୍ଧୁତ୍ୱ ବଳବତ୍ତର ହୋଇଉଠିଥିଲା । ଜେଜେ ପ୍ରାତଃଜଳଖିଆ ଖାଇବାବେଳେ କେଶବକୁ ଡାକୁଥିଲେ । ଜଳଖିଆ ଥିଲା କ୍ଷୀର-ଖଇ; ଯାହାକି ବାର୍ଦ୍ଧକ୍ୟ କାଳରେ ଶୀଘ୍ର ହଜମ ହୋଇପାରିବ । ଜେଜେ ଚାମୁଚେ ଲେଖାଏଁ କେଶବଙ୍କ ପାଟିକୁ ବଢ଼ାଇ ଦେଉଥିଲେ । କେଶବ ତାହାକୁ ଖାଇ ଦେଉଥିଲେ । କିଛିକଥା ଜେଜେ କୁହନ୍ତି- କେଶବ ଶୁଣନ୍ତି । ପୁଣି କେବେ କିଛି କେଶବ କହିଲେ- ଜେଜେ ଶୁଣନ୍ତି । ଏକ ଅପୂର୍ବ ବନ୍ଧୁତ୍ୱର ବନ୍ଧନ । ଅନେକ ସମୟ ତ ନୀରବତାର ଅନୁଭବ ।

 

କେବେ କେବେ ପାଗଯୋଗ ଅନୁକୂଳ ଥିଲେ ଜେଜେ ଓ ସେ ବାହାରି ପଡ଼ନ୍ତି ନଗର ଭ୍ରମଣରେ; ଗୋଟିଏ ହାତଟଣା ରିକ୍ସାରେ । ସେମାନେ ଯାଆନ୍ତି କିଲ୍ଲା ପଡ଼ିଆକୁ । ସେଇଠି ଓହ୍ଲାଇ ପଡ଼ନ୍ତି । ତା’ର ଘାସଗାଲିଚା ଉପରେ ବସି ନିରବରେ ପ୍ରକୃତିକୁ କେବଳ ଉପଭୋଗ କରନ୍ତି ବହୁତ ସମୟ ପର୍ଯ୍ୟନ୍ତ । କେବେ ତାଙ୍କ ହାତ ଡବାରୁ ସେ ବାହାର କରି ଆଣନ୍ତି ଶିଝା ବାଦାମକୁ । ଚୋପା ଛଡ଼େଇ ସେ ଓ କେଶବ ତାକୁ ପାଟିରେ ପକାନ୍ତି ଓ ପ୍ରକୃତିକୁ ମନଭରି ଉପଭୋଗ କରନ୍ତି । ନୀରବତାର ଉପଭୋଗ ଏକ ଭିନ୍ନ ଅନୁଭବ ମାତ୍ର । ଏହି ଅନୁଭବ ତାଙ୍କ କବିଭାବକୁ ନିଶ୍ଚିତ ଭାବରେ ସମୃଦ୍ଧ କରି ତୋଳି ଧରିଥିବ ସେଦିନ ।

 

Unknown

ସ୍କୁଲ ଜୀବନ

 

କିଶୋରୀଚରଣଙ୍କ ପିତା ଜଜ୍‌ ବିପ୍ରଚରଣ ବିହାର-ଓଡ଼ିଶାର ଜୁଡିସିଆଲ ସର୍ଭିସରେ ଚାକିରି କରୁଥିବା ହେତୁ ତାଙ୍କ ପରିବାର ଏହି ଦୁଇ ପ୍ରଦେଶର ବିଭିନ୍ନ ସ୍ଥାନରେ ଘୂରି ବୁଲିବାକୁ ପଡ଼ୁଥିଲା । ତେଣୁ କିଶୋରୀଚରଣଙ୍କ ଅଧ୍ୟୟନ ବିଭିନ୍ନ ସ୍ଥାନରେ ଘଟିଛି । ଆନୁଷ୍ଠାନିକ ଭାବରେ ଘରୋଇ ଭାବରେ ପ୍ରାଥମିକ ଶିକ୍ଷାର ପରିସମାପ୍ତି ପରେ କିଶୋରୀଚରଣଙ୍କର ବାପା ବିପ୍ରଚରଣ ନିକଟସ୍ଥ ଗୋଟିଏ ସ୍କୁଲରେ କିଶୋରୀଚରଣଙ୍କ ନାମ ଲେଖାଇ ଦିଅନ୍ତି । ତାହାଥିଲା ଭଦ୍ରକ ହାଇସ୍କୁଲ । କିଶୋରୀଚରଣ ସେଠାରେ ଷଷ୍ଠ ଶ୍ରେଣୀରେ ଅଧ୍ୟୟନ ପାଇଁ ପ୍ରବେଶ କରନ୍ତି । ଜୀବନରେ ପୁଣି ଗୋଟିଏ ନୂଆ ଅନୁଭୂତିର ମୋଡ଼ ସୃଷ୍ଟି ହୁଏ ।

 

ଭଦ୍ରକ ହାଇସ୍କୁଲରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଲାବେଳକୁ ସେ ବିଦ୍ୟାଳୟରେ ମଧ୍ୟ ନିଃସଙ୍ଗ-ସଂପୂର୍ଣ୍ଣ ଏକାକୀ । ଗୋଟିଏ ଚାକର ନେଇ ତାଙ୍କୁ ସ୍କୁଲରେ ଛାଡ଼ି ଦେଇ ଆସନ୍ତି । ବାସ୍‌, ସ୍କୁଲରେ ସେ ଏକାନ୍ତ ଚୁପ୍‌ଚାପ୍‌ । ବଡ଼ଲୋକ ଘରର ପିଲା ବୋଲି କେହି ତାଙ୍କ ସହିତ ସାଙ୍ଗ ହୁଅନ୍ତି ନାହିଁ; ଅନ୍ୟ ପକ୍ଷରେ କିଶୋରୀଚରଣ ନିଜକୁ ସେମାନଙ୍କ ପରି ଜଣେ ଓ ଆଦୌ ଭିନ୍ନ ନୁହନ୍ତି ବୋଲି ଭାବୁଥିଲେ ମଧ୍ୟ ନିଜର ଆତ୍ମଭୋଳାପଣିଆ ହେତୁ ପ୍ରାୟତଃ କାହାରିକୁ ନିଜର ମନକଥା କହିପାରନ୍ତି ନାହିଁ । ଏହିପରି ଏକ ନିଃସଙ୍ଗତା ଓ ନିଃସଙ୍ଗତାରୁ ମୁକ୍ତି ପାଇଁ କୌଶଳ ସନ୍ଧାନର ଦ୍ୱନ୍ଦ ମଧ୍ୟରେ ଗତି କରୁ କରୁ ଆସ୍ତେ ଆସ୍ତେ ସେଠାରେ ଜଣେ ଛାତ୍ର ତାଙ୍କ ସହିତ ସାଙ୍ଗ ହୋଇଯାଆନ୍ତି । ବନ୍ଧୁତ୍ୱ ବେଶ୍‌ ଜମିଯାଏ । ପରସ୍ପରକୁ ସେମାନେ ‘ତୁ’ ବୋଲି କହି କଥାବାର୍ତ୍ତା ହୁଅନ୍ତି । ଶିଶୁ କେଶବ ବଡ଼ ହୋଇ ଯେପରି ଉଚ୍ଚକୋଟୀର ଜଣେ ସାହିତ୍ୟିକ ହୋଇପାରିଥିଲେ; ପିଲାଦିନର ସେହି ସାଙ୍ଗ ‘କୁନିଆ’ ମଧ୍ୟ ବଡ଼ ହୋଇ ରେଭେନ୍‌ସା ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଏବଂ ପରେ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼ର ପ୍ରଥମ ଅଧ୍ୟକ୍ଷ ଭାବରେ ଅଧିଷ୍ଠିତ ହୋଇପାରିଥିଲେ । ସେହି ସାଙ୍ଗଜଣକ ହେଉଛନ୍ତି ପ୍ରଫେସର ମହେନ୍ଦ୍ର କୁମାର ରାଉତ ।

 

ମହେନ୍ଦ୍ର କୁମାର ରାଉତ ଓରଫ କୁନିଆ ଓ କିଶୋରୀଚରଣ ଦାସ ଓରଫ କେଶବଙ୍କ ମଧ୍ୟରେ ଅନେକ ତଥ୍ୟପୂର୍ଣ୍ଣ କଥାବାର୍ତ୍ତା ଚାଲେ । ତାହାର ଯଥାର୍ଥ ଉତ୍ତର ମଧ୍ୟ ଖୋଜାଯାଏ । କେବେ କିନ୍ତୁ ତାହାର ଉତ୍ତର ମିଳେ ନାହିଁ । ଉତ୍ତର ନ ମିଳିଲା ବୋଲି ମନରେ ମଧ୍ୟ କାହାରି ଦ୍ୱିଧା ରହେ ନାହିଁ । ଅପ୍ରାପ୍ତିତ୍ୱ ମଧ୍ୟରେ ଯେ ଏତେ ଆନନ୍ଦ ରହିଥାଏ, ତାହା ସେହି ମୁହୂର୍ତ୍ତରେ ହିଁ ଅନୁଭବ ହୁଏ । ସେଦିନ ଏହିଭଳି ଏକ ତଥ୍ୟମୂଳକ ପ୍ରଶ୍ନ ଉଭୟଙ୍କ କଥୋପକଥନ ମଧ୍ୟରେ ପ୍ରବେଶ କରିଥିଲା ଯେ- ମାଆ କ୍ଷୀର ଏତେ ମିଠା ହେଲା କେମିତି ? ସେଥିରେ ଚିନି ଆସିଲା କେଉଁଠୁ ? ଏହିଭଳି ଏକ ଅମୀମାଂସିତ ପ୍ରଶ୍ନର ଉତ୍ତର ଖୋଜି ଖୋଜି ପରିଶେଷରେ ସେମାନେ ଏକମତ ହେଲେ ଯେ, ମାଆ କ୍ଷୀର ଏକ ଭିନ୍ନ କିସମର ମିଠା । ତାକୁ କୌଣସି ସରବତ୍‌ ଓ ରସଗୋଲାର ମିଠା ସହିତ ତୁଳନା କରିହେବ ନାହିଁ । ମାତ୍ର କଥା ଏଇଠି ଶେଷ ହେଲା ନାହିଁ । ସୋମଦେବ ଭଟ୍ଟଙ୍କ କଥାସରିତ୍‌ ସାଗରର କଥା ପରି ବା ବିଷ୍ଣୁ ଶର୍ମାଙ୍କ ପଞ୍ଚତନ୍ତ୍ର କାହାଣୀ ପରି ପୂର୍ବ ପ୍ରଶ୍ନର ମୀମାଂସା ସରୁ ନ ସରୁଣୁ ପୁଣି ଆଉ ଏକ ପ୍ରଶ୍ନ ମନ ମଧ୍ୟକୁ ପ୍ରବେଶ କରେ ଯେ- ମାଆ କ୍ଷୀରକୁ ସେମାନେ ଶେଷଥର ପାଇଁ କେବେ ଚାଖିଥିଲେ । ଯାହାର ଉତ୍ତର କେବଳ ଉଭୟଙ୍କ ଲଜ୍ଜାସିକ୍ତ ହସରେ କେଉଁଆଡ଼େ ଉଭେଇ ଯାଏ । ଏଇମିତି ଅନେକ ପ୍ରଶ୍ନ ଆସେ- ମନକୁ ମନ ତାହା ପୁଣି ବିନା ଉତ୍ତରରେ ହସ ମଧ୍ୟରେ ଲିପ୍ତ ହୋଇଯାଏ । ଦୁହିଁଙ୍କ ମଧ୍ୟରେ ଅପୂର୍ବ ବନ୍ଧୁତ୍ୱ ଓ ଅପୂର୍ବ ଶିହରଣ ।

 

କୁହାଯାଏ, ଯେଉଁଠି ଭାବର ଅନେକ ଆଦାନପ୍ରଦାନ ଚାଲେ, ସେଠି ବେଳେବେଳେ ଭାବର ଜୁଆରରେ ବିକଟ ଭଟ୍ଟା ମଧ୍ୟ ଦେଖାଦିଏ । ଠିକ୍‌ ସେହିପରି ଦିନେ କୌଣସି ଏକ କାରଣରୁ ଉଭୟ ବନ୍ଧୁଙ୍କ ମଧ୍ୟରେ କଳି ଆରମ୍ଭ ହୋଇଗଲା । ଉଭୟେ ନିଜର ଗାରିମାକୁ ଟେକ ରଖିବାକୁ ଯାଇ ଅନ୍ୟର ଗୌରବକୁ ଆକ୍ଷେପ କଲେ । ଏହି ଯେପରି କୁନିଆ କହିଲା ଯେ- “ତୁ କ’ଣ ମୁନ୍‌ସିଫର ପୁଅ ବୋଲି ମୁଁ ତତେ ଡରିଛି ?’’ ଏପଟରୁ ମଧ୍ୟ ତା’ର ଉତ୍ତର ଗଲା ଯେ, “ତୁ କ’ଣ ଓକିଲ ପୁଅ ବୋଲି ମୁଁ ତତେ ଡରିଛି ?’’ ଇତ୍ୟାଦି । ପିତାଙ୍କର ପଦବୀ ଓ ପାହ୍ୟା ସମ୍ପର୍କରେ ସେତେବେଳେ ସେମାନେ କ’ଣ ବା ବୁଝିଥିବେ ? ଶିଶୁସୁଲଭ ଚପଳତାର ଠିକ୍‌ ଚୂଡ଼ାନ୍ତ ପରିପ୍ରକାଶ । ବାସ୍‌ ! ଉଭୟଙ୍କ ମଧ୍ୟରେ ଘଟିଲା ମନୋମାଳିନ୍ୟ । କିନ୍ତୁ ତାହା କେବେ ବେଶିଦିନ ପାଇଁ ନୁହେଁ । ଉଭୟ ପୁଣି ସାଙ୍ଗ ହୋଇ ଯାଇଛନ୍ତି । କଲେଜରେ କୁନିଆ ବିଜ୍ଞାନର ଛାତ୍ର ଥିଲାବେଳେ, କେଶବ କଳାର ଛାତ୍ର । ମାତ୍ର ମନର ସଂପର୍କ ଅତୁଟ । ଶ୍ରେଣୀଗୃହ ଦୃଷ୍ଟିକୋଣରୁ ସେମାନେ ଯେତିକି ନିଜ ନିଜଠାରୁ ଦୁରେଇ ଗଲେ,- ମନର ଆବେଗ ଓ ଆକର୍ଷଣ ଦୃଷ୍ଟିରୁ ସେମାନେ ସେତିକି ନିଜ ନିଜ ମଧ୍ୟରେ ସମାହିତ ହୋଇ ଉଠିଲେ । ଉଭୟଙ୍କର ପ୍ରାଣ କ୍ଷୀର ନୀର ପରି ବାନ୍ଧି ହୋଇ ରହିଥିଲା ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ । ମହେନ୍ଦ୍ର କୁମାର ରାଉତ ଅକାଳରେ ଚାଲିଗଲେ । ସବୁ ସ୍ମୃତିକୁ ଛାଡ଼ିଦେଲେ ଆତ୍ମଭୋଳା ଲେଖକ କିଶୋରୀଚରଣଙ୍କ ପାଇଁ- ସ୍ମୃତିକୁ ସାଉଁଟୁ ସାଉଁଟୁ କେବଳ ତାକୁ କଲମ ମୁନରେ ରୂପ ଦେବା ପାଇଁ ।

 

ଭଦ୍ରଖ ବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ କିଶୋରୀଚରଣ ଖୁବ୍‌ ଛୋଟ ଥାଆନ୍ତି । ବିଦ୍ୟାଳୟରେ କୁନିଆ ଥାଏ ତାଙ୍କର ଏକମାତ୍ର ଅନ୍ତରଙ୍ଗ ବନ୍ଧୁ । ମାତ୍ର ବିଦ୍ୟାଳୟ ବାହାରେ ? ବିଦ୍ୟାଳୟ ବାହାରେ ସେ ନିଜ ଭାଇମାନଙ୍କ ସହିତ ସାଙ୍ଗ ପରି ଖେଳନ୍ତି, ବୁଲନ୍ତି ଓ ଆନନ୍ଦରେ ମଗ୍ନ ହୋଇ ଉଠନ୍ତି । ଏହି ସମୟକୁ ତାଙ୍କର ଦ୍ୱିତୀୟ ଭାଇ ଜାନୀ (ଜାନକୀଚରଣ) ତାଙ୍କ ସହିତ ବାଟ ଚାଲିବାକୁ କ୍ଷମ ହୋଇପାରିଥିବାରୁ ଦୁଇଜଣ ହାତ ଧରାଧରି ହୋଇ କେତେ ଖେଳିଛନ୍ତି ଓ କେତେ ମଧ୍ୟ ନିଜ ମଧ୍ୟରେ କଳିତକରାଳ, ଧସ୍ତାଧସ୍ତି ହୋଇଛନ୍ତି । ସେତେବେଳେ ତାଙ୍କର ତୃତୀୟ ଭାଇ ବୁଲୁ (ପାର୍ବତୀଚରଣ) ଅତି ଛୋଟ ହୋଇଥିବାରୁ ସେ କେବଳ ମାଆ ପାଖରେ ରୁହେ । ପିଲାଦିନେ ସେ ଓ ଜାନୀ ଉଭୟ ହାତ ଧରାଧରି ହୋଇ ବାପାଙ୍କ ଅଫିସ ଆଡ଼କୁ ଯାଉଥିଲେ । ବାପା କଚେରିର ଏକ ଖାସ କାମରେ ଥାଆନ୍ତି । ତାଙ୍କୁ ଦେଖା କରିବାମାତ୍ରେ ସେ ଗୋଟିଏ ଛୋଟ ସ୍ଲିପ୍‌ଟିଏ ଲେଖି ସେଥିରେ ଏକ ଲମ୍ବା ଦସ୍ତଖତ କରି ଏମାନଙ୍କ ହାତରେ ଧରାଇ ଦେଉଥିଲେ । ସେହି ସ୍ଲିପ୍‌କୁ ନାଜରବାବୁଙ୍କୁ ଦେଖାଇଲେ ସେ ବାପାଙ୍କ ପର୍ସନାଲ ଆକାଉଣ୍ଟରୁ ୨ ପଇସା ଆଣି ପିଲାଙ୍କ ହାତରେ ଦେଇଦିଅନ୍ତି । ସେତେବେଳେ ସେମାନଙ୍କର ଖୁସି କଥା କ’ଣ ପ୍ରକାଶ କରିହେବ-? ଦୁଇ ଶିଶୁ ପାଖ ଗୁଡ଼ିଆ ଦୋକାନକୁ ଯାଇ ସେହି ପଇସା ଦେଇ ବଡ଼ ବଡ଼ ସିଙ୍ଗଡ଼ା ଆଣି ଖାଆନ୍ତି । ଆନନ୍ଦରେ ଅଧୀର ହୋଇ ଉଠନ୍ତି, ଯେତେବେଳେ ମାତ୍ର ଦୁଇଟି ସିଙ୍ଗଡ଼ାରେ ପେଟ ପୂରିଯାଏ । ଆଜି ସେ ସବୁ କେବଳ ଅବିଶ୍ୱସନୀୟ କଳ୍ପନା ମାତ୍ର ।

 

ଭଦ୍ରକରେ ପାଠ ପଢ଼ୁଥିବାବେଳେ ତୃତୀୟ ଭାଇ ପାର୍ବତୀଚରଣଙ୍କର ଜନ୍ମ । ସେତେବେଳକୁ କିଶୋରୀଚରଣଙ୍କର ବୟସ ୯ ବର୍ଷ ମାତ୍ର । ପାର୍ବତୀଚରଣ ବା ବୁଲୁ ଅତି ସାନ ହୋଇଥିବାରୁ ଓ ସଦ୍ୟ ଜନ୍ମ ଲାଭ କରିଥିବାରୁ ଘରକୁ ଆସୁଥିବା ସମସ୍ତ ଆଗନ୍ତୁକମାନେ ତାକୁ ଅଧିକ ସ୍ନେହ କରୁଥିଲେ ବା ସ୍ନେହଭରା କଥା କହୁଥିଲେ । ଏହା ଦେଖି କେବେ କେବେ କିଶୋରୀଚରଣଙ୍କ ମନରେ ଈର୍ଷା ଭାବ ଜନ୍ମେ । ମନେହୁଏ ସେ ଯେମିତି ଖୁବ୍‌ ବଡ଼ ହୋଇଯାଇଥିବାରୁ ଅନ୍ୟମାନେ ତାକୁ ସ୍ନେହ କରୁନାହାନ୍ତି ଓ ସେ କ୍ରମଶଃ ଅବହେଳିତ ହୋଇ ଉଠୁଛନ୍ତି । ମାତ୍ର ବାପା ଓ ବୋଉଙ୍କର ଅପୂର୍ବ ସ୍ନେହ ନିକଟରେ ସେହି ଈର୍ଷାଭାବ କୁଆଡ଼େ ମିଳେଇଯାଏ । ସେ ବଡ଼ ପୁଅ ହୋଇଥିଲେ ମଧ୍ୟ ଓ ତା’ ତଳେ ଆଉ ଦୁଇଜଣ ଭାଇ ଥିଲେ ମଧ୍ୟ ବାପା ଓ ବୋଉଙ୍କର ସ୍ନେହ କିଶୋରୀଚରଣଙ୍କ ପ୍ରତି ଊଣା ନ ଥିଲା । ସବୁ ପୁଅମାନଙ୍କଠାରୁ କିଶୋରୀଚରଣଙ୍କୁ ସେମାନେ ଖୁବ୍‌ ଅଧିକ ସ୍ନେହ କରୁଥିଲେ । ଶିଶୁ କେଶବ ମଧ୍ୟ ବାପା ଓ ବୋଉଙ୍କୁ ବଡ଼ ହେଲା ପର୍ଯ୍ୟନ୍ତ ଜାବୁଡ଼ି ଧରିଥିଲେ । ଜନ୍ମବେଳେ ବଞ୍ଚି ରହିବ କି ନ ରହିବ-ଏପରି ଆଶଙ୍କା ଆଣିଥିବା ଶିଶୁ ସେହି ବାପା-ମା’ଙ୍କ ଆଗରେ କେବଳ ପରବର୍ତ୍ତୀ କାଳରେ ବଞ୍ଚି ବଡ଼ ହୋଇନାହାନ୍ତି, ଅଧିକନ୍ତୁ ତାଙ୍କରି ଆଖି ଆଗରେ ବୁଢ଼ାଟିଏ ମଧ୍ୟ ହୋଇଛନ୍ତି । ଖୁବ୍‌ ନାମ କରିଛନ୍ତି ଓ ବାପା-ମା’ଙ୍କ ନାମକୁ ମଧ୍ୟ ଗୌରବମୟ କରାଇଛନ୍ତି । ଆଉ କ’ଣ ବା ଅଧିକ କରିପାରିଥାଆନ୍ତେ ସେ ?

 

ପିତା ବିପ୍ରଚରଣଙ୍କର ଚାକିରିରେ ବଦଳି ଘଟେ । ଏହି କ୍ରମରେ ଶିଶୁ କେଶବ ବା କିଶୋରୀଚରଣଙ୍କର ବିଦ୍ୟାଳୟ ମଧ୍ୟ ପରିବର୍ତ୍ତିତ ହୋଇଉଠେ । ସେ ଭଦ୍ରଖ ବିଦ୍ୟାଳୟରୁ ଆସନ୍ତି ବାଲେଶ୍ୱର ବିଦ୍ୟାଳୟକୁ । ବାଲେଶ୍ୱର ବିଦ୍ୟାଳୟରେ ତାଙ୍କର ପାଠପଢ଼ା ମାତ୍ର ଛଅମାସ । ଏହି ସମୟର ସ୍ମୃତି କିନ୍ତୁ କିଶୋରୀଚରଣଙ୍କ ପାଇଁ ଆଦୌ ପ୍ରୀତିକର ନୁହେଁ । ଏହାର ପ୍ରଥମ କାରଣ ହେଲା ଏହି ବିଦ୍ୟାଳୟଟି ତାଙ୍କୁ ପ୍ରଥମରୁ ଏତେବଡ଼ ମନେହେଉଥିଲା ଯେ, ସତେ ଯେପରି ତାଙ୍କର ଆତ୍ମସତ୍ତା ସେଠାରେ କେଉଁଠି ହଜିଯାଉଛି । ନିଜକୁ ସେଠାରେ ସନ୍ତୁଳିତ କରାଇ ପାରୁ ନ ଥିବାବେଳେ ବିଦ୍ୟାଳୟରେ ମଧ୍ୟ ଆଉ ଗୋଟିଏ ଘଟଣା ଘଟିଲା । ବିଦ୍ୟାଳୟର ଡ୍ରଇଁମାଷ୍ଟ୍ର ଥିଲେ ସେ ସମୟର ବିଶିଷ୍ଟ ଚିତ୍ରଶିଳ୍ପୀ ଗୋପାଳ କାନୁନଗୋ । ସେ କିଶୋରୀଚରଣଙ୍କର ଡ୍ରଇଁ ଖାତାରେ ସଦ୍ୟ ଅଙ୍କିତ ହୋଇଥିବା ଡ୍ରଇଁକୁ ଦେଖି ନମ୍ବର ଦେଲେ ୧୦୦ରୁ ମାତ୍ର ୫ ଓ ଏକ କଟୁ ମନ୍ତବ୍ୟ ପ୍ରଦାନ କରି କହିଲେ ଯେ- “ତତେ ତ ମୂଳରୁ ଗାର କାଟି ଆସେ ନାହିଁ, ତୁ ଡ୍ରଇଁ କରିବୁ କ’ଣ ?’’ (ସମୟ ନାହିଁ/ପୃଷ୍ଠା-୨୫) । ଏତାଦୃଶ ମନ୍ତବ୍ୟରେ ଆତ୍ମମଗ୍ନ ଶିଶୁ କିଶୋରୀଚରଣ ଖୁବ୍‌ ବେଶି ଭାଙ୍ଗି ପଡ଼ିଲେ ଓ କ୍ରମେ ସେହି ବିଦ୍ୟାଳୟରେ ନିଜକୁ ଆଦୌ ପ୍ରକୃତିସ୍ଥ କରାଇପାରିଲେ ନାହିଁ ।

 

ସୌଭାଗ୍ୟକ୍ରମେ ବାପା ବିପ୍ରଚରଣଙ୍କର ପୁଣି ବଦଳି ହୁଏ କେନ୍ଦ୍ରାପଡ଼ାକୁ । ଏହି କ୍ରମରେ କିଶୋରୀଚରଣ ବାଲେଶ୍ୱର ଛାଡ଼ି କେନ୍ଦ୍ରାପଡ଼ାକୁ ବିଦ୍ୟାଧ୍ୟୟନ ପାଇଁ ଆସନ୍ତି । ସେ କେନ୍ଦ୍ରାପଡ଼ାର ସମୟ ଥିଲା କିନ୍ତୁ କିଶୋରୀଚରଣଙ୍କ ଛାତ୍ର ଜୀବନର ଅନ୍ତିମ ଅଧ୍ୟାୟ । ଏହି ସମୟକୁ ସେ ନିଜ ଜୀବନର ଜୀବନାନୁଭୂତି ଦିଗରେ ପ୍ରଥମ ଅଧ୍ୟୟନ ବୋଲି ସ୍ୱୀକାର କରିଛନ୍ତି ନିଜ ଆତ୍ମଜୀବନୀରେ-। (ସମୟ ନାହିଁ/ପୃଷ୍ଠା-୨୫) । କାରଣ ଏହି ସମୟକୁ ସେ ଉପଲବ୍‌ଧି କଲେଣି ଯେ ସେ ଏବେ ବଡ଼ ହୋଇଗଲେଣି । ତେଣୁ ତାଙ୍କୁ ଅନେକ ଦ୍ୱନ୍ଦ ଓ ସଂଘର୍ଷର ମୁକାବିଲା କରିବାକୁ ପଡ଼ିବ । ଆଉ ଶିଶୁସୁଲଭ ଚପଳତା ତାଙ୍କଠାରେ ଶୋଭା ପାଇବା ଅନୁଚିତ । ଏଣିକି ତାଙ୍କ ଉପରେ ଏକ ଗୁରୁଦାୟିତ୍ୱ କେବେଠାରୁ ଆସି ଲଦି ହୋଇଗଲାଣି । ସେ ପାଠପଢ଼ିବେ ଓ ଭଲ ଭାବରେ ପାସ୍‌ କରିବେ । ଏଣିକି ବିଦ୍ୟାଧ୍ୟୟନ ହିଁ ହେଲା ତାଙ୍କର ମୌଳିକ କର୍ତ୍ତବ୍ୟ । ତା’ପରେ ଯାଇ ଆଉ କିଛି ।

 

କେନ୍ଦ୍ରାପଡ଼ା ବିଦ୍ୟାଳୟରେ ମଧ୍ୟ କିଶୋରୀଚରଣ ଥିଲେ ସବୁଠାରୁ ସାନ ପିଲାଟିଏ । ନିଜ ଶ୍ରେଣୀର ଅନ୍ୟ ସାଥିମାନେ ପ୍ରାୟ ଯୌବନର ସୀମାକୁ ଛୁଇଁ ସାରିଲେଣି ତ କେହି ଯୌବନକୁ ଛୁଇଁବେ ଛୁଇଁବେ ବୋଲି ହେଉଛନ୍ତି । ସେମାନଙ୍କ କଥାବାର୍ତ୍ତା ଭାବଭଙ୍ଗୀ ଇତ୍ୟାଦିରେ ଯୌବନୋଦୀପ୍ତ ଠାଣି ଓ ଭାବ ରହୁଥିଲା । କଥା କଥାରେ ଅଶ୍ଳୀଳ ଶବ୍ଦ ଓ ଯୌନତାର ଆଚରଣ । କିଶୋରୀଚରଣ କିନ୍ତୁ ଏପରି କରିପାରୁ ନ ଥିଲେ । ତେଣୁ ‘ଗୋଠଛଡ଼ା’, ‘ସଙ୍ଗହୀନ’ ଆଦି ସମ୍ବୋଧନ କିଶୋରୀଚରଣଙ୍କୁ ଶୁଣିବାକୁ ପଡ଼ୁଥିଲା । ମାତ୍ର ଏହି ସମୟରେ ଠିକ୍‌ କିଶୋରୀଚରଣଙ୍କ ପରି ଆଉ ଦୁଇଜଣଙ୍କର ଆଚାର ବ୍ୟବହାର ମଧ୍ୟ ସମାନ ସ୍ତରୀୟ ମନେହେଲା । ତେଣୁ କ୍ରମେ ସେମାନେ ସାଙ୍ଗ ହୋଇ ଉଠିଲେ । ସେମାନଙ୍କ ମଧ୍ୟରେ ପରେ ଏମିତି ସଂପ୍ରୀତି ସମୃଦ୍ଧ ହୋଇଉଠିଲା ଯେ, ସମସ୍ତେ ତାଙ୍କୁ ଏକ ଅଭିନବ ନାମରେ ନାମିତ କରି ସମ୍ବୋଧନ କରିବାକୁ ଲାଗିଲେ । ସେହି ସମ୍ବୋଧନଟି ଥିଲା ‘ନବ-କିଶୋର-ଶକ୍ତି’ ଭାବରେ । ଏହାର ସୃଷ୍ଟି ହୋଇଥିଲା ବନ୍ଧୁମାନଙ୍କ ନାମର ପ୍ରଥମ ଶବ୍ଦପୁଞ୍ଜକୁ ନେଇ । ଯଥା: ନବ-ନବ କିଶୋର ମହାନ୍ତି, କିଶୋର-କିଶୋରୀଚରଣ ଦାସ ଓ ଶକ୍ତି-ଶକ୍ତିଶେଖର ଦାସ । ଏହି ତିନିଜଣିଆ ମେଣ୍ଟ କ୍ରମେ ଏକ ଆଦର୍ଶରେ ରୂପାନ୍ତରିତ ହୋଇଗଲା ଓ ତା’ ପଛରେ ପ୍ରଚ୍ଛନ୍ନ ହାତ ରହିଥିଲା ଶକ୍ତିର । ଶକ୍ତି ରାମକୃଷ୍ଣ, ବିବେକାନନ୍ଦ, ଗାନ୍ଧୀ ଇତ୍ୟାଦିଙ୍କ କଥାକୁ ପ୍ରବଚନ ଦେବା ଭଳି ବୁଝାଇବାକୁ ଲାଗେ । କିଶୋରୀଚରଣଙ୍କ ମନରେ ଶକ୍ତିକୁ ନେଇ ଅନେକ ଭାବାନ୍ତର ସୃଷ୍ଟି ହୁଏ । ସେ ବେଳେବେଳେ ଭାବିବାକୁ ବାଧ୍ୟ ହୁଅନ୍ତି ଯେ- ‘ସତରେ ଶକ୍ତି କ’ଣ ସତ୍ୟ ?’ ଖରାପ ସାଥୀଙ୍କଠାରୁ ମୁକ୍ତ ହୋଇ ସେହି ତ୍ରିଶକ୍ତି ମେଣ୍ଟ ମଧ୍ୟରେ କିଶୋରୀଚରଣ ପାଠପଢ଼ାରେ ମଧ୍ୟ ନିଜକୁ ମଗ୍ନ କରାନ୍ତି ।

 

ଏହି ସମୟ କାଳ ମଧ୍ୟ କେତେକାଂଶରେ କିଶୋରୀଚରଣଙ୍କୁ ବେଶ୍‌ ପ୍ରଭାବିତ କରିଥାଏ । ଏହି ସମୟକୁ ଦେଶରେ ସ୍ୱାଧୀନତା ସଂଗ୍ରାମର ଚୂଡ଼ାନ୍ତ ପର୍ଯ୍ୟାୟ ଆରମ୍ଭ ହୋଇ ସାରିଥାଏ; ଯାହାର ମୁଖ୍ୟ ପୁରୋଧା ଥାଆନ୍ତି ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ବା ଆମର ପ୍ରିୟ ବାପୁଜୀ । ଭଦ୍ରକରେ ଥିବାବେଳେ ଏହି ସ୍ୱାଧୀନତାର ସଂଗ୍ରାମୀ ପଟ୍ଟଭୂମି ସହିତ ଶିଶୁ ଛାତ୍ର କିଶୋରୀଚରଣ ପରିଣତ ହୋଇଥିଲେ ମଧ୍ୟ, ସଂଗ୍ରାମର ଅନୁଭବ ତାଙ୍କ ପ୍ରାଣକୁ କେବେ ସ୍ପର୍ଶ କରିପାରି ନ ଥିଲା । ମାତ୍ର ଭଦ୍ରକରୁ ବାଲେଶ୍ୱର ଦେଇ କେନ୍ଦ୍ରାପଡ଼ାରେ ପହଞ୍ଚିଲାବେଳକୁ ସେ ଅଳ୍ପ ବହୁତେ ମହାତ୍ମାଗାନ୍ଧୀଙ୍କୁ ବୁଝିଲେଣି । ସ୍ୱାଧୀନତା ସଂଗ୍ରାମ ଓ ସତ୍ୟାଗ୍ରହର ମହତ୍ତ୍ୱକୁ ଅଳ୍ପେ-ବହୁତେ ଉପଲବ୍‌ଧି କଲେଣି । ଏହି ସମୟରେ ସେ ଲକ୍ଷ୍ୟ କରିଛନ୍ତି ଯେଉଁଦିନ ମହାତ୍ମାଗାନ୍ଧୀ ନିଜର ଉପବାସ ଭଙ୍ଗ କରିଛନ୍ତି; ସେଦିନ ତାଙ୍କ ବାପା କିପରି ସ୍ୱସ୍ତିରେ ନିଃଶ୍ୱାସ ମାରୁଥିଲେ । ସେ ଦେଖିଛନ୍ତି ବାପା କିପରି ବ୍ୟସ୍ତ ହୋଇଉଠିଥିଲେ, ଯେତେବେଳେ ଥରେ ତାଙ୍କ ବୋଉ ଥଟ୍ଟାରେ ଥଟ୍ଟାରେ ନିଜ ଘରେ ରହି ପାଠପଢ଼ୁଥିବା ଅବସ୍ଥାରେ ମାମୁ ଗାଳି ଦେଇ କହିଛନ୍ତି ନିଜ ସାଙ୍ଗସାଥିମାନଙ୍କ କଥାରେ ପଡ଼ିଛି ବୋଲି ଶୁଣି । ସେଦିନ ବାପା ବ୍ୟସ୍ତ ହୋଇ ଉଠିଥିଲେ ସତ, ହେଲେ କେବେ ରାଗି ନ ଥିଲେ । କେବଳ କଥାଟା ପ୍ରଘଟ ନ ହେବା ଲାଗି ସତର୍କ କରାଇ ଦେଇଥିଲେ । ପରେ ଅବଶ୍ୟ ବୋଉଙ୍କ ହସରେ ରହସ୍ୟଟି ଉଦ୍‌ଘାଟିତ ହୋଇ ଉଠିଥିଲା । ବାସ୍ତବରେ ବିପ୍ରଚରଣ ଥିଲେ ଜଣେ ସ୍ୱାଧୀନଚେତା ତଥା ନିଚ୍ଛକ ଜାତୀୟତାବାଦୀ । ରାୟବାହାଦୁର ରାଧାଚରଣ ଦାସ ନିଜ ଦୃଷ୍ଟିକୋଣରୁ ରାଜା ପଞ୍ଚମ ଜର୍ଜଙ୍କୁ ଠାକୁରଙ୍କ ପରି ପରେ ମୁଣ୍ଡିଆ ମାରୁଥିଲେ ମଧ୍ୟ; ତାଙ୍କର ସାନଭାଇ ହୋଇ ବିପ୍ରଚରଣ ଗାନ୍ଧୀଙ୍କୁ ଭକ୍ତି କରୁଥିଲେ ଓ ସମ୍ମାନ ମଧ୍ୟ ପ୍ରଦର୍ଶନ କରୁଥିଲେ ।

 

ବିପ୍ରଚରଣ କଟକକୁ ଜବାହାରଲାଲ ନେହେରୁ ଆସୁଛନ୍ତି ଜାଣି ଛକମୁଣ୍ଡ ବକ୍ତୃତା ଶୁଣିବାକୁ ଯିବାବେଳେ ସାଙ୍ଗରେ କିଶୋରୀଚରଣଙ୍କୁ ମଧ୍ୟ ନେଇଯାଇଥିଲେ । ନିକଟରେ ଥିବା ଏକ ଜୋତା ଦୋକାନରେ ଅନ୍ୟତମ ଗ୍ରାହକ ଭାବରେ ବସିରହି ନେହେରୁଙ୍କ ଭାଷଣକୁ ମନ୍ତ୍ରମୁଗ୍‌ଧ ଶ୍ରୋତାଟିଏ ଭଳି ଶୁଣିଥିଲେ । ସେଦିନ କଥାକୁ ସ୍ମରଣ ରଖିଛନ୍ତି କିଶୋରୀଚରଣ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ । କାରଣ ସ୍ୱାଧୀନତା ସଂଗ୍ରାମର ବିପୁଳ ଉଲ୍ଲାସରେ ସାମିଲ ହେବା କଥା ତ ସେ ତାଙ୍କରିଠାରୁ ଶିଖିଛନ୍ତି ଓ ତାଙ୍କଠାରୁ ପ୍ରେରଣା ମଧ୍ୟ ଲାଭ କରିଛନ୍ତି ।

 

ଏହି ସମୟରୁ ଜଣାଯାଇଥିଲା ଯେ ବିଲାତର ଗୋଲଟେବୁଲ ବୈଠକର ନିଷ୍ପତ୍ତି କ୍ରମେ ଆମକୁ ଅଧା ସ୍ୱାଧୀନତା ମିଳିଯାଉଛି । ଅର୍ଥାତ୍‌ ନିଜ ନିଜ ପ୍ରଦେଶଗୁଡ଼ିକ ସ୍ୱାଧୀନ ହୋଇଉଠିବ । ରାସ୍ତାରେ ଡାକବାଜି ଯନ୍ତ୍ରରେ ଗୀତ ବୋଲା ହେଲା ଯେ- ‘ଆଚ୍ଛା ଗୋଲଟେବୁଲ ପାଲା ଲାଗିଲାରେ’ । ସେହିଥିରେ ମଧ୍ୟ ଥିଲା ‘ଆମେ ସବୁ ମନ୍ତ୍ରୀ ହେବା, ନେବା ଲୋକ ଗୋଟା ଗୋଟା....’ ଏହି ପଦକୁ ଗାଇ ସାଙ୍ଗସାଥିମାନେ ସ୍କୁଲରେ ନାଚୁଥିଲେ । କିଶୋରୀଚରଣ ମଧ୍ୟ ନିଜ ଭାଇମାନଙ୍କ ସହ ମିଶି ନିଜ ଘରେ ଏହାକୁ ଗାଇ ନାଚୁଥିଲେ ଓ ହୋ-ହଲ୍ଲା କରୁଥିଲେ । ଏହା ଦେଖି ମଧ୍ୟ ବିପ୍ରଚରଣ କେବେ ବିରକ୍ତି ହୋଇ ନାହାନ୍ତି କି ପିଲାମାନଙ୍କୁ ଆକଟ କରି ପଦେ କିଛି କହି ନାହାନ୍ତି । ବରଂ ସେମାନଙ୍କ ଖୁସିରେ ମିଶି ନିଜେ ଆନନ୍ଦିତ ହୋଇଛନ୍ତି ।

 

ଏହିଭଳି ଆନନ୍ଦମୟ ପରିବେଶରେ କିଛି ଗୋଟିଏ ନୂଆଘଟଣା ଘଟିଲା, ଯାହାକି ସେତେବେଳେ କିଶୋରୀଚରଣଙ୍କ ଚପଳ ବୟସ ଠିକ୍‌ ଭାବରେ ବୁଝିବାକୁ ସମର୍ଥ ହୋଇପାରି ନ ଥିଲା । ଘଟଣାଟି ହେଉଛି, ବିଦ୍ୟାଳୟର ଭର୍ଣ୍ଣାକୁଲାର ମାଷ୍ଟ୍ର ଦେଶର ଅର୍ଦ୍ଧ ସ୍ୱାଧୀନତାର ଆନନ୍ଦମୟ ମୁହୂର୍ତ୍ତ ମଧ୍ୟରେ ବିଦ୍ୟାଳୟକୁ ଆସି ଉଲ୍ଲେଖ କରିଥିଲେ ଯେ, ଏଣିକି ଆଉ କେହି ଓଡ଼ିଆକୁ ସ୍ୱତନ୍ତ୍ର ଭାଷା ନୁହେଁ ବୋଲି କହିପାରିବେ ନାହିଁ । ତେଣୁ ମାତୃଭାଷାକୁ ଭଲ କରି ପଢ଼, ଭଲ କରି ବୁଝ ଓ ଯାହା କିଛି ଲେଖିବାକୁ ଚାହୁଁଛ, କେବଳ ମାତୃଭାଷାରେ ଲେଖ । ଏକଥା ଶୁଣି ଯେତେବେଳେ ବିଦ୍ୟାଳୟର ଛାତ୍ରମାନେ ଆନନ୍ଦରେ ତାଳି ମାରି ଉଠିଥିଲେ, ସେତେବେଳେ ଭର୍ଣ୍ଣାକୁଲାର ଶିକ୍ଷକ ଜଣକ ବିରକ୍ତ ହୋଇ ତାଳି ମାରିବାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣା କିନ୍ତୁ କିଶୋରୀଚରଣଙ୍କୁ ସେଦିନ ଦ୍ୱନ୍ଦର ଦୋଛକି ମଧ୍ୟରେ ଠିଆ କରାଇ ଦେଇଥିଲା । ସତରେ ଫକୀରମୋହନ, ରାଧାନାଥ, ଗୌରୀଶଙ୍କର ଆଦିଙ୍କ ଉଦ୍ୟମ ହେତୁ କିପରି ଓଡ଼ିଆ ଭାଷା ପ୍ରତି ଆସିଥିବା ସେହି ସଙ୍କଟ ସବୁଦିନ ପାଇଁ ଦୂରୀଭୂତ ହୋଇଯାଇଥିଲା, ତାହା ଶିଶୁ କିଶୋରୀଚରଣ ବୁଝି ପାରି ନ ଥିଲେ ।

 

କେନ୍ଦ୍ରାପଡ଼ାରେ ଛାତ୍ର ଥିବାବେଳେ ସେ ଦେଖିଛନ୍ତି ୧୯୩୭ ମସିହାର ବିଧାନସଭା ପାଇଁ ଆୟୋଜିତ ହେଉଥିବା ନିର୍ବାଚନର ଘଟଣାକୁ । ସେତେବେଳେ କେନ୍ଦ୍ରାପଡ଼ାର କଂଗ୍ରେସ ପ୍ରାର୍ଥୀ ଥିଲେ ଯଦୁମଣି ମଙ୍ଗରାଜ ଓ ତାଙ୍କ ବିପକ୍ଷରେ ଲଢ଼ୁଥାନ୍ତି ରାୟବାହାଦୁର ଲକ୍ଷ୍ମୀଧର ମହାନ୍ତି । ଲକ୍ଷ୍ମୀଧର ମହାନ୍ତିଙ୍କ ପଛରେ ଥା’ନ୍ତି ଇଂରେଜ ସରକାର ଓ ଯଦୁମଣି ମଙ୍ଗରାଜଙ୍କ ପଛରେ ଥାଏ ଗାନ୍ଧି ମହାତ୍ମାଙ୍କ ଆଶୀର୍ବାଦ । ସେତେବେଳେ ମଧ୍ୟ ଭୋଟ କିଣିବାର ଅଭିଯାନ ବଳବତ୍ତର ଥିଲା । ଲକ୍ଷ୍ମୀଧର ମହାନ୍ତି ଭୋଟରମାନଙ୍କୁ ଖିରି, ପୁରୀ ଖୁଆଇ ଆନନ୍ଦରେ ମଜ୍ଜାଇ ରଖିଲେ । ମାତ୍ର ମଙ୍ଗରାଜ ଗରିବଟିଏ । ତାଙ୍କର ବଳ କାହିଁ ଯେ ସେ କାହାକୁ କ’ଣ ଦେବେ ? ମାତ୍ର ଯେତେବେଳେ ଭୋଟର ଫଳାଫଳ ବାହାରିଲା, ସେତେବେଳେ ସମସ୍ତେ ଆନନ୍ଦରେ ଅଧୀର ହୋଇ ଉଠିଥିଲେ ଯେ ମଙ୍ଗରାଜ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି ଶୁଣି । ସେତେବେଳେ ଛାତ୍ର କିଶୋରୀଚରଣଙ୍କୁ ମନେ ହେଉଥିଲା, ସତେ ଯେପରି ନିର୍ବାଚନରେ ସେ ନିଜେ ଜିତିଛନ୍ତି ଓ ମନ୍ତ୍ରୀଟିଏ ହେବାକୁ ଯାଉଛନ୍ତି । ଏଭଳି ଏକ ଅନୁଭବ ବାସ୍ତବରେ ମହାନ୍‌ ଅନୁଭବଟିଏ ।

 

ଏହି କେନ୍ଦ୍ରାପଡ଼ାରେ ଅଧ୍ୟୟନ କାଳରେ କିଶୋରୀଚରଣ ଡାଇରୀ ଲେଖିବାକୁ ଅଭ୍ୟାସ କରିସାରିଲେଣି । ଡାଇରୀରେ ତାଙ୍କର ଦୁଇଟି ବିଭାଗ ଥିଲା । ଗୋଟିଏ ବିଭାଗ ହେଉଛି ଘରୋଇ ବିଭାଗ ବା Domestic ଓ ଅନ୍ୟଟି ହେଉଛି ଜାତୀୟ ବିଭାଗ ବା National । ଏହି ଡାଇରୀ ପ୍ରାୟତଃ ସପ୍ତାହରେ ଥରେ ଲେଖାଯାଉଥିଲା । ଘରୋଇ ବିଭାଗରେ ରହୁଥିଲା ଯାବତୀୟ ଘର ଭିତରର ଘଟଣା । ଯେପରି କେଉଁଦିନ ବାପା ତାଙ୍କ ଉପରକୁ ରାଗିଲେ ତ କେବେ ରହୁଥିଲା ସାନଭାଇର ବଥ ଉଠିବା କଥା ଇତ୍ୟାଦି । ଅନ୍ୟପକ୍ଷରେ ଜାତୀୟ ବିଭାଗଟିରେ ରହୁଥିଲା, କେବେ ହରିପୁର କଂଗ୍ରେସର ଅଧିବେଶନ କଥା ତ କେବେ ନବ ନିର୍ବାଚିତ ପ୍ରେସିଡେଣ୍ଟ ସୁଭାଷଚନ୍ଦ୍ର ବୋଷଙ୍କ ଉଦବୋଧନର କଥା ଇତ୍ୟାଦି ଇତ୍ୟାଦି । ଏହା ବର୍ତ୍ତମାନ କ୍ଷେତ୍ରରେ ଅପ୍ରାସଙ୍ଗିକ ମନେହେଉଥିଲେ ମଧ୍ୟ ସେତେବେଳେ ଛାତ୍ରଜୀବନ ପାଇଁ ଏକ ବିଶେଷ ଭୂମିକା ଯେ ସମ୍ପନ୍ନ କରୁଥିଲା, କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନ୍ୟ ପକ୍ଷରେ କିଶୋରୀଚରଣ ଯେ କେତେ ପରିମାଣରେ ନିଜ ପରିବାର ଭିତରେ ଓ ଦେଶ ମଧ୍ୟରେ ମଗ୍ନ ହୋଇଯାଉଥିଲେ, ସେତେବେଳେ ତାହା ସେହି ଡାଇରୀ ଲେଖିବା ଘଟଣାରୁ ହିଁ ବେଶ୍‌ ଅନୁମାନ କରାଯାଇପାରେ ।

 

ଏଣିକି ମାଟ୍ରିକ୍ୟୁଲେସନ ପରୀକ୍ଷା କ୍ରମଶଃ ନିକଟତର ହୋଇଉଠୁଥାଏ । ଏହି ପରୀକ୍ଷାର ପ୍ରସ୍ତୁତିପର୍ବରେ କିଶୋରୀଚରଣ ନିଜ ଦୁର୍ବଳତାଟିକୁ ବେଶ୍‌ ସହଜରେ ଚିହ୍ନିପାରିଥିଲେ । ତାଙ୍କର ସାହିତ୍ୟ, ଭୂଗୋଳ, ଇତିହାସ ଇତ୍ୟାଦି ଯେତେ ଭଲ ହେଉଥିଲେ ମଧ୍ୟ, ଅଙ୍କ ଓ ଜ୍ୟାମିତି ସେହି ପରିମାଣରେ ଭଲ ହେଉ ନ ଥିଲା । ଯଦିଓ ସେ କେବେ ଅଙ୍କ ଓ ଜ୍ୟାମିତିରେ ଫେଲ୍‌ ହୋଇ ନାହାନ୍ତି; ତଥାପି ତାହାରି ଯୋଗୁଁ ମୋଟ ନମ୍ବର ଯେ ଖୁବ୍‌ କମ୍‌ ରହୁଥିଲା, ସେ କଥାକୁ ଉପଲବ୍‌ଧି କରିଥିଲେ କିଶୋରୀଚରଣ । ତେଣୁ ତାଙ୍କ ମନରେ ସବୁବେଳେ ସନ୍ଦେହ ଥିଲା କାଳେ ମାଟ୍ରିକ୍ୟୁଲେସନ ପରୀକ୍ଷାରେ ତାଙ୍କୁ ଫାଷ୍ଟ ଡିଭିଜନ ନ ମିଳିବ ବୋଲି । ତେଣୁ ସେ ସବୁବେଳେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ ବାପାଙ୍କ ପରି ସେ ଯେପରି ଫାଷ୍ଟ ଡିଭିଜନ ପାଇପାରନ୍ତେ । ଏଣେ କଠିନରୁ କଠିନ ଅଧ୍ୟବସାୟ ଓ ପ୍ରଚୁର ପରିଶ୍ରମ । ଯାହା ହେଉ ପରିଶେଷରେ ମାଟ୍ରିକ୍‌ ଫଳାଫଳ ପ୍ରକାଶ ପାଇଲା ଓ ସେ ‘ବାପ୍‌କୀ ବେଟା’ ଭାବରେ ମାଟ୍ରିକରେ କଷ୍ଟେ ମଷ୍ଟେ ୬୦ ପ୍ରତିଶତ ନମ୍ବର ରଖି ଫାଷ୍ଟ ଡିଭିଜନଟିଏ ପାଇ ପାରିଥିଲେ ୧୯୩୮ ମସିହାରେ । ଏହି ସମୟକୁ କିଶୋରୀଚରଣଙ୍କୁ ମାତ୍ର ଚଉଦ ବର୍ଷ ମାତ୍ର ବୟସ ।

 

ମାଟ୍ରିକ୍‌ ପରେ ପରେ ବର୍ତ୍ତମାନ ଆଉ ନୂଆ ପ୍ରକାରର ଛାତ୍ରତ୍ୱର ଅୟମାରମ୍ଭ ଘଟିବ । ସେ କଲେଜରେ ପାଠ ପଢ଼ିବେ । ପ୍ରଥମଥର ପାଇଁ ତାଙ୍କୁ ପାଠପଢ଼ିବା ଲାଗି ନିଜ ପରିବାରଠାରୁ ଅଲଗା ରହିବାକୁ ହେବ । କାରଣ ସେ ପାଠପଢ଼ିବେ ତତ୍କାଳୀନ ଏକମାତ୍ର ଉଚ୍ଚ ମହାବିଦ୍ୟାଳୟ ଭାବରେ ସ୍ଥାନିତ ଓ ପ୍ରତିଷ୍ଠିତ କଟକର ରେଭେନ୍‌ସା କଲେଜରେ । ସ୍ଥିର ହେଲା ଯେ ସେ କଟକରେ ନିଜର ବଡ଼ବାପା ପ୍ରଫେସର ହରେକୃଷ୍ଣ ଦାସଙ୍କ ଘରେ ରହି ପାଠପଢ଼ିବେ; ଯିଏକି ରେଭେନ୍‌ସା କଲେଜର ଗଣିତ ଅଧ୍ୟାପକ ଭାବରେ ବେଶ୍‌ ପ୍ରତିଷ୍ଠିତ ଥିଲେ ।

 

ରେଭେନ୍‌ସା କଲେଜ ଥିଲା କିଶୋରୀଚରଣଙ୍କର ପ୍ରଥମ କଲେଜ । ନିଜର ପରିବାରଙ୍କଠାରୁ ଦୂରେଇ ରହୁଥିବାରୁ ବୋଉ ବହୁତ କାନ୍ଦୁଥିଲେ । ବାପା ମଧ୍ୟ ଟ୍ରେନ୍‌ରେ କିଶୋରୀଚରଣଙ୍କୁ ବସାଇଲାବେଳେ କାନ୍ଦି ପକାଇଥିଲେ । କିଶୋରୀଚରଣ ବି ନିଜେ କାନ୍ଦି ପକାଇଥିଲେ । ତାଙ୍କୁ କଟକକୁ ଆଣୁଥିଲେ ବାପାଙ୍କର ଜଣେ ଘନିଷ୍ଠ ବନ୍ଧୁ ଏବଂ ସେ ଯାତ୍ରା କରୁଥିଲେ ନିଜ ବଡ଼ବାପାଙ୍କ ନିକଟକୁ । ଉଦ୍ଦେଶ୍ୟ ଥିଲା ଉଚ୍ଚଶିକ୍ଷା ଲାଭ । ଛାତ୍ର ଜୀବନର ପ୍ରଥମ ଅଧ୍ୟାୟ ଏହିଠାରୁ ପୂର୍ଣ୍ଣଚ୍ଛେଦ ପଡ଼ିଗଲା । ଆଉ ଆରମ୍ଭ ହୋଇଗଲା କଲେଜ ଜୀବନ ଅର୍ଥାତ୍‌ ଛାତ୍ରତ୍ୱର ପରବର୍ତ୍ତୀ ତଥା ରୂପାନ୍ତରିତ ଅଧ୍ୟାୟ ।

 

କଲେଜ ଜୀବନ

 

କିଶୋରୀଚରଣ କଟକର ଶ୍ରେଷ୍ଠ ତଥା ଏକମାତ୍ର ଉଚ୍ଚ ଶିକ୍ଷାର ଶ୍ରେଷ୍ଠ ସାଧନାପୀଠ ରେଭେନ୍‌ସା ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ ପାଇଁ ପ୍ରବେଶ କରନ୍ତି । ଅଧ୍ୟୟନର ପରିସର ରୁହେ କଳା (Arts) । ବିଷୟବସ୍ତୁର ନିର୍ବାଚନ ମଧ୍ୟ ଅନୁରୂପ ଶ୍ରେଣୀୟ । ବାଧ୍ୟତାମୂଳକ ପାଠ୍ୟ ଇଂରାଜୀ ଓ ମାତୃଭାଷା ଓଡ଼ିଆ ପାଠ ଛଡ଼ା ଇଚ୍ଛାଧୀନ ପାଠ ଭାବରେ ସେ ଅର୍ଥନୀତି, ଇତିହାସ ଓ ସଂସ୍କୃତକୁ ହିଁ ସଚରାଚରରେ ଗ୍ରହଣ କରି ନେଇଥିଲେ । ବି.ଏ.ରେ ମଧ୍ୟ ସେ ରଖିଥିଲେ ଇଂରାଜୀ ଓ ସଂସ୍କୃତକୁ ପାସ୍‌ ବିଷୟ ଭାବରେ ଓ ଇତିହାସକୁ ଅନର୍ସ ବିଷୟ ଭାବରେ । ତାଙ୍କର କିନ୍ତୁ ଇଚ୍ଛା ଥିଲା ବି.ଏ.ରେ ଇଂରାଜୀ ଅନର୍ସ ରଖିଥାନ୍ତେ ଓ ଏମ୍‌.ଏ. ମଧ୍ୟ ସେହି ଇଂରାଜୀ ବିଷୟରେ କରିଥାନ୍ତେ । କିନ୍ତୁ ବାପା ଓ ଅନ୍ୟାନ୍ୟ ଶୁଭାକାଂକ୍ଷୀମାନଙ୍କର ପରାମର୍ଶ ଥିଲା ଯେ, ବାସ୍ତବ ଦୃଷ୍ଟିକୋଣରୁ ଯାହା ଅଧିକ ନମ୍ବର ପାଇବାରେ ସହଜ ଓ ଫାଷ୍ଟ କ୍ଲାସ ପାଇବାର ସମ୍ଭାବନାରେ ଅଧିକ ଆଶାପ୍ରଦ, ଅନ୍ତତଃପକ୍ଷେ ସେହିସବୁ ବିଷୟମାନଙ୍କୁ ନେଇ ଅଧ୍ୟୟନ କରିବାକୁ । ତେଣୁ ତରୁଣ କିଶୋରୀଚରଣଙ୍କୁ ଅଗତ୍ୟା ସେମାନଙ୍କର ଉପଦେଶକୁ ଗ୍ରହଣ କରିବାକୁ ହିଁ ପଡ଼ିଲା ।

 

କିଶୋରୀଚରଣଙ୍କ ଜନ୍ମ କଟକରେ । ତେବେ ଛୋଟବେଳୁ ସେ ବାପା ବୋଉଙ୍କ ସହିତ ଜନ୍ମଭୂମିଠାରୁ ବହୁତ ଦୂରରେ ରହିଲେ, ବାପାଙ୍କ କର୍ମସଂସ୍ଥାନ ଭୂମି ଅନୁଯାୟୀ । ତେଣୁ ବର୍ତ୍ତମାନ ବାପା ଓ ବୋଉଙ୍କଠାରୁ ଉଚ୍ଚଶିକ୍ଷା ଲାଭ ପାଇଁ ବିଚ୍ଛିନ୍ନ ହୋଇ କଟକରେ ବଡ଼ବାପାଙ୍କ ପାଖରେ ରହିବା ଓ ସୁଦୂର ମଫସଲ ଭଦ୍ରକରୁ ଆସି କଟକର ଐତିହ୍ୟସମ୍ପନ୍ନ ରେଭେନ୍‌ସା ମହାବିଦ୍ୟାଳୟରେ ପାଠପଢ଼ିବା ଇତ୍ୟାଦି କିଶୋରୀଚରଣଙ୍କୁ ଏକ ତୁଚ୍ଛ ନ୍ୟୁନତାବୋଧରେ ଆଚ୍ଛାଦିତ କରି ଦେଉଥାଏ । ତେବେ କିଶୋରୀଚରଣ ଏଥିରେ ବ୍ୟସ୍ତ କି ବିବ୍ରତ ହୋଇ ନାହାନ୍ତି । ମନ ମଧ୍ୟରେ ଖୁବ୍‌ ଗୋଟିଏ ସାହସ ନେଇ କ୍ରମଶଃ ଆଗକୁ ମାଡ଼ିଚାଲିବାର ସଂକଳ୍ପକୁ ଗ୍ରହଣ କରିଛନ୍ତି । ଏଠି ଭୌତିକ ଜଗତରେ ପୁଣି କେତେକ ଉତ୍ତମ ବନ୍ଧୁ ଯେପରି ମିଳିଗଲେ, ଠିକ୍‌ ସେହିପରି ଶାଶ୍ୱତ ଜଗତକୁ ପରିପୁଷ୍ଟ କରିବା ପାଇଁ କନିକା ଲାଇବ୍ରେରୀ, ରାଶି ରାଶି ପୁସ୍ତକ ମଧ୍ୟରେ ନିଜର ମାତୃଭୂମିକୁ ପରିପୁଷ୍ଟ କରିବା ଲାଗି ବନ୍ଧୁ ଭାବରେ ମୁହଁ ଦେଖାଇଲେ ।

 

ଯେଉଁ ବନ୍ଧୁମାନଙ୍କ ସହିତ ନିଜର ମେଣ୍ଟ ଜମିଥିଲା, ସେମାନଙ୍କ ମଧ୍ୟରେ ଶଶୀ ଅର୍ଥାତ୍‌ ଶଶିଭୂଷଣ ମିଶ୍ର ଓ ଆଡ଼ଭୋକେଟ୍‌ ସୁଧା ଅର୍ଥାତ୍‌ ପ୍ରାକ୍ତନ ଓଡ଼ିଶାର ଚିଫ୍‌ ସେକ୍ରେଟାରୀ ସୁଧାଂଶୁ ମୋହନ ପଟ୍ଟନାୟକ । କଲେଜ ଜୀବନର ଏହି ବନ୍ଧୁଦ୍ୱୟ ପରବର୍ତ୍ତୀ କାଳରେ ବ୍ୟକ୍ତିଗତ ସ୍ତରରେ ଓ କ୍ରମେ ପାରିବାରିକ ସ୍ତରରେ ସେଇ ସମୟ ପର୍ଯ୍ୟନ୍ତ ବନ୍ଧୁ ହୋଇ ରହିଥିଲେ । କଲେଜରେ ପାଠପଢ଼ୁଥିବାବେଳେ ତାରୁଣ୍ୟର ରୋମାଞ୍ଚରେ ଥରେ ସେମାନେ ଅଭିଭୂତ ହୋଇଉଠି କୌଣସି ଏକ ଷ୍ଟୁଡ଼ିଓକୁ ଯାଇ ଫଟୋ ଉଠାଇଥିଲେ ଓ ସେହି ଫଟୋ ତଳେ ଇଂରାଜୀ କ୍ୟାପିଟାଲ ଲେଟର୍ସରେ ଲେଖିଥିଲେ ଶଶୀ-ସୁଧା-କେଶ । ସତେ ଯେପରି ସେହି ଫଟୋରୁ ତ୍ରିମୂର୍ତ୍ତି ଥିଲା ଏକ କାଳଜୟୀ ପ୍ରତିଭାତ୍ରୟ ।

 

ରେଭେନ୍‌ସା ମହାବିଦ୍ୟାଳୟରେ କିଶୋରୀଚରଣ ୧୯୩୮ ମସିହାଠାରୁ ୧୯୪୨ ମସିହା ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ଇଂରାଜୀ ଓ ସଂସ୍କୃତର କଥାବସ୍ତୁ ତାଙ୍କ ପ୍ରାଣକୁ ପୁଲକିତ କରୁଥିଲା । ଏତଦ୍‌ବ୍ୟତୀତ ଓଡ଼ିଆ ସାହିତ୍ୟର କାହ୍ନୁଚରଣ ମହାନ୍ତି, କାଳିନ୍ଦୀଚରଣ ପାଣିଗ୍ରାହୀ ଓ ସଚ୍ଚିଦାନନ୍ଦ ରାଉତରାୟ ପ୍ରମୁଖଙ୍କ କଥାସାହିତ୍ୟ କିଶୋର କିଶୋରୀଚରଣଙ୍କ ପ୍ରାଣକୁ ବେଶ୍‌ ସ୍ପର୍ଶ କରୁଥିଲା । ତେଣୁ ବିଦ୍ୟାଧ୍ୟୟନ ସହିତ ସାହିତ୍ୟ ସଂରଚନାର ପ୍ରବୃତ୍ତି ଏହି ସମୟକୁ ବଳବତ୍ତର ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

କିଶୋରୀଚରଣ ଆଇ.ଏ.ରେ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇ ନ ପାରିଥିଲେ ମଧ୍ୟ ଓଡ଼ିଆ ଅଞ୍ଚଳରୁ ଆଇ.ଏ. ପାସ୍‌ କରିଥିବା ସମସ୍ତ ଛାତ୍ରଙ୍କ ମଧ୍ୟରେ ସେ ସର୍ବୋଚ୍ଚ ନମ୍ବର ରଖିଥିବାରୁ ମେୟୋ ସ୍କଲାରସିପ୍‌ ନାମକ ଏକ ସ୍କଲାରସିପ୍‌ ପାଇବାକୁ ମନୋନୀତ ହୋଇଥିଲେ । ଫଳରେ ତାଙ୍କୁ ସ୍କଲାରସିପ୍‌ ବାବଦକୁ ମାସିକ ଟ. ୧୦.୦୦ ମିଳିଥିଲା । ମାତ୍ର ବି.ଏ.ବେଳକୁ ସେ ଆମାଶୟ ରୋଗରେ ପୀଡ଼ିତ ରହି ମହାବିଦ୍ୟାଳୟର ଟେଷ୍ଟ ପରୀକ୍ଷା ଦେଇପାରି ନ ଥିଲେ ମଧ୍ୟ ବାର୍ଷିକ ପରୀକ୍ଷାରେ ଆଶାତୀତ ନମ୍ବର ରଖି କୃତକାର୍ଯ୍ୟ ହୋଇପାରିଥିଲେ । ବି.ଏ. ପରୀକ୍ଷାର ଫଳାଫଳ ବାସ୍ତବରେ ତାଙ୍କ ପାଇଁ ଥିଲା ଏକ ଶ୍ରେଷ୍ଠ ଆଶୀର୍ବାଦ । କାରଣ ସେହି କୃତିତ୍ୱ ଅନେକ ଦିଗରୁ ବେଶ୍‌ ଉଜ୍ଜ୍ୱଳ ହୋଇ ଉଠିଥିଲା ଯେପରି :

 

(କ) ପାଟଣା ବିଶ୍ୱବିଦ୍ୟାଳୟରେ ବି.ଏ. (ଅନର୍ସ)ରେ ପ୍ରଥମ ଶ୍ରେଣୀରେ ତୃତୀୟ ସ୍ଥାନ ଲାଭ କରିଥିଲେ ।

 

(ଖ) ଉଭୟ ସଂସ୍କୃତ ଓ ଇଂରାଜୀର ପାସ୍‌ ବିଷୟରେ ଡିଷ୍ଟିଙ୍ଗ୍‌ସନ୍‌ ଲାଭ କରିଥିଲେ ।

 

(ଗ) ପାଟଣା ବିଶ୍ୱବିଦ୍ୟାଳୟରୁ ଉଭୟ ବି.ଏ. ଓ ବି.ଏସ୍‌ସି. ଓ ବି.ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର-ଛାତ୍ରୀମାନଙ୍କ ମଧ୍ୟରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲେ ।

 

(ଘ) ୧୯୪୨ ମସିହା ପାଇଁ ରେଭେନ୍‌ସା ମହାବିଦ୍ୟାଳୟର ସର୍ବୋତ୍କୃଷ୍ଟ ଛାତ୍ର (Best Student) ବୋଲି ସ୍ୱୀକୃତି ଲାଭ ।

 

(ଙ) ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ନାତକୋତ୍ତର (Post Graduation) ସ୍କଲାରସିପ୍‌ ବାବଦକୁ ମାସିକ ଟ. ୩୦.୦୦ କରି ୨ ବର୍ଷ ପାଇଁ ବୃତ୍ତି ଲାଭ ।

 

କିଶୋରୀଚରଣ ବି.ଏ. ପରୀକ୍ଷାରେ ଅତ୍ୟନ୍ତ ଉଚ୍ଚମାନର ସଫଳତା ଲାଭ କରିସାରିବା ପରେ ୧୯୪୨ ମସିହାରେ ପାଟଣାକୁ ଯାଆନ୍ତି ଏମ.ଏ. ପାଠ ପଢ଼ିବାପାଇଁ । ପାଟଣାରେ ସେ ୧୯୪୨ ମସିହାରୁ ୧୯୪୪ ମସିହା ପର୍ଯ୍ୟନ୍ତ ଅଧ୍ୟୟନ କରନ୍ତି । ପାଟଣା ବିଶ୍ୱବିଦ୍ୟାଳୟରେ କିଶୋରୀଚରଣଙ୍କର ଅଧ୍ୟୟନର ବିଷୟ ରହିଲା ଇତିହାସ । ଖୁବ୍‌ ନିଷ୍ଠାର ସହ ସେ ଅଧ୍ୟୟନ କରୁଥିଲେ । ପିତା ବିପ୍ରଚରଣ ଏକଦା ମାତ୍ର ୭ (ସାତମାର୍କ)ର ବ୍ୟବଧାନରେ ଥାଇ ୧ମ ଶ୍ରେଣୀ ପାଇବାର ସୌଭାଗ୍ୟରୁ ବଞ୍ଚିତ ହୋଇଥିଲେ । ଶେଷରେ କିଶୋରୀଚରଣଙ୍କ ନିଷ୍ଠା ଫଳପ୍ରଦ ହୋଇଉଠିଲା । ସେ ୮୦ % ନମ୍ବର ରଖି ଇତିହାସରେ ପ୍ରଥମ ଶ୍ରେଣୀ ଲାଭ କଲେ । ସତରେ ସେଦିନ ତାଙ୍କ ବାପା କେତେ ଖୁସି ହୋଇ ନ ଥିବେ ?

 

୧୯୪୪ ମସିହାରୁ ୧୯୪୭ ମସିହା ପର୍ଯ୍ୟନ୍ତ ସେ କଟକରେ ଅବସ୍ଥାନ କରନ୍ତି ଏବଂ ବି.ଏଲ୍‌. ଦିଗରେ ଅଧ୍ୟୟନରତ ହୁଅନ୍ତି । ତାଙ୍କର ନିଷ୍ଠା ଓ ଅଧ୍ୟବସାୟ କେବେ ବ୍ୟର୍ଥ ହୁଏ ନାହିଁ । ୧୯୪୭ରେ ମଧ୍ୟ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ କୃତିତ୍ୱ ସହିତ ଉତ୍ତୀର୍ଣ୍ଣ ହୋଇଉଠନ୍ତି ।

 

କିଶୋରୀଚରଣ ୧୯୨୮ ମସିହା ଜୁଲାଇ ମାସ ୫ ତାରିଖ (ଠିକ୍‌ ଜନ୍ମ ଦିନଠାରୁ ୪ ବର୍ଷ ୪ ମାସ ୪ ଦିନ)ରେ ହିନ୍ଦୁ ପ୍ରଥାନୁଯାୟୀ ବିଦ୍ୟାରମ୍ଭ କରିଥିଲେ ମଧ୍ୟ ଆନୁଷ୍ଠାନିକ ଭାବରେ ପ୍ରାୟ ୧୯୩୨ ମସିହାବେଳକୁ ଭଦ୍ରକ ହାଇସ୍କୁଲରେ ଷଷ୍ଠ ଶ୍ରେଣୀରେ ପ୍ରବେଶ କରି କ୍ରମେ ବାଲେଶ୍ୱର ଓ କେନ୍ଦ୍ରାପଡ଼ା ହୋଇ ମାଟ୍ରିକ୍ୟୁଲେସନ୍‌ ପରୀକ୍ଷାରେ କୃତକାର୍ଯ୍ୟତା ଲାଭ କରି ଓ ପରେ ୧୯୩୮-୪୨ ରେଭେନ୍‌ସା ମହାବିଦ୍ୟାଳୟ ଓ ୧୯୪୨-୪୪ ପାଟଣା ବିଶ୍ୱବିଦ୍ୟାଳୟ ଓ ପରିଶେଷରେ ୧୯୪୪ରୁ ୧୯୪୭ ପର୍ଯ୍ୟନ୍ତ ବି.ଏଲ. ପାଠପଢ଼ି କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇଥିଲେ ।

 

ଏଣିକି କର୍ମସଂସ୍ଥାନର ଅନ୍ୱେଷଣ ପର୍ବ ଓ ଜୀବନସାଥିର ସଙ୍ଗଲାଭର ମଧୁର ମୁହୂର୍ତ୍ତକୁ କେବଳ ନିରୀକ୍ଷଣ କରାଯାଇପାରେ ।

 

କର୍ମମୟ ଜୀବନ

 

୧୯୪୭ ମସିହାଟି ଉଭୟ ଆମ ଦେଶ ଭାରତବର୍ଷ ଓ ଆମର ପ୍ରିୟ ଲେଖକ କିଶୋରୀଚରଣଙ୍କ ପାଇଁ ଥିଲା ଏକ ମହତ୍ତ୍ୱପୂର୍ଣ୍ଣ ବର୍ଷଟିଏ । କାରଣ ଏହି ବର୍ଷ ଆମ ଦେଶ ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହେଲା ଓ କିଶୋରୀଚରଣ ଦେଶ ପାଇଁ ନିଜକୁ ଉତ୍ସର୍ଗୀକୃତ କଲେ କିଛି ଦାୟିତ୍ୱସଂପନ୍ନ କାର୍ଯ୍ୟକୁ ନିର୍ବାହ କରିବା ପାଇଁ । ୧୯୪୭ ମସିହାରେ କିଶୋରୀଚରଣ ବି.ଏଲ. ପାସ୍ କରିବା ସହ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ମଧ୍ୟ କୃତିତ୍ୱ ଲାଭ କରିଥିଲେ । ତାଙ୍କର ବଡ଼ ସୌଭାଗ୍ୟ ଯେ, ସେହି ସମୟକୁ ତାଙ୍କୁ ଦୁଇଗୋଟି ଭିନ୍ନ ଭିନ୍ନ ଦିଗ ଆହ୍ୱାନ କରୁଥିଲା ନିଜ ଆଡ଼କୁ ଆକର୍ଷିତ କରାଇବା ପାଇଁ । ଗୋଟିଏ ଦିଗ ହେଉଛି ନିଜ ଆଶା ଓ ଆକାଙ୍‌କ୍ଷାର ଦିଗ - ଅର୍ଥାତ୍ ଅଧ୍ୟାପକ ହେବାର ଦିଗ ଓ ଅନ୍ୟଟି ହେଉଛି ପ୍ରଶାସନିକ ସେବା କାର୍ଯ୍ୟ କରିବାର ଦିଗ । ଯଦି ଅଧ୍ୟାପକଟିଏ ହେବେ, ତେବେ ତାଙ୍କୁ ସରକାରୀ ସହାୟତା ମିଳିବ । ବିଦେଶକୁ ଯାଇ କୌଣସି ନାମୀ ଦାମୀ ବିଶ୍ୱବିଦ୍ୟାଳୟରୁ ପିଏଚ୍‌.ଡି. ଡିଗ୍ରୀ ଧାରଣ କରିବାପାଇଁ । ତେଣୁ ବିଦେଶ ଭ୍ରମଣର ସୁବିଧା-ସୁଯୋଗକୁ ସେ କେଉଁ କାରଣରୁ ଅବା ହାତଛଡ଼ା କରନ୍ତେ ? ପୁଣି ଅନ୍ୟପାଖରେ ସେତେବେଳର ବେଶ୍ ଜଣାଶୁଣା ଲୋକୋକ୍ତିକୁ ମଧ୍ୟ ସେ ଉପେକ୍ଷା କରିପାରିଲେ ନାହିଁ । ଲୋକୋକ୍ତିଟି ଥିଲା ଯେ ମାଷ୍ଟ୍ର ହେବାଠାରୁ ବରଂ ଖୁବ୍ ଭଲ ହାକିମଟିଏ ହେବା । ତେଣୁ ଜୀବନର ଭିତ୍ତି ସ୍ଥାପନା କ୍ଷେତ୍ରରେ ତାଙ୍କର ଇଚ୍ଛାକୁ ଓ ମନକୁ କେବଳ ଗୁରୁଜନଙ୍କର ପ୍ରାକ୍‌ଟିକାଲ ନିର୍ଦ୍ଦେଶନାର ସମାଧାନ ଆଣି ଦେଇଥିଲା ।

 

ଅଭିଭାବକଙ୍କର ପରାମର୍ଶ ଥିଲା ହାକିମଟିଏ ହେବା ପାଇଁ । ତେଣୁ ଶେଷରେ ଅଧ୍ୟାପକ ହେବାର ସମସ୍ତ ପରିକଳ୍ପନାକୁ ଜଳାଞ୍ଜଳି ଦେଇ ଆଗେଇ ଚାଲିଲେ ପ୍ରଶାସନିକ ସେବାକୁ ଆଦରିନେବା ଲାଗି । ପଦବୀ ଥିଲା ପ୍ରୋବେସନାରୀ ଡେପୁଟୀ ମାଜିଷ୍ଟ୍ରେଟ୍ ଚାକିରିରେ ଯୋଗ ଦେବାର ଧାର୍ଯ୍ୟ ଦିନ ଥିଲା ଅପ୍ରେଲ ପହିଲା ୧୯୪୭ । କିଶୋରୀଚରଣଙ୍କର କିନ୍ତୁ ସେ ଯାବତ୍ ମନରୁ ପିଲାଦିନିଆ ଓ ପିଲାଳିଆମି ତୁଟି ନ ଥିଲା । ତେଣୁ ସେ ଯାଇ ହାକିମଙ୍କୁ ଦେଖା କଲେ ଓ ମନର କଥାକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଉଲ୍ଲେଖ କଲେ ଯେ ଯଦିଓ ଅପ୍ରେଲ ପହିଲା ଦିନଟି ‘ଉତ୍କଳ ଦିବସ’ ଭାବରେ ଏବେ ପାଳିତ ହେଉଛି, ତଥାପି ଏହି ଦିନଟିକୁ ମଧ୍ୟ ‘ଅପ୍ରେଲ ଫୁଲ୍‌’ ବୋଲି କୁହାଯାଉଛି । ତେଣୁ ଏହି ଫୁଲ୍ ବା ବୋକା ଦିନରେ ସେ ଚାକିରିରେ ଯୋଗ ନ ଦେଇ ତା’ର ପରଦିନ ଯୋଗ ଦେବେ ବୋଲି । ହାକିମ କିନ୍ତୁ କଥା ଶୁଣିଲେ ଓ କଥାର ଗୁରୁତ୍ୱକୁ ଅନୁଭବ କଲେ-। କିଶୋରୀଚରଣ ଚାକିରିରେ ଯୋଗ ଦେଲେ ୧୯୪୭ ମସିହା ଅପ୍ରେଲ ମାସ ୨ ତାରିଖ ଦିନ । ଏଣିକି ଖାଲି ଦାୟିତ୍ୱ ଆଉ ଦାୟିତ୍ୱ । ଦାୟିତ୍ୱ ସମ୍ପନ୍ନରେ ହିଁ ନିଜର ପୂର୍ଣ୍ଣତା ପ୍ରାପ୍ତି, ଏଠାରେ ଥିଲା ସତେ ଯେପରି କିଶୋରୀଚରଣଙ୍କ ସ୍ୱପ୍ନ ଓ ସଂକଳ୍ପ । ଚାକିରିରେ ଯୋଗ ଦେବାମାତ୍ରେ ସଙ୍ଗେ ସଙ୍ଗେ ନିର୍ଦ୍ଦେଶ ମିଳିଗଲା ଯେ ସେମାନଙ୍କୁ ଜମି ସର୍ଭେ କରିବାକୁ ଟ୍ରେନିଂ ନେବାକୁ ହେବ । ଟ୍ରେନିଂ ପଡ଼ିଛି ଏରଡଙ୍ଗା ନାମକ ଏକ ଗ୍ରାମୀଣ ସ୍ଥାନରେ । ସ୍ଥାନରେ ଯାଇ ପହଞ୍ଚିଲା ପରେ ଦେଖାଗଲା ଯେ- ଲମ୍ବା ହଲ ଜାତୀୟ ଏକ ବିରାଟ ହଷ୍ଟେଲ । ସେଠାରେ ଗୋଟିଏ କ୍ୟାମ୍ପ ଖଟଟିଏ ପ୍ରସ୍ତୁତ ହୋଇ ରହିଛି ସେମାନଙ୍କ ପାଇଁ । ସେତେବେଳେ ତାଙ୍କର ଟ୍ରେନିଂ ମାଷ୍ଟର ଥାଆନ୍ତି ବରିଷ୍ଠ ପ୍ରଶାସକ ଉମାଚରଣ ଦାସ । ସେ ଅତ୍ୟନ୍ତ ସୁନ୍ଦର ଭାବରେ କିଶୋରୀଚରଣ ଓ ତାଙ୍କ ସହିତ ଟ୍ରେନିଂ ନେଉଥିବା ଅଫିସରମାନଙ୍କୁ ବୁଝାଇ ଦେଲେ ଯେ ସେମାନଙ୍କୁ ହାପ୍ ପ୍ୟାଣ୍ଟ ପିନ୍ଧି ଜମି ଉପରେ ଚେନ୍ ଟାଣିବାକୁ ପଡ଼ିବ । ଯନ୍ତ୍ର ମଧ୍ୟ ଦେଇ ଲାଇନ୍ ସିଧା ଅଛି କି ନାଇଁ ତାହାକୁ ନିରୀକ୍ଷଣ କରିବାକୁ ପଡ଼ିବ; ସିଧା ନ ଥିଲେ ତାକୁ ସଜାଡ଼ିବାକୁ ପଡ଼ିବ । ତା’ପରେ ମାପକୁ ନୋଟ୍ କରିବାକୁ ପଡ଼ିବ ଇତ୍ୟାଦି ଇତ୍ୟାଦି । ମୁଣ୍ଡରେ ଛତା ପରିବର୍ତ୍ତେ କେବଳ ଆକାଶ ଓ ଫ୍ୟାନ୍ ପରିବର୍ତ୍ତେ ପ୍ରଚଣ୍ଡ ସୂର୍ଯ୍ୟ ଦେବତା । ତଥାପି ସେ ସାନ୍ତ୍ୱନା ଶୁଣାଇଥା’ନ୍ତି ଯେ ଏହି ଟ୍ରେନିଂ ପ୍ରଦାନ କରି ସେ ପ୍ରତ୍ୟେକଙ୍କୁ ଏପରି ଅଭିଜ୍ଞ କରିଦେବେ ଯେ ଭବିଷ୍ୟତରେ ଯେପରି କୌଣସି ଅମିନ ତାଙ୍କୁ କେବେ ଠକିପାରିବ ନାହିଁ । ସିଧାସଳଖ ପ୍ରତ୍ୟକ୍ଷାନୁଭୂତିର ପାଠ୍ୟକ୍ରମ । କଳ୍ପନାର ସେଠି ସ୍ଥାନ ଆଦୌ ନାହିଁ ।

 

ଟ୍ରେନିଂ କାଳ ମଧ୍ୟରେ ତାଙ୍କ ଜୀବନର ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି ଯେ ସେ କୁମାରୀ ଦେବୀଙ୍କୁ ବିବାହ କରିଛନ୍ତି । କେବଳ ଦୁଇଦିନ ପାଇଁ ଛୁଟି ନେଇ ଆସିଛନ୍ତି ସେହି ଗୁରୁଦାୟିତ୍ୱଟିକୁ ଯାହା ସମ୍ପନ୍ନ କରିବା ପାଇଁ । ମାତ୍ର କର୍ତ୍ତବ୍ୟର ଡାକରାରେ ସେ ନିଜକୁ ହଜାଇ ଦେଇଛନ୍ତି ସଂପୂର୍ଣ୍ଣ ଭାବରେ ନିଜ କର୍ମ ମଧ୍ୟରେ । କର୍ମଜୀବନ ହୋଇଛି ତାଙ୍କର ଭଗବାନ ଓ କର୍ତ୍ତବ୍ୟ ହିଁ ହୋଇଛି ଜୀବନର ପରମ ଆରାଧ୍ୟର ସେତୁ । ଆସିଯାଇଛି ଦେଶର ସ୍ୱାଧୀନତା । ସ୍ୱାଧୀନତା ସହିତ ନିଜର କର୍ତ୍ତବ୍ୟ ମଧ୍ୟ ଖୁବ୍ ପରିମାଣରେ ଯେପରି ବୃଦ୍ଧି ପାଇଛି ତାଙ୍କ ପାଇଁ ।

 

୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଆମ ଦେଶ ସ୍ୱାଧୀନତା ଲାଭ କରେ । ଏହି ଅବସରରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଠିକ୍ ଅର୍ଦ୍ଧ ରାତିରେ ଘୋଷଣା କଲେ ଯେ ଏତେଦିନ ପରେ ଆମେମାନେ ନିଦରୁ ଉଠିଛୁ ବୋଲି । ଆଜି ଆମେମାନେ ସମସ୍ତେ ସ୍ୱାଧୀନ ହୋଇ ଉଠିଛୁ ନିଜକଥା ନିଜେ ବୁଝିବା ଲାଗି । ଏଣିକି ଖାଲି ଦାୟିତ୍ୱ ହିଁ ଦାୟିତ୍ୱ । ଏହିକଥା ଶୁଣି ସେଦିନ କିଶୋରୀଚରଣ ନିଜକୁ ନିଜେ ବୁଝାଇ କହିଥିଲେ ଯେ- ଆମେ ତ ସେହି ଦାୟିତ୍ୱ ସମ୍ପନ୍ନ କରିବାକୁ କେବଳ ରହିଛୁ । ମୁଣ୍ଡ ଉପରେ ଅନେକ ଦାୟିତ୍ୱ । ନିଜକୁ ଦାୟିତ୍ୱ ସଂପନ୍ନ କରିବାର ପାଲା କେବେଠାରୁ ତ ଶେଷ ହୋଇ ସାରିଲାଣି । ଏବେ ସ୍ତ୍ରୀ ପିଲାଙ୍କୁ ସୁଖ ଦେବାର ଦାୟିତ୍ୱ, ପିଲାଙ୍କୁ ମନେ କରିବାର ଦାୟିତ୍ୱ ଏବଂ ସର୍ବୋପରି ଠିକଣା କାମଧନ୍ଦା କରି ସଂସାର ଚଳାଇବାର ଦାୟିତ୍ୱ । କିଶୋରୀଚରଣ କିନ୍ତୁ ଏହି ମର୍ମରେ ପ୍ରଥମେ ସେ ନିଜକୁ ଓ ତା’ପରେ ନିଜ ଦେଶକୁ ନେଇ ଚିନ୍ତା କରୁଥିଲେ ଓ ବିଭିନ୍ନ ପ୍ରକାରର କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ ।

 

୧୯୪୭ ମସିହା ଅକ୍ଟୋବର ୨ ତାରିଖରେ ସ୍ୱାଧୀନ ଭାରତରେ ପ୍ରଥମ କରି ଗାନ୍ଧୀ ଜୟନ୍ତୀ ପାଳନ ହେବା ଲାଗି ନିଷ୍ପତ୍ତି ନିଆଯାଇଥାଏ । ଯେହେତୁ ଏହା ସ୍ୱାଧୀନ ଭାରତର ପ୍ରଥମ ଗାନ୍ଧୀ ଜୟନ୍ତୀ, ଏହି କାରଣରୁ ଅନେକ ଛୋଟବଡ଼ ପ୍ରଶାସକମାନଙ୍କୁ ବିଭିନ୍ନ ଧରଣର ଦାୟିତ୍ୱ ଦିଆଯାଇଥାଏ ନିର୍ବାହ କରିବା ପାଇଁ, ପ୍ରତ୍ୟେକଟି କାର୍ଯ୍ୟ କିନ୍ତୁ ଗାନ୍ଧୀ ଧର୍ମରେ ମହିମାନ୍ୱିତ ହୋଇଥାଏ । ଜଣେ ପ୍ରୋବେସନାରୀ ଅଫିସର ଭାବରେ କିଶୋରୀଚରଣଙ୍କୁ ନିର୍ଦ୍ଦେଶ ଦିଆଗଲା ଯେ, ପୁରୀ ଅଞ୍ଚଳର ଏକ ଗାଁକୁ ଯାଇ ସେଠାରେ “ଗାଁ-ପରିମଳ”ର ପ୍ରଚାର କରିବାକୁ । ସିଧାସଳଖ ଭାବରେ ମଧ୍ୟ ନିର୍ଦ୍ଦେଶ ଥିଲା ଯେ- ଦରକାର ପଡ଼ିଲେ ନିଜେ ଝାଡ଼ୁ ଧରିବାକୁ ମଧ୍ୟ ପଛାଇ ଯିବ ନାହିଁ । ସେତେବେଳେ ସ୍ୱାଧୀନ ଭାରତରେ ଏତେ କଡ଼ା ନିର୍ଦ୍ଦେଶ ପାଇ କେବଳ ‘ୟେସ୍ ସାର୍‌’ କହିବା ଛଡ଼ା ତାଙ୍କର ଉପାୟ ବା କ’ଣ ଥିଲା ?

 

କିଶୋରୀଚରଣ ଠିକ୍ ସମୟରେ ଠିକଣା ସ୍ଥାନରେ ଯାଇ ପହଞ୍ଚିଗଲେ । ଯାହା ତାଙ୍କୁ ପାଠ ପଢ଼ା ଯାଇଥିଲା, ସେହି ଅନୁସାରେ କେବଳ ସେ କାମ କରିବାକୁ ଲାଗିଲେ । ମାତ୍ର କିଶୋରୀଚରଣ ନିଜ ଆତ୍ମଜୀବନୀ ‘ସମୟ ନାହିଁ’ରେ ସେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯେ, ସେହି ଗାଁରେ ତାଙ୍କୁ ଯେଉଁଭଳି ଭାବରେ ବଧେଇ ଦେଲେ, ସମ୍ମାନିତ କଲେ ଓ ତାଙ୍କୁ ଭଗବାନ ବୋଲି ମନେକରି ନିଜର ଦୁଃଖ, ଦୁର୍ଦ୍ଦଶା କଥା କହିଲେ, ସେତେବେଳେ ତାଙ୍କୁ ଅତ୍ୟନ୍ତ ଲାଜ ମାଡ଼ିଲା (ସମୟ ନାହିଁ/ପୃଷ୍ଠା-୫୦) ଗ୍ରାମବାସୀଙ୍କ ଅଭିଯୋଗ ଥିଲା ଅସରନ୍ତି । ସେଠାରେ ଏବକା ପାଣି ନ ଥିଲା, ପାଖରେ ଭଲ ଡାକ୍ତରଖାନାଟିଏ ନ ଥିଲା । ସ୍କୁଲରେ ଶିକ୍ଷକ ନ ଥିଲେ ଇତ୍ୟାଦି ଇତ୍ୟାଦି । କିଶୋରୀଚରଣ ପ୍ରତ୍ୟେକ ଅସୁବିଧାକୁ ଟିପିନେଲେ ଓ ଆଶ୍ୱାସନା ଦେଲେ ଯେ, ସେ ନିଜେ ପ୍ରତ୍ୟକ୍ଷ ଭାବରେ ତାଙ୍କ କଥା ବୁଝିବେ । ତାଙ୍କ କଥାରେ ଫୁଟିଉଠୁଥିଲା ଏକ ବିପୁଳ ଅଙ୍ଗୀକାରବଦ୍ଧତା । ସତେ ଯେପରି ସେ କହୁଥିଲେ ଯେ- “ଇଏ ନୂଆ ସରକାର, ଆମ ନିଜ ସରକାର । ଅତଏବ ଦେଖିବ ଆମେ କ’ଣ କରିବୁ ?’’ (ସମୟ ନାହିଁ/ପୃ-୫୦)

 

ସେ ପୁଣିଥରେ ସେହି ଗାଁକୁ ଫେରିଆସିବେ ବୋଲି କହି ଆସି ଯେତେବେଳେ ନିଜର ଉପରିସ୍ଥ ହାକିମକୁ ନିଜର ରିପୋର୍ଟ ଦେବା ସହିତ ସେହି ଗାଁ ସଂକ୍ରାନ୍ତରେ ଏକ ବିବରଣୀଟିଏ ପ୍ରଦାନ କଲେ, ସେତେବେଳେ ତାଙ୍କୁ କର୍ମକ୍ଷେତ୍ରରେ ଏକ ବିଶେଷ ଶିକ୍ଷାଟିଏ ମିଳିଥିଲା ଯାହା ଉପରିସ୍ଥ ହାକିମଜଣକ ଅତ୍ୟନ୍ତ ବିରକ୍ତି ଓ ଗମ୍ଭୀର ହୋଇ ପଚାରିଥିଲେ- “ତୁମକୁ ଏକଥା କରିବାକୁ କୁହା ହୋଇଥିଲା ? ତାଙ୍କ ଗୁହାରି ଶୁଣିବା ପାଇଁ ?’’ (ସମୟ ନାହିଁ/ପୃଷ୍ଠା-୫୦) । ତେବେ ସେ ତାଙ୍କୁ କିଛି ପ୍ରମିସ୍ କରିନାହାନ୍ତି ବୋଲି ଉପରିସ୍ଥ ହାକିମଜଣକ ଜାଣିବା ପରେ କଥାଟିରେ ପୂର୍ଣ୍ଣଚ୍ଛେଦ ଯାହା ପଡ଼ିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଅବଶ୍ୟ କିଶୋରୀଚରଣ ଆଉ ସେ ଗାଁକୁ ଯାଇନାହାନ୍ତି । ଚାକିରିର ଉତ୍ତରୋତ୍ତର ଉନ୍ନତି ପଥରେ ସେ ଆଗକୁ ଆଗକୁ ମାଡ଼ିଯାଇଛନ୍ତି ସିନା, ଅନ୍ତର ଭିତରେ ସେହି ଗାଁର ଆଶାୟୀ ଲୋକଙ୍କୁ, ବିଶେଷକରି ଏକ ବୟସ୍କ ବୃଦ୍ଧବ୍ୟକ୍ତିଙ୍କୁ ତାଙ୍କ ଦୁଃଖ ଦୂର କରିବାକୁ ସେ ଯତ୍ନଶୀଳ ହୋଇ କ’ଣ ହେଲା, ତାହା ଜଣାଇବାକୁ ଆସିବେ ବୋଲି ଯେଉଁ ପ୍ରତିଶ୍ରୁତି ଦେଇ ଯାଇଥିଲେ, ତାହାର ସ୍ମୃତି ତାଙ୍କୁ ସବୁବେଳେ କ୍ଷତବିକ୍ଷତ କରି ଦେଉଛି । ଗାଁର ଦୁଃଖ ଏବେ କ’ଣ ଠିକ୍ ସେହିପରି । ସମୟ ଅବଶ୍ୟ ଗଡ଼ିଚାଲିଛି । ତେବେ ଆଜିର ଗାଁରୁ ମିଳୁଥିବା ଖବରରୁ ଆମେ କ’ଣ ଆଜି ଅନୁଭବ କରିପାରୁ ନାହିଁ ଯେ, ଆମର ଗ୍ରାମୀଣ ସମାଜ ତଥାପି ଅବହେଳିତ ବୋଲି ?

 

ସେଦିନ ସେହି ଉପରିସ୍ଥ ହାକିମଜଣକ ପିତୃସୁଲଭ ଭଙ୍ଗୀରେ ତାଙ୍କୁ ବୁଝାଇ ଦେଇଥିଲେ ଯେ- “ଶୁଣ ୟଙ୍ଗ ମ୍ୟାନ୍ । ଯେତିକି କରିବା ଦରକାର, ତୁମକୁ ଦିଆ ହୋଇଥିବା କାମ ଅନୁଯାୟୀ କେବଳ ସେତିକି କରିବାକୁ ଶିଖ ଏବଂ ତାକୁ ଭଲ କରି କର । ଅଯଥାରେ ଗହୀରକୁ ଯାଇ ବିପଦକୁ ଡାକି ଆଣ ନାହିଁ- ବୁଝିଲ ?’’ (ସମୟ ନାହିଁ / ପୃଷ୍ଠା-୫୧)

 

କିଶୋରୀଚରଣ ସେହି ଉପରିସ୍ଥ ହାକିମଙ୍କ ଉପଦେଶକୁ ମନେ ରଖିଛନ୍ତି ଶେଷ ଜୀବନ ପର୍ଯ୍ୟନ୍ତ ଏବଂ ମଧ୍ୟ ଏହି ଶିକ୍ଷାରୁ ଉପଲବ୍‌ଧି କରିଛନ୍ତି ମନର ଆବେଗରେ ଅସହାୟ ଦରିଦ୍ରମାନଙ୍କ ଦୁଃଖକୁ ଜାଣି ଯଥାସମ୍ଭବ ଦୂର କରିବାର ପ୍ରୟାସରେ ହେଉଛି ଅଯଥାରେ ଗଭୀରତାକୁ ପ୍ରବେଶ କରିବା ଓ ବିପଦକୁ ଡାକି ଆଣିବା । ସ୍ୱାଧୀନ ଭାରତରେ ସ୍ୱାଧୀନ ମନରେ ଏଭଳି ପରାଧୀନ ମନୋଭାବ ତାଙ୍କୁ ସେଦିନ କମ୍ ବ୍ୟଥିତ କରି ନ ଥିବ ।

 

୧୯୪୮ ମସିହା ଜାନୁୟାରୀ ମାସ ୩୦ ତାରିଖ । ମହାତ୍ମାଗାନ୍ଧୀଙ୍କୁ ଗୁଳି କରି ମାରି ଦିଆଗଲା । ଏହି ସମ୍ବାଦରେ ସାରା ଭାରତ ଯେମିତି ସ୍ତମ୍ଭୀଭୂତ ହୋଇ ଉଠିଲା । ଦେଶରେ ସ୍ୱାଭାବିକ ଭାବରେ ଦୁଃଖର ଛାୟା ଖେଳି ଯାଇଥିଲା । ତେବେ ଘର ଭିତରେ କିଶୋରୀଚରଣଙ୍କ ବାପା ବିପ୍ରଚରଣ ଓ ଶ୍ୱଶୁର ମିଃ ବି. ଦାସଙ୍କ ମନ ମଧ୍ୟ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡ଼ିଥିଲା; ଯଦିଓ ବିପ୍ରଚରଣ ପ୍ରତ୍ୟକ୍ଷ ଭାବରେ ଗାନ୍ଧୀଙ୍କର ପାକିସ୍ତାନ ତୋଷଣ ନୀତିକୁ ଆଦୌ ପସନ୍ଦ କରିପାରୁ ନ ଥିଲେ । ମାତ୍ର କିଶୋରୀଚରଣ ଭାବୁଥିଲେ ଏତେ ସତ୍ତ୍ୱେ ମଧ୍ୟ ଭାରତ ଅତ୍ୟନ୍ତ ଆଶାବାଦୀ ହୋଇଉଠିବା ପଛରେ ଯଥେଷ୍ଟ କାରଣ ରହିଥିଲା ଓ ବିଶେଷକରି ସେ ତରୁଣ ପ୍ରଧାନମନ୍ତ୍ରୀ ଜବାହାରଲାଲଙ୍କର ସ୍ୱପ୍ନ ଓ କର୍ମକୁ ଭିତ୍ତି କରି ଭାରତ ଉଜ୍ଜ୍ୱଳ ଭାଗ୍ୟକୁ ଯାହା କଳ୍ପନା କରୁଥିଲେ ।

 

୧୯୪୮ ମସିହାଟି ଶେଷ ହେବା ପୂର୍ବରୁ କିଶୋରୀଚରଣଙ୍କ ଜୀବନରେ ପୁଣି ଗୋଟିଏ ମୋଡ଼ ଆସି ଦେଖାଦେଲା । ତାଙ୍କ ଶ୍ୱଶୁର ତାଙ୍କୁ ଭାରତୀୟ ପ୍ରଶାସନିକ ସେବାର ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ କେବଳ ପରାମର୍ଶଟିଏ ଦେଲେ ନାହିଁ; ଗଭୀର ଭାବରେ ଉତ୍ସାହିତ କଲେ ମଧ୍ୟ । ତେଣୁ ସେ ବର୍ତ୍ତମାନର ଚାକିରିରୁ ୪୦ ଦିନ ଛୁଟି ନେଇ ପଢ଼ାପଢ଼ିରେ ରୀତିମତ୍ ଲାଗିପଡ଼ିଲେ । ନିର୍ଦ୍ଦିଷ୍ଟ ଦିନ ପରୀକ୍ଷାକୁ ଯାଇ ଯଥାସାଧ୍ୟ ଉତ୍ତର ମଧ୍ୟ ଲେଖିଲେ ।

 

ଏହି ସମୟରେ କିଶୋରୀଚରଣ ତାଙ୍କ ବାପା ବିପ୍ରଚରଣଙ୍କ ପାଖରେ ରହୁଥିଲେ । ସେତେବେଳେ ସେ ବ୍ରହ୍ମପୁରର ଜଜ୍ । ତେଣୁ ସେ ଜଜ୍‌ଙ୍କ କୋଠରିରେ ରହୁଥିଲେ । ସେ କିନ୍ତୁ ସେତେବେଳେ ଯାଉଥିଲେ ଛତ୍ରପୁରକୁ; ସେଠିକାର କଲେକ୍ଟରିଏଟରେ କାମ କରିବାପାଇଁ । ପରେ ପରେ ସେ ଗଞ୍ଜାମର ସେଟେଲମେଣ୍ଟ କାମରେ ମଧ୍ୟ ଯୋଗ ଦେଲେ । ପୂର୍ବରୁ ଏଥିସକାଶେ ମିଳିଥିବା ଟ୍ରେନିଂର ସଦୁପଯୋଗ କରିବା ଲାଗି ସେତେବେଳେ କିଶୋରୀଚରଣଙ୍କୁ ଅନ୍ୟୂନ ଦୁଇ ଗୋଟି ଗାଁ ଯିବାକୁ ପଡ଼ୁଥିଲା । ମାତ୍ର ୧୯୦୯ ମସିହାବେଳକୁ ବିପ୍ରଚରଣ ବ୍ରହ୍ମପୁରରୁ କଟକକୁ ସ୍ଥାନାନ୍ତରିତ ହୋଇ ସାରିଲେଣି ଓ କିଶୋରୀଚରଣ ଗଲେଣି ଆସ୍କାକୁ । ପୂର୍ବରୁ ତାଙ୍କର କାମ ଥିଲା କେବଳ ଦୁଇଟି ଗ୍ରାମକୁ ସାଇକେଲରେ ଯାଇ ଅମିନ କରିଥିବା କାମର ଯାଞ୍ଚ କରିବା । ସେତେବେଳେ ସେ ନିଜେ ମାପଚୁପ କରୁଥିଲେ ଓ ପ୍ରତ୍ୟକ୍ଷ ଭାବରେ ଭୁଲ୍‌ ଠିକ୍‌କୁ ନିରୂପଣ କରୁଥିଲେ । ମାତ୍ର ବର୍ତ୍ତମାନ କାମ କିନ୍ତୁ ଥିଲା ସାମାନ୍ୟ ଭିନ୍ନ ଧରଣର । ଏଠାରେ ସେ କାହାର କେଉଁ ଜମି ବୋଲି ସ୍ଥିର କରିବା ଦିଗରେ ଗଦା ଗଦା ହୋଇ ପୂର୍ବରୁ ପଡ଼ିରହିଥିବା ବିଭିନ୍ନ ମକଦ୍ଦମାଗୁଡ଼ିକୁ ପର୍ଯ୍ୟାୟକ୍ରମେ ବିଚାର କରିବା ଓ ତୁରନ୍ତ ବିଚାର କରିବା । ସେ ସେତେବେଳେ ଯଥାସମ୍ଭବ ଲୋକମାନଙ୍କର ଜମିଜମାକୁ ତାଙ୍କର ନ୍ୟାଯ୍ୟମୁଠାରେ ପ୍ରଦାନ କରାଇ ସନ୍ତୁଷ୍ଟ ପ୍ରଦାନ କରୁଥିଲେ । ଏହି ସମୟ ମଧ୍ୟରେ ତାଙ୍କର ଶ୍ୱଶୁର ମିଃ ଦାସ ତାଙ୍କୁ ଜଣାଇସାରିଥିଲେ ଯେ ସେ ମୌଖିକ ପରୀକ୍ଷାରେ ମଧ୍ୟ ଭଲ କରିଛନ୍ତି ।

 

୧୯୫୦ ମସିହା ମାର୍ଚ୍ଚ ମାସ ୧୫ ତାରିଖ । ଏହି ଦିନଠାରୁ ବାସ୍ତବରେ କିଶୋରୀଚରଣଙ୍କ କର୍ମମୟ ଜୀବନରେ ପୁଣି ଏକ ପଟ୍ଟପରିବର୍ତ୍ତନ ଆସିଲା । ସେ ଅଲ୍ ଇଣ୍ଡିଆ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତିତ୍ୱ ଅର୍ଜନ କଲେ । ନୂଆ ଚାକିରିରେ ଏଣିକି ଯୋଗଦାନ-ଚାକିରି ହେଉଛି ଇଣ୍ଡିଆନ ଅଡ଼ିଟ୍ ଏଣ୍ଡ ଆକାଉଣ୍ଟସ ସର୍ଭିସ୍ । ସଂପୂର୍ଣ୍ଣ ହିସାବ କିତାବର କାର୍ଯ୍ୟ । ପ୍ରଥମେ ପ୍ରଥମେ ସେ ଭାବୁଥିଲେ ମୋର ନମ୍ବର ଅନୁସାରେ ଆଇ.ଏ.ଏସ୍ ବା ଆଇ.ପି.ଏସ୍‌. କି ଆଇ.ଏଫ୍‌.ଏସ୍‌. ଚାକିରି ସିନା ମିଳିଲା ନାହିଁ; ଅନ୍ୟ କୌଣସି କ’ଣ ଭଲ ଚାକିରି ନ ଥିଲା ? ମୋତେ ଏପରି କାହିଁକି ଚାକିରି ଦିଆଗଲା ? ଯଦିଓ ସେହିଭଳି ଚାକିରିଟିଏ ପାଇଁ ସେ ଶ୍ୱଶୁରଙ୍କ ପରାମର୍ଶକ୍ରମେ ତୃତୀୟ ପସନ୍ଦ ଅନୁସାରେ ତେବେ ଯାହା ହେଉ ମାତ୍ର ମାସେ ପାଠ ପଢ଼ାରେ ଯେତେବେଳେ ସର୍ବଭାରତୀୟ ଚାକିରିଟିଏ ମିଳିଛି, ତାକୁ ହାତଛଡ଼ା ତ କରାଯାଇପାରିବ ନାହିଁ । ତେଣୁ ସେ ତାହାକୁ ହିଁ ଆଦରି ନେଲେ ଏବଂ ସେହି ଚାକିରିରେ ଏତେ ଘନିଷ୍ଠ ହୋଇ ଉଠିଲେ ଯେ ପ୍ରାୟ ୩୨ ବର୍ଷ କାଳ ସେହି ବିଭାଗରେ ରହି ଶେଷରେ ଅବସର ଗ୍ରହଣ କଲେ । ତଥାପି ହିସାବ-କିତାବର ଖେଳ ତାଙ୍କ ଜୀବନକୁ କେବେ ଛାଡ଼ି ନ ଥିଲା । କହିବାକୁ ଗଲେ, ଅଙ୍କର ହିସାବୀ-କିତାବୀ ମନୋଭାବରେ ସାହିତ୍ୟର ରସ ଯେପରି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ହୋଇ ଯାଇଥିଲା ସେତେବେଳେ ।

 

ନୂତନ ଚାକିରିରେ ସେ ମାନ୍ଦ୍ରାଜ, ପୁରୀ, ରାଞ୍ଚି ଇତ୍ୟାଦି ବିଭିନ୍ନ ସହରରେ ରହି କାର୍ଯ୍ୟ ସମ୍ପନ୍ନ କରନ୍ତି ଓ ପରିଶେଷରେ ଆକାଉଣ୍ଟସ୍ ଜେନେରାଲ ଭାବରେ ଦିଲ୍ଲୀରେ ଅବସ୍ଥାପିତ ହୁଅନ୍ତି । ଏହି ସମୟରେ ତାଙ୍କର ଅନେକ ପ୍ରକାରର ଅଭିଜ୍ଞତା ବଳବତ୍ତର ହୁଏ । ଅଡ଼ିଟର ଜେନେରାଲ ଭାରତ ସରକାର ଓ ପାର୍ଲିଆମେଣ୍ଟର ଯୋଗ୍ୟ ପ୍ରତିନିଧିମାନେ ଏହିଠାରେ ଅବସ୍ଥାନ କରୁଥିବାରୁ, ଏମାନଙ୍କ ମଧ୍ୟରେ ପ୍ରବଳ ଯୋଗସୂତ୍ର ସ୍ଥାପନ ହୁଏ । ଏହି ଯୋଗସୂତ୍ରରେ ହସଖୁସି ସହିତ ମଧ୍ୟ କିଛି କମ୍ ରସିକତା ନ ଥାଏ । ତେଣୁ ବିଭିନ୍ନ କ୍ଷେତ୍ରରେ ଯେଉଁ ଶେଷ ନିଷ୍ପତ୍ତିଟି ହୁଏ, ସେଥିରେ କାହାରି କିଛି ଆଦୌ ଆପତ୍ତି ନ ଥାଏ । ଏହି ସମୟରେ ସେ ନିଜ ଶ୍ୱଶୁର ବି. ଦାସଙ୍କ ପାଖରେ ରହୁଥିଲେ । ସେ ଥିଲେ ରାଜନୀତିରେ ଜଣେ ଉଦାର ପ୍ରକୃତିର ବ୍ୟକ୍ତି । ତାଙ୍କ ନିକଟକୁ ବିଭିନ୍ନ ବର୍ଗର ଗଣ୍ୟମାନ୍ୟ ବ୍ୟକ୍ତିମାନେ ଆସୁଥିଲେ । ସେମାନଙ୍କ ମଧ୍ୟରେ ପ୍ରଥମ ଅଡ଼ିଟର ଜେନେରାଲ ଭି. ନରହରି ରାଓ, ତାଙ୍କ ଚାକିରି ମଧ୍ୟକୁ ପ୍ରଥମ ଓଡ଼ିଆ ଭାବରେ କାର୍ଯ୍ୟ କରିଥିବା ପ୍ରକାଶ ଚନ୍ଦ୍ର ପାଢ଼ୀ, ବରିଷ୍ଠ ଆଇ.ଏ.ଏସ୍‌. ଅଫିସର ଏସ୍‌. ରଙ୍ଗନାଥନ୍‌, ପଡ଼ୋଶୀ କଂଗ୍ରେସ ନେତା ତ୍ରିଭୁବନ ନାରାୟଣ ସିଂହ, ସ୍ୱନାମଧନ୍ୟ ପତ୍ରକାର ସାର୍ ଉମାନାଥ ସେନ୍‌, ବରିଷ୍ଠ ନେତା ପଣ୍ଡିତ ହୃଦୟ ନାଥ କୁଣ୍ଡୁରୁ, କଂଗ୍ରେସ ନେତା ଲାଲ ବାହାଦୁର ଶାସ୍ତ୍ରୀ, ଓଡ଼ିଶାର ସାମ୍ୟବାଦୀ ନେତା ସୁରେନ୍ଦ୍ରନାଥ ଦ୍ୱିବେଦୀ, ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ସାରଙ୍ଗଧର ଦାସ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିଗଣ । ଏହିମାନଙ୍କ ସଂସ୍ପର୍ଶରେ ମଧ୍ୟ କିଶୋରୀଚରଣ କ୍ରମେ ଆସିଥିଲେ ଓ ନିଜର ବ୍ୟକ୍ତିତ୍ୱକୁ ପୁଷ୍ଟ କରି ତୋଳିଥିଲେ ।

 

ଏହିପରି ଭାବରେ କ୍ରମେ ୬ ବର୍ଷ ଅତିବାହିତ ହୋଇଯାଏ । ଛଅ ବର୍ଷରେ ଛଅ ଗୁଣର ଅଭିଜ୍ଞତା ବହନ କରନ୍ତି କିଶୋରୀଚରଣ । ସେ ତ ମନେ ମନେ ଭାବୁଥିଲେ ଏଣିକି ଯେ କୌଣସି ପ୍ରକାରର ଗୁରୁଦାୟିତ୍ୱକୁ ସେ ତୁଲାଇ ପାରିବେ । ଥରେ ତାଙ୍କର ଜଏଣ୍ଟ ସେକ୍ରେଟାରୀ (Joint Secretary) ତାଙ୍କୁ ‘କମନ ୱେଲ୍‌ଥ’ର ବିଶେଷଜ୍ଞ ଭାବରେ ଭିଏତ୍‌ନାମର ରାଜଧାନୀ ସାଏଗନ୍‌କୁ ଯିବାକୁ ପରାମର୍ଶ ଦେଲେ ଓ ସେ ମଧ୍ୟ ଅଚିରେ ସେହି ପ୍ରସ୍ତାବଟିକୁ ସାଦରେ ଗ୍ରହଣ କରିନେଲେ । ସେଠି ସେ କେବଳ ଭାରତର ସ୍ୱଳ୍ପ ସଞ୍ଚୟ ଯୋଜନା କାହିଁକି ଓ କିପରି ଲୋକପ୍ରିୟ ହୋଇଛି ତାହାକୁ ସେ ବୁଝାଇ ଆସିବେ । ସମୟ ସୀମା ମାତ୍ର ତିନି ମାସ । ଯଦିଓ ପ୍ରଥମେ ଏଭଳି ପ୍ରସ୍ତାବ ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲା, ତଥାପି ସେ ଏହି ପ୍ରସ୍ତାବକୁ ସ୍ୱୀକାର କରି ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ ମନେ କରୁଥିଲେ । ଏହା ଥିଲା ତାଙ୍କ ଜୀବନର ପ୍ରଥମ ବିଦେଶ ଯାତ୍ରା । ବହୁ ଶୁଭାକାଂକ୍ଷୀ, ବନ୍ଧୁ ପରିଜନ ତାଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜ୍ଞାପନ କରିଥିଲେ । ମାତ୍ର ସମସ୍ତଙ୍କଠାରୁ ଖୁବ୍ ମୂଲ୍ୟବାନ୍ ଅଭିନନ୍ଦନଟି ଥିଲା ତାଙ୍କ ଶ୍ୱଶୁରଙ୍କର । ସେ ସେତେବେଳେ କଟକରେ ରହୁଥାନ୍ତି । କଟକରୁ ସେ ଖଣ୍ଡେ ଚିଠି ଲେଖିଥିଲେ କିଶୋରୀଚରଣଙ୍କ ପାଇଁ । ଚିଠିରେ ସେ ତାଙ୍କୁ ବଧେଇ ଦେବା ସହିତ ତାଙ୍କ ଜୀବନର ସଫଳତା ଏହିଠାରୁ ଆରମ୍ଭ ହେଲା ବୋଲି ସୂଚେଇ ଦେଇଥିଲେ, ଯାହାକୁ ସେ ଆଦୌ ଭୁଲିପାରି ନ ଥିଲେ । ଶ୍ୱଶୁରଙ୍କ ମୂଲ୍ୟବାନ ମନ୍ତବ୍ୟକୁ ପାଥେୟ କରି ସେ ୧୯୫୮ ମସିହା ଫେବୃୟାରୀ ମାସରେ ପ୍ରଥମ କରି ଉଡ଼ାଜାହାଜରେ ଚଢ଼ି ବିଦେଶ ଯାତ୍ରା କଲେ, ସୁଦୂର ଭିଏତ୍‌ନାମର ରାଜଧାନୀ ସାଏଗନ୍‌କୁ ।

 

ଭାରତରୁ ସାଏଗନ୍‌କୁ ଯିବା ପାଇଁ ତାଙ୍କୁ ଦୁଇଥର ପ୍ଲେନ୍ ବଦଳ କରିବାକୁ ପଡ଼ିବ । ପ୍ରଥମେ ଭାରତର ଦିଲ୍ଲୀରୁ ସେ ଯିବେ ବ୍ୟାଂଗକକ୍ ଓ ପରେ ବ୍ୟାଂଗକକ୍‌ରୁ ଦକ୍ଷିଣ ଭିଏତ୍‌ନାମ ରାଜ୍ୟର ଏକ ଛୋଟ ପ୍ଲେନ୍‌ଟିଏ ଧରି ସେ ଯିବେ ସାଏଗନ୍‌କୁ । ବ୍ୟାଙ୍ଗକକ୍‌କୁ ସେହି ଗୋଟିଏ ରାତି ତାଙ୍କ ପାଇଁ ଥିଲା ଅତ୍ୟନ୍ତ ଅବିସ୍ମରଣୀୟ ରାତି । କାରଣ ସେଠାରେ ତାଙ୍କର ଆଉ ଏକ ଭିନ୍ନ ସଭ୍ୟତା ସହିତ ପରିଚୟ ଘଟେ; ଯେଉଁଠି ଉନ୍ମୁକ୍ତ ଯୌନ ବିହାରକୁ ଏତେ ସ୍ୱୀକୃତି ଓ ମର୍ଯ୍ୟାଦା ମିଳିଥାଏ । ଏଠାରେ ଟୁରିଷ୍ଟମାନଙ୍କୁ ଖୋଲାଖୋଲି ଆମନ୍ତ୍ରଣ କରାଯାଏ ହାଉସ୍ ଅବା ହୋଟେଲ ରୁମ ମଧ୍ୟରେ ପ୍ରେମ ସୁଖ ଲାଭ ପାଇଁ । କିଶୋରୀଚରଣ ସେହିଭଳି ମୁକ୍ତ ସ୍ୱର୍ଗପୁରୀର ଆମନ୍ତ୍ରଣକୁ ସ୍ୱୀକାର କରିପାରି ନ ଥିଲେ ମଧ୍ୟ ନାଇଟ୍ କ୍ଳବର ନିଅନ୍ ଲାଇଟ୍‌ର ଆମନ୍ତ୍ରଣକୁ ଉପେକ୍ଷା କରିପାରିଲେ ନାହିଁ । ତାହାହିଁ ତାଙ୍କର ପ୍ରଥମ ବିଦେଶ ଯାତ୍ରାକାଳୀନ ପ୍ରଥମ ନାଇଟ୍ କ୍ଳବର ବିଶେଷ ଅନୁଭୂତି ଥିଲା ।

 

ସାଏଗନ୍ କିନ୍ତୁ ବ୍ୟାଙ୍ଗକକ୍ ପରି ନ ଥିଲା । ଲୋକଗହଳି ବ୍ୟାଙ୍ଗ୍‌କକ୍ ପରି ନ ଥିଲେ ମଧ୍ୟ ଧ୍ୱନି, ବର୍ଣ୍ଣ ଓ ଗନ୍ଧର ସମଷ୍ଟିରେ ଏକପ୍ରକାର ଉଗ୍ର ପରିବେଶ ପରି କିଶୋରୀଚରଣଙ୍କୁ ତାହା ମନେ ହେଉଥିଲା । ମାତ୍ର ସଂଜବେଳର ଦୃଶ୍ୟ କିନ୍ତୁ ଅତ୍ୟନ୍ତ ରମଣୀୟ । ଠାଏ ଠାଏ ଚାଲିଥିବ ଘରୋଇ ପାର୍ଟି, ପ୍ରାୟ ସବୁ ଜାଗାରେ । ସବୁଠାରୁ ବଡ଼କଥା ହେଉଛି ଦିନରେ କାର୍ଯ୍ୟରତ ନାରୀ ଓ ପୁରୁଷଙ୍କ ଧାଁ-ଦଉଡ଼ ମଧ୍ୟରେ ନିଶ୍ଚିତ ଭାବରେ ଆଖି ପଡ଼ିବ ଲହୁଣି ରଙ୍ଗର ତରୁଣୀମାନଙ୍କର ଚାଲି ଉପରେ । ସେମାନେ ଚିରାଚରିତ ରଙ୍ଗର ସିଲ୍‌କ ପାଇଜାମା ପିନ୍ଧିଥାନ୍ତି । ଏହି ପାଇଜାମାର ମଝିରେ ଏପରି କଟାଯାଇଥାଏ ଯେ ସେମାନଙ୍କର ଜାନୁ ପରିଷ୍କାର ଭାବରେ ଦୃଶ୍ୟମାନ ନ ହେଉଥିଲେ ମଧ୍ୟ ତା’ର ଅପୂର୍ବ ଝଲକ ନିଶ୍ଚିତ ଭାବରେ ଆଖିରେ ଆକର୍ଷିତ ହୋଇ ଉଠିବ । ତେଣୁ ଲେଖକ ଅତି ସୁନ୍ଦର ଭାବରେ ଏହି କଥାକୁ କହିବାକୁ ଯାଇ ମନ୍ତବ୍ୟ ଦେଇଛନ୍ତି ଯେ- “ଏକଦା ଫରାସୀ ଅଧିକୃତ ରାଜ୍ୟର ରାଜଧାନୀ ସାଏଗନରେ ଫରାସୀ ଭୋଗବିଳାସର ନମୁନା ମିଳେ ତଥା ସେଠାରେ ସୌଖୀନ କଳାତ୍ମକତା । ଏଣେ ସ୍ୱଦେଶୀ ବୌଦ୍ଧଧର୍ମରୁ ଉଦ୍‌ଭୂତ ଏକପ୍ରକାର ଶାନ୍ତଭାବ । ଯାହାର ଗୋଟିଏ ପାଖ ହେଉଛି ପ୍ରତ୍ୟକ୍ଷ ସୁଖବୋଧ ଯଥା- ଉପରୋକ୍ତ ଝିଅମାନଙ୍କ ମୁଖରେ ଲାଖି ରହିଥିବା ହାସ୍ୟରେଖା ଏବଂ ଅପରପାଖ ହେଉଛି ଶୁଖୁଆ, ମାଛ ଶସ୍ ଆଦି ଘର ତିଆରି ଖାଦ୍ୟଦ୍ରବ୍ୟକୁ ନେଇ ବାଉଁଶ ଭାର ବୋହି ଧପାଲି ଚାଲୁଥିବା ବେପାରୀର ମୁହଁରେ ମାଖି ରହିଥିବା ସହନଶୀଳତା ।” (ସମୟ ନାହିଁ/ପୃଷ୍ଠା-୬୬)

 

କିଶୋରୀଚରଣ ଯେଉଁ କାର୍ଯ୍ୟ ପାଇଁ ଯାଇଥିଲେ ସାଏଗନ୍‌କୁ, ସେହି କାର୍ଯ୍ୟ ତୁଲାଇବାରେ ତାଙ୍କର ଆଦୌ କୌଣସି ପ୍ରକାରରେ ଅସୁବିଧା ହେଲା ନାହିଁ । ଦକ୍ଷିଣ ଭିଏତ୍‌ନାମର ସରକାର ମିସେସ୍ ୱାଂଗ ନାମକ ଜଣେ କର୍ମକର୍ତ୍ତାଙ୍କୁ ଖଞ୍ଜି ଦେଇଥିଲେ କିଶୋରୀଚରଣଙ୍କ ପାଇଁ । ସେ ତାଙ୍କୁ ସବୁ କାର୍ଯ୍ୟରେ ସାହାଯ୍ୟ କରୁଥିଲେ । କିଶୋରୀଚରଣ ଚାହୁଁଥିବା ପ୍ରତ୍ୟେକ ତଥ୍ୟକୁ ସେ ଯୋଗାଇ ଦେଉଥିଲେ । ସେମାନଙ୍କ ସାଙ୍ଗରେ ଯୋଜନା ସହିତ ସଂପୃକ୍ତ ଥିବା ଲୋକମାନଙ୍କର ପରିଚୟ କରାଇ ଦେଉଥିଲେ ଏବଂ ବିଶେଷ କରି ଅତିଥିଙ୍କର ବ୍ୟକ୍ତିଗତ ସୁଖସ୍ୱାଚ୍ଛନ୍ଦ୍ୟ ପ୍ରତି ଦୃଷ୍ଟି ରଖୁଥିଲେ । କାଳେ ସେ କେବେ ବୋର୍ ହୋଇଯିବେ, ସେହି କାରଣରୁ ସେ କିଶୋରୀଚରଣଙ୍କୁ କେବେ କେବେ ସମୁଦ୍ରକୂଳକୁ ନେଇ ଯାଉଥିଲେ ଓ କେବେ କେବେ ସେଠାର ଉପକୂଳରେ ଥିବା Cap St. ବା କେବେ କେବେ ଉତ୍ତରରେ ଥିବା ଆମର କାଶ୍ମୀର ତୁଲ୍ୟ Dalat ନାମକ ଏକ ସ୍ଥାନକୁ । ଏହି ଦୁଇଟି ସ୍ଥାନ ବାସ୍ତବରେ କିଶୋରୀଚରଣଙ୍କୁ ବହୁତ ଆନନ୍ଦ ପ୍ରଦାନ କରିଥିଲା ।

 

କିଶୋରୀଚରଣ ବିଦେଶକୁ ଯାଇଥିଲେ ମାତ୍ର ତିନିମାସ ପାଇଁ । ମାତ୍ର ସେ ସେଠାରେ ସେହି ତିନିମାସ ରହିପାରିଲେ ନାହିଁ । ଧାର୍ଯ୍ୟ ସମୟ ଅବ୍ୟବହିତ ପୂର୍ବରୁ ନିଜର କାର୍ଯ୍ୟ ସମ୍ପନ୍ନ କରି ଏକ ଦୀର୍ଘ ରିପୋର୍ଟ ସରକାରଙ୍କୁ ଲେଖି ଅନୁରୋଧ କଲେ ଗ୍ରାମକୁ ପ୍ରତ୍ୟାଗମନ କରିବା ପାଇଁ । ସେଠାରେ ସବୁ ସୁଖ ଥିଲେ ମଧ୍ୟ କିପରି ସେ ନିଜକୁ ନିଃସଙ୍ଗ ମନେ କରୁଥିଲେ । ଏହି ଏକୁଟିଆ ଏକୁଟିଆପଣ କ୍ରମଶଃ ତାଙ୍କୁ ବିଷାଦ ରୋଗରେ ରୋଗଗ୍ରସ୍ତ କରି ପକାଇଲା । ବିଶେଷକରି ସେ ଏହି ସମୟକୁ ଏକ ଇଂରାଜୀ ଖବର କାଗଜରୁ ଯେତେବେଳେ ଜାଣିଲେ ଯେ, ତାଙ୍କ ଶ୍ୱଶୁର ଆଉ ଏହି ଜଗତରେ ନାହାନ୍ତି, ଅକସ୍ମାତ୍ ଭାବରେ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି । ଶେଷରେ ଭାରତ ସରକାର ତାଙ୍କର ଅନୁରୋଧକୁ ସ୍ୱୀକାର କଲେ ଓ ଦକ୍ଷିଣ ଭିଏତ୍‌ନାମ ସରକାର ମଧ୍ୟ ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ବୋଲି ଲେଖି ଜଣାଇଲେ । ବିଶେଷ ଦିନରେ ସାଏଗନ୍‌ର ମେୟର ବିଦାୟକାଳୀନ ରାତ୍ରଭୋଜନର ଆୟୋଜନ କରିଥିଲେ । ସେହି ଭୋଜନରେ ବିଭିନ୍ନ ପ୍ରକାର ମାଛ, ମାଂସ ଓ କଙ୍କଡ଼ା ଆଦିର ପରିବେଷଣ ହେବା ସଂଗେ ସଂଗେ ପଖାଳ ଜାତୀୟ ଏକ ଖାଦ୍ୟର ପରିବେଷଣ କରାଯାଇଥିଲା । ଏହା ବାସ୍ତବରେ କିଶୋରୀଚରଣଙ୍କୁ ଅତ୍ୟନ୍ତ ତୃପ୍ତି ପ୍ରଦାନ କରିଥିଲା-। ରାତ୍ର ଭୋଜନରେ କିଶୋରୀଚରଣଙ୍କୁ ବୁଝାଇ ଦିଆଯାଇଥିଲା ଯେ, ସେ ଖାଦ୍ୟ ବାସ୍ତବରେ ଦେହ ପକ୍ଷରେ ଅତ୍ୟନ୍ତ ହିତକର ଓ ସ୍ୱାଦିଷ୍ଟ । ତେବେ ଏହିପରି ଭାବରେ ବିଦେଶରେ ପ୍ରଥମକରି ଏକ ସ୍ୱଳ୍ପ ସଞ୍ଚୟ ଯୋଜନା କାର୍ଯ୍ୟକୁ ଠିକ୍ ଭାବରେ ସଂପନ୍ନ କରି ସେ ଭାରତକୁ ପ୍ରତ୍ୟାଗମନ କରିଥିଲେ ।

 

ଦିଲ୍ଲୀକୁ ଫେରୁ ଫେରୁ ତାଙ୍କୁ ପ୍ରାୟ ଚାରିମାସ ପାଇଁ ଆଉ ଗୋଟିଏ ମନ୍ତ୍ରଣାଳୟ (Ministry of Works, Irrigation and Power) କୁ ଡେପୁଟୀ ସେକ୍ରେଟାରୀ ଭାବରେ କାର୍ଯ୍ୟ ସମ୍ପନ୍ନ କରିବାକୁ ପଠାଗଲା; ସେମାନଙ୍କର ଆର୍ଥିକ ପରାମର୍ଶଦାତା ହିସାବରେ ।

 

ଏହାପରେ ସେ ଗୋଟିଏ ବର୍ଷ ପାଇଁ ଗୋଟିଏ ଉଚ୍ଚସ୍ତରୀୟ ବେସରକାରୀ ଅନୁସନ୍ଧାନକାରୀ ଦଳର ସରକାରୀ ସଚିବ ହୋଇ ନିଯୁକ୍ତି ଲାଭ କଲେ । ସେଠାରେ ତାଙ୍କର ସଂଜ୍ଞା ଥିଲା- Secretary to the Study Team on Social Welfare and Backward Classes : Committee on plan projects; ଯେଉଁ କାମ ସହିତ ତାଙ୍କର ଶିକ୍ଷା, ଅଡ଼ିଟ୍ ଆକାଉଣ୍ଟସ୍ ଓ ଫାଇନାନ୍ସ ସମ୍ବନ୍ଧୀୟ ଯାବତୀୟ ଜ୍ଞାନ ଓ ଅଭିଜ୍ଞତାର ଆଦୌ ସମ୍ପର୍କ ମାତ୍ର ନ ଥିଲା ।

 

ଏହି କାର୍ଯ୍ୟଟି ବାସ୍ତବରେ ଥିଲା ଏକପ୍ରକାର ଭିନ୍ନ ଶ୍ରେଣୀର କାର୍ଯ୍ୟ । ଯୋଜନା କମିଶନରଙ୍କଦ୍ୱାରା ଏହି ଦଳଟି ଗଠିତ ହୋଇଥିଲେ ମଧ୍ୟ ସେମାନଙ୍କ ନିଯୁକ୍ତିପତ୍ରରେ ଲେଖାଯାଇଥିଲା ଯେ ସେମାନେ ସମାଜ କଲ୍ୟାଣ ଏବଂ ଆଦିବାସୀମାନଙ୍କ ପ୍ରଗତି ପାଇଁ ଯେଉଁସବୁ କାମ ଦେଶରେ ଯୋଜନାକାରୀ ଭାବରେ କରାଯାଉଛି, ସେସବୁର ଉପଯୁକ୍ତ ସମୀକ୍ଷା କରି ଭାରତ ସରକାରଙ୍କୁ ଏକ ରିପୋର୍ଟ ମାଧ୍ୟମରେ ସୂଚିତ କରାଇବେ । ତାହାର ଅଧ୍ୟକ୍ଷା ଥିଲେ ତତ୍କାଳୀନ ଏମ.ପି. ଶ୍ରୀମତୀ ରେଣୁକା ରାୟ; ଜଣେ ସମାଜତତ୍ତ୍ୱବିଦ୍ ମଧ୍ୟ ସେଥିରେ କାର୍ଯ୍ୟ କରୁଥାନ୍ତି । ଆଉ ମଧ୍ୟ ଥାଆନ୍ତି ସମାଜ କଲ୍ୟାଣ ଓ ଆଦିବାସୀ ଉନ୍ନୟନ ଦିଗରେ ବିଶେଷ ଭାବରେ କାର୍ଯ୍ୟ ସମ୍ପନ୍ନ କରୁଥିବାବେଳେ ପ୍ରମୁଖ ବ୍ୟକ୍ତିଗଣ ଏବଂ ସର୍ବୋପରି ଜଏଣ୍ଟ ସେକ୍ରେଟାରୀ ପଦବୀରେ ଥିବା ଜଣେ ଆଇ.ପି.ଏସ୍‌. ଅଫିସର ମଧ୍ୟ ତାହାର ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲେ । କିଶୋରୀଚରଣଙ୍କର ଏଠାରେ କାମଟି ଥିଲା ଅତି ସାମାନ୍ୟ ଓ ମର୍ଯ୍ୟାଦାସମ୍ପନ୍ନ । ସେ କେବଳ ଭାରତର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଆଦିବାସୀ ଓ ସମାଜ କଲ୍ୟାଣ ଦାୟିତ୍ୱରେ ଥିବା କର୍ମକର୍ତ୍ତାମାନଙ୍କ ସହିତ ଆଳାପ ଆଲୋଚନା ପରେ ଟିମ୍‌କୁ ଯଥାଯୋଗ୍ୟ ପରାମର୍ଶ ଦେବା ସହିତ ଚୂଡ଼ାନ୍ତ ରିପୋର୍ଟର ଚିଠାଟିକୁ ପ୍ରସ୍ତୁତ କରିବା କାର୍ଯ୍ୟଟିକୁ ଯାହା ସଂପନ୍ନ କରିବେ । ସେ ସେହି କାର୍ଯ୍ୟକୁ ବେଶ୍ ଦକ୍ଷତାର ସହିତ କରିଥିଲେ ଓ ପରବର୍ତ୍ତୀ ସମୟ ପାଇଁ ନିଜର ପଥକୁ ପ୍ରଶସ୍ତ କରାଇ ପାରିଥିଲେ ।

 

କାର୍ଯ୍ୟକାଳର ସମାପ୍ତି ପର୍ବରେ କିଶୋରୀଚରଣ ଟିମ୍‌ର ସମସ୍ତ ସଦସ୍ୟଙ୍କୁ ନେଇ ଯାଇଥିଲେ ଆମର ଅପୂର୍ବ କୀର୍ତ୍ତିମୟ ସ୍ଥାନ ପୁରୀ, ଭୁବନେଶ୍ୱର ଓ କୋଣାର୍କକୁ ବୁଲାଇନେବା ପାଇଁ । ବୁଲିବା କାଳରେ ଜଣେ ସଦସ୍ୟ ଶ୍ରୀଯୁକ୍ତ ଜେ.ଏସ. ଲାଲ., ଆଇ.ସି.ଏସ୍‌. ନିଜର ମନ୍ତବ୍ୟ ପ୍ରଦାନ କରି କହିଥିଲେ ଯେ, ଏହା ସତେ ଯେପରି ମିଶରୀୟ ମାୟା ସଭ୍ୟତା ଓ ପରେ ବୋଧହୁଏ ଏହା ଲୁପ୍ତ ହୋଇଯିବା ଫଳରେ ପଡ଼ିରହିଛି କେବଳ ତା'ର ଭଗ୍ନାବଶେଷ । ଏହାକୁ କେବେ ଦରିଦ୍ର ତଥା ଅନୁନ୍ନତ ଓଡ଼ିଆମାନେ କରି ନ ଥିବେ ବୋଲି ମଧ୍ୟ ସନ୍ଦେହ ପୋଷଣ କଲେ । ଏହି କାର୍ଯ୍ୟଟି କିନ୍ତୁ କିଶୋରୀଚରଣଙ୍କୁ ଖୁବ୍ ବେଶି ବ୍ୟଥିତ କରିଥିଲା । ସେ ତ ଜଣେ ସ୍ୱାଭାବିକ ଭାବରେ ସ୍ୱାଭିମାନୀ ବ୍ୟକ୍ତିତ୍ୱ । ତେଣୁ ମିଃ ଲାଲଙ୍କ ବକ୍ତବ୍ୟରେ ସେ ଯାହା ତାଙ୍କୁ ପ୍ରତ୍ୟୁତ୍ତର ଦେଇଥିଲେ ମଧ୍ୟ ଓଡ଼ିଶା ସର୍ବଭାରତୀୟ ସ୍ତରରେ ନିଜକୁ ବଜାୟ ରଖି ପାରି ନ ଥିବାରୁ ଏହିପରି ଭାବନା ଅନ୍ୟମାନଙ୍କ ନିକଟରେ ପ୍ରକାଶ ପାଇଛି ବୋଲି ମନେ ମନେ ଭାବି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ହୋଇ ଉଠିଥିଲେ ସେଦିନ ।

 

କିଶୋରୀଚରଣ ଓଡ଼ିଶାକୁ ଆସନ୍ତି । ଭୁବନେଶ୍ୱରସ୍ଥ ଏ.ଜି. ଓଡ଼ିଶା ଅଫିସରେ ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲ (ଆଡ଼ମିନିଷ୍ଟ୍ରେସନ) ପଦବୀରେ ସେ ଯୋଗ ଦିଅନ୍ତି । ଏହା ଥିଲା ତାଙ୍କ ଜୀବନର ପ୍ରଥମ ଓ ଶେଷଥର ପାଇଁ ଓଡ଼ିଶାରେ ରହି ଜଣେ ସର୍ବ ଭାରତୀୟ ସର୍ଭିସ୍‌ର ସଦସ୍ୟ ଭାବରେ କାର୍ଯ୍ୟ କରିବା । ଏହି ସମୟ ଥିଲା କିଶୋରୀଚରଣଙ୍କ ପାଇଁ ସର୍ବଶ୍ରେଷ୍ଠ ସମୟ ଓ ମହାଆନନ୍ଦର ସମୟ । ନିଜ ଘରେ ରହି କାର୍ଯ୍ୟ କରିବାର ସୁଖଠାରୁ ଆଉ କ’ଣ ଅଧିକ ଆନନ୍ଦ ଥାଇପାରେ ? ମାତ୍ର ଏହି ସୁଖ ତାଙ୍କ ଭାଗ୍ୟରେ ବେଶି ଦିନ ପାଇଁ ନ ଥିଲା । ମାତ୍ର ଚାରି ମାସ ପରେ ତାଙ୍କର ପୁଣି ଚାକିରିରେ ବଦଳି ହେଲା । ସେ ପ୍ରମୋଶନ ପାଇ ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲ ଭାବରେ ମାନ୍ଦ୍ରାଜ ସହରକୁ ଗଲେ; ୧୯୫୯ ମସିହାରେ ।

 

କିଶୋରୀଚରଣ ମାନ୍ଦ୍ରାଜଠାରେ ଥିବା ଆନ୍ଧ୍ରପ୍ରଦେଶର ଏ.ଜି. ଅଫିସର ମୁଖ୍ୟ ଭାବରେ କାର୍ଯ୍ୟ ସମ୍ପନ୍ନ କରିବାକୁ ଲାଗିଲେ । ବାସ୍ତବରେ କୌଣସି କାର୍ଯ୍ୟାଳୟର ମୁଖ୍ୟ ହେବା ଏକ ଭିନ୍ନ ଘଟଣା ଓ ତା’ର ଦାୟିତ୍ୱ ମଧ୍ୟ ଭିନ୍ନ ଓ ସ୍ୱତନ୍ତ୍ର । ଅଫିସର ମୁଖ୍ୟ ଭାବରେ ତାଙ୍କୁ ବିଭିନ୍ନ ସଂଗଠନ ସହିତ ଉଚିତ ମାର୍ଗରେ ସମ୍ପର୍କ ସ୍ଥାପନ କରିବାକୁ ପଡ଼ୁଥିଲା । ସବୁଠାରୁ ବଡ଼ ସଂଗଠନ ଭାବରେ ସେ ଟ୍ରେଡ଼୍ ୟୁନିୟନଧର୍ମୀ ଆସୋସିଏସନ ଏବଂ ଅବସର ବିନୋଦନ ପାଇଁ ଉଦ୍ଦିଷ୍ଟ ରିକ୍ରିଏସନ କ୍ଳବ । ଅତ୍ୟନ୍ତ ନିଷ୍ଠାର ସହିତ ସେ ଏଠାରେ କେବଳ ଦାୟିତ୍ୱ ତୁଲାଇ ନ ଥିଲେ, ନିଜକୁ ଜଣେ ‘ବାପ’ ସ୍ଥାନରେ ରଖି ସେମାନଙ୍କର ପ୍ରତ୍ୟେକଟି ଅଳି ଅର୍ଦ୍ଦଳିକୁ ମଧ୍ୟ ବୁଝିଥିଲେ ଓ ଆବଶ୍ୟକତାଠାରୁ ମଧ୍ୟ ଅଧିକ ଭାବରେ ସେମାନଙ୍କର ସୁଖସ୍ୱାଚ୍ଛନ୍ଦ୍ୟ ପାଇଁ କାର୍ଯ୍ୟ କରିଥିଲେ । ଯାହାର ପରିଣାମରେ ରିକ୍ରିଏସନ କ୍ଳବର ବାର୍ଷିକୋତ୍ସବରେ ସେମାନେ କେବଳ ଔପଚାରିକ ଭାବରେ ତାଙ୍କୁ ମୁଖ୍ୟ ଅତିଥି କରି ଡାକି ନ ଥିଲେ । ଅଧିକନ୍ତୁ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଡାକିଥିଲେ । ସଭା ଶେଷରେ ପୁରସ୍କାର ବିତରଣ ଉତ୍ସବ । ଏହି ଉତ୍ସବର ଶେଷରେ ଶ୍ରୀମତୀ ଦାସଙ୍କ ହାତରେ ଏକ ବିଶେଷ ପୁରସ୍କାରସ୍ୱରୂପ ତାଙ୍କର ଏକ ଫଟୋକୁ ତାଙ୍କୁ ଶ୍ରଦ୍ଧାର ସହିତ ଅର୍ପଣ କରିଥିଲେ । କିଶୋରୀଚରଣ ଏହିଭଳି ସ୍ନେହ ଓ ସ୍ନେହାଶ୍ରିତ ଉପହାରଟିକୁ ଅତ୍ୟନ୍ତ ମର୍ଯ୍ୟାଦାଜନକ ମନେକରି ଚିରଦିନ ଲାଗି ହୃଦୟରେ ସାଇତି ରଖିଥିଲେ ଅବଶ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ।

 

୧୯୬୧ ମସିହାରେ ସେ ପୁନଶ୍ଚ ଦିଲ୍ଲୀ ଆସିଲେ ସିନିୟର ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲ ଭାବରେ; ଆକାଉଣ୍ଟ ଜେନେରାଲ ସେଣ୍ଟ୍ରାଲ ରେଭିନିଉଜ୍ (ଏ.ଜି.ସି.ଆର୍‌.) ଅଫିସକୁ । ଦ୍ୱିତୀୟବାର ଦିଲ୍ଲୀରେ ଅବସ୍ଥାନ କଲାବେଳକୁ ଶ୍ୱଶୁରଙ୍କ ଅନୁପସ୍ଥିତିଜନିତ ଉପଲବ୍‌ଧି । ସେ ଯେଉଁପରି ଭାବରେ ରାଜପ୍ରାସାଦରେ କାର୍ଯ୍ୟ କରିବାର ସୁଖକୁ ରଖାଇଥିଲେ, ତାହା ମଧ୍ୟ ଏବେ ନାହିଁ । ଶାଶୂ ମଧ୍ୟ ଏବେ କଟକରେ । ତେବେ ମୋଟ ଉପରେ କିଶୋରୀଚରଣଙ୍କୁ ଏହି ଦ୍ୱିତୀୟବାର ଦିଲ୍ଲୀରେ ଅବସ୍ଥାନ ଆଦୌ ଆନନ୍ଦ ଦେଉ ନ ଥିଲା । ମାତ୍ର କାର୍ଯ୍ୟ ତ ସମ୍ପନ୍ନ କରିବାକୁ ପଡ଼ିବ । ପିଲାମାନଙ୍କର ପାଠପଢ଼ାର ବିଭିନ୍ନ ପ୍ରକାର ଅସୁବିଧାକୁ ମଧ୍ୟ ସେ ହୃଦୟଙ୍ଗମ କରୁଥିଲେ-। ମାତ୍ର ଚାକିରି ତ ଚାକିରି । ତେଣୁ ସବୁକଥାକୁ ପଛରେ ପକାଇ କେବଳ ସେ କାର୍ଯ୍ୟସମ୍ପନ୍ନ କରିଯାଉଥିଲେ ଯାହା ।

 

ଦିଲ୍ଲୀରେ ତାଙ୍କର ରହଣି ଥିଲା ଅଳ୍ପ କେତୋଟି ମାସ । ହଠାତ୍ ଦିନେ ସେ ତାଙ୍କର ଉପରିସ୍ଥ ହାକିମଙ୍କଠାରୁ ଫୋନ୍ ପାଇଲେ ଯେ; ଡାଇରେକ୍ଟର ଅଫ୍ ଅଡ଼ିଟ୍‌, ଇଣ୍ଡିଆନ ଆକାଉଣ୍ଟ୍‌ସ ଭାବରେ ତାଙ୍କୁ ଆମେରିକା ଯିବାକୁ ହେବ । ସେ ପ୍ରଥମେ କ’ଣ କରିବେ ବୋଲି ଜାଣିପାରିଲେ ନାହିଁ । ମାତ୍ର ପରେ ସେ ଭାବିଚିନ୍ତି ଏହି ପ୍ରସ୍ତାବଟିକୁ ଗ୍ରହଣ କଲେ ଓ ଶେଷରେ ୧୯୬୧ ମସିହାରେ ଭାରତ ଛାଡ଼ି ଆମେରିକାକୁ ଯାତ୍ରା କଲେ ।

 

ଆମେରିକା କିନ୍ତୁ ବ୍ୟାଙ୍ଗକକ୍ ବା ସାଏଗନ୍ ପରି ନ ଥିଲା । ଏହା ଥିଲା ଅନେକାଂଶରେ ଏକ ଭିନ୍ନ ପୃଥିବୀର ଜଗତ ତଥା ବରଣୀୟ ପୃଥିବୀ । ପ୍ରଥମେ ତାଙ୍କୁ ଜାହାଜରେ ଯିବାକୁ ପଡ଼ିବ ଲଣ୍ଡନ । ସେଠାରୁ ସେମାନେ ଆଉ ଗୋଟିଏ ଜାହାଜରେ ଯିବେ ନିଉୟର୍କ, ପୂରା ଆଣ୍ଟଲାଣ୍ଟିକ୍ ମହାସାଗରଟିକୁ ପାରି ହୋଇ । ତା’ପରେ ଯାଇ ପଡ଼ିବ ୱାସିଂଟନ୍ ଡି.ସି. ପ୍ରାୟ ୧ ମାଇଲ ଯାତ୍ରା । ଉଡ଼ାଜାହାଜରେ ଗଲେ ମାତ୍ର ଦିନେ ବା ଦୁଇଦିନ ଲାଗିବ । ମାତ୍ର ବ୍ୟୟସଂକୋଚ ଦୃଷ୍ଟିରୁ ସେତେବେଳେ ଏହି ଜାହାଜରେ ଯିବା ହିଁ ଥିଲା ପ୍ରଥା । ତେଣୁ ଗୋଟିଏ ପୋଷ୍ଟରୁ ଆଉ ଗୋଟିଏ ପୋଷ୍ଟକୁ ଯିବାପାଇଁ ପ୍ରାୟ ଏକ ମାସର ଯାତ୍ରା କରିବା ଯେତିକି କ୍ଳାନ୍ତିପ୍ରଦ; ସେହି ପରିମାଣରେ ମଧ୍ୟ ଆନନ୍ଦଦାୟକ ଓ କୌତୂହଳପୂର୍ଣ୍ଣ ।

 

ଆମେରିକା ଯାତ୍ରା ଥିଲା କିଶୋରୀଚରଣଙ୍କ ଜୀବନରେ ପ୍ରଥମ ଓ ଶେଷ ଯାତ୍ରା । ପରେ ଅବଶ୍ୟ ସେ ସୁଦୂର ଆଫ୍ରିକାକୁ ମଧ୍ୟ କର୍ମପ୍ରସଙ୍ଗରେ ଯାତ୍ରା କରିଛନ୍ତି । ହେଲେ ଆମେରିକାର ଯାତ୍ରା ଏକଦମ୍ ନିଆରା । ମାସେ ବ୍ୟାପୀ ଜଳଯାତ୍ରା ତାଙ୍କ ପାଇଁ ତଥାପି ଥିଲା ଏକ ରୋମାଞ୍ଚକର ଯାତ୍ରା । ପ୍ରଥମେ ଦକ୍ଷିଣ ଲଣ୍ଡନରେ ପହଞ୍ଚି ସେଠାରେ କିଛିଦିନ ରହି ସାଉଥ୍ ଲାଂପଟନରୁ ଆମେରିକା ଅଭିମୁଖେ ଯାତ୍ରା ବଳବତ୍ତର ରହିଲା । ମାତ୍ର ପାଞ୍ଚ ଛଅ ଦିନର ବାଟ । ସେ ସ୍ତ୍ରୀ ଓ ପିଲାମାନଙ୍କ ସହିତ ଯେଉଁ ଜାହାଜରେ ଗତି କରୁଥିଲେ, ତା’ର ନାମ ଥିଲା ‘ଏସ୍‌-ଏସ୍ କୁଇନ୍ ଏଲିଜାବେଥ୍‌’ । ଏହି ଜାହାଜଟି ‘ଏ’ କ୍ଲାସ୍ ଜାହାଜ ବୋଲି ମାନ୍ୟତା ଲାଭ କରିଥିଲା । ମାତ୍ର କିଶୋରୀଚରଣ ଓ ତାଙ୍କ ସ୍ତ୍ରୀଙ୍କର ସେହି ଜାହାଜର ଖାଦ୍ୟପେୟ ତଥା ଜାହାଜ ଭିତରେ ଥିବା ବହୁସଂଖ୍ୟକ ଦୋକାନ-ବଜାର ହେତୁ ଜନଗହଳି ଦ୍ୱାରା ଅସୁସ୍ଥତା ଆରମ୍ଭ ହୋଇଗଲା; ଯାହାକୁ କହନ୍ତି ସାମୁଦ୍ରିକ ଅସୁସ୍ଥତା ବା Sea-sickness । ବହୁତ କଷ୍ଟ ମଧ୍ୟରେ ସେହି ୬ ଦିନ ଅତିକ୍ରାନ୍ତ କରିବାକୁ ପଡ଼ିଲା ତାଙ୍କୁ ଓ ଶେଷରେ ସେମାନେ ଆସି ପହଞ୍ଚିଗଲେ ନ୍ୟୁୟର୍କ, ତାଙ୍କର ଈପ୍‌ସିତ ସହର ଆମେରିକାଠାରେ । ନ୍ୟୁୟର୍କର ଶୋଭା ମନଭରି ଦେଖିବାକୁ ବା ଉପଭୋଗ କରିବାକୁ ତାଙ୍କଠାରେ ସମୟ ନ ଥିଲା । ସେ ସିଧା ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀ ୱାସିଂଟନ୍ ଡି.ସି. ଅଭିମୁଖେ ଯାତ୍ରା କଲେ ।

 

ୱାସିଂଟନ୍ ଡି.ସି. ଥିଲା ତାଙ୍କର ନୂତନ କର୍ମକ୍ଷେତ୍ର । ସେଠାରେ ପ୍ରଥମେ ତାଙ୍କୁ ରହିବାକୁ ହେଲା ଗୋଟିଏ ହୋଟେଲରେ । ପରେ ଅବଶ୍ୟ ନିଉୟର୍କ ଷ୍ଟ୍ରୀଟ୍‌ରେ ଥିବା ଗୋଟିଏ ପୁରୁଣାକାଳିଆ କଟେଜ ତୁଲ୍ୟ ଘର ତାଙ୍କୁ ମିଳିଲା ରହିବା ପାଇଁ-ମାସାଚୁସେଟସ୍ ଆଭିନିଉ । ଏହା ତାଙ୍କର କର୍ମକ୍ଷେତ୍ରର ଅବଶ୍ୟ ନିକଟବର୍ତ୍ତୀ ଥିଲା । କିଶୋରୀଚରଣ ଏହି ନୂତନ କର୍ମରେ ଡାଇରେକ୍ଟର ଅଫ୍ ଅଡ଼ିଟ୍‌, ଇଣ୍ଡିଆନ୍ ଆକାଉଣ୍ଟ୍‌ସ ଅର୍ଥାତ୍ ନିର୍ଦ୍ଦେଶକ, ଭାରତୀୟ ହିସାବ-କିତାବର ସମୀକ୍ଷା ପଦବୀରେ ମଣ୍ଡିତ ହୋଇ କାର୍ଯ୍ୟ କରିବାକୁ ଲାଗିଲେ । ତାଙ୍କ କାର୍ଯ୍ୟ ସହିତ ସମ୍ପର୍କ ରଖୁଥିବା ସମୀକ୍ଷା କେବଳ ଭାରତୀୟ ଦୂତାବାସର ହିସାବ-କିତାବ ମଧ୍ୟରେ ସୀମିତ ନ ଥିଲା, ଅଧିକନ୍ତୁ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ମେକ୍‌ସିକୋ ଏବଂ ଦକ୍ଷିଣ ଆମେରିକାର ବିଭିନ୍ନ ଦେଶରେ ଖର୍ଚ୍ଚ ହେଉଥିବା ବା ହାତକୁ ଆସୁଥିବା ଭାରତୀୟ ଆୟବ୍ୟୟର ହିସାବ କିତାବକୁ ମଧ୍ୟ ସେହି ଅଡିଟ୍ କାର୍ଯ୍ୟ ମଧ୍ୟରେ ସାମିଲ କରିବାକୁ ପଡ଼ୁଥିଲା । ୱାସିଂଟନ୍ ଡି.ସି. ସେତେବେଳେ ତାଙ୍କର ହେଡ଼୍‌କ୍ୱାର୍ଟର ଥିଲେ ମଧ୍ୟ ସମୟ ସମୟରେ ଡାଇରେକ୍ଟର କିମ୍ବା ଡେପୁଟି ଡାଇରେକ୍ଟରଙ୍କ ତତ୍ତ୍ୱାବଧାନରେ ହିଁ ତିନିଜଣିଆ ଅଡ଼ିଟ୍ ଖର୍ଚ୍ଚ ସେହି ସବୁ ସ୍ଥାନରୁ ପ୍ରତ୍ୟକ୍ଷ ଭାବରେ ଯିବାକୁ ପଡ଼ୁଥିଲା, ଯେଉଁଠି ଭାରତର ହିସାବ-କିତାବମାନ ରହିଛି । ଏହି ଅବସରରେ ସେ କେବଳ ନିଜ ସ୍ତ୍ରୀ ଓ ପିଲାମାନଙ୍କୁ ନ୍ୟୁୟର୍କ ସିଟି ଓ ନାଏଗ୍ରା ଫଲ୍ସକୁ କେବଳ ଦେଖାଇ ପାରିଛନ୍ତି । କାରଣ ନିଜ ଖର୍ଚ୍ଚରେ ସମଗ୍ର ସହରର ବିଭିନ୍ନ ଦର୍ଶନୀୟ ସ୍ଥାନକୁ ବୁଲାଇ ନେବା ତାଙ୍କ ପକ୍ଷରେ ସେତେବେଳେ ସମ୍ଭବ ନ ଥିଲା ।

 

କିଶୋରୀଚରଣଙ୍କୁ ସେଠାରେ ନ୍ୟୁୟର୍କ ବାରମ୍ବାର ଯିବାକୁ ପଡ଼ୁଥିଲା । କାରଣ ସେଠି ଥିଲା ଭାରତର କନ୍‍ସଲ ଜେନେରାଲ୍‌ଙ୍କ ଅଫିସ୍ । ଏଠାରେ ସବୁ କନ୍‍ସଲ ଜେନେରାଲମାନଙ୍କର ବିଭିନ୍ନ ପ୍ରକାରର ବ୍ୟବସାୟରେ ଉଦ୍ୟମ ମାନ ରହୁଥାଏ । ତେଣୁ କିଶୋରୀଚରଣଙ୍କ କାମ ହେଲା ଏହି ଉଦ୍ୟମଗୁଡ଼ିକ କେତେଦୂର ଯଥାର୍ଥ ତାହା ବିଚାର କରିବା । ସେତେବେଳେ ତାଙ୍କୁ ମାସ ମାସ ଧରି ମଧ୍ୟ ନ୍ୟୁୟର୍କରେ ରହିବାକୁ ପଡ଼ୁଥିଲା । ସେତେବେଳେ ସେ ନିଜକୁ ଏକାନ୍ତ ନିରୋଳା ମନେ କରୁଥିଲେ । ନିଜ ବୃତ୍ତିଗତ ଅର୍ଥ ବାହାରେ ମଧ୍ୟ ତାଙ୍କ ହାତରେ ପ୍ରଚୁର ସମୟ ବଳୁଥିଲା । ଏହି ସମୟରେ ନ୍ୟୁୟର୍କକୁ ହିଁ ଦେଖୁଥିଲେ ଓ ନ୍ୟୁୟର୍କ ସମ୍ପର୍କରେ ହିଁ ଭାବୁଥିଲେ ।

 

ଗ୍ରୀନ୍‌ଉଇଚ୍ ଭିଲେଜ୍‌- ନ୍ୟୁୟର୍କର ଏକ ସୁନ୍ଦର ସହର । ସେଠାରେ କିନ୍ତୁ କିଶୋରୀଚରଣ ସଭ୍ୟତାର ଦୁଇଟି ରୂପ ଦେଖି ବିସ୍ମିତ ହୋଇଉଠିଥିଲେ । ତାହା ଥିଲା କଳା-ଗୋରା ଭେଦଭାବର ଦୁଇଟି ଭିନ୍ନ ଭିନ୍ନ ଦିଗ । ଗୋଟିଏ ପଟେ କଳା ନିଗ୍ରୋମାନେ ନିଜକୁ ଅତ୍ୟନ୍ତ କୁତ୍ସିତ ବୋଲି ଦେଖେଇ ହୁଅନ୍ତି । ପ୍ରଥମେ ପ୍ରଥମେ ତ କିଶୋରୀଚରଣ ସେମାନଙ୍କର ଦାରିଦ୍ର‌୍ୟ ଦେଖି ବିସ୍ମିତ ହୋଇ ଉଠିଥିଲେ ଯେ, ଏଭଳି ଧନୀ ଦେଶରେ କ’ଣ ଏପରି ଦରିଦ୍ରଲୋକ ଥାଇପାରନ୍ତି ବୋଲି । ମାତ୍ର ପରବର୍ତ୍ତୀ ସମୟରେ ସେମାନଙ୍କ ସହିତ ମିଶି କଥା ହେବା ପରେ ଜାଣିଲେ ଯେ, ତାହା ହେଉଛି ଭିନ୍ନ କଥା । ସେମାନଙ୍କର ନିଜ ନିଜ ଦୃଷ୍ଟିକୋଣରୁ ସେମାନଙ୍କ ସମ୍ପର୍କରେ ଜଣେ ଗୋରାବନ୍ଧୁ ତାଙ୍କୁ ବୁଝାଇଥିଲେ ଯେ ସେମାନେ ହେଉଛନ୍ତି ନିଷ୍କର୍ମା-ସେମାନଙ୍କର ସ୍ୱଭାବ ହିଁ ହେଉଛି ସେଇୟା । କିନ୍ତୁ ଜଣେ ଶିକ୍ଷିତ ନିଗ୍ରୋ ବନ୍ଧୁ ତାଙ୍କୁ କହିଲେ ଯେ ଏହି ଭାବରେ ସେମାନେ ନିଜର ପ୍ରତିବାଦର ସ୍ୱର ଉଠାଇବାକୁ ଚାହାନ୍ତି । କାରଣ ଗୋରାମାନଙ୍କର ସମାଜ ହିଁ ତାଙ୍କୁ କେତେ ନ୍ୟୂନ କରି ରଖିଛି ଏହି ସମାଜରେ ସତେ ! ଏହି ବିରୋଧାତ୍ମକ ଭାବରୁ କିଶୋରୀଚରଣ ସେଦିନ ଏତିକି ମାତ୍ର ବୁଝିଥିଲେ ଯେ, ଏଠାରେ କଳା ଗୋରା ଏପର୍ଯ୍ୟନ୍ତ ମଧ୍ୟ ଭାଇଭାଇ ହୋଇପାରି ନାହାନ୍ତି । ଯଦିଓ ସେମାନେ ସାମାଜିକ ନୀତିନିୟମ ଓ ସମ୍ବିଧାନ ଅନୁସାରେ ସମସ୍ତେ ସମାନ, ସ୍ୱାଧୀନ ଏବଂ ‘ଦି ଗ୍ରେଟ୍ ଆମେରିକା’ର ସନ୍ତାନ । ଅନ୍ୟ ପକ୍ଷରେ ସେ ଦେଖିଛନ୍ତି ସଂସ୍କାର ନାମରେ ସେଠାରେ ଚାଲିଥିବା ଶଠତାକୁ । କେବଳ ବର୍ଣ୍ଣ ବିଭେଦ ନୁହେଁ, ଅଧିକନ୍ତୁ ଉଚିତ-ଅନୁଚିତର ଅକୁହା ଅନୁଶାସନ । ସେଠାରେ ଦିନ ଦ୍ୱିପ୍ରହରରେ ମଧ୍ୟ କୌଣସି ଶ୍ୱେତାଙ୍ଗିନୀ କେଉଁ ନିଗ୍ରୋ ଟୋକାର ଦେହରେ ହାତ ବୁଲେଇ ଆଣି ରାସ୍ତାଘାଟରେ ତାକୁ ଚୁମ୍ବନ ଦେଇଥାଏ ଓ ନିଗ୍ରୋ ଯୁବକଜଣକ କେବଳ ବିମୂଢ଼ତାର ହସ ଟିକିଏ ହସିଦିଏ କହିବାକୁ ସଚେତନ ଭାବରେ ଅଣସଭ୍ୟତା ଏଠି ଗ୍ରାସ କରୁଛି ଏଠାରେ ଲୋକମାନଙ୍କୁ ଓ କଳୁଷିତ କରୁଛି ଏଠିକାର ସଂସ୍କାର ଓ ସଭ୍ୟତାକୁ ।

 

ଆମେରିକାର ରହଣି ମଧ୍ୟରେ ସେ ଚାରିଗୋଟି ଲାଟିନ୍ ଦେଶକୁ ବୁଲିଛନ୍ତି । ଯେପରି : ମେକ୍‌ସିକୋ, ବ୍ରାଜିଲ, ଆର୍ଜେଣ୍ଟିନା ଓ ଚିଲି । ଏହି ଚାରିଗୋଟି ଦେଶ କିନ୍ତୁ ଆମ ଦେଶକୁ ଗାନ୍ଧି-ରବୀନ୍ଦ୍ରନାଥଙ୍କ ଦେଶ ଭାବରେ ଭଲ ପାଆନ୍ତି ବୋଲି କିଶୋରୀଚରଣଙ୍କର ହୃଦବୋଧ ହୋଇଛି । ଏହି କାରଣରୁ କିଶୋରୀଚରଣଙ୍କ ମୁଖରୁ ସ୍ୱତଃ ନିଃସୃତ ହୋଇଉଠିଛି ଯେ- ସଇତୋ ଓ ବ୍ରିଗାଡ଼ୋ ବା ମୁଚାସ ଗ୍ରୀସିଆର ଅର୍ଥାତ୍ ଆମ ଭାଷାରେ ଅଶେଷ ଅଶେଷ ଧନ୍ୟବାଦ ।

 

ଆମେରିକାର ରହଣି କାଳରେ କିଶୋରୀଚରଣ ଯେଉଁ ସବୁ କାର୍ଯ୍ୟପାଇଁ ଯାଇଥିଲେ, ତାହା ତ ବେଶ୍ ଉତ୍ତମରୂପେ ସଂପନ୍ନ କଲେ; ତେବେ ଏହା ବ୍ୟତିରେକେ ଆଉ ଏକ ଭିନ୍ନ କାମଟିଏ କରିଥିଲେ, ଯାହା ଫଳରେ ସେଠାରେ ରହୁଥିବା ଅନେକ ଭାରତୀୟର ରାଜ କର୍ମଚାରୀଙ୍କ ଚକ୍ଷୁଶୂଳ ହୋଇଥିଲା । ଘଟଣାଟି ହେଉଛି ଭାରତୀୟ ରାଜକର୍ମଚାରୀମାନଙ୍କର ‘କାର ଆଲାଭୟ’ ନାମରେ ହେଉଥିବା ବିଭିନ୍ନ ପ୍ରକାର ବଦଖର୍ଚ୍ଚ । ଯେଉଁ ଦେଶରେ ସ୍କୁଲର ପାଠପଢ଼ା ପାଇଁ ଫିସ୍ ଦେବାକୁ ପଡ଼େ ନାହିଁ ଅଥଚ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ବାବଦକୁ ଭାରତ ସରକାର ଭତ୍ତା ଯୋଗାଇବେ । ରହୁଥିବା ବାସଘରର ଲନରେ କାମ କରିବାକୁ ଆସୁଥିବା ମାଳୀ ପାଇଁ ବା ଘର କାମରେ ସାହାଯ୍ୟ କରିବାକୁ ଆସୁଥିବା ମେଡ୍ ପାଇଁ ମଧ୍ୟ ସରକାର ଭତ୍ତା ଯୋଗାଇବେ ଇତ୍ୟାଦି ଇତ୍ୟାଦି ।

 

କିଶୋରୀଚରଣଙ୍କୁ ମନେହେଲା ଗରିବ ଦେଶରେ ଏହି ଡିପ୍ଲୋମାଟ୍‌ମାନେ ନିଜର ଆତ୍ମମର୍ଯ୍ୟାଦା ଆଳରେ ବିଭିନ୍ନ ପ୍ରକାରରେ ବିଚିତ୍ର ଧରଣର ଭତ୍ତାମାନ ଗ୍ରହଣ କରୁଛନ୍ତି ସରକାରଙ୍କଠାରୁ । ସେ କିନ୍ତୁ ଏହି ବିଚିତ୍ର ରୀତିକୁ ଗ୍ରହଣ କରିପାରିଲେ ନାହିଁ । ସେ ଏହାର ଆପତ୍ତି ଉଠାଇଲେ; ମାତ୍ର ସମୁଚିତ ଉତ୍ତର ମିଳିଲା ନାହିଁ । ତେଣୁ ସେ ନିଜର ଅଡ଼ିଟ୍ ରିପୋର୍ଟରେ ସେହି ପ୍ରଶ୍ନବାଚୀଟିକୁ ରଖିଲେ ଓ ଏହାକୁ ବାତିଲ୍ କରିବା ପାଇଁ ମଧ୍ୟ ପରାମର୍ଶ ଦେଲେ । ଅତୀତର ଜେନେରାଲ ମଧ୍ୟ ତାକୁ ଅନୁମୋଦନ କଲେ । ମାତ୍ର ପରବର୍ତ୍ତୀ କାଳରେ ପବ୍ଲିକ୍ ଆକାଉଣ୍ଟ୍‌ସ କମିଟି ଓ ପାର୍ଲିଆମେଣ୍ଟ ସେ ଦିଗରେ କି ପଦକ୍ଷେପ ଗ୍ରହଣ କଲେ, ସେ ଦିଗରେ ଆଉ ସେ ସମୟ ଅପବ୍ୟୟ କରି ନାହାନ୍ତି । କେବଳ ଏତିକି ଆତ୍ମସନ୍ତୋଷ ଯେ, ସେ ଯାହା କରିଛନ୍ତି ଠିକ୍ କରିଛନ୍ତି ଓ ନ୍ୟାୟସଂଗତ ଭାବରେ କରିଛନ୍ତି । କିନ୍ତୁ ଆମେରିକାର ବନ୍ଧୁମାନଙ୍କ ନିକଟରେ ସେ ହେଲେ ବିଶ୍ୱାସଘାତକ ଓ ନିର୍ଘାତ ବୋକା ମଣିଷଟିଏ । ତଥାପି ସେଥିରେ ତାଙ୍କର କୌଣସି ପ୍ରକାର ସଂକୋଚ ଭାବ ନ ଥିଲା ।

 

ଜଣେ ଡିପ୍ଲୋମାଟ୍ ହିସାବରେ ତାଙ୍କୁ ସେଠାରେ ଆଉ ଏକ କାର୍ଯ୍ୟ ମଧ୍ୟ କରିବାକୁ ପଡ଼ୁଥିଲା-। ତାହା ହେଉଛି ମାସକୁ ଥରେ କିମ୍ବା ଦୁଇଥର ପାର୍ଟି ଡାକିବା । ଏହି ପାର୍ଟି ଥିଲା କିନ୍ତୁ ଖୁବ୍ ବଡ଼ ଧରଣର । ଏହି ପାର୍ଟି ପାଇଁ ମଧ୍ୟ ସେଠାରେ ଏକପ୍ରକାର ଅକୁହା ନିର୍ଦ୍ଦେଶ ରହିଥିଲା ଯେ ଡ୍ରିଙ୍କ୍‌ସ ନ ଥିଲେ କୌଣସି ଉଚ୍ଚବର୍ଗୀୟ ଆମେରିକାନ୍ ବା ଭାରତୀୟ ପାର୍ଟିକୁ ଆସିବେ ନାହିଁ । ତେଣୁ କିଶୋରୀଚରଣ ଏହାକୁ ମଧ୍ୟ ସେଠାରେ ନିଷ୍ଠାର ସହିତ ପାଳନ କରୁଥିଲେ ନିଜର ଆତ୍ମସମ୍ମାନ ପାଇଁ । ତେଣୁ ଡିନର ପୂର୍ବରୁ ହ୍ୱିସ୍କି, ଡିନର ସାଙ୍ଗକୁ ୱାଇନ୍ ଏବଂ ଡିନର ପରେ ବ୍ରାଣ୍ଡିର ପରିବେଷଣ ବିଧି ଅନୁଯାୟୀ ତାଙ୍କୁ ଆୟୋଜନ କରିବାକୁ ପଡ଼ୁଥିଲା; କେବଳ କାର୍ଯ୍ୟକାରଣର ସମ୍ପର୍କକୁ ନେଇ ।

 

୧୯୬୪ ମସିହା ଜୁନ୍ ମାସରେ କିଶୋରୀଚରଣ ଭାରତକୁ ପୁନଶ୍ଚ ଫେରିଆସିଲେ । ଫେରିବା ସଙ୍ଗେ ସଙ୍ଗେ ତାଙ୍କର ପୋଷ୍ଟିଂ ହୁଏ କଲିକତାକୁ ପୋଷ୍ଟାଲ୍ ଅଡ଼ିଟ୍ ଅଫିସର କର୍ତ୍ତା ହେବା ପାଇଁ । ଆମେରିକା ଗଲାବେଳେ ଯାଉଥିଲେ ଜାହାଜରେ । ମାତ୍ର ଫେରିବାବେଳକୁ ସେହି ନିୟମ ନ ଥିଲା । ତେଣୁ ସେ ଫେରିଲେ ବିମାନରେ ।

 

ୱାସିଂଟନ୍ ଡି.ସି.ରୁ ଆସି କଲିକତାରେ ପହଞ୍ଚିଲାବେଳକୁ ତାଙ୍କୁ ସରକାରୀ କ୍ୱାଟର୍ସ ମିଳିବା ପର୍ଯ୍ୟନ୍ତ ଦକ୍ଷିଣ କଲିକତାର ଗରିଆହାଟ ପାଖରେ ଥିବା ଗୋଟିଏ ସରୁ ରାସ୍ତା-କାଂକୁଲିଆ ରୋଡ଼୍ ଓ ସେହି ରୋଡ଼ରୁ ବାହାରିଥିବା ଏକ ଗଳିରେ ସେ ଭଡ଼ାଘର କରି ରହିଲେ । ଯେଉଁ ଅଫିସରେ ତାଙ୍କୁ କାମ କରିବାକୁ ପଠା ଯାଇଥିଲା ସେଠାକାର ଅବସ୍ଥା ମଧ୍ୟ ବେଶ୍ ଭଲ ନ ଥିଲା । ଅଫିସଟି ଥିଲା ଖୁବ୍ ବଡ଼ । ସେଠାକାର ଲୋକମାନେ ମଧ୍ୟ ଥିଲେ ଖୁବ୍ ମେଳାପୀ । ସେମାନଙ୍କର ଆତ୍ମୀୟତାର ଆକ୍ରମଣ ଥିଲା ଖୁବ୍ ପ୍ରବଳ । ଦେଖୁ ଦେଖୁ “ସାର୍‌, କେମନ୍ ଆଛେନ୍ ?” କହି ଅନ୍ତରଙ୍ଗତା ଜମାଇ ଦେବେ । କିନ୍ତୁ କାମ କରିବା ପାଇଁ ଅଫିସ୍‌କୁ ଆସିବାର କୌଣସି ନିୟମ ନ ଥାଏ । କିନ୍ତୁ କିଛି କରିବାର ଉପାୟ ନ ଥିଲା । କାରଣ ପ୍ରତିବାଦ କଲେ ବା ସେମାନଙ୍କ ଉପରେ କୌଣସି ନିର୍ଦ୍ଦେଶନାମା ଦାବି କଲେ ସଙ୍ଗେ ସଙ୍ଗେ ସେମାନେ ଇନ୍‌କିଲାବ୍ ଧ୍ୱନିରେ ବିପ୍ଳବ ଆରମ୍ଭ କରିଦେବେ । ତଥାପି ସେ ନିଜ ପକ୍ଷରୁ କିଛି କିଛି କାଗଜ କଲମରେ ପଦକ୍ଷେପ ଗ୍ରହଣ କରୁଥିଲେ । ମାତ୍ର କିଛି ଘଟିବା ପୂର୍ବରୁ ତାଙ୍କୁ ପୁଣି ପଠାଗଲା “କ୍ୟାଲ୍‌କାଟା କର୍ପୋରେସନ”କୁ ଡେପୁଟେସନ ଭିତ୍ତିରେ । ୧୯୬୫ରୁ ୧୯୬୯- ୪ ବର୍ଷ ରହିଲେ ସେ ସେହି କର୍ପୋରେସନରେ । ତାଙ୍କର କାମ ଥିଲା କେବଳ ହିସାବକିତାବର ଶେଷରେ ଶେଷ ଦସ୍ତଖତ କରିବା ଏବଂ କର୍ପୋରେସନର କାର୍ଯ୍ୟକର୍ତ୍ତାମାନଙ୍କୁ ଓ ସର୍ବୋଚ୍ଚ ଅଧିକାରୀ କମିଶନର ମହୋଦୟଙ୍କୁ ସମୁଚିତ ଆର୍ଥିକ ପରାମର୍ଶ ପ୍ରଦାନ କରିବା । କାମଟି ଯେତେ ପ୍ରାଥମିକ ସ୍ତରରେ ସହଜ ମନେ ହେଉଥିଲା ମୋତେ, ବାସ୍ତବରେ ତାହା ସେପରି ନ ଥିଲା । କାରଣ କିଶୋରୀଚରଣଙ୍କ ପରାମର୍ଶ ଉପରେ ନିର୍ଭର କରୁଥିଲା ପ୍ରତ୍ୟେକଟି ଅନୁମୋଦନ ଓ ନିର୍ଭର ମଧ୍ୟ କରୁଥିଲା କେଉଁ ଗଳିରେ ଲାଇଟ ଜଳୁ ନାହିଁ କି କେଉଁ ରାସ୍ତା ଖରାପ ହୋଇଯାଇଛି, ତାହା ନିର୍ମାଣ ଓ ମରାମତି କରିବା ଇତ୍ୟାଦି କର୍ମଗୁଡ଼ିକ ।

 

କର୍ପୋରେସନର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବାବେଳେ ବିଭିନ୍ନ ଦଳୀୟ କର୍ମୀଙ୍କ କାର୍ଯ୍ୟ କରିବାର ଧାରା ସହିତ ସାମଞ୍ଜସ୍ୟ ରଖି କାର୍ଯ୍ୟ କରିବା ବାସ୍ତବରେ ଥିଲା ଏକ ସଂକଟାପନ୍ନ କାର୍ଯ୍ୟ । ତେବେ କିଶୋରୀଚରଣ ବହୁ କଷ୍ଟ କରି ତାହାକୁ ଭାରସାମ୍ୟ ରକ୍ଷା କରି ଆଗେଇ ନେଇଛନ୍ତି ଯାହା । କିନ୍ତୁ ଅବସ୍ଥା ଏପରି ହେଲା ଯେ, କିଶୋରୀଚରଣଙ୍କ ସେଠାକାର ଚାକିରିକାଳର ମିଆଦି ଦୁଇବର୍ଷ ପୂରିଗଲେ ମଧ୍ୟ ତତ୍କାଳୀନ ମେୟର ଓ ରାଜ୍ୟ ସରକାରଙ୍କ ସୁପାରିସକ୍ରମେ ପୁଣି ଆହୁରି ଗୋଟିଏ ବର୍ଷ ତାଙ୍କୁ ସେଠାରେ ରହିବାକୁ ପଡ଼ିଲା ଓ ନିଜର କୁଶଳତାର ପରିଚୟ ପ୍ରଦାନ କରିବାକୁ ହେଲା । ଏହା ପରେ ସେ ୧୯୬୮ ମସିହାରେ ଆକାଉଣ୍ଟାଣ୍ଟ ଜେନେରାଲ ପାହ୍ୟାକୁ କ୍ରମଶଃ ଉନ୍ନୀତ ହୋଇ ନିଜ ଡିପାର୍ଟମେଣ୍ଟକୁ ଫେରିବାକୁ ଜିଦି ଧରି ବସିଲେ । ସରକାର ମଧ୍ୟ ତାଙ୍କ ଅନୁରୋଧ ରକ୍ଷା କରି ତାଙ୍କୁ ଦକ୍ଷିଣ-ପୂର୍ବ ରେଲୱେ ବିଭାଗର ଚିଫ୍ ଅଡ଼ିଟର କରି ପଠାଇଲେ । ଏହି କାର୍ଯ୍ୟାଳୟର ଲୋକସଂଖ୍ୟା ଯେପରି କମ୍‌, ଠିକ୍ ସେହିପରି ମଧ୍ୟ କମ୍ କାମ । ତଦନୁରୂପ ଖୁବ୍ କମ୍ । ଏଭଳି ହେବାର କାରଣ ହେଉଛି ଯେ, ରେଲୱେ ଫାଇନାନ୍‌ସ ବିଭାଗର ହିସାବପତ୍ର ସେହିମାନେ ହିଁ କରିଥାନ୍ତି । ଅଡ଼ିଟର ଜେନେରାଲଙ୍କ କାମ ହେଲା ସେମାନେ କେବଳ ତାହାର ସମୀକ୍ଷା କରିବେ । କିନ୍ତୁ ସ୍ୱାଧୀନତାର ଓ ସମ୍ବିଧାନର ପୂର୍ବ ନିୟମାନୁଯାୟୀ ସରକାରଙ୍କ ସିଭିଲ୍ ଡିପାର୍ଟମେଣ୍ଟ ଓ ରାଜ୍ୟ ସରକାରଙ୍କ ଶେଷ ପର୍ଯ୍ୟାୟଭୁକ୍ତ ହିସାବକିତାବ ତାଙ୍କୁ ହିଁ କରିବାକୁ ପଡ଼ୁଥିଲା । ସେଠାରେ ତାଙ୍କର କାର୍ଯ୍ୟାଳୟ ଥିଲା ଗାର୍ଡ଼ନ ରୁମରେ ଓ ସେ ରହୁଥିଲେ ଆଲିପୁରରେ ।

 

ରେଲୱେ କଲୋନୀରେ ନ ରହି ସେଠାରେ ରହିବା ମୂଳରେ ରହିଛି ସେଠାକାର ଲୋକମାନଙ୍କର ତାଙ୍କ ପ୍ରତି ଥିବା ଏକାନ୍ତ ଆତ୍ମୀୟତା । ମାତ୍ର ଗୋଟିଏ ବର୍ଷ ନ ପୂରୁଣୁ ପୁଣି ତାଙ୍କୁ ନିୟମାନୁସାରେ ‘ବରୋଦା’କୁ ପଠାଗଲା ଡେପୁଟେସନରେ, ଇଣ୍ଡିଆନ୍ ଡାଇରି କର୍ପୋରେସନ୍‌ର ଫାଇନାନ୍‌ସିଆଲ ଆଡ଼ଭାଇଜର ହୋଇ; ଯାହାର ସର୍ବୋଚ୍ଚ କର୍ତ୍ତା ଥିଲେ ଅମୁଲ ଡାଇରୀକୁ ଗଢ଼ିଥିବା ଡଃ ଭର୍ଜିନ୍ କୁରିଅନ୍ । ନିକଟରେ ଗଢ଼ା ହୋଇଥିଲା ଏହି ସରକାରୀ କମ୍ପାନୀ ବି । ତେଣୁ ସେ ଭାରତର ଏତେ ବଡ଼ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ କାର୍ଯ୍ୟ କରିବାକୁ ସ୍ଥିର କଲେ ଓ ଉଚିତ ମନେକଲେ । ପୁନଶ୍ଚ ୧୯୭୧ ମସିହାର ଶେଷ ଭାଗକୁ ପଶ୍ଚିମବଙ୍ଗର ଆକାଉଣ୍ଟାଣ୍ଟ ଜେନେରାଲ ହୋଇ ପୁନଶ୍ଚ କଲିକତାକୁ ଆସିଲେ । ପୁନଶ୍ଚ ୧୯୭୪ ମସିହାରେ ତାଙ୍କୁ ଆଦେଶ ମିଳିଲା ଡାଇରେକ୍ଟର ଅଫ୍ କମର୍ସିଆଲ ନର୍ଦନ-ଜୋନ୍ ତଥା ମେମ୍ବର, ଅଡ଼ିଟ୍ ବୋର୍ଡ଼ ପଦରେ ଦିଲ୍ଲୀକୁ ଫେରିଆସିବା ପାଇଁ । ଏଠାରେ କିନ୍ତୁ କାମ ହେଉଛି ସରକାରୀ କମ୍ପାନୀମାନଙ୍କର ହିସାବପତ୍ରକୁ ସମୀକ୍ଷା କରି ସେଥିରେ ରିପୋର୍ଟ ପ୍ରସ୍ତୁତ କରିବା । ଏହିଠାରେ ସେ ଶେଷ ପର୍ଯ୍ୟନ୍ତ ରହିଯିବାକୁ ମନସ୍ଥ କରିଥିଲେ । ମାତ୍ର ୧୯୭୫ ମସିହାରେ ଶ୍ରୀମତୀ ଇନ୍ଦିରା ଗାନ୍ଧି ଦେଶରେ ଏମରଜେନ୍‌ସି ଘୋଷଣା କରିସାରିଲା ପରେ ତାଙ୍କୁ Common Wealth Fund for Technical Corporation-CFTC ନାମକ ଆନ୍ତର୍ଜାତିକ ସଂସ୍ଥା ତରଫରୁ ଜଣେ ବିଶେଷଜ୍ଞ ଭାବରେ ତାଙ୍କୁ ଆଫ୍ରିକା ଯିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦିଆଗଲା ଏବଂ ସେ ଦୁଇବର୍ଷ ପାଇଁ ଆଫ୍ରିକା ଗସ୍ତକୁ ସ୍ୱୀକାର କରିନେଲେ । ତେଣୁ ସୁଦୂର ଆମେରିକାରେ ଆଫ୍ରିକା ଥିଲା ତାଙ୍କର ଦ୍ୱିତୀୟଥର ପାଇଁ ବିଦେଶ ଭ୍ରମଣ । ଅନ୍ୟ ପକ୍ଷରେ ବିଦେଶ ଯାତ୍ରାକୁ ସେ ନିଜ ପାଇଁ ଏକ ସ୍ୱୀକୃତି ବୋଲି ମନେ କରୁଥିଲେ । ଏହି କାରଣରୁ ଯେତେ ବ୍ୟକ୍ତିଗତ ସ୍ତରରେ କଷ୍ଟ ହେଉ ପଛେ ସେ ଏହି ପ୍ରସ୍ତାବଟିକୁ ଅଚିରେ ଗ୍ରହଣ କରିନେଲେ ।

 

ଆଫ୍ରିକା ଯାତ୍ରା କରିବାବେଳକୁ ତାଙ୍କର ବୟସ ୫୨ ବର୍ଷ । ଏହି ସମୟକୁ ମଧ୍ୟ ପିଲାମାନେ ବଡ଼ ହୋଇଗଲେଣି । ଏଣୁ ଆଉ ପିଲାମାନଙ୍କର ଦାୟିତ୍ୱ ଜଞ୍ଜାଳ ନାହିଁ । ତେଣୁ କିଶୋରୀଚରଣ ଓ ତାଙ୍କ ସ୍ତ୍ରୀ, ଦୁହେଁ ଆଫ୍ରିକା ଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ବୃତ୍ତିଗତ କ୍ଷେତ୍ରରେ ସେ ଆଫ୍ରିକା ଯାତ୍ରା କରୁଥିଲେ ମଧ୍ୟ, ମନେ ମନେ କିନ୍ତୁ ଭାବି ନେଇଥିଲେ ଯେ, ଏହା ମଧ୍ୟ ଏକପ୍ରକାର ଆଡ଼ଭେଞ୍ଚର । ସହଜରେ ସେହି ସ୍ଥାନ ତ ଏକ ଅନ୍ଧାରୀ ମୁଲକ । ତେଣୁ ଯେପରି ଆଧୁନିକ ସଭ୍ୟତା ଏଇମାତ୍ର ତାଙ୍କ ଦେହକୁ ସ୍ପର୍ଶ କରିଛି, ଠିକ୍ ସେହିପରି ଏକ ନବଜାଗରଣର ବାର୍ତ୍ତା ନେଇ ସେ ଆଧୁନିକ ହିସାବକିତାବ ଓ ବିତ୍ତୀୟ ପ୍ରଶାସନ ଦିଗରେ ମଧ୍ୟ କିଛି ଶିକ୍ଷା ଦେବେ ସେହି ଦେଶକୁ । ଏହିପରି ଅନେକ କଳ୍ପନା ମଧ୍ୟରେ ସେ ଗତି କରିଥିଲେ ଆଫ୍ରିକା ମହାଦେଶକୁ ୧୯୭୫ ମସିହାରେ ।

 

କିଶୋରୀଚରଣଙ୍କୁ ଯିବାକୁ ଥିଲା ଆଫ୍ରିକାର ଏକ ସଭ୍ୟ ସ୍ୱିଜରଲାଣ୍ଡକୁ ବା ତା’ର ରାଜଧାନୀ ଆମ୍ବାବେନ୍‌କୁ । ସ୍ୱିଜରଲାଣ୍ଡକୁ ଆସିବା ବାଟରେ ସେମାନଙ୍କୁ କେନିଆର ରାଜଧାନୀ ନାଏରୋବିରେ ଦୁଇଦିନ ରହିବାକୁ ପଡ଼ିଥିଲା । ଶେଷରେ ସେମାନେ ପହଞ୍ଚିଥିଲେ ସ୍ୱିଜରଲାଣ୍ଡର ରାଜଧାନୀଠାରେ । ପାହାଡ଼ ପର୍ବତ ଘେରା ଏହି ରାଜ୍ୟଟି ଅତ୍ୟନ୍ତ ସୁନ୍ଦର ଦେଖିବାକୁ । ପାଞ୍ଚଛଅ ଦିନ ଖରା ପରେ ଖୁବ୍ ଜୋରରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇ ଆକାଶ-ଭୂମିକୁ ପୂରା ନିର୍ମଳ କରାଇଦିଏ । କିଶୋରୀଚରଣ ଏଠାରେ ପହଞ୍ଚିଲା ପରେ ହୃଦୟଙ୍ଗମ କଲେ ଯେ ବାସ୍ତବରେ ଆଫ୍ରିକା ଆଉ ସେହି ତଥାକଥିତ ଅନ୍ଧାରୀ ମୁଲକ ହୋଇ ରହି ନାହିଁ । ସେଠାରେ ଭାରତୀୟ ଦୂତାବାସରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ତାଙ୍କର ହେଲେ ସହାୟକ । ସେ ବୁଝିଲେ ଯେ ଦିନବେଳାଟା ଏଠି ଯେତିକି ସୁନ୍ଦର, ରାତି ସେପରି ନୁହେଁ । କାରଣ ସେଠାରେ ଇଣ୍ଡିଆନ୍‌ମାନଙ୍କୁ ଘୃଣା କରନ୍ତି ବୋଲି ରାତ୍ରିରେ ଇଣ୍ଡିଆନ ସ୍ତ୍ରୀଲୋକଙ୍କ ବେକରୁ ହାର, ହାତରୁ ମୁଦି ଇତ୍ୟାଦି ମୂଲ୍ୟବାନ୍ ଗହଣାଗାଣ୍ଠିକୁ ଜବରଦସ୍ତ ଛଡ଼େଇ ନେଇଯାନ୍ତି । ତେଣୁ ରାତିରେ ବାହାରକୁ ବାହାରିବା ଆଦୌ ଉଚିତ ନୁହେଁ ସେଠାରେ । ଯଦିଓ ପରବର୍ତ୍ତୀ ପର୍ଯ୍ୟାୟରେ କିଶୋରୀଚରଣ ଜାଣିବାକୁ ଚାହିଁଲେ ଓ ଜାଣିଥିଲେ ମଧ୍ୟ କିପରି ଓ କାହିଁକି ସେମାନେ ଭାରତୀୟମାନଙ୍କୁ ଏତେ ଘୃଣା କରନ୍ତି ବୋଲି । ତେବେ କିଶୋରୀଚରଣ ଏଠାରେ ଯେଉଁ ଦୁଇ ବର୍ଷ ରହିଲେ (୧୯୭୫-୭୬), ତାହା ମଧ୍ୟରେ କୌଣସି ପ୍ରକାରରେ ଏଭଳି ଅବ୍ୟବସ୍ଥାର ସମ୍ମୁଖୀନ ହୋଇ ନାହାନ୍ତି । ଯେଉଁ କାର୍ଯ୍ୟ ପାଇଁ ସେ ଆଫ୍ରିକା ଯାତ୍ରା କରିଥିଲେ, ତାହାକୁ ସେ ଠିକ୍‌ ଭାବରେ ସଂପନ୍ନ କରି ଶେଷରେ ଭାରତକୁ ପ୍ରତ୍ୟାଗମନ କରିଛନ୍ତି ।

ଆମେରିକାର କାର୍ଯ୍ୟଧାରା ପରି ଆଫ୍ରିକାର କାର୍ଯ୍ୟ ମଧ୍ୟ ସେତେ ସହଜ କି ସରଳ ନ ଥିଲା-। ତାଙ୍କରି ନିଷ୍ଠା ଓ ଅଧ୍ୟବସାୟ ଯେତେ ଗଭୀର ଥିଲେ ମଧ୍ୟ ଆଫ୍ରିକାରେ ଗୋଟିଏ ଅତ୍ୟନ୍ତ ଅପ୍ରୀତିକର ଘଟଣା ଘଟିଲା । ସେ ଥିଲେ କେନ୍ଦ୍ରୀୟ ପରିବହନ ସଂଗଠନ (Central Transport Organisation)ର ବିତ୍ତୀୟ ପରାମର୍ଶଦାତା ଓ ଅର୍ଥ ବିଭାଗର ମୁଖ୍ୟ । ଠିକ୍ ସେତିକିବେଳେ ସେଠାରେ ଆଉ ଜଣେ କାର୍ଯ୍ୟ କରୁଥିଲେ ଇଂଜିନିୟରିଂ ବିଭାଗର ମୁଖ୍ୟ ହିସାବରେ । ସେ ଥିଲେ ବସ୍ତୁତଃ ପାକିସ୍ତାନୀ । କିଶୋରୀଚରଣଙ୍କ କାର୍ଯ୍ୟ ବସ୍ତୁତଃ ସେହି ସହକର୍ମୀଙ୍କ ସହଯୋଗ ଉପରେ ନିର୍ଭର କରୁଥିଲା । କିନ୍ତୁ ସେହି ଭଦ୍ରଲୋକଜଣକ ଆଦୌ ସହଯୋଗର ହାତ ବଢ଼ାଉ ନ ଥିଲେ । ସେ ଭାରତୀୟଙ୍କୁ ଶତ୍ରୁ ଭାବରେ ଗ୍ରହଣ କରୁଥିଲେ । ସେ କିଶୋରୀଚରଣଙ୍କ ବିଚାରକୁ ପିଲାଳିଆମି ଓ ପୁରୁଣାକାଳିଆ ବୋଲି ମନେକରି ହସି ଉଡ଼େଇ ଦେଉଥିଲେ । ଅନ୍ୟ ପକ୍ଷରେ କିଶୋରୀଚରଣଙ୍କୁ ତାଙ୍କର ପ୍ରସ୍ତାବଗୁଡ଼ିକ ଅଧିକ ବ୍ୟୟସାପେକ୍ଷ ଓ ଅନୁଷ୍ଠାନ ପାଇଁ କ୍ଷତିକାରକ ବୋଲି ମନେହେଉଥିଲା । ଏହିସବୁ କାରଣରୁ ଉଭୟଙ୍କ ମଧ୍ୟରେ ସମନ୍ୱୟ ରହିପାରିଲା ନାହିଁ । ତେଣୁ ସ୍ୱାଜିର ଉଚ୍ଚ କର୍ମକର୍ତ୍ତା ଅତ୍ୟନ୍ତ ବିନମ୍ରତା ସହିତ ଏମାନଙ୍କ ମନ୍ତବ୍ୟକୁ ଶୁଣୁଥିଲେ ମଧ୍ୟ ସେ ସରକାରଙ୍କୁ ଲେଖିବାକୁ ବାଧ୍ୟ ହେଲେ ଯେ ଉଭୟ ବିଚକ୍ଷଣ ବିଶେଷଜ୍ଞଙ୍କ ବିଶେଷ କୃପାରୁ ତାଙ୍କ ଅନୁଷ୍ଠାନ ଆଉ ଉପରକୁ ଉଠିପାରୁ ନାହିଁ ।

 

ଏହି ଘଟଣାକୁ କେନ୍ଦ୍ର କରି ଭଦ୍ରଲୋକ ଜଣକ ଛୁଟିରେ ରହିଗଲେ । ଯାହା ଫଳରେ ସରକାର କିଶୋରୀଚରଣଙ୍କୁ ସଂସ୍ଥାର ଏକ ଅସ୍ଥାୟୀ ଚେୟାରମ୍ୟାନ୍ ପଦରେ ଅବସ୍ଥାପିତ କରିଦେଲେ । ସେ ତେଣୁ ଅତ୍ୟନ୍ତ ବିଦ୍ରୋହୀ ହୋଇଉଠିଲେ । କଥା କଥାକେ ବିଦ୍ରୋହ କଲେ, ଫଳରେ ନିତିଦିନିଆ କାମ ମଧ୍ୟ ଠିକ୍ ଭାବରେ ହୋଇପାରିଲା ନାହିଁ । ଏହି ସମୟକୁ ଭୂତପୂର୍ବ ଚେୟାରମ୍ୟାନ୍ ସେହି ସ୍ଥାନକୁ ଫେରି ଆସିବାରୁ ସେ ସେହି ପଦକୁ ତ୍ୟାଗ କଲେ । ତଥାପି ସେହି ପାକିସ୍ତାନୀ ଭଦ୍ରବ୍ୟକ୍ତିଙ୍କ ମନୋଭାବରେ କୌଣସି ପରିବର୍ତ୍ତନ ତ ଆସିଲା ନାହିଁ । ବରଂ ସେ ସ୍ୱାଜିର ଉପରିସ୍ଥ କର୍ମଚାରୀମାନଙ୍କ ପ୍ରତି ଅବଜ୍ଞାସୂଚକ ବ୍ୟବହାର ମଧ୍ୟ ପ୍ରକାଶ କଲେ । ତେଣୁ ସ୍ୱାଜି ସରକାର ତାଙ୍କୁ ବାଧ୍ୟ ହୋଇ ଚବିଶ ଘଣ୍ଟା ପରେ ପିଲାଛୁଆ ଧରି ସ୍ୱଦେଶକୁ ଫେରିଯିବାକୁ ନିର୍ଦ୍ଦେଶ ଦେଲେ । ଏହା ଥିଲା ଅତ୍ୟନ୍ତ ଅପମାନସୂଚକ ଜଣେ ବିଦେଶରୁ ଆସିଥିବା ବିଶେଷଜ୍ଞଙ୍କ ପାଇଁ । ତେବେ ତାଙ୍କ ପାଇଁ ଅବଶ୍ୟ ସେଭଳି କିଛି କରାଯାଇ ନ ଥିଲା । ସେମାନେ କିଶୋରୀଚରଣଙ୍କ କାର୍ଯ୍ୟରେ ଯଥେଷ୍ଟ ସନ୍ତୁଷ୍ଟ ଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ସଂସ୍ଥାର ବିକାଶ ପାଇଁ ଜଣେ ବ୍ରିଟିଶ୍ ବିଶେଷଜ୍ଞଙ୍କର କାମନା କଲେ ଏବଂ କିଶୋରୀଚରଣଙ୍କୁ ବିଦାୟ ପୂର୍ବରୁ ତାହା ଜଣାଇ ଦିଆଯାଇଥିଲା । କାର୍ଯ୍ୟ କୁଶଳତାର ଏକ ବିଚକ୍ଷଣ ମନୋଭାବ ସହିତ ଏଭଳି ଏକ ଅସାଧାରଣ ଅଭିଜ୍ଞତାକୁ ଧରି ସେ ଶେଷରେ ୧୯୭୭ରେ ଭାରତକୁ ଫେରିଆସିଥିଲେ ।

 

୧୯୭୭ ମସିହାରେ କିଶୋରୀଚରଣ ନିଜର ବିଭାଗକୁ ହିଁ ଫେରିଆସିଥିଲେ । ଏଥର ତାଙ୍କର ନିଯୁକ୍ତି ହେଲା ରାଜସ୍ଥାନର ଆକାଉଣ୍ଟାଣ୍ଟ୍ ଜେନେରାଲ ଭାବରେ । ତାଙ୍କର କର୍ମକ୍ଷେତ୍ର ହେଲା ଜୟପୁର । ଜୟପୁରରେ କାର୍ଯ୍ୟ କରୁଥିବାବେଳେ ଗୋଟିଏ ଦୁର୍ନୀତି ତାଙ୍କ ନଜରକୁ ଆସିଥିଲା; ଯାହା ଫଳରେ ତାଙ୍କ ବିବେକ ନିକଟରେ ତାଙ୍କ ମୁଣ୍ଡ ଲଜ୍ଜାରେ ନଇଁ ଯାଇଥିଲା । କାରଣ ସେ ମଧ୍ୟ ଜଣେ ଭାରତୀୟ । ଆଉ ଭାରତୀୟମାନେ ହିଁ ଶେଷରେ ହୀନକର୍ମ କରିଛନ୍ତି । ଘଟଣାଟି ଥିଲା ଗୋଟିଏ ରାସ୍ତାର । ରାସ୍ତା ନିର୍ମାଣର ବିଲ୍‌, ଭାଉଚର, ରସିଦ, ସାର୍ଟିଫିକେଟ୍ ଆଉ ସବୁ ଠିକ୍ ଠିକ୍ ଥିଲେ ମଧ୍ୟ ତାଙ୍କ ନଜରକୁ ଆସିଲା ଯେ, ସତସତିକା ଯେମିତି କୌଣସି ରାସ୍ତା କେଉଁଠି ନାହିଁ । ଉପର ସ୍ତରରେ ବଡ଼ ବଡ଼ ଅଫିସରମାନେ ହାତ ଧରାଧରି ହୋଇ କିପରି ଦୁର୍ନୀତି କରି ଟଙ୍କା ଆତ୍ମସାତ୍ କରନ୍ତି, ତାହା ଥିଲା ତା’ର ଏକ ଜ୍ୱଳନ୍ତ ଉଦାହରଣ । ସେ କିନ୍ତୁ ଏହାକୁ ସହ୍ୟ କରିପାରିଲେ ନାହିଁ । ନିଜ ରିପୋର୍ଟରେ ତାହାକୁ ଉଲ୍ଲେଖ କରିଥିଲେ । ହେଲେ ମୁହାଁମୁହିଁ ହେବା ଆଗରୁ ତାଙ୍କର ସେଠାରୁ ବଦଳି ହୋଇ ସାରିଥିଲା । ୧୯୭୮ରେ ସେ ଜୟପୁରରୁ ବିଦାୟ ନେଇ ଆସିଥିଲେ ଦିଲ୍ଲୀ ନଗରୀକୁ ।

 

୧୯୭୮ ମସିହାରେ କିଶୋରୀଚରଣ ଆକାଉଣ୍ଟାଣ୍ଟ ଜେନେରାଲ, ସେଣ୍ଟ୍ରାଲ ରେଭିନିଉଜ୍ ଭାବରେ ନିଯୁକ୍ତି ପାଇଲେ । ସେଠାରେ ତାଙ୍କର କାମ ହେଲା ଭାରତ ସରକାରଙ୍କ ଆୟବ୍ୟୟର ସାମଗ୍ରିକ ହିସାବ ଖାତା ତିଆରି କରିବା ତଥା ତାହାର ସମୀକ୍ଷା ପ୍ରସ୍ତୁତ କରିବା । ଏଠି ମଧ୍ୟ ସେ ନିଜର ଦାୟିତ୍ୱକୁ ଅତ୍ୟନ୍ତ ନିଷ୍ଠାର ସହିତ ସଂପନ୍ନ କରିଥିଲେ । ୧୯୭୮ ମସିହା ସେପ୍ଟେମ୍ବର ମାସଠାରୁ ୧୯୮୨ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସେ ଏହି ବିଭାଗରେ ରହି ଶେଷରେ ଅବସର ଗ୍ରହଣ କରିଥିଲେ । ଯଦିଓ ସେ ଏହି ସମୟ ମଧ୍ୟରେ ଦୁଇଥର ପଦୋନ୍ନତିର ସ୍ୱାଦକୁ ଗ୍ରହଣ କରିଛନ୍ତି, ପ୍ରଥମେ ୧୯୮୧ ମସିହା ମଇ ମାସ ୧୨ ତାରିଖରେ ସେ ପ୍ରଥମ ଶ୍ରେଣୀର ଆକାଉଣ୍ଟାଣ୍ଟ ଜେନେରାଲ ପାହ୍ୟାରେ ‘ଡାଇରେକ୍ଟର ଅପ୍ ଅଡ଼ିଟ୍‌’ ଓ ଅଗଷ୍ଟ ମାସ ୧୧ ତାରିଖରେ ଆଡ଼ିସନାଲ ଡେପୁଟି କଂପ୍‌ଟ୍ରୋଲର୍ ଏଣ୍ଡ ଅଡ଼ିଟର ଜେନେରାଲ ପଦବୀକୁ ମଣ୍ଡିତ କରିଥିଲେ । ଆଡ଼ିସନାଲ ଡେପୁଟି କଂପ୍‌ଟ୍ରୋଲର ପଦବୀ ଥିଲା ବାସ୍ତବରେ ତାଙ୍କ ବୃତ୍ତିଗତ ଜୀବନର ଶେଷ ପ୍ରମୋସନ ଅର୍ଥାତ୍ ପଦୋନ୍ନତି । ଶେଷରେ ୫୮ ବର୍ଷର ପରିଣତ ବୟସରେ ସେ ୧୯୮୨ ମସିହା ଫେବୃୟାରୀ ମାସ ୨୨ ତାରିଖରେ ସେ ସରକାରୀ ବୃତ୍ତିରୁ ଅବସର ଗ୍ରହଣ କଲେ । ମାତ୍ର ବାସ୍ତବରେ ସେ ନିଜ ବୃତ୍ତିରୁ ଅବସର ଗ୍ରହଣ କଲେ ତା’ର ଆଉ ଦୁଇବର୍ଷ ପରେ କାରଣ ସରକାରୀ ଚାକିରିରୁ ଅବସର ଗ୍ରହଣ ପରେ ମଧ୍ୟ ଦୁଇବର୍ଷ ପାଇଁ ଆସାମ ରାଜ୍ୟ ବିଦ୍ୟୁତ୍ ପରିଷଦର ବିତ୍ତ ସଦସ୍ୟ ଭାବରେ ଗୌହାଟିରେ ତାଙ୍କୁ କାର୍ଯ୍ୟ କରିବାକୁ ପଡ଼ିଥିଲା । ୧୯୮୪ ମସିହାରେ ତାଙ୍କ ଜୀବନର ଥିଲା ବୃତ୍ତିଗତ ଜୀବନରୁ ଅବସର ନେଇଥିବା ସମୟ । ଆନୁଷ୍ଠାନିକ ଭାବରେ କର୍ମମୟ ଜୀବନର ଏଇଠି ଅବସାନ ହୋଇଗଲା, ଯଦିଓ ସାହିତ୍ୟ କର୍ମ ପାଇଁ ଆଉ ଏକ ନୂତନ ପଥ ଏହି ସମୟକୁ ଉନ୍ମୁକ୍ତ ହୋଇଉଠିଥିଲା ।

 

ବାସ୍ତବରେ ୧୯୪୭ ମସିହାଠାରୁ ୧୯୮୪ ମସିହା, ଦୀର୍ଘ ୩୭ ବର୍ଷର ବିପୁଳ ଅଭିଜ୍ଞତା ଓ ଅନୁଭୂତି ପରିପୂର୍ଣ୍ଣ ଥିବା ବଳିଷ୍ଠ ବ୍ୟକ୍ତିତ୍ୱକୁ କିଶୋରୀଚରଣ ତାଙ୍କ କର୍ମକ୍ଷେତ୍ରଠାରେ ଏକ ଅସାଧାରଣ ତଥା ସ୍ନେହୀ ମଣିଷଟିଏ ଯେ ଥିଲେ; ଏଥିରେ ସନ୍ଦେହ ନାହିଁ ।

 

ପାରିବାରିକ ଜୀବନ

 

କିଶୋରୀଚରଣଙ୍କ ପାରିବାରିକ ଜୀବନ ଥିଲା ଅତ୍ୟନ୍ତ ସମ୍ଭ୍ରାନ୍ତ, ସୁଦୃଢ଼ ତଥା ମର୍ଯ୍ୟାଦାସମ୍ପନ୍ନ । ସେ ଜୀବନରେ କେବେ ଅବସରର ସ୍ଥାନ ହିଁ ନ ଥିଲା । କର୍ମ କରିଯିବାର ପ୍ରବଣତା ମଧ୍ୟରେ ସେ ଏତେ ଲିପ୍ତ ଥିଲେ ଯେ, ସବୁବେଳେ ସତେ ଯେପରି ଭାବୁଥିଲେ ଏଇ କାମଟା ହିଁ ଏହିକ୍ଷଣି କରାଯିବା ଦରକାର । କାରଣ ଆଉ ହାତରେ ସମୟ ନାହିଁ । ସେହି କାରଣରୁ ସେ ନିଜର ପରିଣତ ବୟସରେ ଯେତେବେଳେ ଆତ୍ମଜୀବନୀଟିଏ ରଚନା କରିଛନ୍ତି, ସେତେବେଳେ ମଧ୍ୟ ସେ ଭାବିଛନ୍ତି ସେହି କଥା ‘ସମୟ ନାହିଁ’ ଏବଂ ଗ୍ରନ୍ଥର ନାମକରଣ ମଧ୍ୟ କରିଛନ୍ତି ସେହି ମର୍ମରେ ।

 

କିଶୋରୀଚରଣଙ୍କ ଜନ୍ମ ୧୯୨୪ ମସିହା, କଟକରେ ଓ ମୃତ୍ୟୁ ୨୦୦୪ ମସିହା, ଦିଲ୍ଲୀରେ-। ଏହାର ମଧ୍ୟବର୍ତ୍ତୀ ସମୟ ଥିଲା ମାତ୍ର ୮୦ ବର୍ଷ ୫ ମାସ ୧୬ ଦିନ । ଆପାତତଃ ୮୧ ବର୍ଷ ବୋଲି ଧରି ନେଇହେବ । ଏହି ୮୧ ବର୍ଷର ପାରିବାରିକ ଜୀବନ ଥିଲା ବାସ୍ତବରେ ଏକ ରୋମାଞ୍ଚକର ଯାତ୍ରା, କଥାଶିଳ୍ପୀ ତଥା ସାହିତ୍ୟପ୍ରାଣ କିଶୋରୀଚରଣଙ୍କ ପାଇଁ ସେ କେବଳ ଏହି ଯାତ୍ରାରୁ ଆନନ୍ଦ ହିଁ ଆନନ୍ଦକୁ ଗ୍ରହଣ କରିଛନ୍ତି ସବୁ ସମୟରେ । ଏକ ପରିପୂର୍ଣ୍ଣ ଅନୁଭବ ହିଁ ତାଙ୍କ ପାରିବାରିକ ଜୀବନ । ଆଲୋଚନାର ସୁବିଧା ଦୃଷ୍ଟିରୁ ଓ ରୋମାଞ୍ଚକର ଅନୁଭୂତିର ପର୍ଯ୍ୟାୟକ୍ରମ ଅନୁଯାୟୀ ତାଙ୍କ ପାରିବାରିକ ଜୀବନକୁ ସାଧାରଣତଃ ଦୁଇ ଭାଗରେ ବିଭାଜିତ କରିହେବ । ଯେପରି-

 

(କ) ପାରିବାରିକ ଜୀବନ : ପ୍ରଥମ ପର୍ଯ୍ୟାୟ ।

(ଖ) ପାରିବାରିକ ଜୀବନ : ଦ୍ୱିତୀୟ ପର୍ଯ୍ୟାୟ ।

 

(କ) ପାରିବାରିକ ଜୀବନ : ପ୍ରଥମ ପର୍ଯ୍ୟାୟ

 

କିଶୋରୀଚରଣ ତାଙ୍କ ବାପା ବିପ୍ରଚରଣ ଓ ମାତା ସୀତାମଣୀଙ୍କର ଥିଲେ ପ୍ରଥମ ସନ୍ତାନ । ସେ କିନ୍ତୁ ଜନ୍ମ ମୁହୂର୍ତ୍ତର ବହୁ ସମୟ ପୂର୍ବରୁ ଜନ୍ମ ହୋଇସାରିଥିଲେ ଅର୍ଥାତ୍ ଏକ ପ୍ରି-ମାଚୁର ବେବି ଭାବରେ ମାତ୍ର ସାତମାସ ହେଉ ନ ହେଉଣୁ ତାଙ୍କର ଜନ୍ମ ହୋଇସାରିଥିଲା । ଜନ୍ମ ସମୟରେ ଯେଉଁ ଡାକ୍ତରାଣୀଙ୍କ ମାଧ୍ୟମରେ ସେ ମାତୃଗର୍ଭରୁ ବାହାରି ସିଧା ସେହି ଡାକ୍ତରାଣୀର କୋଳରେ କିଛି ସମୟ ପାଇଁ ଉଷ୍ମତା ଲାଭ କରିଥିଲେ, ସେ ହେଉଛନ୍ତି ଓଡ଼ିଶାର ପ୍ରଖ୍ୟାତ ସାହିତ୍ୟସାଧିକା ଡକ୍ଟର କୁନ୍ତଳା କୁମାରୀ ସାବତ । ସମସ୍ତେ ଯେତେବେଳେ ଶିଶୁଟିର ବଞ୍ଚିବାକୁ ନେଇ ସନ୍ଦିହାନ ହୋଇ ପଡ଼ୁଥିଲେ, ସେତେବେଳେ କୁନ୍ତଳାକୁମାରୀ ହିଁ ସମସ୍ତଙ୍କୁ ଅଭୟ ବାଣୀ ଶୁଣାଇଥିଲେ ଯେ, ଶିଶୁଟି ନର୍ମାଲ ଅଛି । ସେ ବଞ୍ଚିବ ଓ ବଞ୍ଚି ବଡ଼ ହେବ । ଏହି କାରଣରୁ ସମ୍ଭବତଃ ସେ ନିଜ ବାପାମାଙ୍କର ଅତ୍ୟନ୍ତ ଗେହ୍ଳା ଥିଲେ । ଏପରିକି ପରବର୍ତ୍ତୀ ସମୟରେ ତାଙ୍କର ଆଉ ତିନିଗୋଟି ଭାଇ ଓ ଗୋଟିଏ ଭଉଣୀ ତାଙ୍କ ପରିବାରକୁ ଆସିଥିଲେ ମଧ୍ୟ ବାପାମା’ଙ୍କର ସ୍ନେହ ତାଙ୍କ ପ୍ରତି ଆଦୌ ଅତୁଟ ନ ଥିଲା । କାରଣ ସେ ପିଲାଟିଦିନୁ ଏତେ ବଳିଷ୍ଠ ହୋଇ ବୃଦ୍ଧି ହୋଇ ଉଠିଥିଲେ ଯେ, ସମସ୍ତେ ତାଙ୍କୁ ‘ଗେଧେକା’ ବୋଲି କହୁଥିଲେ ଏବଂ ସମ୍ଭବତଃ ସେହି କାରଣରୁ ତାଙ୍କର ଚାଲିବା, କଥା କହିବା ଇତ୍ୟାଦି ବହୁତ ବିଳମ୍ବରେ ଘଟିଥିଲା । ଯେହେତୁ ସେ ପିଲାଦିନେ ଠିକ୍ ଭାବରେ ଚାଲିପାରୁ ନ ଥିଲେ କି କଥାବାର୍ତ୍ତା କରିପାରୁ ନ ଥିଲେ, ସେହି କାରଣରୁ ଅନ୍ୟ ପିଲାମାନଙ୍କ ଭଳି ଦୁଷ୍ଟ ହେଉ ନ ଥିଲେ ମଧ୍ୟ ଏବଂ ସେ ଖୁବ୍ ଶାନ୍ତଶିଷ୍ଟ ସ୍ୱଭାବର ଥିଲେ । ‘କେଶବ କଣ୍ଢେଇ’ ତାଙ୍କର ଅତି ପ୍ରିୟ ଥିବାରୁ, ସମସ୍ତେ ତାଙ୍କୁ ଡାକୁଥିଲେ କେଶବ ଓ ଏହି କ୍ରମରେ ତାଙ୍କର ଡାକ ନାମ ହୋଇଗଲା କେଶ ।

 

ପରବର୍ତ୍ତୀ କାଳରେ ଭଲ ଶ୍ରଦ୍ଧା ନାମ ଭାବରେ କିଶୋରୀଚରଣ ହିଁ ବିଦ୍ୟାଳୟ ଇତ୍ୟାଦିରେ ବଳବତ୍ତର ରହିଲା । ବାପା ଥିଲେ ଜଣେ ଜିଲ୍ଲା ଜଜ୍ ଓ ମା’ ଥିଲେ ଜଣେ ଆଦର୍ଶ ଗୃହିଣୀ । ଏଣୁ ପ୍ରାଥମିକ ସ୍ତରରେ ବାପା ମା’ ଉଭୟ ଶିଶୁ କେଶବର ଯତ୍ନ ନେଇ ପ୍ରାଥମିକ ଶିକ୍ଷାକୁ ଘରେ ପ୍ରଦାନ କରିଥିଲେ ଏବଂ ପରେ ଯେତେବେଳେ ଅନୁଭବ କଲେ ଯେ ବାପାମା’ଙ୍କର ଶିକ୍ଷା କେବଳ ବିଦ୍ୟାଳୟର ଶିକ୍ଷାର ସମକକ୍ଷ ହୋଇପାରିବ ନାହିଁ; ସେତେବେଳେ ଜଣେ ଘରୋଇ ଶିକ୍ଷକ ମାଧ୍ୟମରେ ଶିଶୁ କେଶବର ଶିକ୍ଷା ବ୍ୟବସ୍ଥାର ଆୟୋଜନ କରାଇଥିଲେ । କେଶବ ବା କିଶୋରୀଚରଣ କିନ୍ତୁ ବାସ୍ତବରେ ବିଦ୍ୟାଳୟକୁ ଯାଆନ୍ତି ବହୁତ ପରେ, ପ୍ରାୟ ୬ଷ୍ଠ ଶ୍ରେଣୀବେଳକୁ ।

 

ଘରେ ଘରୋଇ ଶିକ୍ଷକଙ୍କ ପାଖରେ ବିଦ୍ୟାଧ୍ୟୟନ କରୁଥିବାବେଳେ ଥରେ ଶିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବର୍ଷାଋତୁ ଉପରେ ଏକ ରଚନା ଲେଖିବାକୁ ପଡ଼ିଥିଲା । କିଶୋରୀଚରଣ ଏହି ରଚନାକୁ ଲେଖିବା ବେଳେ ଏତେ ବେଶି ଭାବପ୍ରବଣ ହୋଇ ଉଠିଥିଲେ ଯେ ସେ ସମୟ ସୀମାକୁ ଭୁଲି ଯାଇଥିଲେ । ଯେତେବେଳେ ଶିକ୍ଷକ ନିର୍ଦ୍ଦିଷ୍ଟ ସମୟ ଅତିକ୍ରାନ୍ତ ହେଲା ପରେ ଖାତାକୁ ଛଡ଼ାଇ ନେଇ ଦେଖନ୍ତି, ସେତେବେଳେ ସେ ଉଦ୍ଦିଷ୍ଟ ରଚନାର ତଥ୍ୟଗତ ବିବରଣୀ ବା ଆନୁଷଙ୍ଗିକ ବର୍ଣ୍ଣନାର ଅନୁପସ୍ଥିତିକୁ ଲକ୍ଷ୍ୟ କରି ବିରକ୍ତି ହୋଇ ଉଠିଥିଲେ ଓ ବିପ୍ରଚରଣଙ୍କ ଆଗରେ ନାଲିଶ୍ କରିଥିଲେ । ବିପ୍ରଚରଣ କିନ୍ତୁ ରଚନାଟିକୁ ପଢ଼ି ବିରକ୍ତି ନ ହୋଇ ଶିକ୍ଷକଙ୍କ କଥାକୁ ସମର୍ଥନ କଲେ ମଧ୍ୟ ଶିକ୍ଷକଙ୍କୁ ସୂଚାଇଦେଲେ ଯେ, ଶିଶୁ କେଶବ ରଚନାଟି ଲେଖିବା ଆଳରେ ଗୋଟିଏ ସୁନ୍ଦର କବିତାଟିଏ ଲେଖିଛନ୍ତି ବୋଲି । ସେହି ଦିନଠାରୁ ଶିଶୁ କେଶବ ଚିନ୍ତା କରିବାକୁ ଲାଗିଲେ ଯେ, ବାପା ବିରକ୍ତି ହୋଇ ନାହାନ୍ତି ଅର୍ଥ ତାଙ୍କ ଲେଖା ତ୍ରୁଟିହୀନ । ହେଲେ ସେ ଗୋଟିଏ କଥା ବୁଝିପାରୁ ନ ଥିଲେ ସେତେବେଳେ ଯେ, ସେ ଯେଉଁ ରଚନାଟି ଲେଖିଥିଲେ, ତାହାକୁ ବାପା କବିତା ବୋଲି ବିଚାରିଲେ କାହିିଁକି ? ହୁଏତ ଏହିପରି ଚିନ୍ତା କରୁ କରୁ କେଉଁ ଦିନ ତାଙ୍କ କବିତ୍ୱର ସ୍ଫୁରଣ ଘଟିଥିବ ଓ ସେ କବିତା ଲେଖିଥିବେ ଏବଂ ଏହି କ୍ରମରେ ସାହିତ୍ୟ ମଧ୍ୟକୁ ତାଙ୍କର ମନୋନିବେଶ ଘଟିଥିବ ।

 

ବାପା ବିପ୍ରଚରଣଙ୍କ ଚାକିରିର ବଦଳ କ୍ରମରେ ତାଙ୍କୁ ମଧ୍ୟ ଅନେକଥର ବିଦ୍ୟାଳୟ ପରିବର୍ତ୍ତନ କରିବାକୁ ପଡ଼ିଛି । ପ୍ରଥମେ ଭଦ୍ରକ, ତା’ପରେ ବାଲେଶ୍ୱର, ତା’ପରେ କେନ୍ଦ୍ରାପଡ଼ା ଇତ୍ୟାଦି । କେନ୍ଦ୍ରାପଡ଼ା ସ୍କୁଲରୁ ସେ ମାଟ୍ରିକ୍ୟୁଲେସନ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ କଟକର ରେଭେନ୍‌ସା କଲେଜରେ ଉଚ୍ଚଶିକ୍ଷା ଲାଭ କଲେ । ଏହି ସମୟକୁ ସେ ପ୍ରଥମ କରି ବାପା ମା’ଙ୍କଠାରୁ ଦୂରେଇ ଆସି କଟକରେ ଥିବା ବଡ଼ବାପାଙ୍କ ପାଖରେ ରହି ପାଠ ପଢ଼ିଲେ ଓ ନିଜର ଭବିଷ୍ୟତ୍ ଗଢ଼ିବାରେ ବ୍ରତୀ ହେଲେ । କଟକରେ ରହି ସେ ବି.ଏ. ଓ ବି.ଏଲ୍‌. ପରୀକ୍ଷାର ଡିଗ୍ରୀ ଧାରଣ କରିଥିଲେ ।

 

ଆବଶ୍ୟକୀୟ ଶିକ୍ଷା ଲାଭ ପରେ ଏଣିକି କର୍ମସଂସ୍ଥାନର କଥା । ଏହି ସମୟ ମଧ୍ୟରେ କିଶୋରୀଚରଣ ଓଡ଼ିଆ ପ୍ରଶାସନିକ ସେବା ପରୀକ୍ଷାଟି ଦେଇ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇଥାନ୍ତି । ତାଙ୍କ ଆଗରେ ତେଣୁ ଏହି ସମୟକୁ ଦୁଇଟି ପଥ ଥିଲା । ସରକାରୀ ହାକିମ ହେବେ ନା ଏମ୍‌.ଏ. ପାଠ ପଢ଼ି ଅଧ୍ୟାପକଟିଏ ହେବେ । ମନର ଆଶା ଓ ବିବେକର କାମନାର ଯୁଦ୍ଧରେ ସେ ଶେଷ ପର୍ଯ୍ୟନ୍ତ ବିବେକର କାମନାକୁ ହିଁ ସ୍ୱୀକାର ନ କରି ରହିପାରିଲେ ନାହିଁ । ଆଦରି ନେଲେ ଓଡ଼ିଶା ପ୍ରଶାସନିକ ସେବାର ଚାକିରିକୁ । ୧୯୪୭ ମସିହା ଅପ୍ରେଲ ମାସ ୨ ତାରିଖରେ ସେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗଦାନ କରି କାର୍ଯ୍ୟ ଆରମ୍ଭ କଲେ ଓ ଏହି କ୍ରମରେ ମଧ୍ୟ ୧୯୪୭ ମସିହାରେ ଚାକିରିରେ ଥାଇ ମାତ୍ର ଦୁଇ ଦିନ ପାଇଁ ଛୁଟି ଆଣି ପିତାଙ୍କ ନିର୍ଦ୍ଦେଶକ୍ରମେ ବିବାହ କରି ପୁଣି ଚାକିରିରେ ଯୋଗ ଦେଇ ନିଜ କର୍ମରେ ହଜିଯାଆନ୍ତି । ଏପରିକି ୧୯୮୨ ମସିହା ଫେବୃୟାରୀ ମାସ ୨୨ ତାରିଖ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଓ କହିବାକୁ ଗଲେ ୧୯୮୪ ମସିହା ପର୍ଯ୍ୟନ୍ତ ଅଣଆନୁଷ୍ଠାନିକ ଭାବରେ ବୃତ୍ତିଗତ କାର୍ଯ୍ୟ ମଧ୍ୟରେ ହଜିଯାଇ ଏକ ସ୍ୱପ୍ନର ଅନୁଭବକୁ ସାଉଁଟି ରଖନ୍ତି ।

 

କେବଳ କର୍ମମୟ ଜୀବନର ଅନୁଭୂତି ନୁହେଁ; ନିଜ ପରିବାର ମଧ୍ୟସ୍ଥ ଅନେକ ବ୍ୟକ୍ତିଗତ ଅନୁଭୂତିକୁ ମଧ୍ୟ ସାଉଁଟି ରଖିଛନ୍ତି ନିଜ ହୃଦୟରେ ଅମୂଲ୍ୟ ରତ୍ନ ପରି । ବାହାରକୁ କିଶୋରୀଚରଣ ଯେଉଁପରି ଭାବରେ ସ୍ନେହସିକ୍ତ ମଣିଷଟିଏ, ଠିକ୍ ସେହିପରି ଭାବରେ ନିଜ ପରିବାର ମଧ୍ୟରେ ମଧ୍ୟ ଏକ ନିରୋଳା ସ୍ନେହୀ ଓ ଶ୍ରଦ୍ଧାଶୀଳ ବ୍ୟକ୍ତିତ୍ୱଟିଏ ମାତ୍ର ।

 

ସେ ନିଜେ ସ୍ୱୀକାର କରିଛନ୍ତି ଯେ ତାଙ୍କ ବାପା ଯେତେବେଳେ ଭଦ୍ରକରେ ଜଜ୍ ହୋଇ ରହୁଥିଲେ, ସେତେବେଳେ ସେ ଓ ତାଙ୍କ ସାନଭାଇ ଜାନି (ଜାନକୀ ଚରଣ) ହାତ ଧରାଧରି ହୋଇ କିପରି ବାପାଙ୍କ ଅଫିସକୁ ଯାଉଥିଲେ ଓ ବାପାଙ୍କୁ ଦେଖାକରି, ବାପାଙ୍କଠୁଁ ଗୋଟିଏ ସ୍ଲିପ୍ ଆଣି ନାଜରବାବୁଙ୍କୁ ଦେଖାଉଥିଲେ ଓ ତାଙ୍କଠାରୁ ଦୁଇ ପଇସା ନେଇ ପାଖ ଗୁଡ଼ିଆ ଦୋକାନରୁ ବଡ଼ ବଡ଼ ସିଙ୍ଗଡ଼ା କିଣି ଖାଉଥିଲେ । ସେ ଆନନ୍ଦର କଥା ଓ ଅବିସ୍ମରଣୀୟ । ତେଣୁ ତ ସେ ସେହି ଅଭୁଲା ସ୍ମୃତିକୁ ଉଲ୍ଲେଖ କରିଛନ୍ତି ନିଜ ଆତ୍ମଜୀବନୀ ‘ସମୟ ନାହିଁ’ରେ । (ପୃଷ୍ଠା-୨୪) । ଏହି ହାତ ଧରାଧରି ହୋଇ ବୁଲିବା ଫଳରେ ଗୋଟିଏ ମହର୍ଗ ଅନୁଭବକୁ ସେ ହାତଛଡ଼ା କରି ଦେଇଥିବାରୁ ସାରା ଜୀବନ ପାଇଁ ଦୁଃଖିତ ହୋଇଛନ୍ତି । ତାହା ହେଉଛି ୧୯୩୩ ମସିହାରେ ଘଟିଥିବା ବିହାରର ଭୂମିକମ୍ପ । ଏହି ଭୂମିକମ୍ପର ଝଟକା ଓଡ଼ିଶାକୁ ମଧ୍ୟ ଗ୍ରାସ କରିଥିଲା । ଏହାର ପ୍ରତ୍ୟକ୍ଷାନୁଭୂତିକୁ ତାଙ୍କର ବୋଉ, ତାଙ୍କ ଘରେ ରହି ପାଠପଢ଼ୁଥିବା ମାମୁ ଓ ପାଖ ପଡ଼ିଶା ଲୋକେ ବିଭିନ୍ନ ଅବତାରଣା କରୁଥିଲେ ମଧ୍ୟ, ଏମାନଙ୍କର କୌଣସି ଅନୁଭବ ନ ଥିବାରୁ ସେମାନେ କୌଣସି କଥାକୁ ବିଶେଷ ଭାବରେ ବର୍ଣ୍ଣନା କରିପାରୁ ନ ଥିଲେ । ମାତ୍ର କଥା କହିବାର ଲୋଭକୁ ସମ୍ବରଣ କରି ନ ପାରି ମିଛରେ କହିଥିଲେ ଯେ, ଭୂମିକମ୍ପବେଳେ ତାଙ୍କ ଗୋଡ଼ ତଳେ ଗୋଟିଏ ସାପ ଚାଲିଗଲା ପରି ତାଙ୍କୁ ଲାଗିଥିଲା । ମାତ୍ର ତାହା ମଧ୍ୟ ହେଲା ନାହିଁ । ଭୂମିକମ୍ପର ଅନୁଭବ କୁଆଡ଼େ ସେପରି ନୁହେଁ ବୋଲି ତାଙ୍କ କଥାକୁ କେହି ବିଚାର କଲେ ନାହିଁ । ତେଣୁ ସେ ଯେ ଜୀବନର ଗୋଟିଏ ମହାନ୍ ଅନୁଭବକୁ ହରାଇ ବସିଥିଲେ, ସେଥିପାଇଁ ସେ ଖୁବ୍ ଅନୁତପ୍ତ । (ପୃଷ୍ଠା-୨୪)

 

କିଶୋରୀଚରଣଙ୍କ ସବା ସାନଭାଇ ହେଉଛନ୍ତି ରେବତୀଚରଣ । ଡାକ ନାଁ ବଦି । ବିପ୍ରଚରଣଙ୍କର କୋରାପୁଟରେ ଚାକିରି କାଳ ସମୟରେ ଥରେ ସେମାନେ ସିନେମା ଦେଖିବାକୁ ଯାଇଥିଲେ ଓ ବଦିଭାଇଙ୍କ କୋଳରେ ବସିବ ବୋଲି କାନ୍ଦିବାରୁ କିଶୋରୀଚରଣ ତାକୁ କୋଳରେ ବସାଇଥିଲେ । ବୟସର ବ୍ୟବଧାନ ମାତ୍ର ବାରବର୍ଷ । ବଦିକୁ ସେତେବେଳେ ମାତ୍ର ୧ ବର୍ଷ । କିଶୋରୀଚରଣ ସହଜରେ ଆତ୍ମଭୋଳା ମଣିଷଟିଏ । ବୋଧହୁଏ ସେ ଭୁଲି ଯାଇଛନ୍ତି ବଦି କଥା ଓ ବଦି ମଧ୍ୟ ଘୁମେଇ ପଡ଼ିଛି । ଯାହା ଫଳରେ ବଦି କିଶୋରୀଚରଣଙ୍କ କୋଳରୁ ଖସିଗଲା ଓ ଆଗ ଚୌକିର ଧାରରେ ତା’ର ମୁଣ୍ଡ ପିଟି ହୋଇଗଲା । ବାସ୍‌, ରହିଗଲା କ୍ଷତ ଦାଗଟିଏ । ବଦି ଓରଫ୍ ରେବତୀଚରଣ ଏହାକୁ ମନେ ରଖିଛନ୍ତି । ସେହି କ୍ଷତକୁ ବଡ଼ଭାଇଙ୍କଠାରୁ ଶ୍ରଦ୍ଧାର ଚିହ୍ନ ବୋଲି ସେ ଧରି ନେଇଛନ୍ତି । (ମୁଁ ତାଙ୍କୁ ଯେମିତି ଜାଣେ/ମାନସୀ ଦାସ : Kishori Charan (A Tribute)/ ପୃଷ୍ଠା-୬୬)

 

ଏହିପରି ଆଉ ଗୋଟିଏ ମଧ୍ୟ ଅତ୍ୟନ୍ତ ପୁଲକିତ ଘଟଣା ରହିଛି କିଶୋରୀଚରଣଙ୍କୁ ନେଇ । ଥରେ ରେବତୀଚରଣ ବି.ଏସସି. ପରୀକ୍ଷା ଦେଇ ସାରି ବୁଲି ଯାଇଥିଲେ ଦିଲ୍ଲୀ, ବଡ଼ଭାଇ କିଶୋରୀଚରଣଙ୍କ ନିକଟକୁ । ସେତେବେଳକୁ କିନ୍ତୁ କୁମାରୀ ଦେବୀ ନିଜ ପିଲାମାନଙ୍କୁ ଧରି କଟକ ଆସି ଯାଇଛନ୍ତି । ତେଣୁ ଦିନରେ ପୂଜାରୀ ଆସି ରନ୍ଧାବଢ଼ା କରି ଦେଇ ଯାଏ ଓ ରାତିରେ ସେମାନେ ରେସ୍ତୋରାଁରେ ଖାଇ ନିଅନ୍ତି । ପୂଜାରୀଙ୍କର ରନ୍ଧା ତୃପ୍ତିଦାୟକ ନ ଥାଏ । ଦିନେ ଦୁଇଦିନ ପରେ କିଶୋରୀଚରଣ ସେ ଖାଦ୍ୟରେ ଅତିଷ୍ଠ ହୋଇ ଉଠିଲେ । ଶେଷରେ ପ୍ରସଙ୍ଗକ୍ରମେ ସାନଭାଇ ନିକଟରେ ନିଜର ଦୁର୍ବଳତାକୁ ଭିନ୍ନ ଭାବରେ ଉପସ୍ଥାପିତ କରିବାପୂର୍ବକ ସୂଚାଇ ଦେଲେ ଯେ ବିୟର ମଦ୍ୟ ନୁହେଁ । ତାହା ନିଶା ତଳେ ଯାଏନା । ଜର୍ମାନରେ ତାକୁ ପାଣି ଭଳି ପିଅନ୍ତି । ତେଣୁ ଦିଲ୍ଲୀରେ ଗରମରୁ ରକ୍ଷା ପାଇବାକୁ ହେଲେ ବିୟର ଏକାନ୍ତ ଆବଶ୍ୟକ । ବଡ଼ଭାଇଙ୍କଠାରୁ ରାସ୍ତା ପାଇ ରେବତୀଚରଣ ମଧ୍ୟ ରେସ୍ତୋରାଁରେ ବିୟର ଚାଖିବାର ଲୋଭକୁ ସମ୍ବରଣ କରିପାରି ନାହାନ୍ତି (ମୁଁ ତାକୁ ଯେପରି ଜାଣେ / ମାନସୀ ଦାସ / Kishori Charan / ପୃଷ୍ଠା-୬୬) । ଉଭୟ ଭାଇ ଥିଲେ ବେଶ୍ ଭାବପ୍ରବଣ, ଭ୍ରମଣପ୍ରିୟ ଓ ଗଭୀର ଅଧ୍ୟୟନପ୍ରେମୀ । ଏଣୁ ଭାଇମାନଙ୍କ ମଧ୍ୟରେ ଭାବ ଥିଲା ଖୁବ୍ ନିବିଡ଼ ଓ ଅନ୍ତରଙ୍ଗ ।

 

କିଶୋରୀଚରଣଙ୍କ ପରିବାରରେ ଦେଢ଼ଶୁର ଓ ଭାଇବୋହୂଙ୍କ ମଧ୍ୟରେ ଥିବା ପୁରୁଣାକାଳିଆ ଲୁଚିବା ଇତ୍ୟାଦିର ଭାବଧାରା ନ ଥିଲା । ମାନସୀ ଦାସ ଥିଲେ ରେବତୀଚରଣଙ୍କର ପତ୍ନୀ ଓ କିଶୋରୀଚରଣଙ୍କର ଭାଇବୋହୂ । ସେ ତାଙ୍କୁ ନିଜ ସାନଭଉଣୀ ଭଳି ସ୍ନେହ କରୁଥିଲେ ଓ ମାନସୀ ଦେବୀ ମଧ୍ୟ ତାଙ୍କୁ ବଡ଼ଭାଇ ବୋଲି ଭାବୁଥିଲେ । ରେବତୀଚରଣଙ୍କୁ ବିବାହ କରିବା ପୂର୍ବରୁ ଝଙ୍କାର ପୃଷ୍ଠାରୁ କିଶୋରୀଚରଣଙ୍କ ଗପ ଇତ୍ୟାଦିକୁ ପଢ଼ି ମାନସୀ ଦେବୀ କିଶୋରୀଚରଣଙ୍କ ସାରସ୍ୱତ ଜଗତ ପ୍ରତି ଆକୃଷ୍ଟ ହୋଇ ଉଠିଥିଲେ । ମାତ୍ର ପରେ ଯେତେବେଳେ ସେ ତାଙ୍କ ପରିବାରକୁ ବୋହୂ ହୋଇ ଆସିଲେ, ସେତେବେଳେ ସେ ତାଙ୍କ ସାନ୍ନିଧ୍ୟ ଲାଭ କଲେ । ନିଜର ଗଳ୍ପକୁ କିଶୋରୀଚରଣଙ୍କୁ ଦିଅନ୍ତି ସଂଶୋଧନ ପାଇଁ । ଥରେ କିଶୋରୀଚରଣ ମଧ୍ୟ ସବୁବେଳେ କୁହନ୍ତି ଲେଖା ହେଉଛି ଲେଖକ ବା ଲେଖିକାର ନିଜସ୍ୱ ଷ୍ଟାଇଲ୍‌ର ସୃଷ୍ଟି । ତେଣୁ ତାକୁ ସଂଶୋଧନ କ’ଣ କରିହେବ ? ମାତ୍ର ସତକୁ ସତ ସେ ମାନସୀ ଦେବୀଙ୍କର ଗୋଟିଏ ଗପକୁ ସଂଶୋଧନ କରିଥିଲେ । ଗଳ୍ପର ନାଁ ଥିଲା ‘ସନ୍ଧ୍ୟାର ସଂଗୀତ’ । ଏହି ଗଳ୍ପକୁ ପଢ଼ି ସେ ହସିଥିଲେ ଓ କହିଥିଲେ ଏତିକିବେଳୁ ବୁଢ଼ାଳିଆ ଗଳ୍ପ ? ସେ ସେଦିନ ଶୀର୍ଷକ ବଦଳାଇ ଦେଇଥିଲେ । ଗଳ୍ପର ନାମକରଣ କରିଥିଲେ ‘ଅଦୃଶ୍ୟ ଦୃଶ୍ୟ’ ଭାବରେ । (ମୁଁ ତାଙ୍କୁ ଯେପରି ଜାଣେ / ମାନସୀ ଦାସ / Kishori Charan/ ପୃ-୬୮)

 

କିଶୋରୀଚରଣ ପରିବାରରେ ବଡ଼ଭାଇ ହୋଇ ରହିଥିଲେ ମଧ୍ୟ ଜଣେ ଅଭିଭାବକର ଦାୟିତ୍ୱ ଲିଭାଇ ଥିଲେ । ଅଭିଭାବକତ୍ୱର ଏକ ଆଦର୍ଶ ନମୁନା ରହିଛି ମଧ୍ୟ ଏହିଭଳି ଏକ ଅନୁଭୂତି ମଧ୍ୟରେ । ପ୍ରତିମା ପଟ୍ଟନାୟକ ଓରଫ ପ୍ରତିମାସୁନ୍ଦରୀ ମନୋରମା ଦେବୀ ଥିଲେ କିଶୋରୀଚରଣଙ୍କର ସବା ସାନଭଉଣୀ । ଜନ୍ମ ବେଳେ ବାପା-ମା ନାମ ଦେଇଥିଲେ ‘ମନୋରମା’-। କିଶୋରୀଚରଣ କିନ୍ତୁ ସେଥିରେ ପ୍ରତିମା ଶବ୍ଦ ଲଗାଇଥିଲେ । ପରବର୍ତ୍ତୀ କାଳରେ କେବଳ ସେହି ଭ୍ରାତୃଦତ୍ତ ନାମଟିକୁ ଧାରଣ କରିଥିଲେ ତାଙ୍କର ଅଲିଅଳୀ ସାନଭଉଣୀ । ଥରେ ସେ ସ୍କୁଲରେ ପାଠ ପଢ଼ୁଥିବାବେଳେ ସାହି ରାସ୍ତାରୁ ଗୋଟିଏ ଦୁଇଟିକିଆ ଶବ୍ଦକୁ ଶିଖି ରାଗିଗଲେ ବ୍ୟବହାର କରୁଥିଲେ । ଥରେ ଭାଇଙ୍କ ଉପସ୍ଥିତିରେ ସେହି ଶବ୍ଦଟି ପ୍ରତିମାଙ୍କ ତୁଣ୍ଡରୁ ଖସିପଡ଼ିଲା । କିଶୋରୀଚରଣଙ୍କର କ୍ରୋଧର ସୀମା ରହିଲା ନାହିଁ । ପ୍ରତିମାକୁ ଟାଣି ଟାଣି ନେଇଗଲେ ଗୋଟିଏ ନିରୋଳା କୋଠରିକୁ । ପଚାରିଲେ ତା’ର ଅର୍ଥ । ପ୍ରତିମା ଅବା କରନ୍ତେ କ’ଣ ? ସେହି ମୁହୂର୍ତ୍ତରୁ ହିଁ ସେ ସେହି ଶବ୍ଦଟି କେବଳ ନୁହେଁ, ସେହିପରି କୌଣସି ଶବ୍ଦକୁ ମଧ୍ୟ ଭୁଲରେ ବ୍ୟବହାର କରି ନ ଥିଲେ । ତେଣୁ ଅଭିଭାବକତ୍ୱର ନିଦର୍ଶନ ମଧ୍ୟ କିଛି କମ୍ ନ ଥିଲା ତାଙ୍କର ।

 

ଅନ୍ୟ ପକ୍ଷରେ ସେ ଏତେ ସ୍ନେହୀ ମଣିଷଟିଏ ଥିଲେ ଯେ, ନିଜର ବ୍ୟକ୍ତିଗତ ଜୀବନ ମଧ୍ୟରେ ମଧ୍ୟ ଯେବେ ସାନ ଭାଇଭଉଣୀଙ୍କର ଜିଦି ବା ଜୁଲମ ଚାଲି ଆସୁଥିଲା, ସେ ତାହାକୁ ହସି ହସି ସହି ନେଉଥିଲେ । ଏହିଭଳି ଏକ ମୁହୂର୍ତ୍ତର ମଧ୍ୟ ଅନୁଭୂତି ତାଙ୍କର ଅଛି । ସେ ବିବାହ କଲାବେଳକୁ ପ୍ରତିମାଙ୍କର ବୟସ ମାତ୍ର ୮ ବର୍ଷ । ନୂଆବୋଉଙ୍କୁ ପାଇ ସେ ଖୁବ୍ ଆନନ୍ଦିତ । ସାଙ୍ଗରେ ବସିବା, ବୁଲିବା ଇତ୍ୟାଦି କାମରେ ପ୍ରତିମା କିନ୍ତୁ ସମଭାଗୀ । ଏପରିକି ଭାଇ-ଭାଉଜଙ୍କ ସାଙ୍ଗରେ ସିନେମା ଦେଖିବାକୁ ଯାଇ ତାଙ୍କ ମଝିରେ ବସିବ ଓ ଅଧାରୁ ବେଶି ସମୟ ଶୋଇବା ଇତ୍ୟାଦିର ଜୁଲମ ଯେପରି କରୁଥିଲେ, ତାହା ଏବେ ତାଙ୍କୁ ବିସ୍ମିତ କରୁଛି । ତେଣୁ ସେ ସେହି କଥାକୁ କିଶୋରୀଚରଣଙ୍କ ଅବର୍ତ୍ତମାନରେ ସ୍ମରଣ କରି କେବଳ ଅଶ୍ରୁ ବିସର୍ଜନ କରୁଛନ୍ତି ଯାହା । (ବଡ଼ଭାଇ-ପ୍ରତିମା ପଟ୍ଟନାୟକ / Kishori Charan/ ପୃ-୫୩)

 

ଏହିପରି ଭାବରେ ଅନେକ ଛୋଟବଡ଼ ଘଟଣା ତାଙ୍କ ସ୍ମୃତିରେ ରହିଛି । ମାତ୍ର ଅନେକ କଥାକୁ ସେ ଅନ୍ତରରେ ରଖି ନେଇଛନ୍ତି । ସମୟ ନାହିଁ ତାକୁ ବଖାଣିବାକୁ । ଅନ୍ତତଃପକ୍ଷେ ଯେତିକି ସମୟ ଅଛି, ସେଥିରେ ଅନେକ କଥା କିଶୋରୀଚରଣଙ୍କୁ କହିବାକୁ ଅଛି ।

 

ନିଜ ପିଲାମାନଙ୍କ ଉପରେ କେବେହେଲେ ସେ ନିଜର ବିରକ୍ତିଭାବ ପ୍ରକାଶ କରି ନାହାନ୍ତି । ପିଲାମାନେ ଜାଣନ୍ତି ଯେ ସେ ହେଉଛନ୍ତି ଜଣେ ବେଶ୍ ଭାବପ୍ରବଣ ବ୍ୟକ୍ତିଟିଏ । ତେଣୁ କିଶୋରୀଚରଣ ଲେଖିବାରେ ମଗ୍ନ ଥିବାବେଳେ ତାଙ୍କର ଦୁଇ ଝିଅ ଥରେ କୌତୁକ କରି ପାନ ବଦଳରେ ଅଲଗା ପତ୍ରରେ ପାନ ତିଆରି କରି ତାଙ୍କ ହାତକୁ ବଢ଼ାଇ ଦେଲେ । ସେ ମଧ୍ୟ ବିଶ୍ୱାସର ସହିତ ତାହାକୁ ପାଟିରେ ପୂରାଇ ଚୋବାଇଲେ । ହାସ୍ୟକୌତୁକର ଧାରାରେ ସେ ଆଦୌ ବିଚଳିତ ନ ଥିଲେ କି ଝିଅମାନଙ୍କ ଉପରେ ଆଦୌ ବିରକ୍ତି ହୋଇ ନ ଥିଲେ । ଅଧିକନ୍ତୁ ଦିଲ୍ଲୀ ଡାକ୍ତରଖାନାରେ ଆସନ୍ନ ମୃତ୍ୟୁକୁ ଅପେକ୍ଷା କଲାବେଳେ ଝିଅ ହୀନୁକୁ ଡାକି ସେ ତାକୁ ଶିଖାଇଥିବା ଗୀତକୁ ଗାଇବାକୁ କହିଥିଲେ ଓ ନିଜେ ତା’ ସହିତ ସ୍ୱର ମିଶାଇ ଗାଇଥିଲେ । ଗୀତଟି ଥିଲା ବଂଗଳାର; “ଚାଳେଇ ହାଁସି ବାନ୍ଧ ଭେଣଁଛେ” ଇତ୍ୟାଦି । କିଶୋରୀଚରଣ ଅନେକ ରବୀନ୍ଦ୍ର ସଂଗୀତକୁ କଣ୍ଠସ୍ଥ କରିଥିଲେ ଓ ପିଲାମାନଙ୍କୁ ମଧ୍ୟ ତାହାର ଗାଇବାର ଶୈଳୀକୁ ଶିଖାଇ ଦେଇଥିଲେ ।

 

କିଶୋରୀଚରଣ ଗାଜରର ରୁଟି ବା ପରଟା ଖାଇବାକୁ ଖୁବ୍ ବେଶି ଭଲ ପାଉଥିଲେ ଓ ପ୍ରତ୍ୟହ ଜଳଖିଆ ପରେ କଫି ଖାଇବା ତାଙ୍କର ଏକ ଅଭ୍ୟାସ ଥିଲା । ଶୀତଦିନେ ଝରକା ନିକଟକୁ ଚେୟାରକୁ ଟାଣି ଟାଣି ଖରା ପୁଇଁବା ସହିତ ସେ ପ୍ରାୟ ନିଜ କଳ୍ପନା ଜଗତରେ ହଜି ଯାଉଥିଲେ ।

 

କିଶୋରୀଚରଣଙ୍କର ପାରିବାରିକ ଜୀବନ, ଅନେକ ସ୍ମୃତି-ଅନୁଭୂତିରେ ପରିପୂର୍ଣ୍ଣ ଏକ ସାର୍ଥକ ଲିପିଟିଏ ମାତ୍ର । ଶେଷ ନିଃଶ୍ୱାସ ନେବା ପର୍ଯ୍ୟନ୍ତ ସେ ଚିନ୍ତା କରୁଥିଲେ, ହାତ ସ୍ଥବିର ନ ହେବା ପର୍ଯ୍ୟନ୍ତ ତାଙ୍କର ଲେଖନୀ ଚଳଚଞ୍ଚଳ ରହିଥିଲା । ଦିଲ୍ଲୀରେ ଥା’ନ୍ତୁ କି ବିଲାତରେ-ଆମେରିକାରେ ଥାଆନ୍ତୁ ବା ଥାଆନ୍ତୁ ଆଫ୍ରିକାରେ- ନିଜକୁ ଜଣେ ସଚ୍ଚୋଟ ଭାରତୀୟ ଓ ବିଶେଷକରି ଜଣେ ସଚ୍ଚୋଟ ଓଡ଼ିଆ ବୋଲି ପ୍ରତିପାଦିତ କରିବା କ୍ଷେତ୍ରରେ ସେ ଥିଲେ ଜଣେ ଅଦ୍ୱିତୀୟ ବ୍ୟକ୍ତି । ତାଙ୍କ ବ୍ୟକ୍ତିଗତ ତଥା ପାରିବାରିକ ଜୀବନ ଏତେ ନିବିଡ଼ ଓ ମଧୁମୟ ଯେ ତାହାକୁ ବାଦ୍ ଦେଇ ତାଙ୍କୁ ବୁଝିବା ଏକ ଦୁରୂହ ବ୍ୟାପାର ହୋଇଉଠିବ ।

 

(ଖ) ପାରିବାରିକ ଜୀବନର : ଦ୍ୱିତୀୟ ପର୍ଯ୍ୟାୟ

 

ପାରିବାରିକ ଜୀବନର ପୂର୍ବ ଅଧ୍ୟାୟରେ ସେ ଥିଲେ ଅନେକାଂଶରେ ପିତାମାତା ବା ଅନ୍ୟାନ୍ୟ ଗୁରୁଜନଙ୍କ ଅଧୀନରେ । ସେ ଜୀବନ ଥିଲା ଏକ ଭିନ୍ନ ଧରଣର ଜୀବନ । ମାତ୍ର ବିବାହ ହେଲା ପରେ ଯେଉଁ ନୂତନ ଜୀବନର ସୂତ୍ରପାତ ଘଟିଲା, ସେଥିରେ କ୍ରମଶଃ ପ୍ରଥମ ଅଧ୍ୟାୟଟି ନିଷ୍ପ୍ରଭ ହୋଇଉଠିଲା, ଯଦିଓ ମୃତ୍ୟୁ ପର୍ଯ୍ୟନ୍ତ ପ୍ରଥମ ଅଧ୍ୟାୟର ଛାୟା କିଶୋରୀଚରଣଙ୍କ ଉପରେ ବଳବତ୍ତର ରହିଥିଲା, ଜୀବନରୁ ବାପା-ମା’, ବଡ଼ବାପା, ବଡ଼ମା’, ଦାଦା-ଖୁଡ଼ୀ, ଜେଜେ-ଜେଜିମା’ ଇତ୍ୟାଦିଙ୍କ ସମ୍ପର୍କକୁ କେବେ ତୁଟାଇ ହେବ ନାହିଁ- ଜୀବନରୁ ଏ ସମ୍ପର୍କ ତୁଟିବା ମଧ୍ୟ ଅସମ୍ଭବ । ଏହି ରକ୍ତର ସମ୍ପର୍କ ଧାରା ହେଉଛି ଇଏ । କିନ୍ତୁ ତାହାରି ମଧ୍ୟରେ ଆଉ ଏକ ବିଶେଷ ସ୍ଥାନ ଗ୍ରହଣ କରେ ସ୍ତ୍ରୀର ଉପସ୍ଥିତି । ସ୍ତ୍ରୀକୁ ନେଇ ଓ ପରବର୍ତ୍ତୀ କାଳରେ ନିଜର ପିଲାପିଲିଙ୍କୁ ନେଇ ଯେଉଁ ସ୍ୱପ୍ନର ସଂସାରଟି ସୃଷ୍ଟି ହୁଏ, ତାହା ପୂର୍ବ ଅଧ୍ୟାୟରୁ ଏକାବେଳକେ ନିଆରା ଅଧ୍ୟାୟଟିଏ ହୋଇ ଉଠେ ।

 

କିଶୋରୀଚରଣ ୧୯୪୭ ମସିହା ମଇ ମାସ ୬ ତାରିଖରେ ତତ୍କାଳୀନ ତୁଙ୍ଗ କଂଗ୍ରେସ ନେତା ତଥା ପାର୍ଲିଆମେଣ୍ଟ ସଦସ୍ୟ ଭୁବନାନନ୍ଦ ଦାସ ଓ ତାଙ୍କ ସହଧର୍ମିଣୀ ରୁକ୍ମିଣୀ ଦେବୀଙ୍କର ଦ୍ୱିତୀୟା କନ୍ୟା କୁମାରୀ ଦେବୀଙ୍କୁ ବିବାହ କରନ୍ତି ହିନ୍ଦୁ ପରମ୍ପରାର ବିଧିବିଧାନ ଅନୁସାରେ, ଆନୁଷ୍ଠାନିକ ଭାବରେ । କୁମାରୀ ଦେବୀଙ୍କ ଡାକ ନାଁ ‘କୁମ’ ।

 

ବିବାହବେଳକୁ କିଶୋରୀଚରଣ ନୂଆ ନୂଆ ଚାକିରି ଜୀବନ ଆରମ୍ଭ କରିଥାନ୍ତି । ତେଣୁ ଛୁଟି ମିଳିବା ବଡ଼ କଷ୍ଟକର ବ୍ୟାପାର । କାରଣ ବିବାହ କାଳକୁ ତାଙ୍କ ଚାକିରିର ଟ୍ରେନିଂ ପିରିୟଡ଼ । ଅତି କଷ୍ଟରେ ମାତ୍ର ଦୁଇଦିନ ପାଇଁ ଛୁଟି ନେଇ ଆସିଥିଲେ, କେବଳ ବିବାହ କରିବା ପାଇଁ । ଏପରିକି ଚତୁର୍ଥ କର୍ମବେଳକୁ ମଧ୍ୟ ସେ ରହିପାରିଲେ ନାହିଁ । ଯାହା ଫଳରେ ଚତୁର୍ଥ ଦିନ ବେଦୀ ଉପରେ ଗୋଟିଏ ଶିଳପୁଆକୁ କନ୍ୟାର ବର ହିସାବରେ ପ୍ରତିଷ୍ଠିତ କରାଇ କର୍ମକୁ ଆଗେଇ ନେବାକୁ ପଡ଼ିଲା ।

 

କିଶୋରୀଚରଣଙ୍କର ବିବାହ ଥିଲା ଏକ ଆୟୋଜିତ ବିବାହ । ସେତେବେଳର ପ୍ରଥାନୁସାରେ ସେ ପୂର୍ବରୁ ନିଜର ଭାବି ପତ୍ନୀଙ୍କୁ ଆନୁଷ୍ଠାନିକ ଭାବରେ ଦେଖି ନ ଥିଲେ କି କଥାବାର୍ତ୍ତା କରି ନ ଥିଲେ ମଧ୍ୟ । ମାତ୍ର ପରୋକ୍ଷ ଭାବରେ ତାଙ୍କୁ ଜାଣିଥିଲେ । ଯେତେବେଳେ ପ୍ରଥମେ ପ୍ରଥମେ ଏହି ବିବାହ ପ୍ରସ୍ତାବ ପଡ଼ୁଥିଲା, ସେତେବେଳେ କିଶୋରୀଚରଣ କଟକରେ ରହୁଥାନ୍ତି, ତାଙ୍କ ବଡ଼ବାପା ଗୁରୁଚରଣଙ୍କ ଘରେ । ବଡ଼ବାପାଙ୍କ ପୁଅ ଅର୍ଥାତ୍ ହେମଭାଇ ଓରଫ ହେମନ୍ତ କୁମାର ମହାନ୍ତି ସଦ୍ୟ ବିବାହ କରିଥାନ୍ତି ଭୁବନାନନ୍ଦ ଦାସଙ୍କ ପ୍ରଥମା କନ୍ୟା କମଳାଙ୍କୁ । ସେହି ସ୍ନେହୀ ଭାଉଜ କିଶୋରୀଚରଣଙ୍କୁ ସାହାଯ୍ୟ କରିଥିଲେ ତାଙ୍କ ସାନଭଉଣୀ କୁମ ସହିତ କିଞ୍ଚିତ୍ ଆଳାପ-ଆଲୋଚନା କରିବା ପାଇଁ । ଅନ୍ୟ ପକ୍ଷରେ ସେ ଗୌରୀ ଭାଉଜଙ୍କ ବାପଘରକୁ ମଧ୍ୟ ଅନେକଥର ଯାଉଥିଲେ ଓ ସେମାନେ ମଧ୍ୟ ଝିଅ ଦେଇଥିବାରୁ ଗୁରୁଚରଣବାବୁଙ୍କ ଘରକୁ ଆସୁଥିଲେ, ଯେଉଁଠି କିଶୋରୀଚରଣ ରହୁଥିଲେ । ଏହି ସୂତ୍ରରେ କୁମାରୀ ଦେବୀଙ୍କୁ ନିବିଡ଼ ଭାବେ ଚିହ୍ନିବାକୁ ପାଇଲେ କିଶୋରୀଚରଣ । ତେଣୁ ସେ ଜାଣିଥିଲେ ଯେ କୁମ ହେଉଛନ୍ତି ଜଣେ ଏକ୍ସଟ୍ରୋଭର୍ଟ ଜାତୀୟ ନାରୀ । ଯେହେତୁ ସେ ନିଜେ ଜଣେ ଇଣ୍ଟ୍ରୋଭର୍ଟ; ତେଣୁ ବିପରୀତଧର୍ମୀ ସାଥିଟିଏ ପାଇଁ ସେ ମଧ୍ୟ ପ୍ରସ୍ତାବରେ ରାଜି ହୋଇଯାଇଥିଲେ । ପୂର୍ବରୁ ଥରେ ଭାଉଜଙ୍କ ହାତରେ କୁମ ନିକଟକୁ ଗପଟିଏ ଲେଖି ତାଙ୍କର ମନହରଣ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ବିବାହ ପରେ ସେ ପ୍ରତିଟି କୁମାର ପୂର୍ଣ୍ଣିମା ତିଥିରେ ନିଜର ପ୍ରିୟ ସଖୀ ତଥା ପତ୍ନୀଙ୍କ ଜନ୍ମଦିନଟିକୁ ମନେପକାଇ କେବଳ କବିତାଟିଏ ଲେଖି ଉପହାର ଦେଇ ଆସିଛନ୍ତି । ଅଭୁତ ସାରସ୍ୱତ ବନ୍ଧନର ପରାକାଷ୍ଠାରେ ଆବଦ୍ଧ ସେହି ଜୀବନ ଥିଲା ସତେ !

 

କୁମଙ୍କ ସହିତ କିଶୋରୀଚରଣଙ୍କର ବିବାହ ଶେଷ ହେବାବେଳକୁ ପ୍ରାୟତଃ ରାତି ଅଧ । ଶ୍ୱଶୁର ଭୁବନାନନ୍ଦ ଦାସ ସହଜରେ ତ ସେ ଅତି ଆତିଶୟକୁ ଭଲ ପାଇ ପାରୁ ନ ଥିଲେ; ଅନ୍ୟପକ୍ଷରେ ସେ ଉଚ୍ଚ ରକ୍ତଚାପର ରୋଗୀ ଥିବାରୁ ସଂକ୍ଷେପରେ ବିବାହ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସେହି ଉତ୍ସବରେ ଉପସ୍ଥିତ ବନ୍ଧୁ-ବର୍ଗଙ୍କ ମଧ୍ୟରେ ଜଣେ ପରମ ହିତୈଷୀ ବନ୍ଧୁ ଥିଲେ କ୍ଷୀତିଶଚନ୍ଦ୍ର ନିୟୋଗୀ, ଯିଏକି ପରେ କେନ୍ଦ୍ର ମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ; ସେ କିନ୍ତୁ ଥିଲେ ପୂର୍ଣ୍ଣ ମାତ୍ରାରେ ପରମ୍ପରା ଓ ସଂସ୍କାରବାଦୀ । ତେଣୁ ସେ ଏହି ସଂକ୍ଷିପ୍ତୀକରଣକୁ ପସନ୍ଦ ନ କରି ତାହାର ପ୍ରତିବାଦ କରିବାକୁ ଲାଗିଲେ । ତେଣୁ ପରିଶେଷରେ ଏଭଳି ସଂକ୍ଷିପ୍ତୀକରଣ ହେତୁ ଯେଉଁ ଭୁଲ କରାଯାଇଛି, ତାହା ପାଇଁ ଉଭୟ ଅଗ୍ନି ଦେବତାଙ୍କୁ ଓ ଅନ୍ୟାନ୍ୟ ଦେବଦେବୀଙ୍କୁ ପ୍ରଣାମ ଜ୍ଞାପନପୂର୍ବକ ଭୁଲ ମାଗିବାକୁ ବାଧ୍ୟ ହେଲେ ଏବଂ ଏହି ମର୍ମରେ ସେହି କଥାରେ ସେଦିନ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା ।

 

ସବୁଠାରୁ ବଡ଼ କଥା ହେଉଛି ଯେ କିଶୋରୀଚରଣ ଓ କୁମାରୀ ଦେବୀଙ୍କ ବିବାହକୁ ଏକ ସ୍ଥାନୀୟ ଓଡ଼ିଆ ଖବରକାଗଜରେ ସମ୍ବାଦ ଆକାରରେ ପ୍ରକାଶ କରାଯାଇଥିଲା । ଯଦିଓ ସେହି ବାହାଘରରେ କୌଣସି ବିଶେଷତ୍ୱ ନ ଥିଲା, ତଥାପି ବୋଧହୁଏ ଏହି କାରଣରୁ ଏହା ଏକ ସମ୍ବାଦରେ ପରିଣତ ହୋଇଥିଲା- କାରଣ ସରକାରୀ ଚାକିରି କରୁଥିବା ପରିବାରର ଏକ ସରକାରୀ ଚାକିରିଆ ପୁଅ ସହିତ କଂଗ୍ରେସର ତୁଙ୍ଗନେତା ତଥା ଏମ୍‌.ପି.ଙ୍କର ଝିଅର ବାହାଘର ପ୍ରସଙ୍ଗ । ଯଦିଓ ଏହି ସମ୍ବାଦର ଅନେକ ବିଦ୍ରୂପ କରାଯାଇଥିଲା ‘ନିଆଁଖୁଣ୍ଟା’ ପତ୍ରିକାରେ ପରବର୍ତ୍ତୀ କାଳରେ । କିଶୋରୀଚରଣ ଏହାର ଖବର ରଖିଛନ୍ତି । ତାଙ୍କୁ ଏହିଭଳି ସମ୍ବାଦ ବ୍ୟକ୍ତିଗତ ଭାବରେ ଭଲ ଲାଗି ନ ଥିଲେ ମଧ୍ୟ ତତ୍କାଳୀନ ସାମାଜିକ ରୀତିନୀତି ଦୃଷ୍ଟିରୁ ଗୁରୁଜନମାନେ ଯାହା କରିଛନ୍ତି ତାହାର ଯଥାର୍ଥତାକୁ ମଧ୍ୟ ସେ ଅନୁଭବ କରିଥିଲେ ।

 

ଏରଡଙ୍ଗାର ଟ୍ରେନିଂ ପରେ କିଶୋରୀଚରଣ ପୁନଶ୍ଚ ପୁରୀ କଲେକ୍ଟୋରେଟରେ ମାଜିଷ୍ଟ୍ରେଟ୍‌ର ଟ୍ରେନିଂ ନେବାକୁ ରହିଲେ । ତେବେ ଏହି ସମୟରେ ବାରମ୍ବାର କଟକ ଆସନ୍ତି, ରୁହନ୍ତି ଓ ନବବିବାହିତା ପତ୍ନୀ ସହିତ ଦାମ୍ପତ୍ୟ ଜୀବନ ବିତାନ୍ତି । ଥରେ ଏହିପରି ଏକ ଜ୍ୟୋତ୍ସ୍ନାଧୌତ ରାତ୍ରିରେ ଶୟନ କକ୍ଷରୁ ବାହାରକୁ ଆସି ଜହ୍ନକୁ ଦେଖୁଥାନ୍ତି, ହଠାତ୍ ତାଙ୍କ ସ୍ତ୍ରୀ କୁମାରୀ ଦେବୀ ତାଙ୍କୁ କହିଲେ ଏଇ ଚାନ୍ଦ ପରି କୁନୁମୁନିଆଟିଏ ଆସନ୍ତା ନାହିଁ ଆମ କୋଳକୁ ? କିଶୋରୀଚରଣ କହିଥିଲେ ‘ତଥାସ୍ତୁ’ । ପ୍ରକୃତରେ ସେହି ଈପ୍‌ସିତ ଦିନଟି କ୍ରମେ ଖୁବ୍ ନିକଟତର ହୋଇ ଆସିଲା । ୧୯୪୮ ମସିହା ଏପ୍ରିଲ ମାସ ୧୮ ତାରିଖ ତଥା ରାମନବମୀ ଦିନ ସେମାନଙ୍କର ଇଚ୍ଛାକୁ ଚରିତାର୍ଥ କରି ତାଙ୍କ କୋଳକୁ ଏହି ଚାନ୍ଦମୁହୀଁ ଝିଅଟିଏ ଆସିଥିଲା । ପ୍ରଥମ କରି ଝିଅଟିଏ ହୋଇଥିବାରୁ ପରିବାରରେ ଅନେକ ଆନନ୍ଦ । ବିପ୍ରଚରଣ ଝିଅଟିର ନାମକରଣ କଲେ ବିଦ୍ୟୁତ୍ କୁମାରୀ । ଶିଶୁର ଅଜା ଅର୍ଥାତ୍ କୁମାରୀ ଦେବୀଙ୍କ ବାପା ଭୁବନାନନ୍ଦ ଦାସ ଝିଅକୁ ସ୍ୱାଧୀନା ବୋଲି ଡାକିବାକୁ ଲାଗିଲେ । ହେଲେ କିଶୋରୀଚରଣ ଆନନ୍ଦରେ ଝିଅର ନାମ ଦେଇଥିଲେ ହେନା ଓ ମା’ ଶ୍ରଦ୍ଧାରେ ଡାକିଲେ ‘ହୀନୁ’, କାରଣ ସେ ତା’ର ହୀନକପାଳ ପାଇଁ ମହାତ୍ମାଗାନ୍ଧିଙ୍କୁ ଦେଖିପାରିଲା ନାହିଁ । ତା’ର ଜନ୍ମ ହେବାର ବହୁ ପୂର୍ବରୁ ନାଥୁରାମ ଗଡ଼ସେ ନାମକ ଜଣେ ଲୋକ ତାଙ୍କୁ ଗୁଳିକରି ମାରି ଦେଇଥିଲା । କିଶୋରୀଚରଣଙ୍କ ଦାମ୍ପତ୍ୟ ଜୀବନର ପ୍ରଥମ ନିର୍ଦ୍ଦେଶସ୍ୱରୂପ କନ୍ୟାସନ୍ତାନର ଜନ୍ମ ତାଙ୍କ ପ୍ରାଣକୁ ସବୁବେଳେ ପୁଲକିତ କରୁଥିଲା । ଏହି କାରଣରୁ ସମ୍ଭବତଃ ସେ ନିଜ କୁନୁମୁନିଆ ଝିଅର ଫଟୋକୁ ଅନେକ ଦିନ ପର୍ଯ୍ୟନ୍ତ ନିଜର ପର୍ସ ମଧ୍ୟରେ ସାଇତି ରଖୁଥିଲେ ଓ ସମୟ ପାଇଲେ ଆଖି ପୂରାଇ ତାକୁ ଦେଖି ନିଜର ହୃଦୟକୁ ତୃପ୍ତି ପ୍ରଦାନ କରୁଥିଲେ ।

 

ଶ୍ୱଶୁର ଭୁବନାନନ୍ଦ ଦାସ କିଶୋରୀଚରଣଙ୍କୁ ଖୁବ୍ ଭଲ ପାଉଥିଲେ ଓ ତାଙ୍କର ଭବିଷ୍ୟତ ଜୀବନକୁ ସୁଦୃଢ଼ କରିବା ଲାଗି ବିଶେଷ ଯତ୍ନଶୀଳ ଥିଲେ । ଏହି କାରଣରୁ ୧୯୪୮ ମସିହାର ଶେଷ ପୂର୍ବରୁ ସେ କିଶୋରୀଚରଣଙ୍କୁ ଅଲ ଇଣ୍ଡିଆ ସିଭିଲ ସର୍ଭିସ୍ ପରୀକ୍ଷା ଦେବା ପାଇଁ ପ୍ରେରଣା ପ୍ରଦାନ କଲେ । ହାତରେ ସେତେବେଳକୁ ଖୁବ୍ ଅଳ୍ପ ସମୟ ମାତ୍ର । ବୟସ ଦୃଷ୍ଟିକୋଣରୁ ମଧ୍ୟ ଦେଖିବାବେଳକୁ ସେହି ବର୍ଷ କିଶୋରୀଚରଣଙ୍କ ପ୍ରତି ଶେଷ ସୁଯୋଗ ମାତ୍ର । ତେଣୁ ସେ ବହୁ କଷ୍ଟ କରି ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେ ।

 

ଏହି ସମୟକୁ କିଶୋରୀଚରଣଙ୍କର ଦ୍ୱିତୀୟ ସନ୍ତାନ କୁମାରୀ ଦେବୀଙ୍କ ବାପଘରେ ହୋଇ ସାରିଥାଏ । ଏହି ସନ୍ତାନଟି ଥିଲା ପୁତ୍ରସନ୍ତାନ । ନାଁ ଥିଲା ବିନୟ କୁମାର । ଡାକ ନାଁ ଥିଲା ବିନୁ । ବିନୁ ବାସ୍ତବରେ ଦେଖିବାକୁ ଖୁବ୍ ସୁନ୍ଦର ଥିଲା । କୁମାରୀ ଦେବୀ କହନ୍ତି ସେହି ଶିଶୁସନ୍ତାନଟି ତା’ର ମାମୁଙ୍କର କଳା ନେଇ ଜନ୍ମ ଗ୍ରହଣ କରିଛି ବୋଲି । କିନ୍ତୁ ପିଲାଟି ଦିନରୁ ଅତ୍ୟନ୍ତ ଦୁର୍ବଳିଆ ଥିଲା ଏବଂ ନାନାଦି ରୋଗରେ ପଡ଼ି ଅତ୍ୟନ୍ତ କଷ୍ଟ ପାଉଥିଲା । ଏହି ସମୟକୁ ସେ ପୂର୍ବରୁ ଦେଇଥିବା ଅଲ୍‍ ଇଣ୍ଡିଆ ସିଭିଲ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଯୋଗ ଦେଲେ ଇଣ୍ଡିଆନ୍ ଅଡ଼ିଟ୍ ଆକାଉଣ୍ଟ ସର୍ଭିସରେ । ଚାକିରି ସ୍ଥାନ ମାନ୍ଦ୍ରାଜରେ । ନୂଆ ଚାକିରି ଯେତିକି ଉଦବେଗ ରହିଥିଲା; ସେହି ତୁଳନାରେ ମଧ ରହିଥିଲା ଆବେଗ ଓ ଉଦ୍ଦୀପନା । ଏହାରି ମଧ୍ୟରେ ସମୟ ବିତାଉ ବିତାଉ ମାତ୍ର ମାସକ ମଧ୍ୟରେ ଏକ ଦାରୁଣ ସମ୍ବାଦ ପାଇ ସେ ଅତ୍ୟନ୍ତ ମ୍ରିୟମାଣ ହୋଇଉଠିଲେ । ସେଦିନ ଥିଲା ୧୯୫୦ ଏପ୍ରିଲ ୯ ତାରିଖ ୧୯୫୦ । ଖବରଟି ଥିଲା ଯେ, ବିନୁର ଦେହାନ୍ତ ହୋଇଯାଇଛି । ଫେରିଆସିଥିଲେ ଘରକୁ । କୁମାରୀ ଦେବୀଙ୍କ ଆଖିରେ ଆଖି ମିଶାଇ କାନ୍ଦିଥିଲେ ସେ ସେଦିନ । ବିନୁର ଶୁକୁଟା ମୁହଁ, ଲାଳେଇ ଲାଳେଇ ବିସ୍କୁଟ କି ଲଜେନ୍ସ ଖାଇବାର ସ୍ମୃତିମାନ ତାଙ୍କୁ ବିଚଳିତ କରି ଦେଉଥିଲା । ଏଥର ସେ କୁମାରୀ ଦେବୀଙ୍କୁ ନିଜ ସାଙ୍ଗରେ ମାନ୍ଦ୍ରାଜକୁ ନେଇ ଆସିଲେ ।

 

ମାନ୍ଦ୍ରାଜର ଟ୍ରେନିଂ ପରେ ତାଙ୍କର ଚାକିରି ପୁରୀକୁ ସ୍ଥାନାନ୍ତରିତ ହୋଇଥିଲା । ସେତେବେଳେ ଓଡ଼ିଶାର ଆକାଉଣ୍ଟସ ଜେନେରାଲ ଅଫିସ୍‌ଟି ରାଞ୍ଚିରେ ଥିଲେ ମଧ୍ୟ ପୁରୀରେ ତାହାର ଏକ ଶାଖା ରହିଥିଲା । ସେହି ଶାଖା କାର୍ଯ୍ୟାଳୟରେ ଅବସ୍ଥାପିତ ହେଲେ କିଶୋରୀଚରଣ-। ସେହିଠାରେ କିଶୋରୀଚରଣଙ୍କର ଦ୍ୱିତୀୟ କନ୍ୟାର ଆବିର୍ଭାବ ଘଟିଥିଲା । ପିଲାଟି ଜନ୍ମବେଳୁ ବେଶ୍ ହୃଷ୍ଟପୁଷ୍ଟ ହୋଇଥିଲା । ପୁରୀରେ ଜନ୍ମ ଲାଭ କରିଥିବାରୁ ସେ ତା’ର ନାମ ରଖିଥିଲେ ବୀଚିବାଳା; ଡାକ ନାଁ ରହିଥିଲା ଚିନୁ ।

 

କିଶୋରୀଚରଣ ଯେତେବେଳେ ଦିଲ୍ଲୀରେ ଅବସ୍ଥାନ କରୁଥିଲେ, ସେତେବେଳେ ତାଙ୍କ ପାରିବାରିକ ସ୍ତରରେ ଗୋଟିଏ ଅଘଟଣ ଘଟିଗଲା । ୧୯୫୪ରେ ତାଙ୍କର ଶଳା ଉତ୍କଳ ରଞ୍ଜନ ଓରଫ ଅଜୁ ଏକ ପ୍ରେମଜନିତ ବ୍ୟାପାରରୁ ଆତ୍ମହତ୍ୟା କରିଥିଲା ତାଙ୍କ କଟକସ୍ଥିତ ବାସଗୃହରେ । ସେ ମଧ୍ୟ କିଶୋରୀଚରଣଙ୍କ ପରି ଗଳ୍ପ, କବିତା ଲେଖୁଥିବାରୁ କିଶୋରୀଚରଣଙ୍କର ସେ ଅତ୍ୟନ୍ତ ପ୍ରିୟ ଥିଲେ । ତାଙ୍କର ଅବର୍ତ୍ତମାନରେ ସେ ମଧ୍ୟ ଖୁବ୍ ଦୁଃଖିତ ହୋଇ ଉଠିଥିଲେ ।

 

କିଶୋରୀଚରଣଙ୍କ ଜୀବନୀରେ ପୁଣି ତିନିଗୋଟି ଘଟଣା ଘଟିଥିଲା ତାଙ୍କ ପାରିବାରିକ ଜୀବନରେ । ତାହା ହେଉଛି ତାଙ୍କର ତିନୋଟି ସନ୍ତାନର ଆବିର୍ଭାବର ଘଟଣା । ୧୯୫୩ ମସିହା ଅଗଷ୍ଟ ମାସ ୨୦ ତାରିଖରେ ଗୋଟିଏ ସୁକୁମାରୀ ସୁନ୍ଦରୀ ଝିଅଟିଏ ଜାତ ହୋଇଥିଲା ଦିଲ୍ଲୀର ଲେଡ଼ିହାଡିଜ୍ ହସ୍‌ପିଟାଲରେ । ସେ ତା’ର ନାମକରଣ କରିଥିଲେ ବିଶ୍ୱଜିତା । ଡାକ ନାମ ବେବି । ସୁଦଶାବ୍ରତ ଦିନ ଜନ୍ମ ଲାଭ କରିଥିବାରୁ ତା’ର ଆଈ ତାକୁ ସ୍ନେହରେ ଡାକୁଥିଲେ ସୁଦଶାରାଣୀ ବୋଲି । ୧୯୫୫ ମସିହା ଏପ୍ରିଲ ୧୩ ତାରିଖରେ ଜନ୍ମ ଲାଭ କରିଥିଲା କଟକରେ ତାଙ୍କର ଆଉ ଗୋଟିଏ ଝିଅ । ତା’ର ନାମ ଥିଲା ବିଦ୍ୟାବତୀ, ଡାକ ନାଁ କୁନ୍‌ ବେବି ଏବଂ ୧୯୫୭ ମସିହା ଜୁଲାଇ ୧୨ ତାରିଖରେ ପୁଅଟିଏ ଜନ୍ମଲାଭ କରିଥିଲା ଦିଲ୍ଲୀର ଉଇଲିଂଡନ୍ ହସ୍‌ପିଟାଲରେ । ହନୁମାନ୍‌ଙ୍କ କୃପାରୁ ତା’ର ଜନ୍ମ ହୋଇଥିବାରୁ ତା’ର ନାମ ଦିଆଯାଇଥିଲା ଅଂଜନୀକୁମାର । ଡାକ ନାଁ ଥିଲା ଧୀରୁ । ଏହିଭଳି ଭାବରେ ତାଙ୍କର ୫ଟି ପିଲାର ସଂସାର ବେଶ୍ ଆନନ୍ଦ ମୁଖରିତ ଅବସ୍ଥାରେ ଗତି କରିବାକୁ ଲାଗିଥିଲା ।

 

କିଶୋରୀଚରଣଙ୍କୁ ଯେତେବେଳେ ଆମେରିକା ଯିବାର ପ୍ରସ୍ତାବ ଦିଆଗଲା, ସେତେବେଳେ ତତ୍କାଳୀନ ଭାରପ୍ରାପ୍ତ ଅଫିସରଜଣକ ତାଙ୍କୁ ତାଙ୍କ ପିଲାପିଲିଙ୍କ ସଂଖ୍ୟା କଥା ପଚାରିଥିଲେ । କିଶୋରୀଚରଣ ତା’ର ଉତ୍ତରରେ ପାଞ୍ଚ ବୋଲି ଉଲ୍ଲେଖ କରିଥିଲେ ମଧ୍ୟ ଏଭଳି ପ୍ରଶ୍ନର ଆବଶ୍ୟକତା ସମ୍ପର୍କରେ ଅନୁସନ୍ଧାନ କରିଥିଲେ ଓ ଜାଣିଥିଲେ ଯେ ଖର୍ଚ୍ଚର ମିତବ୍ୟୟିତା ଦୃଷ୍ଟିକୋଣରୁ ବହୁ ସଂଖ୍ୟା ପିଲାଝିଲାର ପିତାକୁ ସାଧାରଣତଃ ସେପରି ସୁଯୋଗ ପ୍ରଦାନ କରାଯାଇ ନ ଥାଏ । ମାତ୍ର କିଶୋରୀଚରଣ ସ୍ପଷ୍ଟ ଜଣାଇଥିଲେ ଯେ ସେ ଯଦି ଯିବେ, ତେବେ ସାଙ୍ଗରେ ସ୍ତ୍ରୀ ଓ ପାଞ୍ଚଟି ସନ୍ତାନକୁ ନେଇ ଯିବେ । ଯାହାହେଉ ସେଭଳି ପ୍ରସ୍ତାବ ଶେଷ ପର୍ଯ୍ୟନ୍ତ ସ୍ୱୀକୃତି ଲାଭ କରିଥିଲା ଓ ସେ ସ୍ତ୍ରୀ ଓ ପାଞ୍ଚଟି ପିଲାକୁ ନେଇ ଆମେରିକା ଯାତ୍ରା କରିଥିଲେ ନିଜ ବୃତ୍ତିଗତ କାର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସଂପନ୍ନ କରିବା ପାଇଁ ।

 

ଆମେରିକା ଯାତ୍ରା କାଳରେ ତତ୍କାଳୀନ ନିୟମାନୁଯାୟୀ ତାଙ୍କୁ ଜଳଯାତ୍ରା କରିବାକୁ ପଡ଼ିଥିଲା । ଜାହାଜରେ ଦୋହଲି ଦୋହଲି ମାସଟିଏ ଅତିବାହିତ କରିବାକୁ ପଡ଼ିଲା । ସେତେବେଳେ ଚାରିବର୍ଷର ପୁଅ ଧୀରୁର ଆନନ୍ଦ କହିଲେ ନ ସରେ । ସେ ତ ହୁଇସିଲ୍ ମାରି ମାରି ଜାହାଜର ଏମୁଣ୍ଡରୁ ସେମୁଣ୍ଡକୁ ଦୌଡ଼ି ଦୌଡ଼ି ବୁଲୁଥାଏ । ଆଉ ଝିଅମାନେ ଆନନ୍ଦରେ ନିଜ ନିଜର ଖେଳକୁଦରେ ମଗ୍ନ ରହୁଥିଲେ । ସେମାନେ ଏହି ସମୟରେ କ’ଣ ବା କରନ୍ତେ ? ମାଗାଜିନ ପଢ଼ିବା, ତାସ ଖେଳିବା, ଗପ କରିବା ଓ ଉତ୍ତାଳ ନୀଳ ଲହରୀର ଶୋଭାରେ ଆତ୍ମହରା ହୋଇ ଉଠିବାରେ ଯେପରି ମଗ୍ନ ରହି ଯାଉଥିଲେ । ଏହି ଜଳଯାତ୍ରା ସମୟରେ ସେମାନେ ଏକ ବିଚିତ୍ର ଦୃଶ୍ୟକୁ ମଧ୍ୟ ଦେଖି ଆତ୍ମହରା ହୋଇଉଠିଥିଲେ । ତାହା ହେଉଛି ସମୁଦ୍ରରେ ଲମ୍ଫ ପ୍ରଦାନ କରୁଥିବା ଉଡ଼ନ୍ତା ମାଛକୁ । ଏହି ମାଛଗୁଡ଼ିକ ନିଜର ସ୍ୱଭାବବଶତଃ ଖୁବ୍ ଉଚ୍ଚକୁ ଓ ଖୁବ୍ ଦୂରକୁ ଲମ୍ଫ ପ୍ରଦାନ କରି ବିଚରଣ କରୁଥିଲେ । ବାସ୍ତବରେ ସେହି ଦୃଶ୍ୟ ଥିଲା ଅତ୍ୟନ୍ତ ଆକର୍ଷଣୀୟ ତଥା ଚିତ୍ତାକର୍ଷକ; ଉଭୟ ତାଙ୍କ ପାଇଁ ଓ ତାଙ୍କ ପିଲାମାନଙ୍କ ପାଇଁ ।

 

ଯେତେବେଳେ ଲଣ୍ଡନରେ ପହଞ୍ଚି ସେମାନେ ଟେମସ୍ ନଈ ଉପରେ ଥିବା ସୁବିଖ୍ୟାତ ଲଣ୍ଡନ ବ୍ରିଜ୍‌କୁ ଟ୍ୟାକ୍ସିରେ ବସି ପାରି ହେଉଥିଲେ, ସେତେବେଳେ ତାଙ୍କ ପିଲାମାନେ ଅତି ଉଚ୍ଚ ସ୍ତରରେ ଗାନ କରୁଥିଲେ, “ଲଣ୍ଡନ ବ୍ରିଜ୍ ଇଜ୍ ଫଲିଙ୍ଗ ଡାଉନ ଡାଉନ....।” ବାସ୍ତବରେ ସେ ବେଳର ଅନୁଭୂତି ଏକାନ୍ତ ବିସ୍ମୟକର ଓ ଆନନ୍ଦଦାୟକ ।

 

ଲଣ୍ଡନରୁ ଆମେରିକା ଯିବା ପାଇଁ ଆଟଲାଣ୍ଟିକ ମହାସାଗରକୁ ଅତିକ୍ରମ କରିବାକୁ ପଡ଼ିବ । ସେମାନେ ଏହି କାରଣରୁ ଯେଉଁ ଜାହାଜରେ ଚଢ଼ିଲେ, ତାହା ଥିଲା ଏକ ବଡ଼ ଜାହାଜ । ସେ ପିଲାମାନଙ୍କୁ ବୁଝାଇଦେଲେ ଯେ ଏହି ଜାହାଜର ନାମ ହେଉଛି ଏସ୍‌.ଏସ୍‌. କୁଇନ୍ ଏଲିଜାବେଥ୍ ବୋଲି । ସବୁଠାରୁ ପୃଥିବୀର ବଡ଼ ଜାହାଜ ଓ ‘ଏ’ ଶ୍ରେଣୀୟ ଜାହାଜ ବୋଲି ମଧ୍ୟ । ଯାତ୍ରାର ଶେଷାଂଶକୁ ମନଭରି ଉପଭୋଗ କରିବା ପାଇଁ ସେ ନିଜ ସ୍ତ୍ରୀକୁ ଓ ପିଲାମାନଙ୍କୁ ଉତ୍ସାହିତ କରୁଥିଲେ ଯାହା । କିନ୍ତୁ ଜାହାଜ ମଧ୍ୟରେ ଅଧିକ ଦୋକାନ-ଡାଲିଆ ଥିବାରୁ ପ୍ରଥମେ ହିଁ କିଶୋରୀଚରଣଙ୍କ ଦେହ ଅସୁସ୍ଥ ହୋଇ ଉଠିଲା, ଯାହାକୁ ସାମୁଦ୍ରିକ ଅସୁସ୍ଥତା (Sea Sickness) ବୋଲି କୁହାଯାଇଥାଏ ।

ଆମେରିକାରେ ରହି ସେ କ୍ୟାନେଡ଼ା, ମେକ୍‌ସିକୋ ଓ ଦକ୍ଷିଣ ଆମେରିକାର ବିଭିନ୍ନ ଦେଶରେ କାମ କରିବାକୁ ଯାଇ, ସେହି ସବୁ ଦେଶ ଭ୍ରମଣ କରିବାର ସୁଯୋଗ ପାଇଥିଲେ । ମାତ୍ର ତାଙ୍କ ମନରେ ଦୁଃଖ ମାତ୍ର ଏତିକି ଯେ ସେ ନିଜର ଏହି ଅନୁଭୂତିରେ ସ୍ତ୍ରୀ ଓ ପିଲାମାନଙ୍କୁ ସାମିଲ କରାଇପାରି ନ ଥିଲେ । ସେମାନଙ୍କୁ ସେ କେବଳ ନ୍ୟୁୟର୍କ ସିଟି ଓ ନାଏଗ୍ରା ଫଲ୍ସକୁ ଦେଖାଇ ଆଣିବାର ଓ ସେହି ଆନନ୍ଦ ଉପଭୋଗ କରିବାର କାର୍ଯ୍ୟଟିକୁ ଯାହା ସଂପନ୍ନ କରିଥିଲେ ସେଠିକାର ଛୁଟି ଦିବସରେ ।

 

ଆମେରିକା ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କୁ ପ୍ରାୟତଃ ଆରେଇ ଯାଇଥିଲା କହିଲେ ଚଳେ । କେବଳ ଧୀରୁ ବ୍ୟତୀତ କିଶୋରୀଚରଣଙ୍କ ସମସ୍ତ ପିଲାମାନଙ୍କୁ ଆଖପାଖର ସମସ୍ତ ସରକାରୀ ସ୍କୁଲରେ ନାମ ଲେଖାଇ ପାଠ ପଢ଼ିବାର ସୁବିଧା ସୁଯୋଗ ମିଳିଗଲା । ମାତ୍ର ଧୀରୁ ପାଇଁ କୌଣସି ସ୍କୁଲ ନାହିଁ । କାରଣ ତାଙ୍କ ଦେଶର ନିୟମାନୁସାରେ ୬ ବର୍ଷ ପୂର୍ବରୁ ପିଲାମାନଙ୍କୁ ପାଠ ପଢ଼ାଇବା ମନା । ତେଣୁ ତାକୁ ଏକ ନର୍ସରୀ ସ୍କୁଲକୁ ମାତ୍ର ଯିବାକୁ ପଡ଼ିଥିଲା ।

 

କିଶୋରୀଚରଣଙ୍କର ଯେଉଁ ପିଲାମାନେ ସେଠାକାର ବିଦ୍ୟାଳୟରେ ପାଠ ପଢ଼ିଲେ, ତାହା ମଧ୍ୟ ଏକ ବିଶେଷ ଧରଣର ପାଠପଢ଼ା । କାରଣ ପିଲାମାନଙ୍କୁ ମିଳିଥିବା ବହି ଓ ଖାତା ନିଜ ନିଜର ଡେସ୍କର ଡ୍ରୟାରରେ ରୁହେ । ସାଧାରଣତଃ ପାଠ ପଢ଼ାର ବୋଝ ଭାବରେ କୌଣସି ପ୍ରକାରର ଗୃହକର୍ମ (Home Work) ସେଠାରେ ଦିଆଯାଏ ନାହିଁ । ତେବେ ତାଙ୍କୁ ନିଜ ନିଜର ଘରୋଇ ଜୀବନକୁ ବର୍ଣ୍ଣନା କରିବା ଦିଗରେ ପ୍ରୋତ୍ସାହିତ କରାଯାଇଥାଏ । ସେମାନଙ୍କ ଶ୍ରେଣୀରେ ଏକପ୍ରକାର ବିଶେଷ ଧରଣର ପାଠ୍ୟକ୍ରମର ବ୍ୟବସ୍ଥାଟିଏ ଥାଏ; ତାହା ହେଉଛି ‘Show & Tell’ ପଦ୍ଧତି । ଘରୁ ଗୋଟିଏ ଯେକୌଣସି ଜିନିଷ ନେଇଯିବ ଓ ସେ ବିଷୟରେ ଅନର୍ଗଳ ଭାବରେ କହିବ । ଫଳରେ ଯେ କୌଣସି ଦ୍ରବ୍ୟ ବା ବସ୍ତୁ ସମ୍ପର୍କରେ ଅନର୍ଗଳ ଭାବରେ ନିଜର ଭାବନାକୁ ବ୍ୟକ୍ତ କରିବାର ଅଭ୍ୟାସଟି ବଳବତ୍ତର ରହିବ । ତାଙ୍କ ଦେଶର ସଂସ୍କାର କ୍ରମରେ ଶିକ୍ଷକଙ୍କୁ କ୍ଲାସ ରୁମରେ "ଗୁଡ଼ ମର୍ଣିଂ ସାର' କହିବା ଓ ପ୍ରବେଶ ମାତ୍ରେ ଠିଆ ହେବା ପରି ନିୟମ ନାହିଁ । ବିଶେଷତଃ ସେଠାରେ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କର ବନ୍ଧୁ, ମାର୍ଗଦର୍ଶକ ଓ ଜଣେ ବିଶେଷ ଧରଣର ଦାର୍ଶନିକ । କହିବାକୁ ଗଲେ ସେଠାରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆତ୍ମୀୟତା ଖୁବ୍ ଅଧିକ ।

 

ଆମେରିକା ଯିବାବେଳେ କୁମାରୀ ଦେବୀଙ୍କ ମନରେ ଆଶଙ୍କା ଥିଲା ଯେ କିଶୋରୀଚରଣ ତାଙ୍କ କାର୍ଯ୍ୟକୁ ନେଇ ଯେତେବେଳେ କାର୍ଯ୍ୟାଳୟରେ ବ୍ୟସ୍ତ ରହିବେ, ସେତେବେଳେ ସେ ଏକାନ୍ତ ଭାବରେ ନିଃସଙ୍ଗ ହୋଇଉଠିବେ । କିନ୍ତୁ ଆମେରିକାରେ ପହଞ୍ଚିବା ପରେ ଏଭଳି ଆଶଙ୍କା ଯେ ଅମୂଳକ, ତାହା ସ୍ପଷ୍ଟ ହୋଇଉଠିଲା । କାରଣ କିଶୋରୀଚରଣ ଯେଉଁଠି କାର୍ଯ୍ୟ କରୁଥିଲେ, ସେହି ଅଫିସଟି ଥିଲା ଗୋଟିଏ ଛୋଟିଆ ଅଫିସଟିଏ ମାତ୍ର । ଜଣେ ଅବିବାହିତା ଡେପୁଟି ଡାଇରେକ୍ଟର ଓ ଛଅ ଜଣ ଆକାଉଣ୍ଟାଣ୍ଟକୁ ନେଇ ତାଙ୍କର କାର୍ଯ୍ୟାଳୟର କାମ । ତାଙ୍କୁ ମନେହେଲା ଯେପରି ସେଥିରେ ସେମାନେ ମିଶିଗଲେ, ତାହା ଗୋଟିଏ ଯୌଥ ପରିବାର । ତେଣୁ ଏକାଠି ପିକ୍‌ନିକ୍ କରିବା, ସ୍ତ୍ରୀ, ସ୍ୱାମୀ ଓ ପିଲାମାନଙ୍କୁ ନେଇ ବିଭିନ୍ନ ଆସର ସୃଷ୍ଟି କରିବା ଇତ୍ୟାଦିରେ ନିଃସଙ୍ଗତା ଆଦୌ ଅନୁଭବ ମଧ୍ୟକୁ ଆସୁ ନ ଥିଲା । ସେଠାରେ ମଧ୍ୟ ବହୁତ ଭାରତୀୟ ଲୋକ ରହିଥିଲେ । ତା’ଛଡ଼ା ସେଠାରେ ଗୋଟିଏ ବିଚିତ୍ର ଧରଣର କ୍ଲବ ଥିଲା । ତାହାର ନାମ ଥିଲା, “ୱେଲକମ୍ ଟୁ ୱାସିଂଟନ କ୍ଲବ” । ଏହି କ୍ଲବଟି ଥିଲା ତା’ର ଡିପ୍ଲୋମାଟିକ୍ ମହଲର ପତ୍ନୀମାନଙ୍କ ପାଇଁ । ସେଠାରେ ମଧ୍ୟ ‘କୁମାରୀ ଦେବୀ’ଙ୍କୁ ବହୁତ ଆମେରିକାନ୍ ବନ୍ଧୁ ମିଳିଗଲେ ଭାବର ଆଦାନ ପ୍ରଦାନ ପାଇଁ । ଏହି ବନ୍ଧୁ ପରିସର ମଧ୍ୟରେ କୁମାରୀ ଦେବୀଙ୍କର ଆତ୍ମିକ ବନ୍ଧୁ ହୋଇ ପାରିଥିଲେ ଜଣେ ଆମେରିକାନ୍ ମିଶନାରୀଙ୍କ ସ୍ତ୍ରୀ, ଯିଏକି ଡିପ୍ଲୋମାଟିକ୍ ମହଲଠାରୁ ବହୁତ ଦୂରରେ ଥିଲେ । ଏପରିକି ଆମେରିକାରୁ ଫେରିବା ପରେ ମଧ୍ୟ ତାଙ୍କ ସହିତ ବନ୍ଧୁତ୍ୱ ପ୍ରାୟ ବହୁଦିନ ପର୍ଯ୍ୟନ୍ତ ବଳବତ୍ତର ଥିଲା ।

 

କୁମାରୀ ଦେବୀ ଆମେରିକାରେ କେବଳ ନୂଆ ବନ୍ଧୁବାନ୍ଧବୀଙ୍କ ସହିତ ନିଜର ହସଖୁସିକୁ ବାଣ୍ଟି ସମୟ ବିତାଉ ନ ଥିଲେ, ଅଧିକନ୍ତୁ ଗୋଟିଏ ମହତ୍ କାମରେ ମଧ୍ୟ ନିଜକୁ ନିୟୋଜିତ କରିଥିଲେ । ଜଣେ ବରିଷ୍ଠ ଭାରତୀୟ ଆର୍ମି ଅଫିସରଙ୍କର ସ୍ତ୍ରୀଙ୍କ ସହିତ ମିଶି ସେ ନର୍ସମାନଙ୍କ ସହଯୋଗୀ (Nurses Aide) ଭାବରେ ୱାଶିଂଟନରେ ଥିବା ଦୁଇଟି ବଡ଼ ବଡ଼ ହସପିଟାଲରେ କାମ କରୁଥିଲେ । କେବଳ ଔଷଧ ଦେବା ଓ ଇଂଜେକ୍‌ସନ ଦେବା ବ୍ୟତୀତ ରୋଗୀଙ୍କର ବିଛଣାପତ୍ର ସଜାଡ଼ିବା, ତାଙ୍କୁ ବେଡ଼ ପ୍ୟାନ ଦେବା ଓ ତାଙ୍କ ସହିତ ଗପ-ଟପ କରି ତାଙ୍କୁ ଦୁଃଖକଷ୍ଟରୁ ଲାଘବ କରିବା ଇତ୍ୟାଦି କାର୍ଯ୍ୟ ସମ୍ପନ୍ନ କରୁଥିଲେ । ଯାହା ଫଳରେ ସେଠାକାର ରେଡ଼କ୍ରସ ସୋସାଇଟି ତରଫରୁ ତାଙ୍କୁ ଗୋଟିଏ ପ୍ରଶଂସାମୂଳକ ସାର୍ଟିଫିକେଟ୍‌ଟିଏ ମଧ୍ୟ ମିଳିଛି ।

 

ଆମେରିକାର ରହଣି ଥିଲା ମାତ୍ର ଅଢ଼େଇ ବର୍ଷ । ସେହି ଦିନର ପାରିବାରିକ ସ୍ମୃତି ଅତ୍ୟନ୍ତ ଅବିସ୍ମରଣୀୟ ଥିଲା କିଶୋରୀଚରଣଙ୍କ ପାଇଁ ।

 

୧୯୬୫ରୁ ୧୯୬୯ ପର୍ଯ୍ୟନ୍ତ ଦୀର୍ଘ ଚାରିବର୍ଷ ସେ କଲିକତା କର୍ପୋରେସନରେ କାର୍ଯ୍ୟ କରୁଥିବାବେଳେ କାର୍ଯ୍ୟାଳୟରେ ଯେପରି ବିଶେଷ ସନ୍ତୋଷ ତାଙ୍କୁ ମିଳୁ ନ ଥିଲା, ଅନୁରୂପ ଭାବରେ ପରିବାର ମଧ୍ୟରେ ମଧ୍ୟ ସେ ବିଶେଷ ଶାନ୍ତି ପାଇପାରୁ ନ ଥିଲେ । ପିଲାମାନଙ୍କ ପାଠପଢ଼ା ନେଇ ଦେଖା ଦେଇଥିବା ଅର୍ଥାଭାବରୁ ମୁଣ୍ଡ ଟେକୁଥିବା ବିଭିନ୍ନ ପ୍ରକାରର ଉଦବେଗ ସାଙ୍ଗକୁ ବଡ଼ଝିଅ ହୀନୁର ସ୍ୱାସ୍ଥ୍ୟ ତାଙ୍କୁ ବିଶେଷ ଭାବରେ ବିଚଳିତ କରୁଥିଲା । ହଠାତ୍ ଜଣେ ଡାକ୍ତର କହିଲେ ଯେ, ହୀନୁର ହାର୍ଟରେ କିଛି ଗଣ୍ଡଗୋଳ ରହିଛି । ତାକୁ କୌଣସି ହାର୍ଟ ସ୍ପେଶାଲିଷ୍ଟଙ୍କୁ ଦେଖାଇବାକୁ ପରାମର୍ଶ ମଧ୍ୟ ଦେଲେ । ପ୍ରଥମେ ପ୍ରଥମେ କିଶୋରୀଚରଣ ଏହି କଥାକୁ ବିଶ୍ୱାସ କରିପାରୁନଥିଲେ ମଧ୍ୟ ଯେତେବେଳେ ହାର୍ଟ ସ୍ପେଶାଲିଷ୍ଟଙ୍କୁ ସେ ଦେଖାଇଲେ, ସେତେବେଳେ ତାଙ୍କୁ ଆକାଶରୁ ଖସିପଡ଼ିଲା ପରି ମନେହେଲା । ସାଧାରଣ ସର୍ଦ୍ଦି-କାଶ ବେଳେ ଷ୍ଟ୍ରେଫ୍ଟୋକୋକାଇ (Streptococei) ବୀଜାଣୁମାନେ କେତେବେଳେ ହାର୍ଟ ଭିତରକୁ ପ୍ରବେଶ କରି ଯାଇଛନ୍ତି ଓ ହାର୍ଟର ଭାଲ୍‌ବକୁ ସଂକୁଚିତ କରି ଦେଇଛନ୍ତି । ଔଷଧଦ୍ୱାରା ଏହି ବେମାରିକୁ କେବଳ ଆୟତ୍ତ କରାଯାଇପାରିଲେ ମଧ୍ୟ ସ୍ଥାୟୀ ପ୍ରତିକାର ପାଇଁ ତାହାର ଅପରେସନ୍ ଏକାନ୍ତ ଆବଶ୍ୟକ ।

 

ଏତେବେଳକୁ ହୀନୁ ଇଂରାଜୀରେ ଡିଷ୍ଟିଙ୍କ୍‌ସନ୍ ସହ ଗ୍ରାଜୁଏସନ ଶେଷ କରିସାରିଲାଣି । ବିବାହ ବୟସ ହେଲାଣି । ଏହି ସମୟକୁ ମଧ୍ୟ କିଶୋରୀଚରଣଙ୍କ ବାପା-ମା ବ୍ୟସ୍ତ ହୋଇ ଉଠିଲେଣି ତାଙ୍କ ବଡ଼ ନାତୁଣୀ ତଥା ହୀନୁର ବିବାହ କରିବା ପାଇଁ । କିଶୋରୀଚରଣ କାହାକୁ କିଛି କହିପାରୁ ନ ଥା’ନ୍ତି, କେବଳ ସମୟ ବିଳମ୍ବ କରାଉଥାନ୍ତି ଯାହା । ନିଜର ପୋଷ୍ଟିଂ ଅନୁସାରେ ଯେଉଁଠିକି ଯାଉଥାନ୍ତି; ସେଠି ଝିଅର ଚିନ୍ତା ଲାଗି ରହୁଥାଏ । ସେ ନିକଟସ୍ଥ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ କେବେ ଭୁଲନ୍ତି ନାହିଁ । ଏହିପରି ଥରେ ବରୋଦାରେ ମଧ୍ୟ ଜଣେ ଚିକିତ୍ସକଙ୍କ ସହିତ ସେ ପରାମର୍ଶ କରିଥିଲେ । ସେ ଗୋଟିଏ ନୂଆ ଆଶାବାଣୀ ଶୁଣାଇଲେ କିଶୋରୀଚରଣଙ୍କୁ । ଦିଲ୍ଲୀର ଅଲ୍ ଇଣ୍ଡିଆ ମେଡ଼ିକାଲ ଇନ୍‌ଷ୍ଟିଚିଉଟରେ କାମ କରୁଥିବା ହାର୍ଟ ସ୍ପେଶାଲିଷ୍ଟ ଡଃ ଗୋପୀନାଥ ଏହି ଦିଗରେ ଜଣେ ବିଚକ୍ଷଣ ଡାକ୍ତର । ତାଙ୍କର ହାତ ମଧ୍ୟ ଖୁବ୍ ଭଲ । ତେଣୁ କିଶୋରୀଚରଣ ଦ୍ୱନ୍ଦରେ ପଡ଼ିଗଲେ । ବରୋଦାର ଡାକ୍ତର ସୂଚାଇ ଦେଇଛନ୍ତି ସଫଳତାର ଚାନ୍ସ ଫିପ୍‌ଟି ଫିପ୍‌ଟି । କିନ୍ତୁ କିଶୋରୀଚରଣଙ୍କର ଶଙ୍କାକୁ ଦୂର କରିଦେଲେ ତାଙ୍କର ଝିଅ ହୀନୁ । ଯଦି ଡାକ୍ତର ରିସ୍କ ନେଇ ଅପରେସନ କରିବେ, ତେବେ ସେ କାହିଁକି ରିସ୍କ ନ ନେବ ? ଏମିତି ନିରର୍ଥକ ଜୀବନରେ ବଞ୍ଚି ଲାଭ ବା କଅଣ ଥାଇପାରେ ? ତେଣୁ କିଶୋରୀଚରଣ ଶେଷରେ ରାଜି ହେଲେ । ଝିଅର ଅପରେସନ ହେଲା, ୧୯୭୧ ମସିହାରେ । କିନ୍ତୁ ତା’ର ଯନ୍ତ୍ରଣାର ଶେଷ ସେଇଠି ନ ଥିଲା । ଅପରେସନ୍‌ରୁ ଇନଫେକ୍‌ସନ ହୋଇ ହାର୍ଟ ଚାରିପାଖରେ ପୂଜ ହୋଇଗଲା । ଔଷଧ ସେ ପର୍ଯ୍ୟନ୍ତ ପହଞ୍ଚିପାରିଲାନି, ତେଣୁ ପରେ ପରେ ତାକୁ ପୁଣି ଦୁଇଥର ଅପରେସନର ଯନ୍ତ୍ରଣା ସହ୍ୟ କରିବାକୁ ପଡ଼ିଲା । ପ୍ରାୟ ତିନି-ଚାରି ମାସ ହସ୍‌ପିଟାଲ ବେଡ଼ରେ ପଡ଼ି ରହି ଶେଷରେ ସେ ସୁସ୍ଥ ହେଲା । ତେବେ ଏହି ତିନି-ଚାରି ମାସ ମଧ୍ୟରେ ଝିଅର ବଞ୍ଚିବାକୁ ନେଇ କମ୍ ଆବେଗାୟିତ ହୋଇ ରହି ନାହାନ୍ତି କିଶୋରୀଚରଣ । ନିଜର ସମସ୍ତ ବିଦ୍ୟାବୁଦ୍ଧି ଓ ସାଧାରଣ ବିଚାରବୋଧ ସବୁ କିଛି ଲୋପ ପାଇଯାଇଥିଲା, ସମକାଳୀନ ଅନ୍ଧବିଶ୍ୱାସ ନିକଟରେ । ଝିଅର ଆରୋଗ୍ୟ ପାଇଁ ସେ ବ୍ରାହ୍ମଣ ଜ୍ୟୋତିଷ-ପୁରୋହିତମାନଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି । ମନ୍ତ୍ର-ତନ୍ତ୍ରାନୁଯାୟୀ ଫୁଲ ଶୁଘିଂଛନ୍ତି, ଚାଉଳ ବିଞ୍ଚିଛନ୍ତି ଓ ମନ୍ତ୍ର ପଢ଼ିଛନ୍ତି, ପାଚନ-ସେବନ ଇତ୍ୟାଦି କେତେ କ’ଣ କରିଛନ୍ତି । ସେଦିନର କଥାକୁ ସ୍ମରଣ କରି କିଶୋରୀଚରଣ ଲେଖିଛନ୍ତି, “ତା’ ମନେ ପଡ଼ିଲେ ହସ ଲାଗେ । ଲାଜ ଲାଗେ । କିନ୍ତୁ ଏଇ ହେଉଛି ମଣିଷର ଦଶା । ବୁଦ୍ଧି ଶେଷକୁ ହାରିଯାଏ, ଭଲ ପାଇବାର ଚରମ ସ୍ୱାର୍ଥ ଆଗରେ ।” (ସମୟ ନାହିଁ / ପୃଷ୍ଠା-୧୧୩)

 

୧୯୭୧ ମସିହାବେଳକୁ କିଶୋରୀଚରଣ ଯେତେବେଳେ ପଶ୍ଚିମବଙ୍ଗର ଆକାଉଣ୍ଟାଣ୍ଟ ଜେନେରାଲ ହେଲେ, ସେତେବେଳେ ନିଜ ପରିବାର ପାଇଁ କିଛି ବିଶେଷ ପଦକ୍ଷେପ ଗ୍ରହଣ କରିପାରିଥିଲେ । ସବୁଠାରୁ ବଡ଼ କାମ ହେଉଛି ଯେ- ବଡ଼ଝିଅ ହୀନୁର ବାହାଘର ଗୋଟିଏ ମନପସନ୍ଦ ସ୍ଥାନରେ କରିପାରିଥିଲେ । ହୀନୁ ଇଂରାଜୀରେ ଡିଷ୍ଟିଂକ୍‌ସନ୍‌ର ସହ ବି.ଏ. ପାସ୍ କଲା ପରେ ଗୋଟିଏ ଗୃହବିଜ୍ଞାନ ଚାରୁକଳା ଅନୁଷ୍ଠାନରୁ ଡିପ୍ଲୋମା ଲାଭ କରିଥିଲା । ଜ୍ୱାଇଁ ସୁଶିକ୍ଷିତ । ତାଙ୍କ ନାଁ ନଗେନ୍ ଚନ୍ଦ୍ର ପଟ୍ଟନାଏକ । ସେ ଅହମ୍ମଦାବାଦ୍ ମ୍ୟାନେଜମେଣ୍ଟ ସ୍କୁଲରୁ ଏମ.ବି.ଏ. ପାସ୍ କରି ବମ୍ବେରେ ଥିବା ଗୋଟିଏ ମଲ୍‌ଟି ନେସନାଲ କଂପାନୀରେ କାମ କରୁଥିଲେ ।

 

ତାଙ୍କ ନିଜ ଘର କିନ୍ତୁ ଥିଲା ଘଟଗାଁ ତାରିଣୀ ନିକଟରେ । ୧୯୭୨ ମସିହା ମେ ମାସରେ ବାହାଘର ସମ୍ପନ୍ନ ହେଲା କଟକରେ, ସଂପୂର୍ଣ୍ଣ ପାରମ୍ପରିକ ରୀତିରେ । ବିପ୍ରଚରଣଙ୍କ ଈପ୍‌ସିତ କାମନା ମଧ୍ୟ ଚରିତାର୍ଥ ହେଲା । ସେ ବଡ଼ ନାତୁଣୀର ବାହାଘରରେ ଥିଲେ ମୁଖ୍ୟ ପୁରୋଧା ।

 

୧୯୭୩ରେ ହୀନୁର ପ୍ରଥମ ସନ୍ତାନ ଜନ୍ମ ଲାଭ କଲା । ପିଲାଟିର ନାମ ରଖାଗଲା ଅନୁରାଗ । ପରେ ପରେ ୧୯୭୪ରେ ଆଉ ଗୋଟିଏ ସନ୍ତାନ, ତା’ର ନାମ ଅଂଶୁମାନ୍ । ସେମାନେ ତାଙ୍କ ପରିବାରରେ ଖୁବ୍ ସୁଖଶାନ୍ତିରେ ଅଛନ୍ତି ।

 

ହୀନୁ ପଛକୁ ଦ୍ୱିତୀୟ ଝିଅ ଚିନୁ, ବୀଚିବାଳା । କିଶୋରୀଚରଣ ଯେତେବେଳେ ଜୟପୁରରୁ ଦିଲ୍ଲୀକୁ ବଦଳି ହୋଇ ଆସିଲେ ସେତେବେଳକୁ ଚିନୁକୁ ୨୭ ବର୍ଷ ହେଲାଣି । ଝିଅର ବାହାଘର କଥା ଚିନ୍ତା କରୁ ନ ଥିବାରୁ ବାପାଙ୍କଠାରୁ ବିଭିନ୍ନ ପ୍ରକାର ଭର୍ତ୍ସନା ତାଙ୍କୁ ଶୁଣିବାକୁ ପଡ଼ୁଥାଏ । ମାତ୍ର ବାସ୍ତବରେ ତାଙ୍କର କୌଣସି ଦୋଷ ନ ଥିଲା । ସେତେବେଳକୁ ସେ ଜାଣିପାରିଥିଲେ ଯେ ଝିଅ ତା’ ମନ ପସନ୍ଦରେ କେଉଁଠି ବିବାହ କରିବ । ଝିଅ କିନ୍ତୁ ପାଠପଢ଼ାର ଆଳ ଦେଖାଉଥିଲା । କିଶୋରୀଚରଣ ମଧ୍ୟ ଝିଅର ପାଠପଢ଼ା ଆଳକୁ ଉପେକ୍ଷା କରିପାରୁ ନ ଥିଲେ । ସେ କଲିକତା ଲରେଟୋ କଲେଜରୁ ଭୂଗୋଳରେ ବି.ଏ. ପାସ୍‍ କଲା ପରେ ଦିଲ୍ଲୀର School of Economicsରେ ମାନବିକ ଭୂଗୋଳ ବିଷୟରେ ଏମ୍‌.ଏ. କଲା ଓ ପରେ ପରେ ଦିଲ୍ଲୀର School of Planning and Architectureରେ ପ୍ଲାନିଙ୍ଗ୍ ବିଭାଗରେ ଅଧ୍ୟୟନ କରିବା ପରେ ତା’ ମନରେ ଝୁଂକ ଆସିଲା ଯେ ସେ ବିଦେଶ ଯିବ ଉଚ୍ଚତର ଅଧ୍ୟୟନ ପାଇଁ । ଏହି କାରଣରୁ ମଧ୍ୟ ସେ ବିଭିନ୍ନ ସ୍ଥାନକୁ ଦରଖାସ୍ତ କରିବାକୁ ଲାଗିଲେ । ଭାଗ୍ୟକୁ କ୍ୟାନେଡ଼ାର ଭ୍ୟାଂକୋଭରରେ ଥିବା ‘ଇଉନିଭର୍ସିଟି ଅଫ୍ ବ୍ରିଟିଶ୍ କଲମ୍ବିଆ’ରେ ତାକୁ ସୁଯୋଗ ମିଳିଲା । ତେଣୁ କିଶୋରୀଚରଣ ଓ କୁମାରୀ ଦେବୀ ତାକୁ ତା’ର ଭବିଷ୍ୟତ୍ ଗଢ଼ିବା ପାଇଁ ଛାଡ଼ିଦେଲେ । ସେ ନୀଳଆକାଶର ପକ୍ଷୀଟିଏ ହୋଇ ଉଡ଼ିଗଲା ବିଦେଶକୁ ଜ୍ଞାନ ଆହରଣ କରିବା ଲାଗି ।

 

ତୃତୀୟ ଝିଅ ବିଶ୍ୱଜିତା, ଡାକ ନାମ ବେବି । ସେ କଲିକତାର ଗୋଖଲେ କଲେଜରୁ ଇଂରାଜୀରେ ଦ୍ୱିତୀୟ ଶ୍ରେଣୀ ଅନର୍ସ ପାଇ ବି.ଏ. ପାସ୍ କଲା ପରେ ଗୋଟିଏ ଜର୍ଣ୍ଣାଲିଷ୍ଟ ହେବାକୁ ଚାହିଁଲା । ତେଣୁ ଦିଲ୍ଲୀର National Institute of Mass Communication and Information Technologyରୁ ଦୁଇବର୍ଷିଆ ଡିପ୍ଲୋମା ହାସଲ କରି ବିଭିନ୍ନ ପତ୍ରପତ୍ରିକା ପାଇଁ ଲେଖାଲେଖି କରିବାକୁ ଲାଗିଲା । ପରେ ସେ ଶିଶୁ ସାହିତ୍ୟ ଦିଗରେ ନିଜର ମନୋନିବେଶ କରି India Todayର ସହଯୋଗୀ ନୂଆ ଶିଶୁ ପତ୍ରିକା Targetର ସହଯୋଗୀ ସଂପାଦିକା ଭାବରେ ନିୟୋଜିତ ହୋଇଥିଲା । ଥରେ କୌଣସି ଏକ ସ୍ଥାନରେ ବିବାହ ଭାଙ୍ଗି ଯାଇଥିବାରୁ ସେ ମାନସିକ ସ୍ତରରେ ଦୁର୍ବଳ ହୋଇ ଉଠି ବିବାହ ପାଇଁ ରାଜି ହେଉ ନ ଥିଲା । ମାତ୍ର କିଶୋରୀଚରଣ ଓ କୁମାରୀ ଦେବୀଙ୍କ ବହୁତ ଉଦ୍ୟମ ହେତୁ ଝିଅର ମନୋଭାବର ପରିବର୍ତ୍ତନ ଆସିଲା । ଗୋଟିଏ ଉତ୍ତମ ସ୍ଥାନରେ କିଶୋରୀଚରଣ ପ୍ରସ୍ତାବ ପକାଇଲେ । ପ୍ରସ୍ତାବଟି ମଧ୍ୟ ଗୃହୀତ ହେଲା ଓ ଠିକ୍ ସମୟରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା । ପୁଅଟି ହେଉଛି ଆର୍କିଟେକ୍ଟ ଶୁଭକାନ୍ତ ଦାସ । ଶୁଭକାନ୍ତଙ୍କ ସହ ବିଶ୍ୱଜିତାର ବିବାହ ହେଲା ୧୯୮୦ ମସିହା ସେପ୍ଟେମ୍ବର ୬ ତାରିଖରେ । ଆର୍ଯ୍ୟ ସମାଜ ସ୍ୱୀକୃତ ବୈଦିକ ରୀତିରେ । ୧୯୮୧ ମସିହା ଡିସେମ୍ବର ୨୩ ତାରିଖରେ ତାଙ୍କର ଗୋଟିଏ ଝିଅ ଜନ୍ମ ହେଲା ଅର୍ଥାତ୍ କିଶୋରୀଚରଣଙ୍କର ବଡ଼ ନାତୁଣୀ । ଶିଶୁଟିର ନାମକରଣ କରାଗଲା ‘ଗୀତି’ ଭାବରେ ।

 

କିଶୋରୀଚରଣଙ୍କର ଚତୁର୍ଥ ଝିଅ ବିଦ୍ୟାବତୀ ଓରଫ ବିଦ୍ୟା । ତା’ର ଡାକ ନାମ କୁନ୍‌ ବେବୀ । ସେ ସିନିୟର କେମ୍ବ୍ରିଜ୍‌ରେ ଫାଷ୍ଟ ଡିଭିଜନରେ ପାସ୍ କରିବା ପରେ ଆର୍ଟସ ପଢ଼ିବାକୁ ଇଚ୍ଛା କରି କଲିକତା ଇଉନିଭର୍ସିଟିରୁ ବି.ଏ.ରେ ଇଂରାଜୀ ଅନର୍ସ ନେଇ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲା । ପରେ ପରେ ଦିଲ୍ଲୀ ଇଉନିଭରସିଟିରୁ ମଧ୍ୟ ଇଂରାଜୀରେ ଏମ.ଏ. ଫାଷ୍ଟକ୍ଲାସ୍‌ରେ ଉତ୍ତୀର୍ଣ୍ଣ ହୋଇଉଠିଲା । ସେ କିନ୍ତୁ ଶିକ୍ଷୟିତ୍ରୀଟିଏ ହେବାକୁ ଇଚ୍ଛା କରି ଦିଲ୍ଲୀ ଇଉନିଭର୍ସିଟିରୁ ଏମ୍‌.ଫିଲ. କଲା । ଏହି ଅଧ୍ୟୟନ କାଳରେ ତା’ର ଜଣେ ସହପାଠୀ ସହିତ ଆତ୍ମୀୟତା ବୃଦ୍ଧି ପାଇଲା । ସେ ମଧ୍ୟ ଥିଲା ଜଣେ କୃତି ଛାତ୍ର । ତା’ର ନାମ କେୱଲ ଆରୋରା । ସେମାନେ ପରସ୍ପର ବିବାହ କରିବାକୁ ଚାହିଁବାରୁ କିଶୋରୀଚରଣ କୌଣସି ପ୍ରକାରେ ଆପତ୍ତି କଲେ ନାହିଁ । ତେଣୁ ୧୯୮୧ ମସିହା ଡିସେମ୍ବର ମାସ ୩୦ ତାରିଖରେ ରେଜିଷ୍ଟ୍ରେସନଦ୍ୱାରା ସେମାନଙ୍କର ବିବାହ ସମ୍ପନ୍ନ ହେଲା-

 

କିଶୋରୀଚରଣଙ୍କର ସବା ସାନପୁଅ ଅଂଜନୀ କୁମାର । ଡାକ ନାମ ଧୀରୁ । ପିଲାଦିନୁ ସେ ପାଠ ଓ ଖେଳକୁଦରେ ବେଶ୍ ପାରଙ୍ଗମ ଥିଲା; ମାତ୍ର ଥିଲା ମଧ୍ୟ ଖୁବ୍ ଶାନ୍ତ, ଶିଷ୍ଟ ଓ ସରଳ ପ୍ରକୃତିର । ହାଇଅର୍ ସେକେଣ୍ଡାରୀ ପରୀକ୍ଷାରେ ସେ ଇଂରାଜୀରେ ଖୁବ୍ ଭଲ କରିଥିଲେ ମଧ୍ୟ କଲେଜରେ ଆର୍ଟସ ନ ନେଇ ବିଜ୍ଞାନ ପଢ଼ିଲା । ତା’ର ଠିକ୍ ପାଠ ପଢ଼ା ସମୟବେଳକୁ କିଶୋରୀଚରଣ ଓ କୁମାରୀ ଦେବୀ ସ୍ୱିଜିଲାଣ୍ଡକୁ ଯାତ୍ରା କରିଥିଲେ । ଏହି କାରଣରୁ ସମ୍ଭବତଃ ସେ ପରୀକ୍ଷାରେ ବିଶେଷ ଭଲ କରିପାରିଲା ନାହିଁ । ବି.ଏସ୍‌ସି.ରେ ମଧ୍ୟ ପ୍ରାକ୍ଟିକାଲରେ ଭଲ କରି ନ ଥିବାରୁ ଫେଲ ହୋଇଗଲା । ଯାହାହେଉ ସେ ଇତିମଧ୍ୟରେ ଲାଇଫ୍ ଇନ୍ସ୍ୟୁରାନ୍ସ କମ୍ପାନୀରେ ଜଣେ କ୍ୟାରିଅର୍ ଏଜେଣ୍ଟ ଭାବରେ କାର୍ଯ୍ୟ କରି ନିଜେ ଆତ୍ମନିର୍ଭରଶୀଳ ରହିବାକୁ ଲାଗିଲେ । ଏ ଦିଗରେ କିଶୋରୀଚରଣଙ୍କର କୌଣସି ଆପତ୍ତି ଅଭିଯୋଗ ନ ଥିଲା । ବରଂ ପୁଅ ତାଙ୍କର ନିଜ ଗୋଡ଼ରେ ନିଜେ ଠିଆହେବାକୁ ଚେଷ୍ଟା କରୁଥିବାରୁ ସେ ବେଶ୍ ଆନନ୍ଦିତ ଥିଲେ । ସେ ନିଜର ଇଚ୍ଛା ବ୍ୟକ୍ତ କଲା ଯେ, ଜଣେ ବରିଷ୍ଠ ଆର୍ମି ଇଂଜିନିୟର ଏସ.ପି. ଶର୍ମାଙ୍କ ଝିଅ ନିଶାକୁ ସେ ବିବାହ କରିବାକୁ ଚାହେଁ । ସେ ପୁଅର ଇଚ୍ଛାକୁ ସ୍ୱୀକୃତି ଦେଇ ୧୯୮୨ ମସିହା ଡିସେମ୍ବର ମାସ ୨୭ ତାରିଖରେ ଦିଲ୍ଲୀରେ ଆର୍ଯ୍ୟ ସମାଜର ବୈଦିକ ରୀତି ଅନୁଯାୟୀ ତା’ର ବିବାହ କାର୍ଯ୍ୟକୁ ସମ୍ପନ୍ନ କରିଥିଲେ ।

 

ଇତିମଧ୍ୟରେ ବିଦେଶକୁ ଅଧ୍ୟୟନ କରିବା ପାଇଁ ଯାଇଥିବା ଦ୍ୱିତୀୟ କନ୍ୟା ଚିନୁ ସେହି ବିଦେଶରେ ଜଣେ ମନଲାଖି ସଂଗୀଟିକୁ ପାଇ ବିବାହ କରିସାରିଲାଣି । ସେମାନେ ୧୯୮୭ ମସିହା ଜାନୁୟାରୀ ୩ ତାରିଖରେ ଦିଲ୍ଲୀରେ ଆସି ପହଞ୍ଚିଲେ । ଚିନୁ ଓରଫ ବୀଚିବାଳାର ସ୍ୱାମୀ ସ୍କଟ୍ । କିଶୋରୀଚରଣ ସେ ଦୁହିଁଙ୍କର ବିବାହ ପୁଣି ଥରେ ଦିଲ୍ଲୀର ଜଗନ୍ନାଥ ମନ୍ଦିରରେ କରାଇଥିଲେ । କିଶୋରୀଚରଣ ଚିନୁକୁ କଟକ ନେଇଆସିଲେ ନିଜ ପରିବାର ସହିତ ମିଶାଇବା ପାଇଁ । ସ୍କଟ୍ କିନ୍ତୁ ବିଶେଷ କାର୍ଯ୍ୟ ପାଇଁ କଟକ ଆସିପାରିଲେ ନାହିଁ । କିଶୋରୀଚରଣ ସ୍କଟ୍‌ଙ୍କୁ କିନ୍ତୁ ଦିଲ୍ଲୀ ବୁଲାଇଥିଲେ ଓ ତା’ର ଐତିହ୍ୟକୁ ବର୍ଣ୍ଣନା କରିଥିଲେ ସ୍କଟ୍‌ଙ୍କ ନିକଟରେ ।

 

ବୀଚିବାଳା ଓ ସ୍କଟ୍ ୧୯୮୭ ମସିହା ଫେବୃୟାରୀ ୧୨ ତାରିଖରେ କ୍ୟାନାଡ଼ାକୁ ଫେରିଗଲେ । ସପରିବାରରେ କିଶୋରୀଚରଣ ସମସ୍ତଙ୍କ ସହିତ ଏକ ସ୍ମରଣୀୟ ଫଟୋ ଉଠାଇ ରଖିଲେ ସବୁ ଦିନ ପାଇଁ । ସେମାନେ ସମସ୍ତେ ଚିନୁ ଓ ସ୍କଟ୍‌ଙ୍କୁ ବିଦାୟ ଦେଲେ ଦିଲ୍ଲୀରେ । ମାତ୍ର ଦିଲ୍ଲୀରୁ ଆଉ ଫେରି ନ ଥିଲେ । ଦିଲ୍ଲୀରେ ଆଉ କିଛିଦିନ ରହିଗଲେ ତାଙ୍କର ଦୁଇଝିଅ ବେବି ଓ କୁନ୍‌ ବେବିର ଅନ୍ତଃସତ୍ତ୍ୱାତ୍ୱ ପାଇଁ । ପ୍ରଥମେ କୁନ୍‌ ବେବିର ପିଲାଟିଏ ହେଲା ଏପ୍ରିଲ ୧୬ ତାରିଖରେ ଓ ପରେ ଜୁନ୍ ୧୬ ତାରିଖରେ ବେବିର । କ୍ୟାନାଡ଼ାରେ ମଧ୍ୟ ଚିନୁର ପୁଅଟିଏ ହେଲା ଅକ୍ଟୋବର ମାସ ୧୩ ତାରିଖରେ କ୍ୟାନାଡ଼ାର ସମୁଦୁଣୀଙ୍କ ଅନୁରୋଧକ୍ରମେ କିଶୋରୀଚରଣ ଚିନୁର ପୁଅ ପାଇଁ ନାମକରଣ କରିଥିଲେ ‘ଶାରଦ’ । କାରଣ ସେ ଶରତ୍ ଋତୁରେ ହିଁ ଜନ୍ମ ହୋଇଥିଲା ।

 

ବଡ଼ଝିଅ ଓ ଜ୍ୱାଇଁ ଏତେବେଳକୁ କଲିକତାରେ ରହିଲେଣି । ତାଙ୍କର ଦୁଇ ପୁଅ ଅନୁରାଗ ଓ ଅଂଶୁମାନ୍ ବେଶ୍ ଭଲ ପାଠ ପଢ଼ନ୍ତି । ପୁଅ ବୋହୂ ମଧ୍ୟ ଦିଲ୍ଲୀରେ । ତାଙ୍କର ଚାରିବର୍ଷର ପୁଅ ପ୍ରଣୟ । ବେବିର ଝିଅ ଗୀତି । ଏଇମିତି ଦେଖିବାକୁ ଗଲେ ନାତିନାତୁଣୀଙ୍କ ସଂଖ୍ୟାକୁ ନେଇ କିଶୋରୀଚରଣ ଭାବନ୍ତି ସେମାନେ ହେଉଛନ୍ତି ତାଙ୍କର ‘ନବରତ୍ନ’ ।

 

ବେଶ୍ ଆନନ୍ଦମୁଖର ଥିଲା କିଶୋରୀଚରଣଙ୍କ ପରିବାର । ୧୯୭୫ ମସିହାରେ ତାଙ୍କୁ ଯେତେବେଳେ ଆଫ୍ରିକାର ସ୍ୱିଜିଲାଣ୍ଡକୁ ଯିବାକୁ ପଡ଼ିଲା, ସେତେବେଳକୁ ତାଙ୍କର ସମସ୍ତ ପିଲାପିଲି ବଡ଼ ହୋଇଗଲେଣି । ବଡ଼ ଝିଅର ବିବାହ ତ ସରିଯାଇଥାଏ । ଅନ୍ୟମାନେ ମଧ୍ୟ ବେଶ୍ ବଡ଼ ହୋଇ ଯାଇଥିଲେ ଓ ଅଧ୍ୟୟନଶୀଳ ଥିଲେ । ତେଣୁ କେବଳ ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ଯାତ୍ରା କରିଥିଲେ ସ୍ୱିଜିଲାଣ୍ଡ । କିଶୋରୀଚରଣ ଯେତେବେଳେ କୁମାରୀ ଦେବୀଙ୍କୁ ବିବାହ କରିଥିଲେ ସେତେବେଳେ ଚତୁର୍ଥ କର୍ମ ପାଇଁ ମଧ୍ୟ ତାଙ୍କ ହାତରେ ସମୟ ନ ଥିଲା । ସେ ଦୁଇଦିନ ପାଇଁ ମାତ୍ର ଛୁଟି ନେଇ ଆସିଥିଲେ । ଏପରି ହେଲା ଯେ ଶିଳପୁଆକୁ ବେଦୀ ଉପରେ ରଖି ଚତୁର୍ଥ କର୍ମ ସମାପନ କରାଯାଇଥିଲା । ଏ କଥାକୁ ପାସୋରି ଯାଇ ନ ଥିଲେ କିଶୋରୀଚରଣ । ତେଣୁ ଏହି ଅବସରରେ ସେ ରସିକତା କରି କୁମାରୀ ଦେବୀଙ୍କୁ କହିଥିଲେ ଯେ, ସ୍ୱିଜିଲାଣ୍ଡକୁ ଯାତ୍ରା ହେଉଛି ତାଙ୍କର ‘ଦ୍ୱିତୀୟ ହନିମୁନ୍‌’ର ଯାତ୍ରା ।

 

ବାସ୍ତବରେ ସ୍ୱିଜିଲାଣ୍ଡର ଦୁଇବର୍ଷର ରହଣି ସେମାନଙ୍କୁ ଗଭୀରଭାବେ ଏକାନ୍ତ କରିପାରିଥିଲା । ପରିବାରର କୋଳାହଳଠାରୁ ବେଶ୍ ଦୂରରେ ରହି କିଶୋରୀଚରଣ ଓ କୁମାରୀ ଦେବୀ ପରସ୍ପରକୁ ବେଶ୍ ଘନିଷ୍ଠଭାବେ ବୁଝିବାକୁ ଚେଷ୍ଟା କରିଥିଲେ ଓ ସମୟକୁ ମନଭରି ଅତିବାହିତ କରିଥିଲେ । କୁମାରୀ ଦେବୀ ଜଣେ ସମାଜସେବିକା । କୁମାରୀ ଦେବୀ ଆମେରିକାର ରେଡ଼୍‌କ୍ରସ୍ ସୋସାଇଟି ପକ୍ଷରୁ ବିଭିନ୍ନ ହସ୍‌ପିଟାଲରେ ଜଣେ ଅବୈତନିକ ସରକାରୀ ନର୍ସ ((Nurse Aide) ଭାବରେ କାମ କରିଥିଲେ । ଏହି ସଫଳତା ପାଇଁ ସେ ସୋସାଇଟିଠାରୁ ସାର୍ଟିଫିକେଟ୍ ପାଇଛନ୍ତି । କଟକସ୍ଥ ଡଗରପଡ଼ାରେ ଥିବା ‘ସ୍ୱାମୀ ବିଚିତ୍ରାନନ୍ଦ କଲ୍ୟାଣ ଆଶ୍ରମ’ର ଅଧ୍ୟକ୍ଷା ଭାବରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି । କୁମାରୀ ଦାସ ସୁଲେଖିକା ଭାବରେ ପରିଚିତ । ତାଙ୍କର ଅନେକ ଗଳ୍ପ ‘ଝଙ୍କାର’ ଆଦି ପତ୍ରପତ୍ରିକାରେ ପ୍ରକାଶିତ ହୋଇ ଯଥେଷ୍ଟ ପାଠକୀୟ ଆଦୃତି ଲାଭ କରିଛି ।

 

କିଶୋରୀଚରଣଙ୍କ ପାରିବାରିକ ଜୀବନ ଥିଲା ଏକାନ୍ତ ଭାବରେ ଆବେଗମୟ, ଉଚ୍ଛ୍ୱାସମୟ ଓ ଗଭୀର ଭାବରେ ଅନ୍ତରଙ୍ଗ । ତାଙ୍କ ପରିବାରର ଦୁନିଆ ମଧ୍ୟରେ ସେ ବେଶ୍ ମଜ୍‌ଗୁଲ ରହୁଥିଲେ ଓ ନିଜକୁ ଅନେକ ସମୟରେ ହଜାଇ ଦେଉଥିଲେ । ତଥାପି ତାଙ୍କର ଇଣ୍ଟ୍ରୋଭର୍ଟର ପ୍ରବୃତ୍ତି ତାଙ୍କର ଲେଖକୀୟତ୍ୱକୁ ସ୍ପଷ୍ଟ କରି ଦେଉଥିଲା ।

 

Unknown

ସାରସ୍ୱତ ଜୀବନ

 

କିଶୋରୀଚରଣ ଦାସ ଓଡ଼ିଆ ସାରସ୍ୱତ ଜଗତରେ ଏକ ଅମ୍ଳାନ ପ୍ରତିଭା । ଗଳ୍ପ, କବିତା, ଉପନ୍ୟାସ ଇତ୍ୟାଦିରେ ସେ ନିଜର ଲେଖନୀ ଚାଳନା କରି ପ୍ରତ୍ୟେକଟି କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱର ପରିଚୟ ପ୍ରଦାନ କରିଥିଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ସେ ଜଣେ କଥାଶିଳ୍ପୀ ଭାବରେ ପାଠକ ମହଲରେ ନିଜର ସ୍ଥିତିକୁ ସୁଦୃଢ଼ କରାଇ ନେଇପାରିଛନ୍ତି । ତାଙ୍କ ସାରସ୍ୱତ ଜୀବନ ତାଙ୍କୁ ବ୍ୟକ୍ତିଗତ କର୍ମମୟ ଜୀବନ ଓ ପାରିବାରିକ ଜୀବନ ସହିତ ଏତେ ଅନ୍ତରଙ୍ଗ ଯେ, ସେ ସବୁର ଅନୁପସ୍ଥିତିରେ ତାଙ୍କ ସାରସ୍ୱତ ଜୀବନକୁ ଆକଳନ କରିବା ଏକ ନିସ୍ଫଳ ପ୍ରୟାସ ମାତ୍ର । ତେଣୁ କିଶୋରୀଚରଣଙ୍କ ସାରସ୍ୱତ ଜୀବନର ଆକଳନ କ୍ଷେତ୍ରରେ ପ୍ରସଙ୍ଗାନୁକ୍ରମେ କେତେବେଳେ ତାଙ୍କ ପାରିବାରିକ ଜୀବନ ତ କେତେବେଳେ ତାଙ୍କ କର୍ମମୟ ଜୀବନର ପ୍ରଭାବ ଅତ୍ୟନ୍ତ ମାର୍ମିକ ଭାବରେ ଜୀବନ୍ତ ହୋଇଉଠିବା ଆଦୌ ବିଚିତ୍ର ନୁହେଁ । ବରଂ ତାହାହିଁ ସ୍ୱାଭାବିକ ଭାବରେ ଚିରନ୍ତନ ସତ୍ୟ ।

 

କିଶୋରୀଚରଣ ତାଙ୍କ ଆଦ୍ୟ ସାରସ୍ୱତ ଜୀବନରେ ଜଣେ କବି ଭାବରେ ମଣିଷଟିଏ ଥିଲେ ବୋଲି କହିହେବ । କାରଣ ତାଙ୍କର ଆନୁଷ୍ଠାନିକ ଭାବରେ ଶିକ୍ଷା ଗ୍ରହଣ ପୂର୍ବରୁ ଯେତେବେଳେ ବିପ୍ରଚରଣ ଓ ସୀତାମଣି ଦେବୀ ଆନୁଷ୍ଠାନିକ ଶିକ୍ଷା ପାଇଁ ପ୍ରସ୍ତୁତୀକରଣ ସକାଶେ ଜଣେ ଘରୋଇ ଶିକ୍ଷକଙ୍କୁ କିଶୋରୀଚରଣଙ୍କ ଶିକ୍ଷା ଦାୟିତ୍ୱ ପ୍ରଦାନ କଲେ, ସେତିକିବେଳେ ହିଁ ଉକ୍ତ କଥାଟି ଅତ୍ୟନ୍ତ ସ୍ପଷ୍ଟ ହୋଇ ଉଠିଥିଲା । ଥରେ ସେହି ଘରୋଇ ଶିକ୍ଷକଜଣକ କିଶୋରୀଚରଣଙ୍କୁ ବର୍ଷାଋତୁ ସମ୍ପର୍କରେ ଗୋଟିଏ ରଚନା ଲେଖିବାକୁ କହିଲେ ଓ କିଶୋରୀଚରଣ ସେହି ପ୍ରସଙ୍ଗ ଉପରେ ରଚନା ଲେଖିବାକୁ ଲାଗିଲେ । ପୃଷ୍ଠା ପରେ ପୃଷ୍ଠା ଅତିକ୍ରମ କରି ଲେଖାଚାଲିଛି, ହେଲେ ଲେଖା ସରୁ ନାହିଁ । କିଛି ସମୟ ପରେ ଶିକ୍ଷକ କିଶୋରୀଚରଣଙ୍କ ହାତରୁ ଖାତାକୁ ନେଇଗଲେ ଓ ଅସଂପୂର୍ଣ୍ଣ ଲେଖା ପାଇଁ ବିରକ୍ତି ହୋଇ ତାକୁ ଯେତେବେଳେ ପଢ଼ିଲେ, ସେତେବେଳେ ସେ ଆହୁରି ବିରକ୍ତ ହୋଇ ଯାଇଥିଲେ । ରଚନା ଉପରେ ଏକ ଛକି ମାରିବାପୂର୍ବକ ସେ ଖାତାକୁ ନେଇ ବିପ୍ରଚରଣଙ୍କୁ ଦେଖାଇ ଅଭିଯୋଗ କରିଥିଲେ ଯେ ପିଲାଟିକୁ କିଛି ଲେଖି ଆସୁ ନାହିଁ ବୋଲି । ସେତେବେଳେ ବିପ୍ରଚରଣ ଲେଖାଟିକୁ ଯତ୍ନର ସହିତ ପଢ଼ି ହସି ହସି ମନ୍ତବ୍ୟ ଦେଇ ଶିକ୍ଷକଙ୍କୁ କହିଥିଲେ ଯେ, ସେ ଯାହା ଲେଖିଛି ତାହା ମନ୍ଦ ନୁହେଁ, ତେବେ ସେଥିରେ କିଛି ଫ୍ୟାକ୍ଟସ ନେବା ଉଚିତ ଥିଲା ଓ କିଶୋରୀଚରଣଙ୍କୁ କହିଥିଲେ ଯେ, “xxx କବିତା ଲେଖିଛୁ ଭଲ, କିନ୍ତୁ ତା’ ସାଙ୍ଗକୁ ବର୍ଷା ଜିନିଷଟା କ’ଣ ଓ କାହିଁକି ଇତ୍ୟାଦିକୁ ନେଇ କେଇଟା ରୋକ୍‌ ଠୋକ୍‌ କଥା କହିଥିଲେ, ତୋ’ ଲେଖାଟି ପୂରିଲା ପରି ଲାଗିଥାନ୍ତା....।’’ ସେତେବେଳେ କିଶୋରୀଚରଣ ବୁଝିପାରି ନ ଥିଲେ ଯେ - ସେ ଲେଖିଥିବା ରଚନାଟି କିପରି ତାଙ୍କ ବାପାଙ୍କୁ କବିତା ବୋଲି ମନେହେଲା ? ହେଲେ କବିତ୍ୱର ଯେଉଁ ଭାବନା ରଚନାର ସ୍ତରେ ସ୍ତରେ ଉଛୁଳି ଉଠିଥିଲା, ତାହା ତାଙ୍କ ବାପା ହିଁ ପ୍ରଥମେ ଉପଲବ୍‌ଧି କରିଥିଲେ ।

 

ରଚନାଟି କବିତା କିପରି ହେଲା, ତାହା ନିଜେ ବୁଝିପାରି ନ ଥିଲେ ମଧ୍ୟ ମନେ ମନେ ଖୁସି ହୋଇଥିଲେ ଯେ - ଲେଖାଟି ମୂଳତଃ କେବେ ଭୁଲ ନୁହେଁ ଓ ବାପା ଶିକ୍ଷକଙ୍କ ପରି ଲେଖା ପଢ଼ିପାରି ନାହାନ୍ତି ଯେତେବେଳେ, ଲେଖାରେ ନିଶ୍ଚିତ ଭାବରେ କିଛି ଭଲକଥା ରହିଛି । ତେଣୁ ସେ କ୍ରମେ ଉତ୍ସାହିତ ହୋଇଛନ୍ତି ଓ ଲେଖାଲେଖି ଦିଗରେ ମନୋନିବେଶ କରିଛନ୍ତି ।

 

କିଶୋରୀଚରଣଙ୍କର ପ୍ରଥମ କବିତା ପ୍ରକାଶ ପାଏ ୧୯୩୬ ମସିହାରେ । ସେତେବେଳକୁ ତାଙ୍କୁ ମାତ୍ର ୧୩ ବର୍ଷ ବୟସ । କବିତାଟି ଥିଲା ‘ମେରୀ ରାଣୀଙ୍କ ହୃଦୟ ଧନ’ । କବିତାର ବିଷୟବସ୍ତୁ ଥିଲା ରାଜା ପଞ୍ଚମ ଜର୍ଜଙ୍କ ବିୟୋଗରେ ଶୋକ ପାଳନ କରିବାର ଉଦ୍ୟମଭିତ୍ତିକ । ସଚେତନ ଭାବରେ କିଶୋରୀଚରଣ ସେହି ଦିନଠାରୁ କେବେ ନିଜର ଲେଖନୀକୁ ସ୍ଥବିର ହେବାକୁ ଦେଇ ନାହାନ୍ତି । ସୃଷ୍ଟି କରି ଚାଲିଛନ୍ତି କବିତା, ଗଳ୍ପ, ଉପନ୍ୟାସ ଇତ୍ୟାଦି ଇତ୍ୟାଦି ଓ ଶେଷରେ ଆତ୍ମଜୀବନୀ ‘ସମୟ ନାହିଁ’ । ତେବେ କବିତା ଲେଖିବା ଅବ୍ୟାହତ ରହିଛି ଶେଷ ପର୍ଯ୍ୟନ୍ତ । ପ୍ରତ୍ୟେକଟି କୁମାର ପୂର୍ଣ୍ଣିମା ତିଥିରେ ନିଜର ପ୍ରିୟତମା ପତ୍ନୀ କୁମାରୀ ଦେବୀଙ୍କ ଜନ୍ମ ଦିବସୀୟ ଉପହାର ଭାବରେ ସେ ତାଙ୍କୁ ଗୋଟିଏ କବିତା ନିଶ୍ଚିତଭାବରେ ଉପହାରସ୍ୱରୂପ ପ୍ରଦାନ କରନ୍ତି । କହିବାକୁ ଗଲେ ତାଙ୍କର ନିରନ୍ତର ଜୀବନ ହିଁ ସତେଯେପରି ଏକ କବିତା । ତାକୁ ପଢ଼ିଲେ ଯେତିକି ବୁଝିହୁଏ; ତାହାଠାରୁ କେତେ ଅଧିକ ପରିମାଣରେ ଅବୁଝା ମଧ୍ୟ ରହିଯାଏ । ଆତ୍ମମଗ୍ନ ମଣିଷଟିଏ । ତେଣୁ ତାଙ୍କୁ ଗଭୀରଭାବରେ ଅନୁଧ୍ୟାନ କରିବାକୁ ହୁଏ- ତଳେଇ କରି ବୁଝିବାକୁ ପଡ଼େ । ସାହିତ୍ୟ ତାଙ୍କ ଜୀବନଠାରୁ ଆଦୌ ଦୂରତ୍ୱ ରଖି ନ ଥିବାରୁ ତାଙ୍କ ଜୀବନ ଓ କବିତା କହିବାକୁ ଗଲେ ଜଣେ ଅନ୍ୟର ପରିପୂରକ ବୋଲି ବିଚାରିବାକୁ ପଡ଼ିବ ।

 

କିଶୋରୀଚରଣ କେନ୍ଦ୍ରାପଡ଼ାରେ ଅଧ୍ୟୟନ କରୁଥିବାବେଳେ ନିଜର ଅନ୍ୟ ଦୁଇବନ୍ଧୁଙ୍କ ସାହଚର୍ଯ୍ୟରେ ସେମାନେ ତ୍ରିଶକ୍ତି ନାମ ଧାରଣ କରିଥିଲେ ଯଥା ‘ନବ-କିଶୋର-ଶକ୍ତି’; ଅର୍ଥାତ୍‌ ନବ କିଶୋର ମହାନ୍ତି, କିଶୋରୀଚରଣ ଦାସ ଓ ଶକ୍ତି ଶେଖର ଦାସ । ସେହି ତ୍ରିଶକ୍ତି ମଧ୍ୟରୁ ବାସ୍ତବରେ ଶକ୍ତିଶେଖର ଦାସ ଥିଲା ଅନ୍ୟତମ । ସେ ଗୋରା, ହୃଷ୍ଟପୁଷ୍ଟ ଓ ଗେଡ଼ା ପିଲାଟିଏ । ତା’ର ହସ କିନ୍ତୁ ଏକାବେଳକେ ଖୋଲା, ଆଖିରେ କେବେ କୃତ୍ରିମତାର ଆଭାସ ଦେଖିବାକୁ ମିଳେ ନାହିଁ । ସେ ଥିଲା ଏକପ୍ରକାରରେ ଅଧ୍ୟାତ୍ମବାଦୀ । ଗାନ୍ଧୀ, ରାମକୃଷ୍ଣ ପରମହଂସ, ବିବେକାନନ୍ଦଙ୍କ ମୁଖନିଃସୃତ ବାଣୀକୁ ସେ ଆତ୍ମସ୍ଥ କରିଦେଇଥିଲା । ସାଂଗମାନଙ୍କ ଆଗରେ ସେ ସେହି ବାଣୀ ବା ଶ୍ଳୋକକୁ ଉଦ୍ଧାର କରି ବ୍ୟାଖ୍ୟା କଲାବେଳେ ସେ ଭାବବିହ୍ୱଳ ହୋଇ ଉଠୁଥିଲା ଓ ତା’ର ଦେହ ଥରିଉଠୁଥିଲା । କିଶୋରୀଚରଣ ଏହା ଦେଖିଛନ୍ତି ଓ ମନେ ମନେ ବିଚାରିଛନ୍ତି ପ୍ରକୃତରେ ଶକ୍ତି କିଏ ? ପରବର୍ତ୍ତୀ ପର୍ଯ୍ୟାୟରେ ଶକ୍ତି ଗୋଟିଏ ଦେଶପ୍ରେମୀ ହୋଇ କର୍ମୀ ସାଜିଛି । ରମାଦେବୀ ଓ ଗୋପବନ୍ଧୁ ଚୌଧୁରୀଙ୍କର ବରୀରେ ଥିବା ଆଶ୍ରମରେ ରହି ବିଭିନ୍ନ ପ୍ରକାରର ଗଠନମୂଳକ କାମରେ ନିଜକୁ ନିୟୋଜିତ କରିଛି । କିଶୋରୀଚରଣ କିନ୍ତୁ ଶକ୍ତିର ସ୍ମୃତିକୁ ଭୁଲି ନାହାନ୍ତି । ତେଣୁ ସେ ନିଜର ଗାଳ୍ପିକ ଜୀବନରେ ଶକ୍ତିକୁ ସ୍ମରଣ କରିଛନ୍ତି । ନିଜର ସପ୍ତମ ଗଳ୍ପ ସଂକଳନ ‘ଗମନ’କୁ କେବଳ ବନ୍ଧୁ ଶକ୍ତିକୁ ଉତ୍ସର୍ଗୀକୃତ କରି ନାହାନ୍ତି, ସେଥିରେ ଥିବା ଗଳ୍ପ ‘ତୁ କଅଣ ରାମକୃଷ୍ଣ ?’ ସେ ଶକ୍ତିକୁ ହିଁ ଚିତ୍ରଣ କରିଛନ୍ତି ଗଳ୍ପର ନାୟକ ଭାବରେ ।

 

କେନ୍ଦ୍ରାପଡ଼ାରେ ଅଧ୍ୟୟନ କରୁଥିବାବେଳେ ତାଙ୍କ ଘରକୁ ଆସୁଥିବା ଜଣେ ହାସ୍ୟମୟୀ ମାଉସୀଙ୍କ ସ୍ୱାମୀକୁ ମଧ୍ୟ ସେ ଭୁଲି ନାହାନ୍ତି । ସେହି ଭଦ୍ରବ୍ୟକ୍ତି ହେଉଛନ୍ତି ଓଡ଼ିଶାର ଖାତନାମା କଥାଶିଳ୍ପୀ ଅନନ୍ତ ପ୍ରସାଦ ପଣ୍ଡା । ବିପ୍ରଚରଣ ତାଙ୍କୁ ଥରେ ପୁଅର ସାହିତ୍ୟପ୍ରୀତି କଥା କହିଥିଲେ । ଏହି ମର୍ମରେ ସେ କିଶୋରୀଚରଣଙ୍କ ଲେଖାକୁ ପଢ଼ିଛନ୍ତି ଓ ଆବଶ୍ୟକସ୍ଥଳେ ଅନେକ ଶବ୍ଦ ଓ ଭାବର ସଂଶୋଧନ କରି ନେଇ କିଶୋରୀଚରଣଙ୍କ ଲେଖକ ଜୀବନକୁ ସରଳ କରି ଦେଇଛନ୍ତି । ତେଣୁ ତାଙ୍କର ଉତ୍ସାହ ଓ ପ୍ରେରଣାକୁ ମନେ ପକାଇ ଅତୀତକୁ ଅଙ୍ଗୀକାର କରିବା ସ୍ୱରୂପ ନିଜର ତ୍ରୟୋଦଶ ଗଳ୍ପ ସଂକଳନ ‘ନିଜ ସଂଜ’କୁ ତାଙ୍କରି ସ୍ମୃତିରେ ଉତ୍ସର୍ଗ କରିଛନ୍ତି ।

 

୧୯୪୨ ମସିହାବେଳକୁ ଯେତେବେଳେ ସେ ପାଟଣା ଯାଆନ୍ତି ଏମ.ଏ. ପାଠ ପଢ଼ିବା ପାଇଁ ସେତେବେଳକୁ ତାଙ୍କର ପ୍ରଥମ ଗଳ୍ପ ‘ପରଦା ତଳେ’ ପ୍ରକାଶ ପାଇସାରିଲାଣି । ଗଳ୍ପଟି ‘ନବୀନ’ ପତ୍ରିକାରେ ପ୍ରକାଶ ପାଇଥିଲା । ଗଳ୍ପର ବିଷୟବସ୍ତୁ ଅତ୍ୟନ୍ତ ସାଧାରଣ ଥିଲେ ବି ଥିଲା ମଧ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଆବେଗମୟ । ଆମେ ସିନେମା ଆଗରେ ପରଦା ଉପରେ କୌଣସି ଏକ ଦୁଃଖ-ଦରିଦ୍ରର ଦୁଃଖରେ ସହାନୁଭୂତିଶୀଳ ହୋଇ ଉଠୁ ସିନା, ବାସ୍ତବ ଜୀବନରେ ଅତ୍ୟନ୍ତ ନିକୁଛିଆ ଏବଂ କୁତ୍ସିତ ମାଗନ୍ତୀକୁ ଦେଖି ନ ଦେଖିଲା ପରି ହୋଇଉଠୁ । ସେହିଭଳି ସାଧାରଣ ମଣିଷର ମାନସିକତାକୁ ଅତି ମାର୍ମିକ ଭାବରେ ଉପସ୍ଥାପନ କରାଯାଇଥିଲା ଗଳ୍ପଟିରେ । ସତ୍ୟର ଥିଲା ଚମକପ୍ରଦ ଉପସ୍ଥାପନା ମାତ୍ର ।

 

ଦେଖିଥିବା ପ୍ରତ୍ୟେକଟି ଜିନିଷ ତାଙ୍କୁ କେବଳ ମିଛ ବୋଲି ଅନୁଭବ ହେଲା ଯେତେବେଳେ, ସେତେବେଳେ ଏପରି କାହିଁକି ହେଉଛି ବୋଲି ସେ ସଚେତନ ଭାବରେ ଭାବିଛନ୍ତି । କେତେବେଳେ ଉତ୍ତରରେ ଆସିଛନ୍ତି ଛାତ୍ର ଜୀବନର ବନ୍ଧୁ ଶକ୍ତି ତ କେତେବେଳେ ଆସିଛନ୍ତି ପଢ଼ିଥିବା ଅନେକ ଲେଖକ ଯେପରି ହାର୍ଡ଼ି, ଦସ୍ତୟଭସ୍କି ଇତ୍ୟାଦି । ପୁଣି ମଧ୍ୟ ସେ ଭାବିଛନ୍ତି ଯାହ ଦେଖୁଛି, ଯଦି ତାହାକୁ ସତ୍ୟ ବୋଲି ଅବତାରଣା କରାଯାଏ, ତେବେ ତାହା ମିଛ ହେବ କାହିଁକି ? ଅନୁଭବର ସତ୍ୟ ତ ଚିରନ୍ତନ ସତ୍ୟ । ତେଣୁ ସେ ଯେତେବେଳେ ଯାହା ଅନୁଭବ କରିଛନ୍ତି ତାହାକୁ ସେ ନିଜର ସଂରଚନା ମଧ୍ୟରେ ସ୍ଥାନ ଦେଇଛନ୍ତି ।

 

ପାଟଣାରେ ଥିବା ସମୟ ଅର୍ଥାତ୍‌ ୧୯୪୨ରୁ ୧୯୪୪ ମସିହାର ଦୁଇବର୍ଷରେ ତାଙ୍କ ସାହିତ୍ୟିକ ଜୀବନ ଅନେକାଂଶରେ ସୁଦୃଢ଼ ହୋଇ ଉଠିଥିଲା । ସେତେବେଳକୁ ସେ ଏମ୍‌.ଏ. ଶ୍ରେଣୀର ଛାତ୍ର । ସାଙ୍ଗମାନେ ଜାଣିସାରିଲେଣି ଯେ, ସେ ହେଉଛନ୍ତି ଜଣେ ଉଦୀୟମାନ ଲେଖକ । ହଠାତ୍‌ ପାଟଣାରେ ଅଧ୍ୟୟନ କରୁଥିବା ଓଡ଼ିଆ ଛାତ୍ରଛାତ୍ରୀମାନେ ଗୋଟିଏ ହାତଲେଖା ପତ୍ରିକା ପ୍ରକାଶ କରିବାର ପ୍ରସ୍ତାବ ଉଠାଇଲେ ଓ ସର୍ବସମ୍ମତିକ୍ରମେ କିଶୋରୀଚରଣଙ୍କୁ ତା’ର ସଂପାଦକ ଭାବରେ ବଛାଗଲା । ପତ୍ରିକାଟିର ନାମ ରହିଲା ‘ଉତ୍କଳିକା’ । ଏହି ‘ଉତ୍କଳିକା’ରେ ସେତେବେଳେ କିଶୋରୀଚରଣ ଗୋଟିଏ ଗଳ୍ପ ଲେଖିଥିଲେ ‘ରୀତିଫୁଲ’ । ଏହାକୁ ପଢ଼ି ସାଙ୍ଗସାଥୀମାନେ ତାଙ୍କୁ ତନ୍ଦ୍ରାବାଦୀ ଲେଖକ ବୋଲି ମନ୍ତବ୍ୟ ପ୍ରକାଶ କଲେ । ଯଦିଓ ସେତେବେଳେ ସେ ନିଜେ ମଧ୍ୟ ବୁଝି ନ ଥିଲେ ଯେ ତାଙ୍କ ସାହିତ୍ୟ କେଉଁ ଦିଗକୁ ଗତି କରୁଛି ବୋଲି ।

 

ସେତେବେଳକୁ ରେଭେନ୍‌ସାର ସହାଧ୍ୟାୟୀ ବନ୍ଧୁ ଶଶି ମଧ୍ୟ ପାଟଣାକୁ ଆସିଥାଏ ଏମ୍‌.ଏ. କରିବା ପାଇଁ । ଓଡ଼ିଆ ବନ୍ଧୁମାନେ ମଧ୍ୟ ସେଠାରେ ଇଂରାଜୀରେ ଏମ୍‌.ଏ. କରୁଥିଲେ । ସେମାନଙ୍କ ମଧ୍ୟରେ ବିଧୁଭୂଷଣ ଦାସ ଓ ପ୍ରଫୁଲ୍ଲ କୁମାର ପତି ପ୍ରମୁଖ ଥିଲେ ଅନ୍ୟତମ । ବିଧୁଭୂଷଣଙ୍କୁ କିଶୋରୀଚରଣ ବଡ଼ ଭାଇ ବୋଲି ମନେ କରୁଥିଲେ । ଏମାନଙ୍କ ସସ୍ପର୍ଶରେ ଆସି ସେ ଇଂରାଜୀ ସାହିତ୍ୟକୁ ବୁଝିଥିଲେ ଓ ଇଂରାଜୀର ମେଟାଫିଜିକାଲ କବିମାନଙ୍କୁ ମଧ୍ୟ ଚିହ୍ନିଥିଲେ । କେବଳ ସାହିତ୍ୟିକ ବନ୍ଧୁଙ୍କ ଛଡ଼ା ଜଣେ ସମଧର୍ମା ସାହିତ୍ୟିକଙ୍କ ସହିତ ମଧ୍ୟ ଘନିଷ୍ଠତା ବଢ଼ିଥିଲା ଏହି ଘଟଣାରେ । ସେ ହେଉଛନ୍ତି ଗୁରୁପ୍ରସାଦ ମହାନ୍ତି । କେବଳ ଲେଖାଲେଖି ହେତୁ କିଶୋରୀଚରଣଙ୍କ ସହିତ ଗୁରୁପ୍ରସାଦଙ୍କ ବନ୍ଧୁତା କ୍ରମେ ଗଭୀରତମ ହୋଇଉଠେ । ସେ ଥରେ କିଶୋରୀଚରଣଙ୍କ ଜନ୍ମ ଦିନରେ ତାଙ୍କୁ ଗୋଟିଏ କବିତା ଉପହାରସ୍ୱରୂପ ପ୍ରଦାନ କରିଥିଲେ ଓ ସେଥିରେ ଉଲ୍ଲେଖ କରିଥିଲେ ଯେ, “ବନ୍ଧୁ ମୋର ଜଣେ ବଡ଼ କବି’’ ବୋଲି । କିନ୍ତୁ ଭବିଷ୍ୟତ୍‌ ହିଁ ସୂଚାଇଦେଲା ଯେ କିଶୋରୀଚରଣଙ୍କ ପ୍ରିୟତମ ବନ୍ଧୁ ଗୁରୁପ୍ରସାଦ ହେଲେ ବଡ଼ କବି ଓ ଆଧୁନିକ ଓଡ଼ିଆ କବିତାର ଜଣେ କର୍ଣ୍ଣଧାର ଓ ଗୁରୁପ୍ରସାଦଙ୍କ ‘ବଡ଼ କବି’ ବନ୍ଧୁଜଣକ ହୋଇଗଲେ ବଡ଼ ଗାଳ୍ପିକ ଓ ସ୍ୱନାମଧନ୍ୟ କଥାଶିଳ୍ପୀ ।

 

ପାଟଣା ରହଣି କାଳରେ କିଶୋରୀଚରଣଙ୍କର ଆଉ ଗୋଟିଏ ବିଚିତ୍ର ଅନୁଭୂତି ରହିଛି । ଘଟଣାଟି ହେଉଛି ତାଙ୍କ ବନ୍ଧୁ ଶଶିଙ୍କର ସେଠାରେ ହାର୍ଣ୍ଣିଆ ଅପରେସନ । ପୋଷ୍ଟ ଅପରେସନର ଚିକିତ୍ସା ଓ ଦେଖାଶୁଣା ହେବା ପାଇଁ ସେ ହସପିଟାଲ୍‌ରେ ଥାଏ । ବନ୍ଧୁ ଭାବରେ କିଶୋରୀଚରଣଙ୍କ ସମେତ ଅନ୍ୟମାନେ ପାଳି କରି ତାକୁ ଜଗୁଥିଲେ, କାଳେ ତା’ର କିଛି ଅସୁବିଧା ହେବ ବା କ’ଣ ହଠାତ୍‌ ଦରକାର ପଡ଼ିବ ବୋଲି । ଏହି କ୍ରମରେ ଜଗୁ ଜଗୁ କିଶୋରୀଚରଣଙ୍କର ଜଣେ ସହପାଠୀ ବନ୍ଧୁଙ୍କର ଗୋଟିଏ ନର୍ସ ସହିତ ପ୍ରେମ ହୋଇଗଲା, ଯେଉଁ ନର୍ସକି ଶଶିର ଦେଖାଶୁଣା ଦାୟିତ୍ୱରେ ଥିଲେ । ଥରେ ସେ ଦିହେଁ ସ୍ଥିର କଲେ ଯେ ଏକ ନିର୍ଦ୍ଦିଷ୍ଟ ଦିନ ଡ୍ୟୁଟି ପକାଇ ସେମାନେ ମିଳିତ ହେବା ଲାଗି ଚାଲିଯିବେ । କିନ୍ତୁ ରୋଗୀ ପାଖରେ ନ ରହିଲେ ମଧ୍ୟ କଥାଟା ଅସୁନ୍ଦର ହେବ । ତେଣୁ କିଶୋରୀଚରଣଙ୍କୁ ଅଗତ୍ୟା ସେଠାରେ ରହିବାକୁ ହେଲା । ଯଦିଓ ପରିସ୍ଥିତି କାହାରିକୁ ହଇରାଣ କରି ନ ଥିଲା, ତଥାପି କିଶୋରୀଚରଣଙ୍କର ଏହି କ୍ଷେତ୍ରରେ ଏକ ବିଚିତ୍ର ଅନୁଭୂତି ହେଲା ଯେ ସେ ପାଖରେ ଜଣେ ରୋଗୀ ଯନ୍ତ୍ରଣାସିକ୍ତ, ଯିଏକି ମୃତ୍ୟୁ ସହିତ ଲଢ଼ୁଛନ୍ତି ଅନ୍ୟ ପଟେ ନର୍ସ ଓ ତା’ର ବନ୍ଧୁ ଏକ ରୋମାଞ୍ଚଭରା ରଜନୀରେ ଆତ୍ମମଗ୍ନ ଓ ନିଜେ କିଶୋରୀଚରଣ ଦର୍ଶକ ସାଜି ମଧ୍ୟ ଛଟପଟ ହୋଇଛନ୍ତି ସାରା ରାତି । ତାଙ୍କୁ ମନେ ହୋଇଛି ସତେ ଯେପରି ଗୋଟିଏ ଗୋଟିଏ ସ୍ଥିତିରେ ସେମାନେ ବନ୍ଦୀ ବୋଲି । ନିଜର ସେହି ଅନୁଭବକୁ ସେ ପରବର୍ତ୍ତୀ କାଳରେ ବ୍ୟକ୍ତ କରିଥିଲେ ଏକ ଗଳ୍ପରେ ‘ମୁଁ ଯେବେ ଜାଣିଲି ଯେ ମୁଁ ବନ୍ଦୀ’ । ଗଳ୍ପଟି ଥିଲା ଆତ୍ମକଥନିକାମୂଳକ । ପ୍ରକାଶ ପାଇଥିଲା ସମକାଳୀନ ସାହିତ୍ୟ ପତ୍ରିକା ‘ନବଲିପି’ର ନଭେମ୍ବର-୧୯୮୬ ସଂଖ୍ୟାରେ । ପତ୍ରିକାର ପରବର୍ତ୍ତୀ ସଂଖ୍ୟାରେ ପାଠକୀୟ ଶ୍ରଦ୍ଧା ଓ ଶୁଭେଚ୍ଛା ମଧ୍ୟ ମିଳିଥିଲା ଏହି ଗଳ୍ପଟି ପାଇଁ । ସେହି ଅନୁଭୂତି ଉପରେ ମଧ୍ୟ ତାଙ୍କର ଆଉ ଗୋଟିଏ ଗଳ୍ପ ରହିଛି, ଶୀର୍ଷକ ‘ଗୋଟିଏ ରାତିର କାହାଣୀ’ । ଏହି ଗଳ୍ପଟି ତାଙ୍କର ‘ଭଙ୍ଗା ଖେଳଣା’ ଗଳ୍ପ ସଂକଳନରୁ ସଂଗୃହୀତ ହୋଇଛି । ତାହା ମଧ୍ୟ ବେଶ୍‌ ପାଠକୀୟ ସ୍ୱୀକୃତି ଲାଭ କରିଛି ।

 

ଏହା ପରେ ଦେଶର ସ୍ୱାଧୀନତା ସାଙ୍ଗକୁ ଆସିଛି କିଶୋରୀଚରଣଙ୍କ ଜୀବନରେ ତାଙ୍କର ଈପ୍‌ସିତ ପରାଧୀନତା ଅର୍ଥାତ୍‌ ବିବାହ । ସେ ତତ୍କାଳୀନ ବିଶିଷ୍ଟ କଂଗ୍ରେସ ନେତା ତଥା ଏମ.ପି. ଭୁବନାନନ୍ଦ ଦାସଙ୍କ ଦ୍ୱିତୀୟା କନ୍ୟା କୁମାରୀ ଦେବୀଙ୍କୁ ବିବାହ କରି ଓ ଓଡ଼ିଶା ସରକାରଙ୍କ ଅଧୀନରେ ଡେପୁଟି ମାଜିଷ୍ଟ୍ରେଟ ଚାକିରି କରି ସୁଖମୟ ଦାମ୍ପତ୍ୟ ଜୀବନର ପ୍ରଥମ ସ୍ମାରକୀସ୍ୱରୂପ ୧୯୪୮ ମସିହା ଅପ୍ରେଲ ମାସ ୧୮ ତାରିଖ ତଥା ପବିତ୍ର ରାମନବମୀ ତିଥିରେ ତାଙ୍କର ପ୍ରଥମ କନ୍ୟାସନ୍ତାନ ହୀନୁର ଜନ୍ମ । ଝିଅର ଗୁଲୁଗୁଲିଆ ଚେହେରା ଓ ନାଲି ଓଠର ସ୍ମୃତିକୁ ସେ ଅନେକ ଦିନ ଧରି ସାଇତି ରଖିଥିଲେ ହୃଦୟରେ ଓ ତା’ର ଫଟୋଟିକୁ ନିଜ ପର୍ସରେ । ହେଲେ ଶିଶୁ ହୀନୁ ଓ ପରେ ପରେ ବାଳିକା ହୀନୁ ଓ କୁମାରୀ ହୀନୁ ତା’ର ରୂପଗୁଣକୁ କିଶୋରୀଚରଣଙ୍କ ଉପରେ ପ୍ରଭାବ ପକାଇଛି । ତେଣୁ ହୀନୁର ସାତ ଆଠ ବର୍ଷ ବୟସରୁ ଆରମ୍ଭ କରି ପନ୍ଦର ବର୍ଷ ହେବା ପର୍ଯ୍ୟନ୍ତର ରୂପଗୁଣ, ଚାଲିଚଳଣ ଓ କଥାକୁହାର ଢଙ୍ଗ ଇତ୍ୟାଦି ବିଶେଷ ଭାବରେ ଧରାଦେଇଛି କିଶୋରୀଚରଣଙ୍କର ଗଳ୍ପମାନଙ୍କରେ । ହୀନୁ ଯେତେବେଳେ ତା’ର ଚପଳ ମନନ ନେଇ କେଉଁ ପ୍ରଜାପତି ପଛରେ ଗୋଡ଼ାଇଛି ଓ ତାକୁ ‘ଦୁଷ୍ଟ’ ବୋଲି କହୁଛି, ତାହା କିଶୋରୀଚରଣଙ୍କ ‘ଭଂଗାଖେଳଣା’ ଗଳ୍ପରେ ଓ ତା’ର ନୂତନ ଆମେରିକାନ୍‌ ବନ୍ଧୁବାନ୍ଧବୀଙ୍କ ସହିତ ଏକାତ୍ମ ହୋଇ ଉଠିବାର ଭାବଧାରାକୁ ତାଙ୍କର ‘କାନ୍ଦୁରୀ’ ଗଳ୍ପରେ ବା ହୀନୁର ପିଲାଳିଆମି ରାଗ-ରୁଷା ଇତ୍ୟାଦି ‘ନାଲି ଗୁଲୁ ଗୁଲୁ ସାଧବବୋହୂ’ ଆଦି ଗଳ୍ପରେ ରୂପାୟିତ ହୋଇଉଠିଛି ।

 

କିଶୋରୀଚରଣ ଯେତେବେଳେ ଅଲ ଇଣ୍ଡିଆ ସିଭିଲ ସର୍ଭିସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପ୍ରଥମ ଚାକିରି ଭାବରେ ଇଣ୍ଡିଆନ୍‌ ଅଡ଼ିଟ୍‌ ଏଣ୍ଡ ଆକାଉଣ୍ଟ ସର୍ଭିସରେ ଯୋଗ ଦେଲେ, ସେତେବେଳେ ଅନେକ ସାହିତ୍ୟିକ ବନ୍ଧୁମାନେ ତାଙ୍କର ବୃତ୍ତିଗତ କାର୍ଯ୍ୟକାରିତା ସହିତ ତାଙ୍କର ଲେଖକୀୟ ଅସ୍ମିତା ଖାପ ଖାଉ ନାହିଁ ବୋଲି ପ୍ରକାଶ କଲେ ବା କେହି କେହି ଏହି ଦୁଇଟି ଅସମାନ୍ତରାଳ ରେଖା ମଧ୍ୟରେ ସେ କିପରି ସାମଞ୍ଜସ୍ୟ ଆଣି ପାରୁଛନ୍ତି ବୋଲି ପ୍ରଶ୍ନ କଲେ । କିଶୋରୀଚରଣ ଏହି ପ୍ରଶ୍ନର ସମାଧାନ କରିଛନ୍ତି ନିଜର ‘ହିସାବ-ନିକାଶ’ ନାମକ ପ୍ରବନ୍ଧରେ, ଯାହାକି ତାଙ୍କର ‘ଲେଖକର ସଂସାର’ ସଂକଳନରେ ସ୍ଥାନିତ ହୋଇଛି ।

 

କିଶୋରୀଚରଣ ମାନ୍ଦ୍ରାଜରେ ଥିବାବେଳେ ତାଙ୍କର ଦ୍ୱିତୀୟ ସନ୍ତାନ ଭାବରେ ପୁତ୍ରଟିଏ ଜନ୍ମ ହୋଇଥିଲା । ତା’ର ନାମ ଥିଲା ବିନୟ କୁମାର । ଡାକ ନାଁ ବିନୁ । ପିଲାଟି ଦିନରୁ ସେ ଅତ୍ୟନ୍ତ ଦୁର୍ବଳିଆ ଥିଲା ଓ ନାନାଦି କଷ୍ଟରେ ଯନ୍ତ୍ରଣାସିକ୍ତ ଥିଲା । ଥରେ ଖବର ଆସିଲା ଯେ, ବିନୁ ସବୁଦିନ ପାଇଁ ଆଖି ବୁଜି ଦେଇଛି । ‘ଯେତେ ଶୁକୁଟା ହେଲେ ବି ସେ ହସୁଥିଲା, ତା’ ମା’ ମୁହଁକୁ ଚାହିଁ । ବିସ୍କୁଟ ଲଜେନ୍‌ସ ବି ଲାଳେଇ ଲାଳେଇ ଖାଇପାରୁଥିଲା ତା’ ପାକୁଆ ପାଟିରେ । କିନ୍ତୁ ସେ ଠିକ୍‌ କଲା ଯେ ଆଉ ଲଢ଼ିପାରିବ ନାହିଁ ବଂଚି ରହିବାର ବଢ଼ି ଚାଲିଥିବା କଷ୍ଟ ସାଙ୍ଗରେ । ଆଖି ବୁଜି ଦେବ ।’’ (ସମୟ ନାହିଁ / ପୃଷ୍ଠା-୫୮) ଏହି କଥା ଲେଖକ କିଶୋରୀଚରଣଙ୍କୁ ବାରମ୍ବାର ବିଚଳିତ କରି ଦେଇଛି । ଏହି ଦୁଃଖ ଓ ଭାବନାକୁ ସେ ନିଜର ‘ମଣିହରା’ ଗଳ୍ପରେ ରୂପାୟିତ କରିଛନ୍ତି ଅତ୍ୟନ୍ତ ବ୍ୟାକୁଳ ଭାବରେ । ମଣି ପୂରାଇଥିବା ଫଣୀକୁ କିପରି ଆଦୌ ବେଶି ସମୟ ଲାଗେ ନାହିଁ ଆଗ ଭଳି ଫଁ ଫଁ ହେବାକୁ ବା ଆଗପରି ସୁଖ ଭୋଗ କରିବା ପାଇଁ । ତେଣୁ ମଣିଷର ଦଶା ହିଁ ଏହି ଗଳ୍ପରେ ଉପହସିତ ହୋଇଉଠିଛି ଯାହା । ସେଠି ଗଳ୍ପର ନାୟକ ରମେଶବାବୁ ଓ ତାଙ୍କ ସ୍ତ୍ରୀ ନିର୍ମଳାକୁ ପୂରା ଗୋଟିଏ ବର୍ଷ ଲାଗିଯାଇଛି ଗୋଟିଏ ଖଟରେ ପୁଣି ଥରେ ଏକାଠି ହେବାକୁ ।

 

୧୯୬୧ ମସିହାବେଳକୁ କିଶୋରୀଚରଣ ଆମେରିକା ଯାତ୍ରା କରନ୍ତି ନିଜର ବୃତ୍ତିଗତ କାର୍ଯ୍ୟ କରିବା ଗୁରୁଦାୟିତ୍ୱକୁ ନେଇ । ସେହି ବର୍ଷ ମଧ୍ୟ ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ଭଂଗାଖେଳଣା’ ପ୍ରକାଶ ପାଇଥାଏ, ଠିକ୍‌ ପ୍ରଥମ ଗଳ୍ପ ‘ପରଦା ତଳେ’ର ପ୍ରକାଶ ପାଇବାର ପ୍ରାୟ ୩୭ ବର୍ଷ ପରେ । ଏହି ସମୟ ମଧ୍ୟରେ ସେ ଅନେକ ଗଳ୍ପ ଓ କବିତା ଲେଖିଛନ୍ତି । ସେଗୁଡ଼ିକ ମଧ୍ୟ ‘ଶଙ୍ଖ’, ‘ଚତୁରଙ୍ଗ’ ଓ ‘ସହକାର’ ଆଦି ପ୍ରତିଷ୍ଠିତ ସାହିତ୍ୟ ପତ୍ରିକାମାନଙ୍କରେ ପ୍ରକାଶ ପାଇ ତାଙ୍କ ପାଇଁ ଅନେକ ଲେଖକୀୟ ସ୍ୱୀକୃତି ଆଣି ଦେଇସାରିଛି । ତେବେ ବାସ୍ତବ ପାଠକୀୟ ସ୍ୱୀକୃତି ତାଙ୍କୁ ମିଳିଲା ଯେତେବେଳେ ତାଙ୍କ ଗଳ୍ପଗୁଡ଼ିକ ବିଶେଷକରି ତତ୍କାଳୀନ ସଂଭ୍ରାନ୍ତ ସାହିତ୍ୟ ପତ୍ରିକା ‘ଝଙ୍କାର’ରେ ପ୍ରକାଶ ଲାଭ କଲା । ସେତେବେଳକୁ ଝଙ୍କାରର ସମ୍ପାଦକ ଥାଆନ୍ତି ଜାନକୀ ବଲ୍ଲଭ ପଟ୍ଟନାୟକ । ସେ ବୈବାହିକ ସୂତ୍ରରେ କିଶୋରୀଚରଣଙ୍କର ଥିଲେ ଅତ୍ୟନ୍ତ ସମ୍ପର୍କୀୟ । କିଶୋରୀଚରଣଙ୍କ ସ୍ତ୍ରୀ କୁମାରୀ ଦେବୀଙ୍କର ମାମୁଝିଅ ଭଉଣୀ ଥିଲେ ଜୟନ୍ତୀ ପଟ୍ଟନାୟକ ତଥା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ସହଧର୍ମିଣୀ । କିଶୋରୀଚରଣ ଏକଦା ତାଙ୍କ ଶ୍ୱଶୁର ଭୁବନାନନ୍ଦ ଦାସଙ୍କ ଦିଲ୍ଲୀସ୍ଥିତ ବାସଭବନରେ ରହୁଥିବାବେଳେ ଜାନକୀବାବୁ ଯାଇଥିଲେ ତାଙ୍କ ସହିତ ଦେଖା କରିବା ପାଇଁ, ସମ୍ଭବତଃ କୌଣସି ଏକ କାର୍ଯ୍ୟରେ । ସେହିଠାରେ କୁମାରୀ ଦେବୀ କିଶୋରୀଚରଣଙ୍କ ଗଳ୍ପ ସମ୍ପର୍କରେ ଜାନକୀବାବୁଙ୍କୁ କହିବା ସହିତ ତାଙ୍କ ହାତରେ ଚାରି-ପାଞ୍ଚଟି ଗଳ୍ପ ଦେଇଥିଲେ ପଢ଼ିବା ପାଇଁ ଓ ପଢ଼ି ଭଲ ଲାଗିଲେ ତାକୁ ଝଙ୍କାରରେ ଛପାଇବା ପାଇଁ । ଜାନକୀବାବୁ ତାକୁ ଗ୍ରହଣ କରି ପଢ଼ିଥିଲେ ଓ ପରେ ତାହାକୁ ଝଙ୍କାର ପୃଷ୍ଠାରେ ସ୍ଥାନ ଦେଇଥିଲେ । ଝଙ୍କାରରେ ବାହାରିବା ପରେ ବସ୍ତୁତଃ କିଶୋରୀଚରଣଙ୍କ ଗଳ୍ପଗୁଡ଼ିକ ଏକ ସାହିତ୍ୟିକ ସ୍ୱୀକୃତିପ୍ରାପ୍ତ ହେଲା ବୋଲି ବୁଝିବାକୁ ପଡ଼ିବ ।

 

କିଶୋରୀଚରଣ ସୁଧୀ ସାହିତ୍ୟିକଙ୍କ ମହଲରେ ପରିଚିତ ହେବା ପାଇଁ ଓ ସାହିତ୍ୟିକ ସ୍ୱୀକୃତି ପାଇବା ପାଇଁ ଯେପରି ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞ, ଅନୁରୂପ ଭାବରେ ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ଭଂଗା ଖେଳଣା’ର ପ୍ରକାଶନ ଦିଗରେ କାହ୍ନୁଚରଣ ମହାନ୍ତି ଓ ଗୋପୀନାଥ ମହାନ୍ତିଙ୍କ ନିକଟରେ ମଧ୍ୟ ବିଶେଷ ଭାବରେ ଋଣୀ । କାହ୍ନୁଚରଣଙ୍କୁ ‘ଭଙ୍ଗା ଖେଳଣା’ ଗଳ୍ପଟି ଏତେ ଭଲ ଲାଗିଥିଲା ଯେ, ସେ ତାକୁ ଶହେରୁ ଶହେ ମାର୍କ ଦେଇଥିଲେ । ତା’ପରେ ଯେତେବେଳେ କଥା ଉଠିଲା ଯେ, ସେ ପର୍ଯ୍ୟନ୍ତ ସେ କାହିଁକି ଗଳ୍ପ ସଂକଳନଟିଏ ଛପାଇ ନାହାନ୍ତି ବୋଲି, ସେତେବେଳେ ବାସ୍ତବରେ ତାଙ୍କ ପାଖରେ କୌଣସି ଯଥାର୍ଥ ଉତ୍ତର ନ ଥିଲା । ଗୋପୀନାଥ ମହାନ୍ତି କିଛି ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ କିନ୍ତୁ କାହ୍ନୁଚରଣ କୋରାପୁଟସ୍ଥିତ ଜୟପୁରର ବିକାଶ ପ୍ରତିଷ୍ଠାନର ରାମନାଥ ପଣ୍ଡାଙ୍କୁ ପ୍ରବର୍ତ୍ତାଇ ଥିଲେ କିଶୋରୀଚରଣଙ୍କର ଗଳ୍ପକୁ ସଂକଳିତ କରି ଛପାଇବା ପାଇଁ । ପରେ ସେଇକଥା ହିଁ ହେଲା ଓ ଗଳ୍ପ ସଂକଳନର ମଧ୍ୟ ନାମ ରଖାଗଲା ‘ଭଂଗା ଖେଳଣା’ ।

 

ଏହିଭଳି ଭାବରେ ଦେଖିବାକୁ ଗଲେ ୧୯୪୨ ମସିହାବେଳୁ ପାଟଣାର ରହଣି କାଳରୁ ଗଳ୍ପ ରଚନାରେ ମନୋନିବେଶ କରିଥିଲେ ମଧ୍ୟ ୧୯୬୧ ମସିହାରେ ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ଭଙ୍ଗା ଖେଳଣା’ ଆତ୍ମପ୍ରକାଶ କରିବା ପର୍ଯ୍ୟନ୍ତ ଏକ ଦୀର୍ଘ ସମୟକୁ କିଶୋରୀଚରଣ କେବଳ ଅତିକ୍ରମ କରିଛନ୍ତି ସାହିତ୍ୟିକ ମନନ ନେଇ ଓ ସାହିତ୍ୟର ତୃଷ୍ଣାକୁ ଯଥାସାଧ୍ୟ ମେଣ୍ଟେଇବା ଉପକ୍ରମକୁ ଆୟୋଜନ କରି । ଏହା ପରେ ହିଁ ଆସିଛି ବାସ୍ତବରେ କିଶୋରୀଚରଣଙ୍କର ସାରସ୍ୱତ ଜୀବନର ସଫଳତା, ପ୍ରତିଷ୍ଠା ଓ ପ୍ରତିପତ୍ତି ।

 

୧୯୬୧ ମସିହାରେ କିଶୋରୀଚରଣ ଯେତେବେଳେ ଆମେରିକା ଯାଆନ୍ତି, ତାଙ୍କ ବାପା ବିପ୍ରଚରଣଙ୍କର ତାଙ୍କ ଅନୁପସ୍ଥିତିରେ ବଞ୍ଚିବାର ପାଥେୟ ମାତ୍ର ଥିଲା କିଶୋରୀଚରଣଙ୍କ ‘ଭଙ୍ଗା ଖେଳଣା’ ଗଳ୍ପ ସଂକଳନ । ବାପାଙ୍କ ହାତରେ ସେହି ଅମୂଲ୍ୟ ପୁସ୍ତକଟିକୁ ଛାଡ଼ିଦେଇ ସେ ସିନା ସ୍ତ୍ରୀ, ପିଲାପିଲି ନେଇ ଚାଲିଗଲେ ଆମେରିକାକୁ ନିଜର ସରକାରୀ କର୍ମ ସମ୍ପାଦନ କରିବା ପାଇଁ, ତେବେ ମନ ଭିତରେ ଅନେକ ଶପଥ ମଧ୍ୟ ଗ୍ରହଣ କରିଥିଲେ ଭାରତକୁ ସେଠାରୁ ବହୁତ କିଛି ଅନୁଭୂତିକୁ ବହନ କରି ଆଣିବାପାଇଁ । ଆମେରିକାର ଅନୁଭୂତି ତାଙ୍କର ଅନେକ ଗଳ୍ପରେ ପ୍ରତିଫଳିତ ହୋଇ ଉଠିଛି । ନିଜ ଝିଅ ହୀନୁର ହାବଭାବ ଇତ୍ୟାଦି ଓ ପ୍ରଥମ କରି ରୂପ ନେଇଛି ତାଙ୍କ ‘କାନ୍ଦୁରୀ’ ଗଳ୍ପରେ । ଏହା ପରେ ‘ଆମରି ଭିତରୁ ଜଣେ’, ‘ଭଗବାନ୍‌ଙ୍କ ଛବି’, ‘ଚୁମ୍ବନ’, ‘ମୋନାଲିସା’, ‘ଘରବାହୁଡ଼ା’ ଇତ୍ୟାଦି ବିଭିନ୍ନ ଗଳ୍ପ ସେହି ଆମେରିକୀୟ ଅନୁଭୂତି ଉପରେ ହିଁ ଦଣ୍ଡାୟମାନ ଯେପରି ।

 

‘ଆମରି ଭିତରୁ ଜଣେ’ ଗଳ୍ପରେ ବିଭିନ୍ନ କାର୍ଯ୍ୟରେ ଭାରତ ଛାଡ଼ି ଆମେରିକାକୁ ଯାଇଥିବା ଭାରତୀୟମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଭାବନାରେ ରୂପ ପାଇଛି । ମହିଳାଜଣକ ନିଜ ସ୍ୱାମୀଙ୍କ ସହ ଯାଇଛନ୍ତି ଆମେରିକାକୁ । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ସରକାରୀ କାର୍ଯ୍ୟରେ ଯାଇଥିବା ଭାରତୀୟମାନେ ଏହି ଦୁଃଖଦ ଘଟଣାରେ ଶୋକ ପାଳନ କରିଥିଲେ । ଖୋଦ୍‌ ଆମ୍ବାସଡ଼ର ମଧ୍ୟ ଆସିଥିଲେ ଶୋକସଭାକୁ । ତେବେ ପ୍ରଶ୍ନ ଉଠିଲା ଏହି ଅଳ୍ପବୟସ୍କା ବିଧବାଜଣକ କ’ଣ ବାଧ୍ୟ ହୋଇ ଫେରିଯିବେ ଭାରତକୁ ।’ ଜଣାପଡ଼ିଲା ଯେ, ସେ ଚାହୁଁଛନ୍ତି ତାଙ୍କ ପିଲାମାନଙ୍କର ଭବିଷ୍ୟତ୍‌ ଦୃଷ୍ଟିରୁ ଆମେରିକାରେ ରହିଯିବା ପାଇଁ । ଏହି ଘଟଣାରେ ଯଦିଓ ସେପରି ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ; ତେବେ ଲେଖକଙ୍କର ଆବେଗମୟ ମନନ ଏହି ଘଟଣାରେ ବ୍ୟାକୁଳିତ ହୋଇ ଉଠିଛି ଓ ସେ ଏହି ଘଟଣାକୁ କେନ୍ଦ୍ର କରି ଲେଖିଛନ୍ତି ତାଙ୍କର ଗଳ୍ପ ‘ଆମରି ଭିତରୁ ଜଣେ’ । ଏହି ଗଳ୍ପଟି ଇଂରାଜୀରେ ମଧ୍ୟ ଅନୂଦିତ ହୋଇଛି ‘Death of an Indian’ ଭାବରେ । ପରବର୍ତ୍ତୀ କାଳରେ ଏହି ଗଳ୍ପଟି ଏତେ ପ୍ରାଣସ୍ପର୍ଶୀ ହୋଇଉଠିଥିଲା ଯେ ଯେତେବେଳେ ସାହିତ୍ୟ ଏକାଡେମୀ ଦ୍ୱାରା Contemporary Indian Short Stories - Vol - III ପ୍ରକାଶିତ ହେବାକୁ ଗଲା, ସେଥିରେ ଏହି ଗଳ୍ପଟି ମଧ୍ୟ ସ୍ଥାନିତ ହେଲା । ପୁନଶ୍ଚ ଏହି ଗଳ୍ପଟି ବିଶିଷ୍ଟ ଗାଳ୍ପିକ ଖୁସୱନ୍ତ ସିଂହଙ୍କର Our favourite Indian Storiesରେ ମଧ୍ୟ ସ୍ଥାନିତ ହୋଇଛି, ଯଦିଓ ଏହି ପୁସ୍ତକର ସଂକଳକ ଥିଲେ ଦୁଇଜଣ । ଖୁସୱନ୍ତ ସିଂହଙ୍କ ସହିତ ଯୁଗ୍ମ ସମ୍ପାଦକ ଥିଲେ ନୀଲମ୍‌ କୁମାର । ପୁନଶ୍ଚ ଏହି ଗଳ୍ପଟିର ମରାଠୀ ଅନୁବାଦ ମରାଠୀ ସାହିତ୍ୟ ପତ୍ରିକା ‘ସଂକ୍ରମଣ’ର ୨୦୦୧ ମସିହା ଦୀପାବଳୀ ସଂଖ୍ୟାରେ ମଧ୍ୟ ପ୍ରକାଶିତ ହୋଇଛି । ଏହି ଗଳ୍ପର ମରାଠୀ ଅନୁବାଦିକା ଥିଲେ ମୁମ୍ବାଇ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପିକା ଶ୍ରୀମତୀ ସୁଧା ଯୋଷୀ । ଏହି ‘ଆମରି ଭିତରୁ ଜଣେ’ ଗଳ୍ପଟି ଏତେ ବାସ୍ତବଧର୍ମୀ ଓ ପ୍ରାଣସ୍ପର୍ଶୀ ଥିଲା ଯେ ସର୍ବଭାରତୀୟ ସ୍ତରରେ ଏହି ଗଳ୍ପଟି ଆଦୃତ ହୋଇପାରିଥିଲା ।

 

କିଶୋରୀଚରଣଙ୍କର ଏହିଭଳି ଆଉ ଗୋଟିଏ ଗଳ୍ପ ରହିଛି ଆମେରିକାର ଅନୁଭୂତିକୁ ନେଇ-। ଆମେରିକାରେ ଥିବାବେଳେ ଗୋଟିଏ ନିଗ୍ରୋ ଚର୍ଚ୍ଚରେ ବୋମା ପଡ଼ିଥିଲା ଓ ଏହା ଫଳରେ ବାର ତେର ବର୍ଷର ଚାରିଗୋଟି ଝିଅ ନିହତ ହୋଇଥିଲେ । ଯିଶୁଖ୍ରୀଷ୍ଟଙ୍କର ବିଷାଦଗ୍ରସ୍ତ ମୁହଁଟି ମଧ୍ୟ ଭାଙ୍ଗି ଚୂର୍‌ମାର୍‌ ହୋଇଯାଇଥିଲା । ଏହି ଘଟଣାକୁ ନେଇ କିଶୋରୀଚରଣ ରଚନା କରିଥିଲେ ଏକ ହୃଦୟ ବିଦାରଣକାରୀ ଗଳ୍ପ ‘ଭଗବାନ୍‌ଙ୍କ ଛବି’ । ଗଳ୍ପରେ ଲେଖକ ପାଠକମାନଙ୍କ ପାଇଁ ଗୋଟିଏ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଯେତେବେଳେ ଗୋରା ଲୋକମାନେ ଏହି ଘଟଣାରେ ଦୁଃଖ ପ୍ରକାଶ କରୁଛନ୍ତି, ସେଥିରୁ ସ୍ପଷ୍ଟ ସୂଚିତ ହେଉଛି ଯେ, ଯିଶୁ କେବଳ ଏହି କଳା ଲୋକଙ୍କ ପାଇଁ କଷ୍ଟ ବରଣ କରୁଛନ୍ତି । କାରଣ ଏହି କଳା ଲୋକମାନେ ଭଲ ହୋଇପାରୁ ନାହାନ୍ତି । ଲେଖକଙ୍କର ମନେ ମଧ୍ୟ ପଡ଼ିଛି ଭାରତରେ ଥିବା ଜଣେ ଧର୍ମାତ୍ମା ଆତ୍ମୀୟଙ୍କ କଥା । ସେ କୁହନ୍ତି ଯେ ମୂଲିଆମାନେ ଏତେ ମିଛ କୁହନ୍ତି କାହିଁକି ? ତେଣୁ କଳାନିଗ୍ରୋ ହୁଅନ୍ତୁ କି ମୂଲିଆ - ସେମାନେ ତ ଭଗବାନ୍‌ଙ୍କ ସନ୍ତାନ । ଭଗବାନ୍‌ ତାଙ୍କ ପାଇଁ କଷ୍ଟ ପାଉଥିଲେ ମଧ୍ୟ କେବଳ ତାଙ୍କର ଖରାପ ଗୁଣ ହେତୁ ସେମାନଙ୍କୁ ଉଦ୍ଧାର କରିପାରୁ ନାହାନ୍ତି । ଲେଖକଙ୍କର ଏଇଠି ପ୍ରଶ୍ନ ଯେ, ଏଭଳି ଚିନ୍ତାଧାରାକୁ କ’ଣ ମହାନୁଭବମାନଙ୍କ ଉଚ୍ଚମ୍ମନ୍ୟତା ବୋଲି କହିହେବ ନା ଆତ୍ମଶଠତା ବୋଲି ବିଚାର କରାଯିବ । ବିଚାର କିନ୍ତୁ ରହିଛି ପ୍ରିୟ ପାଠକମାନଙ୍କ ଉପରେ ।

 

ପାଶ୍ଚାତ୍ୟ ଦେଶରେ ଚୁମ୍ବନ ଏକ ସାଧାରଣ ଘଟଣା । ରାସ୍ତାଘାଟ, ଦୋକାନ-ବଜାର, ଗଳି-କନ୍ଦି ସବୁଠି; ଯେଉଁଠି ପାରି ସେଇଠି ଏହି ଚୁମ୍ବନର ଦୃଶ୍ୟ ଦେଖିବାକୁ ମିଳିବ । ଏହି ଚୁମ୍ବନର ଦୃଶ୍ୟ ପ୍ରକୃତରେ ବିରକ୍ତିକର ନା ପ୍ରୀତିପ୍ରଦ - ତାହାର ଏକ ବାଦ-ବିସମ୍ବାଦଭିତ୍ତିକ ଗଳ୍ପଟି ହେଉଛି ‘ଚୁମ୍ବନ’-। ସ୍ୱିଜିର ଗୋଟିଏ ପାର୍କରେ ସମବେତ ଚୁମ୍ବନର ଦୃଶ୍ୟ ଫୁଲ ଫୁଟିବା ପରି ମନେ ହୋଇଛି ଓ ମେକ୍‌ସିକୋ ସିଟିରେ ବୁଲ ଫାଇଟ୍‌ ପଶୁଟାକୁ ତିଳ ତିଳ କରି ମାରିଦେବାର ଉଲ୍ଲାସ ସହିତ ତା’ର ତୁଳନା ମଧ୍ୟ କିଛି କମ୍‌ ନୁହେଁ ଗଳ୍ପଟିରେ ।

 

ଆମେରିକାରେ ଥିବାବେଳେ ପୃଥିବୀର ଅନ୍ୟତମ ବିଶିଷ୍ଟ ଚିତ୍ରଶିଳ୍ପୀ ଲିଓନାର୍ଡ଼ୋ ଡା ଭିନ୍ସିଙ୍କର ପୃଥିବୀ ବିଖ୍ୟାତ ଛବି ‘ମୋନାଲିସା’ର ମୌଳିକ ଛବିଟି ୱାଶିଂଟନ୍‌ରୁ ଅଣାହୋଇଥିଲା । ସେତେବେଳେ ବଡ଼ ବଡ଼ ଅଫିସରମାନଙ୍କଠାରୁ ଆରମ୍ଭ କରି ତଳିଆ କିରାଣି ବାବୁମାନଙ୍କ ପର୍ଯ୍ୟନ୍ତ-ସମସ୍ତେ ଏହି ଛବିରେ କେବଳ ମୁଗ୍ଧ ନ ଥିଲେ । ଅଧିକନ୍ତୁ ସମସ୍ତେ ନିଜ ନିଜ ଭିତରେ ବିଭିନ୍ନ କଥାର ଅବତାରଣା କରିଥିଲେ । ଏହିଭଳି ଅନେକ ସତମିଛର କଥାକୁ ନେଇ କିଶୋରୀଚରଣ ସୃଷ୍ଟି କରିଥିଲେ ତାଙ୍କର ଗଳ୍ପ ‘ମୋନାଲିସା’ । ଏହି ଗଳ୍ପରେ ସେହିଭଳି ପରିବେଶ ଓ ବାତାବରଣର ଅବତାରଣା କରାଯାଇଛି ମାତ୍ର ।

 

ଆମେରିକାରେ ରହି ନିଜର କର୍ତ୍ତବ୍ୟ ସଂପାଦନା କରିସାରିବା ପରେ ଭାରତକୁ ଫେରିବା ମୁହୂର୍ତ୍ତରେ କିଶୋରୀଚରଣଙ୍କ ମନରେ ଯେଉଁ ଭାବାନ୍ତର ସୃଷ୍ଟି ହୋଇଛି, ତାହାକୁ ନେଇ ରଚିତ ହୋଇଛି ଗଳ୍ପ ‘ଘରବାହୁଡ଼ା’ । ଗଳ୍ପରେ ଗୋଟିଏ ସୁନ୍ଦର କଥାବସ୍ତୁ ଉପସ୍ଥାପିତ କରିଛନ୍ତି ଗାଳ୍ପିକ । ଯଦି ଦେଶପ୍ରୀତିକୁ ମନ ମଧ୍ୟରେ ନ ଆଣି ଏ ଦେଶ ଓ ସେ ଦେଶ ମଧ୍ୟରୁ ଗୋଟିକୁ ବାଛିବାକୁ କୁହାଯାଏ, ତେବେ କ’ଣ କରିବ-ତାକୁ ହିଁ ନେଇ ରଚିତ ହୋଇଛି ଗଳ୍ପଟି । ଲେଖକ ସିନା ନିଜ ମା’ କୋଳକୁ ଫେରି ଆସିଛନ୍ତି, ତେବେ ତାଙ୍କ ମନରେ ପ୍ରଶ୍ନ ଉଠିଛି ନିଜ ପିଲାମାନଙ୍କୁ ନେଇ ବା ତାଙ୍କ ନାତିନାତୁଣୀକୁ ନେଇ ଯେଉଁମାନେ ସେଠାରେ ରହି ପାଠଶାଠ ପଢ଼ୁଛନ୍ତି ସେମାନେ କ’ଣ ନିଜ ଦେଶକୁ ସେହି ପରିମାଣରେ ଭଲ ପାଇପାରିବେ ସେମାନେ ? କ’ଣ ସେହି ପ୍ରକାରରେ ଦାମ୍ଭିକ ପ୍ରତିଶ୍ରୁତି ଦେଇପାରିବେ ଭାରତକୁ ଫେରିଆସିବେ ବୋଲି ? ଏହି ଆବେଗମୟ କାହାଣୀ ରୂପ ନେଇଛି ତାଙ୍କର ସେହି ‘ଘରବାହୁଡ଼ା’ ଗଳ୍ପରେ ।

 

ଆମେରିକାର ଅନୁଭୂତି ଉପରେ ପର୍ଯ୍ୟବସିତ ଏହି ସମସ୍ତ ଗଳ୍ପ ପରବର୍ତ୍ତୀକାଳୀନ ତାଙ୍କର ଦ୍ୱିତୀୟ ଗଳ୍ପ ସଂକଳନ ‘ଘରବାହୁଡ଼ା’ରେ ସ୍ଥାନିତ ହୋଇଅଛି; କେବଳ ମୋନାଲିସା ଗଳ୍ପ ଛଡ଼ା, ମୋନାଲିସା ଗଳ୍ପଟି ତାଙ୍କର ସପ୍ତଦଶ ସଂକଳନ ‘ଶେଷ ଗଳ୍ପ’ରେ ସ୍ଥାନିତ ହୋଇଛି ।

 

ଆମେରିକାରୁ ଫେରିବା ପରେ ସେ କଲିକତାରେ ଅବସ୍ଥାପିତ ହୋଇଛନ୍ତି ୧୯୬୪ ମସିହାରେ । ପୁନଶ୍ଚ କଲିକତାରୁ ଯାଇଛନ୍ତି ବରୋଦାକୁ ୧୯୭୦ରେ । ତେବେ ଏହି ପାଞ୍ଚ-ଛଅ ବର୍ଷ ମଧ୍ୟରେ କିଶୋରୀଚରଣ ତାଙ୍କ କଲିକତାର ଅନୁଭୂତିକୁ ନେଇ ମଧ୍ୟ ଲେଖିଛନ୍ତି ଅନେକ ଗଳ୍ପ । ସେଗୁଡ଼ିକ ମଧ୍ୟରେ ‘ଗୋଟିଏ ଲାଲ ସନ୍ଧ୍ୟା’, ‘ଘେରାଉ’, ‘ଶହେ ପୁଅ’, ‘କ୍ରାନ୍ତି ପାଇଁ ଟିକେଟ୍‌’ ଇତ୍ୟାଦି । ଠିକ୍‌ ସେହିପରି ବରୋଦାରେ ଥିବାବେଳେ ସେଠାକାର ଅନୁଭୂତିକୁ ନେଇ ସେ ଲେଖିଛନ୍ତି ‘ଗଧମାନେ କ’ଣ କରନ୍ତି ?’ ପରି ଚିତ୍ତାକର୍ଷକ ଗଳ୍ପମାନ । ପଶ୍ଚିମବଙ୍ଗରେ ନୂଆ ଆକାଉଣ୍ଟାଣ୍ଟ ଜେନେରାଲ ଭାବରେ କାର୍ଯ୍ୟ କରୁଥିବାବେଳେ ସେ ଏଭଳି ଭାବରେ ନିଜ କାର୍ଯ୍ୟକୁ ସମ୍ପନ୍ନ କରିବା ସହିତ ନିଜ ସହକର୍ମୀ ତଥା ତଳିଆ କର୍ମଚାରୀମାନଙ୍କ ସହିତ ବ୍ୟବହାର ପ୍ରଦର୍ଶନ କରୁଥିଲେ ଯେ ସେମାନେ ତାଙ୍କୁ ଆଉ ଅନ୍ୟ ବଡ଼ ବଡ଼ ହାକିମଙ୍କ ପରି ନ ଭାବି, ସେମାନଙ୍କ ମଧ୍ୟରୁ ଜଣେ ବୋଲି ଭାବିବାକୁ ଲାଗିଲେ- ଯାହା ଫଳରେ କର୍ମଚାରୀମାନଙ୍କର ମିଳିତ ଉଦ୍ୟମରେ ଯେଉଁ କଳାତ୍ମକ ସାହିତ୍ୟ ପତ୍ରିକାଟିଏ ପ୍ରକାଶ ପାଇଲା ସେତେବେଳେ, ତାହାର ପ୍ରତିଷ୍ଠାତା ସଦସ୍ୟ ଥିଲେ କିଶୋରୀଚରଣ । ପତ୍ରିକାଟିର ନାମ ଥିଲା ‘ଅବସର’ । ସେଥିରେ ସେମାନଙ୍କର ଲେଖା ସବୁ ବାହାରୁଥିଲା । କିଶୋରୀଚରଣ ନିଜ ଗଳ୍ପକୁ କେବଳ ସେମାନଙ୍କୁ ଶୁଣାଉଥିଲେ । ସେମାନେ ତାହାକୁ ଟିପି ନେଉଥିଲେ ଓ ତାହାକୁ ପରବର୍ତ୍ତୀ କାଳରେ ବଙ୍ଗଳାରେ ଅନୁବାଦ କରି କିଶୋରୀଚରଣଙ୍କୁ ଶୁଣାଉଥିଲେ ଓ ସେହି ‘ଅବସର’ ପତ୍ରିକାରେ ମଧ୍ୟ ପ୍ରକାଶ କରୁଥିଲେ । ଏଇ କ୍ରମରେ କିଶୋରୀଚରଣଙ୍କର ‘ଘେରାଉ’ ଗଳ୍ପଟି ବଂଗଳାରେ ଅନୂଦିତ ହୋଇ ସେହି ‘ଅବସର’ରେ ପ୍ରକାଶ ଲାଭ କରିଥିଲା ।

 

ଅନ୍ୟପକ୍ଷରେ କିଶୋରୀଚରଣଙ୍କ ସାନ୍ନିଧ୍ୟ ହେତୁ ସେହି କାର୍ଯ୍ୟାଳୟ କର୍ମଚାରୀମାନଙ୍କ ମଧ୍ୟରେ ଏକପ୍ରକାର ସାରସ୍ୱତ ବାତାବରଣ ଖେଳି ଯାଇଥିଲା । ଏହା କିଛି କମ୍‌ ଗୁରୁତ୍ୱପୂର୍ଣ୍ଣ ଘଟଣା ନୁହେଁ । ସେହି କାର୍ଯ୍ୟାଳୟଗୁଡ଼ିକର ଅନେକ ଦିନ ପରେ ମଧ୍ୟ ଯେତେବେଳେ ‘ଅବସର’ର ରୌପ୍ୟ ଜୟନ୍ତୀ ପାଳନ କରାଯାଉଥିଲା, ସେମାନେ କିଶୋରୀଚରଣଙ୍କୁ ସ୍ମରଣ କରିଥିଲେ ଓ ତାଙ୍କୁ ଶ୍ରଦ୍ଧାସ୍ୱରୂପ ଉତ୍ସବରେ ଯୋଗଦାନ ପାଇଁ ନିମନ୍ତ୍ରଣ ମଧ୍ୟ କରିଥିଲେ । କିଶୋରୀଚରଣ ଯଦିଓ କୌଣସି ଏକ ବିଶେଷ କାର୍ଯ୍ୟପାଇଁ ସେହି ରୌପ୍ୟଜୟନ୍ତୀର ସାରସ୍ୱତ ଉତ୍ସବରେ ଯୋଗ ଦେଇପାରି ନ ଥିଲେ, ତଥାପି ସେମାନେ କିଶୋରୀଚରଣଙ୍କର ବାର୍ତ୍ତାକୁ ଓ ‘ଆମରି ଭିତରୁ ଜଣେ’ର ଇଂରାଜୀ ଅନୁବାଦ ‘Death of an Indian’କୁ ବଂଗଳାରେ ଅନୁବାଦ କରି ‘ଜନୈକ ଭାରତୀୟର ମୃତ୍ୟୁ’ ଶୀର୍ଷକରେ ତାଙ୍କ ସ୍ମରଣିକାରେ ପ୍ରକାଶ କରିଥିଲେ । ଏଥିରୁ ସ୍ପଷ୍ଟ ହୋଇଉଠେ ଯେ କିଶୋରୀଚରଣ କେବଳ ନିଜର ସାରସ୍ୱତ ଜଗତରେ ମଗ୍ନ ରହୁ ନ ଥିଲେ, ନିଜର ଶକ୍ତି ମୁତାବକ ଯେକୌଣସି ସ୍ଥାନରେ ଏକ ସାରସ୍ୱତ ବଳୟ ସୃଷ୍ଟି କରି ନିଜର ସହକର୍ମୀ ଭାବରେ କାର୍ଯ୍ୟ କରୁଥିବା ସାଧାରଣ ଲୋକମାନଙ୍କୁ ମଧ୍ୟ ସାରସ୍ୱତ ଜଗତ୍‌କୁ ଆକର୍ଷିତ କରାଇ ଆଣୁଥିଲେ । ଏହିଭଳି ସାରସ୍ୱତ ସାଧକ ବୋଧହୁଏ ଆମ ଦେଶରେ ଖୁବ୍‌ କମ୍‌ ଅଛନ୍ତି ।

 

କଲିକତାରେ କିଶୋରୀଚରଣ ଯେତେବେଳେ ଦ୍ୱିତୀୟଥର ପାଇଁ ଅବସ୍ଥାପିତ ହେଲେ, ସେତେବେଳେ ସେ ବେଲ୍‌ଭେଡ଼ିଅର୍‌ ସରକାରୀ ବଂଗଳାରେ ରହିବା ପୂର୍ବରୁ ଯେଉଁ ଗଳିରେ ରହୁଥିଲେ ସେଠି ରାତିରେ ସେ ପ୍ରାୟ ଶୋଇପାରୁ ନ ଥିଲେ । ରାତି କୁକୁରଗୁଡ଼ିକ ଏତେ ଜୋରରେ ଓ ଏପରି ଭାବରେ ଭୁକୁଥିଲେ ଯେ କିଶୋରୀଚରଣଙ୍କ ନିଦ ହଜି ଯାଉଥିଲା । ଏହି ତିକ୍ତ ଅନୁଭୂତିକୁ ନେଇ ସେ ରଚନା କରିଥିଲେ ‘ରାତି କୁକୁର’ ନାମକ ଏକ ଗଳ୍ପ । ଏହି ଗଳ୍ପଟି ଏତେ ହୃଦୟସ୍ପର୍ଶୀ ହୋଇପାରିଥିଲା ଯେ, ତାହା ପରବର୍ତ୍ତୀ କାଳରେ ଇଂରାଜୀ, ହିନ୍ଦୀ ଓ ଗୁଜୁରାଟୀ ଭାଷାରେ ଅନୁବାଦ ହୋଇ ପ୍ରକାଶିତ ହୋଇଛି । ଏହି ଗଳ୍ପର ଫରାସୀ ଅନୁବାଦ ମଧ୍ୟ ପ୍ୟାରିସରୁ ପ୍ରକାଶିତ ହୋଇଥିଲା ‘ୟୁରୋପ’ ନାମକ ଏକ ସାହିତ୍ୟ ପତ୍ରିକାରେ । ଓଡ଼ିଶାର ଖ୍ୟାତନାମା ନାଟ୍ୟକାର ଶ୍ରୀ ପ୍ରଫୁଲ୍ଲ ରଥଙ୍କଦ୍ୱାରା ଏହି ଗଳ୍ପଟି ନାଟ୍ୟରୂପ ଲାଭ କରି ମଧ୍ୟ ମଞ୍ଚସ୍ଥ ହୋଇଥିଲା ୧୯୮୪ ମସିହାରେ । ଏହିପରି ଦେଖିବାକୁ ଗଲେ କଥାଶିଳ୍ପୀ କିଶୋରୀଚରଣଙ୍କର ଅନେକ ଗଳ୍ପ ରହିଛି, ଯେଉଁଗୁଡ଼ିକ ଯୁଗାନୁକାରୀ ଗଳ୍ପ ସ୍ତରକୁ ଉନ୍ନୀତ ହୋଇପାରିଛି ବୋଲି କୁହାଯାଇପାରେ । କାରଣ ସେଗୁଡ଼ିକ କେବଳ ବିଭିନ୍ନ ଭାରତୀୟ ଭାଷାରେ ନୁହେଁ; ଅଧିକନ୍ତୁ ଇଂରାଜୀ ସମେତ ଅନେକ ଫରାସୀ ଭାଷାରେ ମଧ୍ୟ ଅନୂଦିତ ହୋଇ ବିଶ୍ୱ ଦରବାରରେ ଓଡ଼ିଆ ସାହିତ୍ୟକୁ ଚିହ୍ନାଇବାରେ କ୍ଷମ ହୋଇପାରିଛି ।

 

୧୯୭୫ ମସିହାବେଳକୁ କିଶୋରୀଚରଣ ନିଜର ବୃତ୍ତିକ୍ଷେତ୍ରରେ ସରକାରୀ କାର୍ଯ୍ୟ ସମ୍ପନ୍ନ କରିବାକୁ ଆଫ୍ରିକାର ସ୍ୱିଜିଲାଣ୍ଡକୁ ଯାତ୍ରା କରନ୍ତି । ଏହି ସମୟକୁ ତାଙ୍କର ପାଞ୍ଚଗୋଟି ଗଳ୍ପ ସଂକଳନ ପ୍ରକାଶିତ ହୋଇସାରିଲାଣି । ସେଗୁଡ଼ିକ ହେଲା- ‘ଭଙ୍ଗା ଖେଳଣା’ (୧୯୬୧), ‘ଲକ୍ଷ ବିହଙ୍ଗ’ (୧୯୬୮), ‘ଘର ବାହୁଡ଼ା’ (୧୯୬୮), ‘ମଣିହରା’(୧୯୭୦) ଏବଂ ‘ଠାକୁରଘର’ (୧୯୭୫) । ସଂକଳନରେ ସ୍ଥାନିତ ହୋଇଥିବା ମୋଟ ଗଳ୍ପ ସଂଖ୍ୟା ହେଉଛି ୬୧ଟି । ଅନ୍ୟ ପକ୍ଷରେ ମଧ୍ୟ ତାଙ୍କୁ ସାରସ୍ୱତ ଜଗତରେ ଅଜସ୍ର ଖ୍ୟାତି ପ୍ରାପ୍ତ ହୋଇ ସାରିଥାଏ ।

 

କିଶୋରୀଚରଣଙ୍କର ଏକ ଭିନ୍ନ ଧରଣର ଗଳ୍ପ ଥିଲା ‘ଲକ୍ଷ ବିହଙ୍ଗ’ । ଏହି ଗଳ୍ପଟି ସଚ୍ଚିଦାନନ୍ଦ ରାଉତରାୟଙ୍କଦ୍ୱାରା ସମ୍ପାଦିତ ‘ଦିଗନ୍ତ’ ପତ୍ରିକାରେ ପ୍ରକାଶିତ ହୋଇ ପାଠକ ମହଲରେ ବିଶେଷ ଭାବରେ ଆଦୃତ ହୋଇ ଉଠିଥାଏ । ପରେ ୧୯୭୩ ମସିହା ମଇ ମାସ ୬ ତାରିଖରେ ଏହି ଗଳ୍ପର ଇଂରାଜୀ ଅନୁବାଦ ‘A Million Birds’ ସମକାଳୀନ ଇଂରାଜୀ ସମ୍ବାଦପତ୍ର ‘Times of India’ରେ ପ୍ରକାଶିତ ହୋଇଥିଲା । ଏହି ଇଂରାଜୀ ଗଳ୍ପଟିକୁ ପାଠ କରି ବମ୍ବେର ଜଣେ ବିଶିଷ୍ଟ କବି-ସାହିତ୍ୟିକ ଆଦିଲ ଜସାୱାଲା କିଶୋରୀଚରଣଙ୍କ ଲେଖା ପ୍ରତି ଆକୃଷ୍ଟ ହୋଇ ଉଠିଲେ ଓ ପରେ ତାଙ୍କର ଗଳ୍ପ ‘ଗୋଟିଏ ଲାଲ ସନ୍ଧ୍ୟା’କୁ ଇଂରାଜୀରେ ‘Red Evening’ ନାମରେ ଅନୁବାଦ କରି ‘New Writing in India’ ନାମକ ଏକ ପୁସ୍ତକରେ ପ୍ରକାଶ କରିଥିଲେ । ଏହି ପୁସ୍ତକଟି ପୃଥିବୀର ବିଶିଷ୍ଟ ପ୍ରକାଶକ ‘ପେଙ୍ଗୁଇନ୍‌ ବୁକ୍ସ, ୟୁ.କେ’ ଦ୍ୱାରା ୧୯୭୪ ମସିହାରେ ପ୍ରକାଶ ଲାଭ କରିଥିଲା ।

 

ଏହି ସମୟକୁ ମଧ୍ୟ ଓଡ଼ିଶାର ବିଶିଷ୍ଟ ଲେଖକ, ସାହିତ୍ୟିକମାନେ କିଶୋରୀଚରଣଙ୍କୁ ଚିହ୍ନି ସାରିଲେଣି ଓ ତାଙ୍କ ସୃଜନକର୍ମକୁ ଆଦର କରି ବସିଲେଣି । ଏପରିକି ଓଡ଼ିଶା ବାହାରେ ମଧ୍ୟ ଯେଉଁ ପ୍ରବାସୀ ସାହିତ୍ୟିକମାନେ ଓଡ଼ିଶାର ସାହିତ୍ୟିକ ଓ ସେମାନଙ୍କର ସାହିତ୍ୟକୁ ଶ୍ରଦ୍ଧା କରନ୍ତି, ସେମାନଙ୍କ ନିକଟରେ ମଧ୍ୟ କିଶୋରୀଚରଣ ନିଜର ପରିଚୟଟିକୁ ସ୍ପଷ୍ଟ କରିସାରିଲେଣି । ବିଶେଷକରି ଗୋପୀନାଥ ମହାନ୍ତି, ସଚ୍ଚିଦାନନ୍ଦ ରାଉତରାୟଙ୍କ ପରି ଦିଗ୍‌ଗଜ ସାହିତ୍ୟିକମାନେ କିଶୋରୀଚରଣଙ୍କୁ ଶ୍ରଦ୍ଧା କରି ବସିଲେଣି । ପ୍ରବାସୀ ବଂଗଭୂମିରେ ମଧ୍ୟ କବି ବିଷ୍ଣୁ ଦେ ଓ ଅଧ୍ୟାପିକା କବୟିତ୍ରୀ ନବନୀତା ଦେବସେନ୍‌ ପ୍ରମୁଖ କିଶୋରୀଚରଣଙ୍କ ସାହିତ୍ୟ ପ୍ରତି ଆକୃଷ୍ଟ ହେଲେଣି । ଏହା କିଶୋରୀଚରଣଙ୍କ ପାଇଁ କିଛି କମ୍‌ ଗୌରବ ବହନ କରି ଆଣି ନ ଥିବ ସେଦିନ-। ବିଶେଷକରି ଯେତେବେଳେ ୧୯୭୨ ମସିହାରେ ‘ଜୀବନରଙ୍ଗ’ ସାହିତ୍ୟ ସଂସ୍ଥା ତାଙ୍କୁ ଉପାୟନ ପ୍ରଦାନପୂର୍ବକ ସମ୍ମାନିତ କଲେ ଓ ୧୯୭୪ ମସିହାରେ ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ଠାରୁ ତାଙ୍କୁ ବିଷୁବ ମିଳନ ଅବସରରେ ପୁରସ୍କୃତ କରାଗଲା, ସେତେବେଳେ କିଶୋରୀଚରଣ ତାଙ୍କ ସାହିତ୍ୟ ସାଧନା ପାଇଁ ଯଥେଷ୍ଟ ସ୍ୱୀକୃତି ପାଇପାରିଲେ ବୋଲି ବୁଝିବାକୁ ହେବ । ସବୁଠାରୁ ବଡ଼ ସ୍ୱୀକୃତି ଥିଲା ସେହି ୧୯୭୪ ମସିହାରେ ଓଡ଼ିଶାର ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କ ସହିତ ଏକ ‘ସାରସ୍ୱତ ସାକ୍ଷାତ୍‌କାର’କୁ ଯେତେବେଳେ ସ୍ୱସମ୍ପାଦିତ ପତ୍ରିକା ‘ଗଳ୍ପ’ରେ ସ୍ଥାନ ଦେଲେ । ଏହି ସାକ୍ଷାତ୍‌କାରରେ କିଶୋରୀଚରଣଙ୍କ ନିଜ ମୁଖରୁ ଜଣାପଡ଼ିଲା ତାଙ୍କ ସାରସ୍ୱତ ଆଭିମୁଖ୍ୟ । ଓଡ଼ିଶାର ପାଠକ ଏଣିକି କିଶୋରୀଚରଣଙ୍କୁ ଅଧିକରୁ ଅଧିକ ଜାଣିବାକୁ ଲାଗିଲେ ଓ ତାଙ୍କ ସୃଷ୍ଟି ସହିତ ସମ୍ପର୍କ ସ୍ଥାପନ କରିବାକୁ ଲାଗିଲେ ।

 

କିଶୋରୀଚରଣ ୧୯୭୫ ମସିହାରୁ ୧୯୭୭ ମସିହା ପର୍ଯ୍ୟନ୍ତ ଆଫ୍ରିକାର ସ୍ୱିଜିଲାଣ୍ଡରେ ରୁହନ୍ତି । ସେଠି ବିଭିନ୍ନ ପରିବେଶରେ ଲେଖକ ନିଜକୁ ଗତି କରାଇଛନ୍ତି ଓ ବିଭିନ୍ନ ପରିସ୍ଥିତି ତାଙ୍କ ଦୃଷ୍ଟିକୁ ଆସିଛି ଓ ତାହା ତାଙ୍କ ହୃଦୟକୁ ଉଦ୍‌ବେଳିତ କରିଛି । ଏହିଭଳି ଏକ ପରିସ୍ଥିତି ହେଉଛି ସ୍ୱିଜିମାନଙ୍କର ନାରୀ ଓ ପୁରୁଷମାନଙ୍କ ଭିତରେ ଥିବା ସଂପର୍କ ଓ ସେମାନଙ୍କ ପିଲାମାନଙ୍କ ଉପରେ ତା’ର ପ୍ରଭାବ । ସ୍ୱିଜି ଲୋକମାନଙ୍କର ଉପଭୋଗର ସାମଗ୍ରୀ କହିଲେ ମଦ, ମାଂସ ଓ ନାରୀ ସଂଗହିଁ ପ୍ରାୟତଃ ବୁଝାଇଥାଏ । ନାରୀମାନେ ବହୁବିଧ ପତ୍ନୀ ବା ପ୍ରଣୟିନୀ ମଧ୍ୟ । କିନ୍ତୁ ଯଦି ଜଣେ ନାରୀ ଭାବିଲା ଯେ ଈପ୍‌ସିତ ପୁରୁଷ ତାକୁ ସୁଖ ଦେଇପାରୁ ନାହିଁ, ତେବେ ସେ ଅନାୟାସରେ ସେହି ପୁରୁଷକୁ ତ୍ୟାଗ କରି ଆଉ ଜଣକ ନିକଟକୁ ଚାଲିଯାଇପାରେ ଏବଂ ସେଥିପାଇଁ ମଧ୍ୟ ସେ ଯେ ତା’ର ପୁରୁଷ ସାଥିର ଉପାର୍ଜନରୁ ବଂଚିତ ହେଲା, ତା’ର ମଧ୍ୟ ପ୍ରଶ୍ନ ଉଠୁ ନାହିଁ । କାରଣ ସେଠାରେ ମୁଷ୍ଟିମେୟ ପାଠୁଆଙ୍କ କଥା ତ ବହୁତ ଦୂରର କଥା, ସେଠାରେ ସାଧାରଣ ସ୍ତ୍ରୀଟିଏ ମଧ୍ୟ ତା’ର ସ୍ୱାମୀ, ପିଲା, ଛୁଆଙ୍କୁ ପୋଷିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟ କରି ଉପାର୍ଜନ କରେ । ସେ କର୍ମ ଜମିରେ ଶସ୍ୟ ଉତ୍ପାଦନ କରିବା ହୋଇପାରେ, ହୋଇପାରେ ମଧ୍ୟ କିଛି ଦ୍ରବ୍ୟର କିଣାବିକାର ହାଟ ବା ବୋଝ ବୋହିବା ବା କେଉଁ ବଡ଼ଲୋକର ଘରେ ବାସନମଜା କି ଲିପାପୋଛା କାମ ଇତ୍ୟାଦି । ଏହି କର୍ମରେ ଦରକାର ପଡ଼ିଲେ ତା’ର ପୁରୁଷ ମଧ୍ୟ ତା’ର ସହାୟକ ହୋଇପାରେ । ସବୁଠାରୁ ବଡ଼କଥା ହେଉଛି ତା’ର ଜୀବନରେ ଯେଉଁ ପୁରୁଷ ଆସୁ ବା ଯାଉ, ସେଥିରେ ତା’ର ପିଲାମାନଙ୍କର କୌଣସି ଯାଏ ଆସେ ନ ଥାଏ । କାରଣ ପିଲାମାନେ ସେଠାରେ କେବଳ ମା’ମାନଙ୍କର । ତେଣୁ ‘ବାଷ୍ଟାର୍ଡ଼’ (ଜାରଜ ସନ୍ତାନ) ଶବ୍ଦର କୌଣସି ଅର୍ଥ ନାହିଁ ସେଠାରେ । ମାତ୍ର ଆମ ଆର୍ଯ୍ୟ ସମାଜରେ ଏହି ଶବ୍ଦକୁ ଏକ ବୀଭତ୍ସ ଗାଳି ରୂପରେ ମାତ୍ର ବ୍ୟବହାର କରାଯାଇଥାଏ । ତାଙ୍କ ସମାଜରେ ଆଶା କରାଯାଇଥାଏ ଯେ, ଯଦି କୌଣସି ଅବିବାହିତା ସ୍ତ୍ରୀର ପିଲାଟିଏ ହେଲା, ତେବେ ତା’ର ବାପା-ତା’ ମାକୁ ବିବାହ ହେବା ଉଚିତ । ମାତ୍ର ଯଦି କୌଣସି କାରଣରୁ ତା’ର ବାପ ତାକୁ ବିବାହ କରିବାକୁ ଇଚ୍ଛା କଲା ନାହିଁ । ସେଠାରେ ‘ଲୋବଲା’ ନାମକ ଏକ କ୍ଷତିପୂରଣର ବ୍ୟବସ୍ଥା ରହିଥାଏ । ଏହି କ୍ଷତିପୂରଣ ମଧ୍ୟ ମାଆ (ସ୍ତ୍ରୀ) ଓ ଜାତିଭାଇଙ୍କ ମର୍ଯ୍ୟାଦାନୁଯାୟୀ ଟଙ୍କା-ସୁନା ଦାନ ବା ଗାଈ-ମଇଁଷି ଦାନ ଆଦିରେ ସମ୍ପନ୍ନ ହୋଇଥାଏ । ବାସ୍‌, ଏହିଥିରେ ସବୁ ତର୍କର ମୀମାଂସା ଘଟିଥାଏ ।

 

ତେଣୁ ଏହି ଘଟଣାରୁ ଲେଖକଙ୍କର ମନେ ହୋଇଛି ଯେ, ଭାରତୀୟ ବିଶେଷଜ୍ଞମାନେ ହିଁ ଆମ ସାମାଜିକ ଜୀବନର ଆଧାର । ମାତ୍ର ଯେଉଁଠି ଲେଖକ ରହୁଥିଲେ, ସେହି ଆପାର୍ଟମେଣ୍ଟଟି ଥିଲା ଆନ୍ତର୍ଜାତିକ ବିଶେଷଜ୍ଞମାନଙ୍କର ପେଣ୍ଠସ୍ଥଳୀ । ତେଣୁ ସେମାନଙ୍କ ଗହଣରେ ରହି ଲେଖକ ଯେଉଁ ବିଶେଷ ପ୍ରକାରର ଅନୁଭୂତିକୁ ସଂଗ୍ରହ କରିଛନ୍ତି, ତାକୁ ଉପସ୍ଥାପିତ କରିଛନ୍ତି ଏକ ଗଳ୍ପ ‘A Sauce of Milk’ ରେ । ଏହି ଲେଖାଟି କବି ଜୟନ୍ତ ମହାପାତ୍ରଙ୍କଦ୍ୱାରା ପ୍ରତିଷ୍ଠିତ ଓ ସମ୍ପାଦିତ ‘ଚନ୍ଦ୍ରଭାଗା’ ପତ୍ରିକାରେ ପ୍ରଥମେ ସ୍ଥାନ ପାଇଥିଲା । ପରେ ଏହାର ଓଡ଼ିଆ ଅନୁବାଦ ସେ ନିଜେ କରି ‘ତନୟ’ ନାମରେ ‘ସହକାର’ର ଶାରଦୀୟ ସଂଖ୍ୟା-୨୦୦୦ରେ ସ୍ଥାନିତ କରାଇଥିଲେ ।

 

ଆଫ୍ରିକାରୁ ଫେରିବା ପରେ ସେ ଭାରତରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିଛନ୍ତି । ଏପରିକି ଅବସର ଗ୍ରହଣ ପରେ ମଧ୍ୟ । ଆସାମରେ ଥିବାବେଳେ ଯେଉଁ ଲୋମହର୍ଷଣକାରୀ ଗଣହତ୍ୟା ଘଟିଥିଲା, ତା’ର ସ୍ମୃତିକୁ ସେ ଭୁଲିପାରି ନ ଥିଲେ । ସେହି ସ୍ମୃତିରୁ ଜନ୍ମ ନେଇଥିଲା ତାଙ୍କର ହୃଦୟବିଦାରକ ଗଳ୍ପ ‘Fish Mayonnaise’ । ଗଳ୍ପଟି କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ୱାରା ପ୍ରକାଶିତ ଗୋଟିଏ ଇଂରାଜୀ ଗଳ୍ପ ସଂକଳନ ‘Contemporary Indian Short Stories in English’ର ପ୍ରଥମ ସଂସ୍କରଣ-୧୯୯୧ରେ ପ୍ରକାଶିତ ହୋଇ ବହୁ ଲୋକପ୍ରିୟତା ଲାଭ କରିଛି । ପରବର୍ତ୍ତୀ କାଳରେ ଏହି ଗଳ୍ପର ଓଡ଼ିଆ ଭାଷାନ୍ତର ‘ସ୍ୱାଦ ଅଛି, ଗନ୍ଧ ନାହିଁ’ ଲେଖକଙ୍କର ‘ତ୍ରୟୋବିଂଶ ମୃତ୍ୟୁ’ ସଂକଳନରେ ସ୍ଥାନିତ ହୋଇଛି ।

 

୧୯୮୫ ମସିହା ଏପ୍ରିଲ ମାସରେ କିଶୋରୀଚରଣ କଟକକୁ ଫେରିଆସନ୍ତି । ନିଜ ବାପାମା’ଙ୍କ ପାଖରେ ରହି ସମୟ କଟାଇବାକୁ । ସେତେବେଳକୁ ତାଙ୍କୁ ଏକଷଠୀ ବର୍ଷ ବୟସ । ଏତେବେଳକୁ ତାଙ୍କର ସଂପୂର୍ଣ୍ଣ ଅବସର ସମୟ । ଏହି ସମୟକୁ କିଶୋରୀଚରଣ ପୂର୍ଣ୍ଣମାତ୍ରାରେ ସାହିତ୍ୟ ରଚନା ଦିଗକୁ ଉତ୍ସର୍ଗୀକୃତ କରି ଦେଇଛନ୍ତି ।

 

୧୯୭୯ ମସିହାରେ ଦିଲ୍ଲୀରେ ଥିବାବେଳେ ସେ ଥରେ ଆମ ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସାହିତ୍ୟିକା ନନ୍ଦିନୀ ଶତପଥୀଙ୍କଠାରୁ ‘ଧରିତ୍ରୀ’ର ବାର୍ଷିକ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପାଇଥିଲେ ଓ ୧୯୭୯ ମସିହା ନଭେମ୍ବର ୨୪ ତାରିଖରେ ସେହି ସଭାରେ ଯୋଗଦାନପୂର୍ବକ ‘ଲେଖକର ସଂସାର’ ନାମକ ଲିଖିତ ପ୍ରବନ୍ଧକୁ ପାଠ କରିଥିଲେ । ଏହି ସଭାର ସଭାପତି ଥିଲେ ଓଡ଼ିଶାର ସ୍ୱନାମଧନ୍ୟ ଲେଖକ ତଥା ସବୁଜ ଯୁଗର ଅନ୍ୟତମ ସାରଥି ଶ୍ରୀଯୁକ୍ତ କାଳିନ୍ଦୀ ଚରଣ ପାଣିଗ୍ରାହୀ ।

 

ଏହି ଭବ୍ୟ ସଭାରେ ସେ ଯେପରି ପ୍ରଶଂସା ଲାଭ କରିଥିଲେ, ତାହା ଥିଲା ଅନନ୍ୟ । କିଶୋରୀଚରଣ ନିଜେ ସ୍ୱୀକାର କରି କୁହନ୍ତି ଯେ- “ଅବଶ୍ୟ ଏଥି ପୂର୍ବରୁ ମୁଁ ନାନା ସାହିତ୍ୟ ସଭାରେ ଯୋଗ ଦେଇ ଆସିଛି, କିନ୍ତୁ ଏଭଳି ଏକ ବିରାଟ ସଭାର ଶ୍ରେଷ୍ଠାଂଶରେ ଅବତୀର୍ଣ୍ଣ ହେବାର ସମ୍ମାନ ମିଳି ନ ଥିଲା ମତେ । ହେଲେ ମୁଁ ଯାହା କହିଲି, ଲେଖକର ଭିନ୍ନ, ଅପରୂପ ମଧ୍ୟ ଜୁହାରପୂର୍ବକ ଅବହେଳିତ ସଂସାର ବିଷୟରେ ଏବଂ ଯେପରି ଭାବରେ କହିଲି, ତାହା ଏତେ ଆଦୃତ ହେବ ବୋଲି ମୁଁ ଆଶା କରି ନ ଥିଲି ।’’ (ସମୟ ନାହିଁ / ପୃଷ୍ଠା-୧୫୭) । ‘ଲେଖକର ସଂସାର’ ରୂପୀ ଅଭିଭାଷଣଟିକୁ ଶୁଣି ସେଦିନ ଗୋପୀନାଥ ମହାନ୍ତି ତାଙ୍କୁ କୁଣ୍ଢାଇ ପକାଇଥିଲେ ଓ କହିଥିଲେ ଯେ ସେ ଏଭଳି ଭାଷଣ କେବେ ପୂର୍ବରୁ ଶୁଣି ନ ଥିଲେ । କବି ରାଜେନ୍ଦ୍ର ପ୍ରସାଦ ପଣ୍ଡା ମଧ୍ୟ ତାଙ୍କୁ ଖୁବ୍‌ ପ୍ରଶଂସା କରିବାପୂର୍ବକ ଖଣ୍ଡିଏ ଚିଠି ଦେଇଥିଲେ ଦିଲ୍ଲୀକୁ । ପରେ ଡକ୍ଟର ହରେକୃଷ୍ଣ ମହତାବ ମଧ୍ୟ ଝଙ୍କାରର ସଂପାଦକୀୟ ପୃଷ୍ଠାରେ ‘ଲେଖକର ସଂସାର’ ପ୍ରବନ୍ଧ ଉପରେ ଆଲୋକପାତ କରିଥିଲେ । କହିବାକୁ ‘ଲେଖକର ସଂସାର’କୁ ନେଇ ସେତେବେଳେ ଏତେ ଆଲୋଚନା-ପର୍ଯ୍ୟାଲୋଚନା ଲାଗେ, କିଶୋରୀଚରଣ ସେହି ଲେଖାଟିକୁ ନିଜର ପ୍ରାବନ୍ଧିକ ଜୀବନର ପ୍ରଥମ ସୋପାନ ଭାବରେ ଗ୍ରହଣ କରି ପରବର୍ତ୍ତୀ କାଳରେ ପ୍ରବନ୍ଧ ରଚନାରେ ମଧ୍ୟ ମନୋନିବେଶ କରିଥିଲେ ଏବଂ ଏହିସବୁ ପ୍ରବନ୍ଧମାନ ମଧ୍ୟ ପରିଶେଷରେ ‘ଲେଖକର ସଂସାର’ ଶିରୋନାମ ବହନ କରିଥିବା ପ୍ରବନ୍ଧ ସଂକଳନଟିରେ ସ୍ଥାନିତ ହୋଇଥିଲା ।

 

୧୯୭୮ ମସିହାରେ କବି ରମାକାନ୍ତ ରଥଙ୍କୁ ଯେତେବେଳେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଉଥିଲା, ସେହି ଅବସରରେ ଦିଲ୍ଲୀର ‘ମହାନ୍‍ଦୀ ବୃତ୍ତ’ ଅନୁଷ୍ଠାନ ତାଙ୍କ ସମ୍ବର୍ଦ୍ଧନାକ୍ରମେ ଗୋଟିଏ ସଭାର ଆୟୋଜନ କରାଇଥିଲେ ଏବଂ ଏହି ସଭାରେ ମୁଖ୍ୟ ବକ୍ତା ଥିଲେ ସ୍ୱୟଂ କିଶୋରୀଚରଣ । ସେ ସେତେବେଳେ ରମାକାନ୍ତଙ୍କ କବିତାର ବୈଶିଷ୍ଟ୍ୟକୁ ଉଲ୍ଲେଖ କରି ଏକ ଲିଖିତ ଭାଷଣକୁ ପାଠ କରିଥିଲେ । ଏହା ସମସ୍ତଙ୍କୁ କେବଳ ମୁଗ୍ଧ କରି ନ ଥିଲା, ଅଧିକନ୍ତୁ ସୁସାହିତ୍ୟିକା ଶ୍ରୀମତୀ ବର୍ଷା ଦାସ ଏହି ଛୋଟ ଭାଷଣଟିକୁ ଗୁଜୁରାତୀ ଭାଷାରେ ଅନୁବାଦ କରି ‘ଗ୍ରନ୍ଥ’ ନାମକ ଗୁଜୁରାତୀ ପତ୍ରିକାରେ ପ୍ରକାଶିତ କରାଇ ଥିଲେ । ଫଳରେ କିଶୋରୀଚରଣ ଆମ ସାହିତ୍ୟର ଜଣେ ପ୍ରଥିତଯଶା କବିଙ୍କୁ କିପରି ଭାରତୀୟ ସ୍ତରରେ ଉପସ୍ଥାପନ କରିଥିଲେ, ତାହାହିଁ ଲେଖାର ମୌଳିକ ବିଶେଷତ୍ୱ ଥିଲା ।

 

୧୯୭୯ ମସିହା ମାର୍ଚ୍ଚ ୨୦ ତାରିଖରେ କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ଏକ ସେମିନାରର ଆୟୋଜନ ହେଉଥାଏ । ପ୍ରସିଦ୍ଧ କଥାଶିଳ୍ପୀ ଟଲଷ୍ଟୟଙ୍କର ଦେଢ଼ଶହତମ ବାର୍ଷିକ ଜୟନ୍ତୀ ଉପଲକ୍ଷେ ସଭାର ଆୟୋଜନଟି ରହିଥିଲା । ସେମିନାରର ବିଷୟବସ୍ତୁ ଥିଲା ‘Realism and moral values in fiction’ । କିଶୋରୀଚରଣ ଏହି ପ୍ରସଙ୍ଗରେ ଏକ ଲିଖିତ ଭାଷଣକୁ ଉପସ୍ଥାପନ କରିଥିଲେ । ଏହି ଭାଷଣଟି ଥିଲା ତାଙ୍କର ପ୍ରଥମ ଇଂରାଜୀ ପ୍ରବନ୍ଧ । ତେବେ ତାହା ଉପସ୍ଥିତ ସମସ୍ତ ସାହିତ୍ୟିକଙ୍କୁ ମନ୍ତ୍ରମୁଗ୍ଧ କରି ତୋଳି ଧରିଥିଲା ଓ ଏକାଡେମୀର ଉଚ୍ଚ କର୍ତ୍ତୃପକ୍ଷଗଣ ମଧ୍ୟ ଏହି ଭାଷଣଟିକୁ ଉଚ୍ଚ ପ୍ରଶଂସା କରିଥିଲେ ।

 

ପୁନଶ୍ଚ ଦିଲ୍ଲୀରେ ଥିବାବେଳେ କିଶୋରୀଚରଣଙ୍କୁ ଗୋଟିଏ ସୁବର୍ଣ୍ଣ ସୁଯୋଗ ମିଳିଥିଲା ଆନ୍ତର୍ଜାତିକ ସ୍ତରରେ ଲେଖକମାନଙ୍କ ସହିତ ମିଳିତ ହେବା ପାଇଁ । ଏହି ସୁଯୋଗକୁ ସେ ମଧ୍ୟ ହାତଛଡ଼ା କରି ନ ଥିଲେ । କାରଣ ସରକାରୀ ଚାକିରିରେ ଥାଇ ସରକାରୀ କର୍ମରେ ସେ ଯିବେ ଅଷ୍ଟ୍ରେଲିଆ । ମାତ୍ର ତାହାରି ମଧ୍ୟରେ ସେ ସାହିତ୍ୟ ଆସରରେ ମଧ୍ୟ ଯୋଗ ଦେବେ । ଏହିଭଳି ଏକ ମହାର୍ଘ ସୁଯୋଗକୁ ସେ ହାତଛଡ଼ା କରନ୍ତେ ବା କିପରି ? ସେ ଏହି ପ୍ରସ୍ତାବକୁ ସ୍ୱୀକାର କରିବାପୂର୍ବକ ଅଷ୍ଟ୍ରେଲିଆ ଯାତ୍ରା କରିଥିଲେ । ପ୍ରଥମେ ଯାଇଥିଲେ ଆଡ଼ିଲେଡ୍‍ ସହରକୁ । ସେଠାରେ ଆନ୍ତର୍ଜାତିକ ଲେଖକ ସପ୍ତାହ (International Writer's Week) ଅନୁଷ୍ଠିତ ହେଉଥିଲା । ବିଭିନ୍ନ ଦେଶରୁ ଲେଖକ-ଲେଖିକାମାନେ ଏହି ମେଳାକୁ ଆସିଥିଲେ । ବାସ୍ତବରେ ଏହା ଥିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକପ୍ରକାର ସାଂସ୍କୃତିକ ଆଦାନପ୍ରଦାନର କାର୍ଯ୍ୟକ୍ରମ (Indo-Australian Cultural Exchange Programme) । ଏହି ଗସ୍ତ ପ୍ରାୟ ଗୋଟିଏ ମାସର ଅବଧି ବିଶିଷ୍ଟ ଥିଲା ।

 

ପ୍ରଥମେ ୧୯୮୦ ମସିହା ମାର୍ଚ୍ଚ ମାସ ୮ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଆଡ଼ିଲେଡ୍‍ଠାରେ ପାଳିତ ହେଉଥିବା ଆନ୍ତର୍ଜାତିକ ଲେଖକ ସପ୍ତାହ (International Writer's Week)ରେ କିଶୋରୀଚରଣ ଯୋଗ ଦେଇଥିଲେ । ସେଠାରେ ‘ସାହିତ୍ୟ ଏବଂ ସାଂସ୍କୃତିକ ନିଜତ୍ୱବୋଧ’ (Literature and Cultural Identity) ବିଷୟରେ ପୂର୍ବରୁ ପଠାଇଥିବା ଏକ ଲିଖିତ ଭାଷଣକୁ ପାଠ କରିଥିଲେ । ଏହି ଲିଖିତ ଅଭିଭାଷଣଟି ସେଠାରେ ବହୁତ ଆତ୍ମୀୟତାର ସହିତ ଆଦୃତ ହୋଇ ଉଠିଥିଲା । କିନ୍ତୁ ତାଙ୍କୁ ସେଠାରେ ବହୁତ ଦୁଃଖ ଲାଗିଥିଲା ଯେତେବେଳେ ଜଣେ ବିଦେଶୀ ସାହିତ୍ୟିକ ତାଙ୍କୁ ଜଣେ ଭର୍ଣ୍ଣାକୁଲାର ଲେଖକ ଭାବରେ ଚିହ୍ନିଲେ । ଯଦିଓ କିଶୋରୀଚରଣ ଓଡ଼ିଆ ଭାଷାକୁ ଆମ ସମ୍ବିଧାନ ସ୍ୱୀକୃତ ବାଉନଗୋଟି ଭାଷା ମଧ୍ୟରୁ ଗୋଟିଏ ଅନ୍ୟତମ ଭାଷା ବୋଲି ଯୁକ୍ତି କରିଥିଲେ ଓ ତାଙ୍କୁ କ୍ଷମା ମାଗିବା ପାଇଁ ବାଧ୍ୟ କରାଇ ଦେଇଥିଲେ ନିଜର ବଳିଷ୍ଠ ଯୁକ୍ତି ଦ୍ୱାରା; ତଥାପି ତାଙ୍କ ମନରେ ଦୁଃଖ ରହି ଯାଇଥିଲା ଯେ ସେମାନଙ୍କ ମନରେ ଏବେବି ସେଭଳି ଭାଷାକୁ ନେଇ ସଂକୀର୍ଣ୍ଣତା ରହିଛି ବୋଲି । ପାଶ୍ଚାତ୍ୟ ଦେଶରେ କେବଳ ରବୀନ୍ଦ୍ରନାଥଙ୍କ ବ୍ୟତୀତ ସେମାନେ ଅନ୍ୟ କୌଣସି ଭାରତୀୟ ଲେଖକମାନଙ୍କ ଲେଖାକୁ ଜାଣନ୍ତି ନାହିଁ ବୋଲି ଜାଣିଲା ପରେ କିଶୋରୀଚରଣଙ୍କ ମନରେ ମଧ୍ୟ ଆହୁରି ଏକ ସାରସ୍ୱତ ଆଘାତ ଲାଗିଥିଲା ।

 

ଆଡ଼ିଲେଡ୍‍ରୁ ପ୍ରକାଶିତ ଏକ ସମ୍ବାଦପତ୍ର ‘The Advertiser’ରେ ଲେଖକଙ୍କର ଗୋଟିଏ ସାକ୍ଷାତ୍‌କାର ପ୍ରକାଶ ପାଇଥିଲା ଏବଂ ତାହାର ଶିରୋନାମ ରଖା ଯାଇଥିଲା ‘‘His audits experiences’’ । ପ୍ରଥମେ ଏହିଭଳି ଲେଖାଟି ତାଙ୍କୁ ବିସ୍ମିତ କରାଇଥିଲେ ମଧ୍ୟ ପରେ ସେ କେବଳ ଆତ୍ମସନ୍ତୋଷ ଲାଭ କରିଥିଲେ ଯେ ସେ ହେଉଛନ୍ତି ଭାରତ ସରକାରଙ୍କର ରାଜସ୍ୱ ସମୀକ୍ଷା କରୁ କରୁ ସେ ଯେତେବେଳେ ନିଜର ଅନୁଭୂତିର ସମୀକ୍ଷା କରିଛନ୍ତି । ତେଣୁ ଏହିଭଳି ମତାମତ ତାଙ୍କ ସମ୍ପର୍କରେ ଆଦୌ ଅପ୍ରାସଙ୍ଗିକ ହୋଇ ନାହିଁ ବୋଲି ଯେତେବେଳେ ବୁଝାଇ ଦିଆଗଲା, ଲେଖକ ତାହାକୁ ହିଁ ମାନି ନେଇଥିଲେ, ଆପାତତଃ ନିଜର ଆତ୍ମସନ୍ତୋଷ ପାଇଁ ।

 

ଲେଖକ କିଶୋରୀଚରଣ ଅଷ୍ଟ୍ରେଲିଆର ଏହି ଆଡ଼ିଲେଡ୍‍ ଛଡ଼ା ମେଲବୋର୍ଣ୍ଣ, ସିଡ୍‍ନି ଓ କ୍ୟାନବେରାରେ ବିଭିନ୍ନ ଲେଖକ- ସାହିତ୍ୟିକ ତଥା ସାହିତ୍ୟ ଅନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟର ସାହିତ୍ୟ ବିଭାଗର କର୍ତ୍ତୃପକ୍ଷଙ୍କ ସହିତ ମିଳିତ ହୋଇଛନ୍ତି, ସାଂସ୍କୃତିକ-ସାହିତ୍ୟିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଓ ଭାରତୀୟ ସାହିତ୍ୟକୁ ବିଶ୍ୱସ୍ତରରେ ପ୍ରକାଶ କରିବା ଅବସରରେ ଓଡ଼ିଆ ସାହିତ୍ୟକୁ ମଧ୍ୟ ବିଶ୍ୱସ୍ତରରେ ଚିହ୍ନାଇବାର ଯଥାସାଧ୍ୟ ପ୍ରୟାସ କରିଛନ୍ତି ।

 

୧୯୮୧ ମସିହାରେ କିଶୋରୀଚରଣଙ୍କୁ ଆଉ ଗୋଟିଏ ନୂଆ କାମ କରିବାର ସୁଯୋଗ ମିଳିଥିଲା ସାହିତ୍ୟ କ୍ଷେତ୍ରରେ । ସର୍ବଭାରତୀୟ ସ୍ତରରେ ଗୋଟିଏ ବିଶିଷ୍ଟ ସଂକଳନ ଓ ସଂପାଦନାର ଦାୟିତ୍ୱକୁ ସେ ଖୁସିରେ ଗ୍ରହଣ କରି ନେଇଥିଲେ । ଏହା ଥିଲା (Indian Council of Cultural Relations) ତରପରୁ ପ୍ରସ୍ତୁତ କରାଯାଉଥିବା ଆଧୁନିକ ଭାରତୀୟ ଗଳ୍ପ ସଂକଳନ (Modern Indian Short Stories - Vol.- IV)ର ପ୍ରସ୍ତୁତୀକରଣ । ଏଥିରେ କିଶୋରୀଚରଣ ଓଡ଼ିଆ, ବଂଗଳା ଓ ଅସମୀୟା ଗଳ୍ପକୁ ଚୟନ କରିବା ଅବସରରେ ପ୍ରତ୍ୟେକରୁ ୬ଟି ଲେଖାଏଁ ଗଳ୍ପ ନେଇ ତାହାର ଇଂରାଜୀ ଅନୁବାଦକୁ ସେଥିରେ ସ୍ଥାନ ଦେଇଥିଲେ ଓ ଏକ ଦୀର୍ଘ ମୁଖବନ୍ଧର ଅବତାରଣା କରାଇଥିଲେ । ଏହି ଅବସରରେ ସେ ସେହିସବୁ ଭାଷାର ବିଶିଷ୍ଟ ଲେଖକଙ୍କ ସଂସ୍ପର୍ଶରେ ଆସିଥିଲେ ଓ ସାରସ୍ୱତ ଆଦାନ-ପ୍ରଦାନର କାର୍ଯ୍ୟ ବେଶ୍‌ ରସାନ୍ୱିତ ହୋଇ ଉଠିଥିଲା । ବିଶେଷକରି ଆସାମରେ ଇନ୍ଦିରା ଗୋସ୍ୱାମୀଙ୍କ ସହିତ ତାଙ୍କର ସଂପର୍କ ଏହି ଅବସରରେ ଯେପରି ଦୃଢ଼ୀଭୂତ ହୋଇ ଉଠିଥିଲା, ତାହା କେବେ ଭୁଲିବାର ନୁହେଁ ବୋଲି ସେ ନିଜ ଆତ୍ମଜୀବନୀରେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ସ୍ୱୀକାର କରିଛନ୍ତି । (ସମୟ ନାହିଁ / ପୃଷ୍ଠା-୧୬୮)

 

ଏହା ପରଠାରୁ ଲେଖକଙ୍କ ଭିତରେ ରହିଥିବା ସୁପ୍ତ କବିତ୍ୱବୋଧଟି କ୍ରମେ ଜାଗ୍ରତ ହୋଇଉଠିଥିଲା ଓ ସେ ଇଂରାଜୀରେ କବିତା ଲେଖିବେ ବୋଲି ଏକପ୍ରକାର ନିଜର ଲେଖନୀ ନିକଟରେ ସତ୍ୟନିଷ୍ଠ ହୋଇ ପଡ଼ିଥିଲେ । କଲିକତାର ରହଣି ତାଙ୍କୁ ଉଭୟ ପାରିବାରିକ କ୍ଷେତ୍ରରେ ଓ କର୍ମକ୍ଷେତ୍ରରେ ଜଂଜାଳଗ୍ରସ୍ତ କରାଇଥିଲେ ମଧ୍ୟ; ବ୍ୟକ୍ତିଗତ ଜୀବନରେ ସେ କେଜାଣି କାହିଁକି କଲିକତା ସହର ସହିତ ଏକାନ୍ତ ଆତ୍ମୀୟତା ସ୍ଥାପନ କରିସାରିଥିଲେ । ତେଣୁ ସେହି ଅନୁଭୂତିଗୁଡ଼ିକ ହିଁ ଥିଲା ତାଙ୍କର ସେହି ଇଂରାଜୀ କବିତାର ମୁଖ୍ୟ ଭାବବସ୍ତୁ । ବିଶେଷକରି On leaving Calcutta, Mercifully ଓ Unto the Day ତିନୋଟି କବିତା ହିଁ ତା’ର ଏକ ଚମତ୍କାର ଦୃଷ୍ଟାନ୍ତ ମାତ୍ର । କିଶୋରୀଚରଣଙ୍କର ଅନେକ ଇଂରାଜୀ କବିତା ପାଶ୍ଚାତ୍ୟ ଦେଶର Journal of Indian Writing in English, Poetry Times, Minimax, Common Wealth Quarterly ଆଦି ପତ୍ରିକାମାନଙ୍କରେ ସ୍ଥାନିତ ହୋଇ ପାଠକ ମହଲରେ ବେଶ୍‌ ଆଦୃତ ହୋଇପାରିଛି । କବି କିଶୋରୀଚରଣଙ୍କର ପ୍ରଥମ ଇଂରାଜୀ କବିତା ସଂକଳନ ହେଉଛି Faces in the Dark । ଏହା ୧୯୭୯ ମସିହାରେ କଲିକତାର United Writers ନାମକ ଏକ ପ୍ରକାଶନ ସଂସ୍ଥାଦ୍ୱାରା ପ୍ରକାଶିତ ହୋଇଥିଲା । ଦ୍ୱିତୀୟ କବିତା ସଂକଳନ The Evening that never was ୨୦୦୩ ମସିହା ସେପେଫମ୍ବର ମାସରେ ପ୍ରକାଶ ଲାଭ କରିଛି । ଇଂରାଜୀ କବିତା ସହିତ ସେ କେବେ ଓଡ଼ିଆ କବିତାକୁ ଭୁଲିଯାଇ ନାହାନ୍ତି । ପ୍ରତ୍ୟେକ ବର୍ଷ କୁମାର ପୂର୍ଣ୍ଣିମାର ଶୁଭ ମୁହୂର୍ତ୍ତରେ ସେ ଗୋଟିଏ କବିତା ଉପହାର ଦିଅନ୍ତି ନିଜର ପ୍ରାଣପ୍ରିୟା ପତ୍ନୀ କୁମାରୀ ଦେବୀଙ୍କୁ । ପ୍ରାଥମିକ ସ୍ତରରେ ଏହା ଏକାନ୍ତ ବ୍ୟକ୍ତିଗତ ଥିଲେ ମଧ୍ୟ ପରବର୍ତ୍ତୀ କାଳରେ କବି ଏହାକୁ ବିଭିନ୍ନ ପତ୍ରିକାରେ ପ୍ରକାଶିତ କରିଛନ୍ତି । ତେଣୁ କବିଙ୍କ କବିତ୍ୱ କେବେ ଅବଦମିତ ହେବାର ନୁହେଁ । ଏହି ମର୍ମରେ ମଧ୍ୟ ଓଡ଼ିଆ ସାହିତ୍ୟ କିଶୋରୀଚରଣଙ୍କଠାରୁ ଲାଭ କରିଛି ‘ମିନି କାମନା’ (୧୯୮୩) ନାମକ ଏକ ପ୍ରଥମ କବିତା ସଂକଳନ । ପରେ ପରେ ମଧ୍ୟ କବିଙ୍କ ନିକଟରୁ ଓଡ଼ିଆ ସାହିତ୍ୟ ଗ୍ରହଣ କରିଛି ‘ସଂଜବତୀ’ ନାମକ ତାଙ୍କର ଦ୍ୱିତୀୟ ଓଡ଼ିଆ କବିତା ସଂକଳନକୁ ୨୦୦୧ ମସିହାରେ । ଉଭୟ କବିତା ପୁସ୍ତକ ଓଡ଼ିଶାର ବିଶିଷ୍ଟ ପ୍ରକାଶନ ସଂସ୍ଥା ‘ଲାର୍କବୁକ୍ସ’ ଆନୁକୂଲ୍ୟରେ ପ୍ରକାଶିତ ହୋଇଥିଲା ।

 

ଏହା ମଧ୍ୟରେ କଥାଶିଳ୍ପୀ କିଶୋରୀଚରଣଙ୍କୁ ତାଙ୍କର ‘ଠାକୁରଘର’ ଗଳ୍ପ ସଂକଳନ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିସାରିଲାଣି ଓ ସେ ମଧ୍ୟ ଅନେକ ଗଳ୍ପ ସଂକଳନ ରଚନା କରି ସାରିଲେଣି । ସେଗୁଡ଼ିକ ମଧ୍ୟରେ ‘ନାଲି ଗୁଲୁ ଗୁଲୁ ସାଧବ ବୋହୂ’ (୧୯୭୮), ‘ଗମନ’ (୧୯୮୦), ‘ଖେଳର ନାଆଁ ରଙ୍ଗ’ (୧୯୮୨), ‘ଭିନ୍ନ ପାଉଁଶ’ (୧୯୮୪) ପ୍ରଭୃତି ଅନ୍ୟତମ । ବାସ୍ତବରେ କିଶୋରୀଚରଣଙ୍କ ଏହି ରଚନାଗୁଡ଼ିକଦ୍ୱାରା ଓଡ଼ିଆ ବାଣୀଭଣ୍ଡାର ଯେ ଯଥେଷ୍ଟ ପରିମାଣରେ ସୁଦୃଢ଼ ହୋଇଉଠିଛି, ଏଥିରେ ସନ୍ଦେହ ନାହିଁ । ପରବର୍ତ୍ତୀ କାଳରେ ଏହି ଗଳ୍ପ ସଂକଳନମାନଙ୍କ ମଧ୍ୟରୁ ‘ଗମନ’ଟି କାନାଡ଼ାର ଜଣେ ବିଶିଷ୍ଟ ସଂସ୍କୃତ ଓ ଓଡ଼ିଆ ଜାଣିଥିବା ବ୍ୟକ୍ତି ଡକ୍ଟର-ଫିଲିସ୍‌ ଗ୍ରାନଫ୍‌ଙ୍କଦ୍ୱାରା ଅନୂଦିତ ହେଇ The Journey Stories by K.C. Das ନାମରେ ଯୁକ୍ତରାଷ୍ଟ୍ରର ମିସିଗାନ୍‌ ୟୁନିଭର୍ସିଟି ପ୍ରେସଙ୍କଦ୍ୱାରା ପ୍ରକାଶିତ ହୋଇଥିଲା ଓ ପାଶ୍ଚାତ୍ୟ ଦେଶର ପାଠକୀୟତାକୁ ଉତ୍ସାହିତ କରିପାରିଥିଲା ।

 

୧୯୮୫ ମସିହାବେଳକୁ କବି-ଲେଖକ କିଶୋରୀଚରଣ ନିଜର ସବୁ ପ୍ରକାର କର୍ମରୁ ଅବସର ଗ୍ରହଣ କରି ସାରିଲେଣି । ଏଣିକି ଖାଲି ସାହିତ୍ୟ ସାଧନା । ତେଣୁ ଅବଶିଷ୍ଟ ଜୀବନ ତାଙ୍କୁ ‘ସମୟ ନାହିଁ’ର ଭାବରେ ମନ୍ତ୍ରିତ କରିଛି । ସେ ଅନୁଭବ କରିଛନ୍ତି ସତେ ଯେପରି ଆଉ ସମୟ ନାହିଁ ନିଜର ମନର କାମନାକୁ ଶେଷରୂପ ଦେବା ପାଇଁ । ତେଣୁ ଯେତିକି ସମୟ ଅଛି, ଅତ୍ୟନ୍ତ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ, ସେତେଦିନ ଯାଏ ସାହିତ୍ୟ ଦେବୀଙ୍କ ଆରାଧନା କରିବା ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି ।

 

କିଶୋରୀଚରଣ କବିତା ଲେଖିଛନ୍ତି, ଗଳ୍ପ ମଧ୍ୟ ଲେଖିଛନ୍ତି । ମାତ୍ର ଏ ପର୍ଯ୍ୟନ୍ତ ସେ କେବେ ଉପନ୍ୟାସ ଲେଖି ନ ଥିଲେ । ଥରେ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ଆମନ୍ତ୍ରଣକ୍ରମେ ଓଡ଼ିଶା ରାଜ୍ୟ ଏକାଡେମୀର ଏକ ସେମିନାରକୁ ଯାଇଥିଲେ ଯୋଗ ଦେବାପାଇଁ । ସେଠାରେ ଗୋଟିଏ ଅପ୍ରୀତିକର ଘଟଣାଟିଏ ଘଟିଲା । ସଭାପତି ଆସନରେ ଥାଇ ସୁରେନ୍ଦ୍ର ମହାନ୍ତି ବର୍ତ୍ତମାନର ସଫଳ ଗାଳ୍ପିକମାନେ ଉପନ୍ୟାସ ଦିଗରେ ଲେଖନୀ ଚାଳନା ନ କରୁଥିବାରୁ ଗଭୀର କ୍ଷୋଭ ପ୍ରକାଶ କଲାବେଳେ, କଥାଟି କିଶୋରୀଚରଣଙ୍କୁ ମଧ୍ୟ ଆଘାତ ଦେଇଥିଲା । ଏହି କ୍ରମରେ କିଶୋରୀଚରଣ ଆରମ୍ଭ କଲେ ନିଜର ଉପନ୍ୟାସ ଲେଖାର ଜୀବନ । ଓଡ଼ିଆ ଲେଖକ ଭାବରେ ସେହି ଦିଗରେ କିଛି କାମ କରିବାକୁ ନିଜର ପରମ କର୍ତ୍ତବ୍ୟ ବୋଲି ମଧ୍ୟ ସେ ଚିନ୍ତା କଲେ । ଏହି କ୍ରମରେ ଓଡ଼ିଆ ସାହିତ୍ୟ କିଶୋରୀଚରଣଙ୍କଠାରୁ ସମୟକ୍ରମେ ସାତଗୋଟି ଉପନ୍ୟାସ ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଛି । ସେଗୁଡ଼ିକ ହେଲା- (୧) ସାତଟି ଦିନର ସତୀ (୧୯୯୩), (୨) ନେତା ଓ ନେତ୍ରମଣି (୧୯୯୬), (୩) ସକଳ ସନ୍ତାନ (୧୯୯୫), (୪) ସ୍ୱର୍ଗସୀମା (୧୯୯୮), (୫) ବିଦେଶିନୀ (୨୦୦୦), (୬) ତୁମ ଆମ ଶତାବ୍ଦୀ (୨୦୦୨), (୭) ଶେଷ ଅଙ୍କ, ପ୍ରଥମ ଦୃଶ୍ୟ (୨୦୦୩) । କିଶୋରୀଚରଣ ଉପନ୍ୟାସ ଦିଗରେ ମନୋନିବେଶ କରିଥିଲେ ମଧ୍ୟ ଗଳ୍ପ ବା କବିତା ଦିଗକୁ ମଧ୍ୟ ଯତ୍ନର ସହିତ ସମାଦର ପ୍ରଦାନ କରିଛନ୍ତି । ତେଣୁ ଓଡ଼ିଆ ସାହିତ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ପାଇଛି ‘ଭିନ୍ନ ପାଉଁଶ’ (୧୯୮୪), ଶୀତଲହରୀ (୧୯୮୬), ତ୍ରୟୋବିଂଶ ମୃତ୍ୟୁ (୧୯୮୭), ଲେଉଟାଣି (୧୯୮୯), ନିଜ ସଂଜ (୧୯୯୨), ଧବଳ ଆକାଶ (୧୯୯୪), ଥରୁଟିଏ (୧୯୯୭), ତରଙ୍ଗ (୧୯୯୭), ଶେଷଗଳ୍ପ (୨୦୦୦), ପରଦା ତଳେ ଓ ଅନ୍ୟାନ୍ୟ ଗଳ୍ପ (୨୦୦୨), ଶାନ୍ତ ଅପରାହ୍ନ (୨୦୦୨) ଓ ନିଆଁ (୨୦୦୪) ପ୍ରଭୃତି ଅନେକ ଗଳ୍ପ ସଂକଳନ ।

 

କିଶୋରୀଚରଣଙ୍କ ସାରସ୍ୱତ ସାଧନାର ଅନ୍ୟ ଏକ ଦିଗ ଥିଲା ଅନୁବାଦ ସାହିତ୍ୟ । ଦିନେ ଅଧ୍ୟାପକ ଡଃ ନିତ୍ୟାନନ୍ଦ ଶତପଥୀ ଏବଂ ଇଂଜିନିୟର ସାହିତ୍ୟିକ ଅଜିତ୍‌ ମୁଖାର୍ଜୀ ତାଙ୍କ ନିକଟରେ ପହଞ୍ଚିଥିଲେ ଗୋଟିଏ ପ୍ରସ୍ତାବ ନେଇ । ସେମାନେ ଗୋଟିଏ ‘ସାଂପ୍ରତିକ’ ନାମକ ସାହିତ୍ୟ ଅନୁଷ୍ଠାନଟିଏ ଗଠନ କରିବାକୁ ଚାହୁଁଥିଲେ ଏବଂ କିଶୋରୀଚରଣଙ୍କୁ ସେହି ଅନୁଷ୍ଠାନର ସଭାପତି କରିବାକୁ ପ୍ରସ୍ତାବ ରଖିଚନ୍ତି ବୋଲି କହିଲେ । ଏହି ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡ଼ିଆ ସାହିତ୍ୟକୁ ଓଡ଼ିଶା ବାହାରେ ପରିଚିତ କରାଇବା ଓ ଅନ୍ୟାନ୍ୟ ଭାରତୀୟ ସାହିତ୍ୟକୁ ଭଲ ଭାବରେ ଚିହ୍ନିବା । କିଶୋରୀଚରଣଙ୍କ ମନର କଥାକୁ ଯେପରି ସେମାନେ ସେଦିନ ତାଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲେ ବୋଲି ତାଙ୍କର ମନେହେଲା । ସେ ଅଚିରେ ଏଥିରେ ସମ୍ମତି ପ୍ରକାଶ କରିଥିଲେ । କେବଳ ସମ୍ମତି ପ୍ରକାଶ କଲେ ନାହିଁ; ଅଧିକନ୍ତୁ ନିଜର ଉଦ୍ୟମକୁ ଏହି ଦିଗରେ ବଳବତ୍ତର ରଖି ଏ ଦିଗରେ ଅନେକ ଯଶସ୍ୱୀ କାର୍ଯ୍ୟ ସମ୍ପନ୍ନ କରିପାରିଥିଲେ । ସାଂପ୍ରତିକର ପ୍ରଥମ ସଂଖ୍ୟା ପ୍ରକାଶିତ ହେଲା ୧୯୮୬ ମସିହା ଜାନୁୟାରୀ ମାସ ୧୯ ତାରିଖରେ । ତାହାର ଅଗ୍ରଲେଖାକୁ ଲେଖିଥିଲେ କିଶୋରୀଚରଣ । ଶୀର୍ଷକଟି ଥିଲା One in many languages । ସେଥିରେ ସେ ଏହି ନୂତନ କର୍ମଟିକୁ ବର୍ତ୍ତମାନ ସାହିତ୍ୟର ଚାହିଦା ବୋଲି ଉଲ୍ଲେଖ କରିବା ସହ ଏହା ଯେ ଆଗାମୀ ଦିନରେ ଏକ ସାହିତ୍ୟିକ ଆନ୍ଦୋଳନର ରୂପ ନେବ- ତାହାକୁ ସେ ମୁକ୍ତ କଣ୍ଠରେ ଘୋଷଣା କରିଥିଲେ ।

 

୧୯୮୬ ମସିହାବେଳକୁ କିଶୋରୀଚରଣ ସାହିତ୍ୟ ସାଧନା ଦିଗରେ ଆଉ ଏକ ଭିନ୍ନ ଧରଣ ସୃଷ୍ଟିରେ ନିଜକୁ ନିୟୋଜନ କଲେ । ତାହା ହେଉଛି ‘ତିରିଶ ବର୍ଷର ଗଳ୍ପ ଓ ଆଳାପ’ର ସୃଷ୍ଟି କର୍ମ । ଯେତେବେଳେ କିଶୋରୀଚରଣଙ୍କର ଗ୍ରନ୍ଥାବଳୀ ଛପାଯିବାର ପ୍ରସ୍ତାବ ରଖାଗଲା, ସେତେବେଳେ କିଶୋରୀଚରଣ ନିଜଆଡ଼ୁ ଗୋଟିଏ ଅଦ୍ଭୁତ ପ୍ରସ୍ତାବ ରଖିଥିଲେ ଯେ, ନିଜ ଗଳ୍ପକୁ ପୁଣିଥରେ ପଢ଼ି ତାକୁ ନିଜେ ସମୀକ୍ଷା କରିବେ ଓ ନିଜ ଅନୁଭବକୁ ସେହି ଗପ ସହିତ ଉଲ୍ଲେଖ କରିବାକୁ । ପ୍ରସ୍ତାବଟି ବିଚିତ୍ର ହେଲେ ମଧ୍ୟ ପ୍ରକାଶକଙ୍କ ପାଇଁ ଅଦ୍ଭୁତ ଥିଲା; ନୂତନ ମଧ୍ୟ । ତେଣୁ ପ୍ରକାଶକଙ୍କର ସମ୍ମତିକ୍ରମେ ସେ ଏହି ଦିଗରେ ନିଜର ଗଭୀର ମନୋନିବେଶ ଜାରି ରଖିଥିଲେ । ସମୟକ୍ରମେ ଏହି ପୁସ୍ତକଟି ମଧ୍ୟ ପ୍ରକାଶ ପାଇଲା ଦୁଇଟି ଭିନ୍ନ ଭିନ୍ନ ଖଣ୍ଡରେ ।

 

୧୯୮୬ ମସିହାରେ କିଶୋରୀଚରଣ ଇଂଫା ଶିଳ୍ପ ସଂସ୍ଥା ତରଫରୁ ପ୍ରଦାନ କରାଯାଉଥିବା ‘ସାରଳା ପୁରସ୍କାର’କୁ ନିଜର ‘ଭିନ୍ନ ପାଉଁଶ’ ଗଳ୍ପ ସଂକଳନ ପାଇଁ ଗ୍ରହଣ କରିଥିଲେ । ଏହା ମଧ୍ୟ ଥିଲା ତାଙ୍କ ପାଇଁ ଏକ ଆନୁଷ୍ଠାନିକ ସ୍ୱୀକୃତି ମାତ୍ର ।

 

୧୯୯୦ ମସିହା ନଭେମ୍ବର ମାସ ୧୧ ତାରିଖ ଦିନଟି ଥିଲା କିଶୋରୀଚରଣଙ୍କର ଲେଖକୀୟ ଜୀବନରେ ଘଟିଯାଇଥିବା ଏକ ମର୍ମନ୍ତୁଦ ଦୁର୍ଘଟଣା । ଏହିଦିନ ତାଙ୍କର ଲେଖିକା ଝିଅ ବିଶ୍ୱଜିତା ଓରଫ ବେବିର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଗଲା । ସେ ଥିଲା ଜଣେ ଶିଶୁ ସାହିତ୍ୟିକା, ଅଦ୍ଭୁତ ଥିଲା ତା’ର କଳ୍ପନା ଶକ୍ତି । ‘ହାତୀର କାନ କାହିଁକି କୁଲା ଭଳି ହେଲା’, ‘ଫୁଲେଈ ଠେକୁଆ ଝିଅର ପାଉଡର ପପ୍‌କୁ କିପରି ତା’ ଲାଞ୍ଜରେ ଖଞ୍ଜି ଦିଆଗଲା, ଯେମିତିକା ତା’ ହାତ ଆଉ ସେଠିକି ପାଇବ ନାହିଁ, ଆଉ ଥରକୁ ଆଣି ମୁହଁରେ ଲଗାଇବା ପାଇଁ ଇତ୍ୟାଦି ବିଚିତ୍ର ଧରଣର ବିଷୟବସ୍ତୁ ଥିଲା ତା’ର ଗଳ୍ପରେ । ତା’ର ସେହି ସବୁ ଗଳ୍ପ ଶଙ୍କରଙ୍କର Children's World ଓ ଅରୁଣ ପୁରୀଙ୍କର Targetରେ ପ୍ରକାଶିତ ହୋଇଥିଲା । ତେଣୁ ଏଭଳି ସୁଲେଖିକା ଝିଅଙ୍କ ଅକାଳ ବିୟୋଗ ପରେ ବାପା ହିସାବରେ କେବଳ ସେ ଅଶ୍ରୁ ଗଡ଼ାଇ ନାହାନ୍ତି ନିଜ ଝିଅ ପାଇଁ; ଅଧିକନ୍ତୁ ସାରସ୍ୱତ ଜଗତରେ ନିଜ ଝିଅକୁ ପରିଣତ କରାଇବାର ଦୁର୍ବାର ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶ୍ୱଜିତାର କେତୋଟି ଇଂରାଜୀ କବିତାକୁ ଓ ଗଳ୍ପମାନଙ୍କୁ ଓଡ଼ିଆରେ ଅନୁବାଦ କରିବାକୁ ଚାହିଁଥିଲେ ସେ । ସେହି କ୍ରମରେ ‘ସରଗ ଶଶୀର ହସ’ (କବିତା ସଂକଳନ), ‘ଟିକେ ଓଦାଳିଆ’, ‘ଚିକେ ଚିକି ଚିକି’ (ଗଳ୍ପ ସଂକଳନ), ‘ହାତୀ ଭାଇର କୁଲା କାନ’ (ଗଳ୍ପ ସଂକଳନ) ପ୍ରକାଶିତ ହୋଇଥିଲା ।

 

୧୯୯୪ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁରୋଧରେ ଇଂରାଜୀ ଗଳ୍ପ ସଂକଳନ Last Labrynthକୁ ‘ଶେଷ ଗୋଲକ ଧନ୍ଦା’ ଭାବରେ ଓଡ଼ିଆରେ ଅନୁବାଦ ସେ କରିଛନ୍ତି । କିଶୋରୀଚରଣ ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ର Creative Writings ସମ୍ପର୍କରେ ଗୋଟିଏ ଡିପ୍ଲୋମା କୋର୍ସରେ ଏକ ଭିତ୍ତି ପ୍ରବନ୍ଧ ପ୍ରସ୍ତୁତ କରି ପାଠ କରିଛନ୍ତି, ଯାହାକି ପରବର୍ତ୍ତୀ କାଳରେ ପାଠ୍ୟଖସଡ଼ା ଭାବରେ ଗୃହୀତ ହୋଇଛି, ଇଷ୍ଟର୍ଣ୍ଣ ମିଡ଼ିଆ ପବ୍ଲିକେଶନଦ୍ୱାରା ପ୍ରକାଶ ପାଉଥିବା କିଶୋର ଗଳ୍ପର ମାସିକ ସାହିତ୍ୟ ପତ୍ରିକା ‘କଥା’ ପାଇଁ ‘କଥାସାହିତ୍ୟର କଳା ଓ କାରିଗରୀ’ ଧାରାବାହିକ ଭାବରେ ଲେଖିଛନ୍ତି, ସୁସାମ୍ବାଦିକ ତଥା ପୂର୍ବତନ ସାଂସଦ ପ୍ରଦ୍ୟୁମ୍ନ ବଳଙ୍କର ପ୍ରଗତିବାଦୀ (ଦୈନିକ ସମ୍ବାଦପତ୍ର) ପାଇଁ ଗୋଟିଏ ନିୟମିତ ସ୍ତମ୍ଭକାର ଭାବରେ ସେ ମଧ୍ୟ ଲେଖିଛନ୍ତି ‘ଲେଖକର ଦୁଃଖ’ ଏହି ଶିରୋନାମରେ ନିଜ ଭାବନା ଓ ଅନୁଭୂତ ସତ୍ୟର କଥା ଇତ୍ୟାଦି ପ୍ରକଟିତ ହୋଇଛି । ସବୁଠି କିନ୍ତୁ ସେ ଛାଡ଼ି ଦେଇଛନ୍ତି ସାରସ୍ୱତ ମନନର ଶାଶ୍ୱତ ଠାଣି ।

 

ଓଡ଼ିଆରେ ଅନୁବାଦ ପାଇଁ ସାହାଯ୍ୟ ଲୋଡ଼ିଛନ୍ତି କମଳାକାନ୍ତ ମହାପାତ୍ରଙ୍କର, ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀ । ଠିକ୍‌ ସେହିପରି ମଧ୍ୟ ଅନୁବାଦ ମାଧ୍ୟମରେ ଓଡ଼ିଆ ସାହିତ୍ୟକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଦିଲ୍ଲୀରେ ରହୁଥିବା ଓଡ଼ିଆ କବି-ଲେଖକ ସମାଲୋଚକ ଡକ୍ଟର ଜଗନ୍ନାଥ ପ୍ରସାଦ ଦାସଙ୍କ ସହିତ Oriya Writings Todayର ପରିକଳ୍ପନା କରନ୍ତି ମଧ୍ୟ । ସାହିତ୍ୟ ସଭାଠାରୁ ସାହିତ୍ୟ ଆସର ପର୍ଯ୍ୟନ୍ତ ସବୁଠିକି ସେ ଯାଇଛନ୍ତି ଶ୍ରଦ୍ଧାରେ । ସବୁ ସାହିତ୍ୟିକଙ୍କୁ ସେ ନିକଟରୁ ଭଲ ପାଇବାକୁ ଚେଷ୍ଟା କରିଛନ୍ତି ଓ ନିଜକୁ ମଧ୍ୟ ଅନ୍ୟମାନଙ୍କ ପରି ଗଢ଼ି ତୋଳିବାକୁ ଯଥେଷ୍ଟ ଯତ୍ନଶୀଳ ହୋଇଛନ୍ତି । ଯେଉଁଠି ଆସିଛି ଆକ୍ଷେପ, ତାହାକୁ ନିଜ ବୁଦ୍ଧିରେ ଯୁକ୍ତି ଦେଖାଇ ଓଡ଼ିଆ ସାହିତ୍ୟର ସମ୍ମାନ ରକ୍ଷା ପାଇଁ ବିତର୍କ ଆରମ୍ଭ କରି ଦେଇଛନ୍ତି ଓ କେଉଁଠି ଆକ୍ଷେପକୁ ସମୁଚିତ ମନେ କରି ସେହି ଦିଗରେ ନିଜକୁ ବ୍ରତୀ କରାଇ ନେଇଛନ୍ତି । ସବୁଠି କେବଳ ଶ୍ରଦ୍ଧାର ଆରୋପ । ଜୀବନର ଶେଷ ପାହାଚରେ ଥାଇ କିଶୋରୀଚରଣ ଲେଖିଛନ୍ତି ନିଜର ଆତ୍ମଜୀବନୀ ‘ସମୟ ନାହିଁ’ । ତା’ର ଶେଷ ଅଧ୍ୟାୟ ହେଉଛି ‘ସନ୍ଧ୍ୟା : ସମୟ ନାହିଁ’ । ସମ୍ଭବତଃ କିଶୋରୀଚରଣ ସନ୍ଧ୍ୟାକୁ ସେତେବେଳକୁ ଅନୁଭବ କଲେଣି । ନିଜେ କେବଳ ଛିଡ଼ା ହୋଇଛନ୍ତି ଗୋଧୂଳିର କ୍ଳାନ୍ତ ଅପରାହ୍ନରେ । କେତେବେଳେ ସନ୍ଧ୍ୟା ଆସିଯିବ କିଏ ଜାଣେ ?

 

ସାରସ୍ୱତ ସଂଗଠନ ଓ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ କିଶୋରୀଚରଣଙ୍କ କୃତିତ୍ୱ ସ୍ୱୀକୃତ । ସାଂପ୍ରତିକ ସାହିତ୍ୟାନୁଷ୍ଠାନର ସଭାପତି ପଦ ସେ ମଣ୍ଡନ କରିଥିଲେ (୧୯୮୫-୧୯୯୨) । ରାଜ୍ୟ ଓ ରାଜ୍ୟ ବାହାରେ ଓଡ଼ିଆ ସାହିତ୍ୟର ପ୍ରସାର ପାଇଁ ଏହି ଅନୁଷ୍ଠାନ ମାଧ୍ୟମରେ ତାଙ୍କ ଉଦ୍ୟମ ଥିଲା ଉଲ୍ଲେଖଯୋଗ୍ୟ । ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ପଦ ମଣ୍ଡନ କରି କିଶୋରୀଚରଣ ସ୍ୱକୀୟ ସାରସ୍ୱତ ନିଷ୍ଠାର ପ୍ରମାଣ ଦେଇଛନ୍ତି । (୧୨.୭.୧୯୯୪-୧୨.୦୫.୧୯୯୬) । ଏକାଡେମୀର କାର୍ଯ୍ୟକ୍ରମକୁ ପ୍ରସାରିତ କରିବା ସହ ପୁରସ୍କାର ପଦ୍ଧତିରେ ସ୍ୱଚ୍ଛତା ଆଣିବା ପାଇଁ ତାଙ୍କର ପ୍ରୟାସ ସ୍ମରଣୀୟ ।

 

ସେଦିନ ଥିଲା ୨୦୦୪ ମସିହା ମାର୍ଚ୍ଚ ମାସ ୩୦ ତାରିଖ । ନ୍ୟାସନାଲ ବୁକ୍‌ ଟ୍ରଷ୍ଟ ଆନୁକୂଲ୍ୟରେ ଯାଜପୁର ଜିଲ୍ଲାର ଦାମୋଦର ବିଦ୍ୟାପୀଠ, ଅଚ୍ୟୁତପୁରରେ ‘ଗ୍ରାମାଞ୍ଚଳରେ ଅଧ୍ୟୟନ ଅଭ୍ୟାସର ବିକାଶ’ ଶୀର୍ଷକ ଆଲୋଚନାଚକ୍ରରେ କିଶୋରୀଚରଣ ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରିତ ହୋଇ ଯାଇଥାନ୍ତି । କିଶୋରୀଚରଣ ମଧ୍ୟ କୌଣସି ସଭାସମିତିକୁ ଏହା ପୂର୍ବରୁ ନିଜକୁ ଥରେ ସେଥିପାଇଁ ପ୍ରସ୍ତୁତ କରି ନେଇଥାନ୍ତି ଓ ଖଣ୍ଡିଏ ଲିଖିତ ଅଭିଭାଷଣ କିମ୍ବା ନିହାତି କମରେ କ’ଣ କହିବେ ସେ ସଂକ୍ରାନ୍ତରେ ଖଣ୍ଡିଏ ଛୋଟ ଚିଠା ପ୍ରସ୍ତୁତ କରି ସାଙ୍ଗରେ ନେଇଥାନ୍ତି- ସେଦିନ ଚିରାଚରିତ ରୀତିରେ କିଶୋରୀଚରଣ ଭାଷଣ ଦେବା ପାଇଁ ଠିଆ ହୋଇ ପ୍ୟାକେଟରୁ ଗୋଟିଏ ଖୋଳ ମଧ୍ୟରୁ ଲେଖାଟିଏ ବାହାର କରିଥିଲେ । ମାତ୍ର ବଡ଼ ଆଶ୍ଚର୍ଯ୍ୟର କଥା ଯେ - ସେଥିରେ ଲେଖା ନ ଥିଲା । ଲେଖା ବଦଳରେ ବାହାରିଥିଲା କେତୋଟି ନୋଟ (ଟଙ୍କା) ମାତ୍ର । ବଡ଼ କରୁଣ ହୋଇ ଉଠିଥିଲେ ଲେଖକ ସେତେବେଳେ । ନିଜର ଅସହାୟତାକୁ ପରିଣତ ବୟସରେ ନିଜ ମଧ୍ୟରେ ଚାପି ରଖିବାକୁ ଚେଷ୍ଟା କରିଥିଲେ କିଶୋରୀଚରଣ । ପ୍ରସ୍ତୁତିବିହୀନ ହୋଇ ସେ ଅତ୍ୟନ୍ତ ସରଳ ଭାବରେ କେତୋଟି ମାତ୍ର କଥାକୁ ଅତ୍ୟନ୍ତ ଗମ୍ଭୀରତାପୂର୍ବକ ସେଠାରେ ବ୍ୟକ୍ତ କରିଥିଲେ । ତାଙ୍କର ବକ୍ତବ୍ୟକୁ ବର୍ଣ୍ଣନା କରିବାକୁ ଯାଇ ପ୍ରତ୍ୟକ୍ଷଦର୍ଶୀ ଭାବରେ ସଭାର ଆୟୋଜକ ତଥା ନ୍ୟାସନାଲ ବୁକ୍‌ ଟ୍ରଷ୍ଟର ଓଡ଼ିଆ ବିଭାଗର ସହସମ୍ପାଦକ ଡକ୍ଟର ପ୍ରମୋଦ ସର ଲେଖିଛନ୍ତି- ‘ସେହି ଦୁଇ ପଦ କଥା ଥିଲା, ‘ପ୍ରାର୍ଥନା ପରି ସରଳ, ନିଷ୍କପଟ ଓ ଗ୍ରାମୀଣ ମଣିଷଟିଏ ପରି ଆଡ଼ମ୍ବରଶୂନ୍ୟ ଥିଲା ତାଙ୍କ ବକ୍ତବ୍ୟର ଶୈଳୀ- ଯେମିତି କଥାବାର୍ତ୍ତା । ତାଙ୍କରି ଗପ ପରି- ତାଙ୍କ ଗଢ଼ା ଚରିତ୍ରମାନଙ୍କର ସଂଳାପ ପରି ।’ (Kishori Charan - ସ୍ମୃତି ସଂଖ୍ୟା / ଶେଷ ସଭା : ଅନନ୍ୟ ଅନ୍ୟମନସ୍କତା / ପୃଷ୍ଠା - ୧୮୯-୧୯୦) । ସଭା ଶେଷ ପର୍ଯ୍ୟନ୍ତ ସବୁ କିଛି ପ୍ରାୟ ଠିକ୍‌ ଠାକ୍‌ ଥିଲା । କିଶୋରୀଚରଣ ମଧ୍ୟ ଥିଲେ ଚଳଚଞ୍ଚଳ ଓ ପ୍ରକୃତିସ୍ଥ । ସଭା ପରେ ସେ ଫେରୁଥାନ୍ତି କଟକକୁ । ସାଙ୍ଗରେ ଥାଆନ୍ତି ଓଡ଼ିଆ ସାହିତ୍ୟର ବିଶିଷ୍ଟ ସମାଲୋକ ପ୍ରଫେସର ଡକ୍ଟର ଦାଶରଥି ଦାସ । ଗଲାବେଳେ ସେ ଡକ୍ଟର ଦାସଙ୍କ ସହିତ ବେଶ୍‌ କଥାବାର୍ତ୍ତା କରି ଚାଲିଥିଲେ ଓ ‘ଅନେକ କାମ ବାକି ଅଛି’ ବୋଲି କହୁଥିଲେ । ହେଲେ ଫେରିବାବେଳକୁ ଏତେ କ୍ଳାନ୍ତ ହୋଇ ପଡ଼ିଥିଲେ ଯେ ସେ ଗାଡ଼ିରେ ଶୋଇପଡ଼ିଲେ । ଏହି କ୍ଳାନ୍ତିକୁ ସ୍ମୃତିଚାରଣ କରି ଡକ୍ଟର ଦାସ କୁହନ୍ତି ଯେ-“ xxx ଭିତରେ ଭିତରେ ହୁଏତ ସେ କ୍ଳାନ୍ତ ହୋଇ ପଡ଼ିଥିଲେ, ଅଦୂର ଭବିଷ୍ୟତ୍‌ରେ ଲୋକାନ୍ତର ଯାତ୍ରା କରିବା ପାଇଁ ପ୍ରସ୍ତୁତ ହେଉଥିଲେ ।’’ (Kishori Charan / ସ୍ମୃତି ସଂଖ୍ୟା / ଶେଷ ସହଯାତ୍ରା- ଡକ୍ଟର ଦାଶରଥି ଦାସ / ପୃଷ୍ଠା - ୧୭୧)

 

କିଶୋରୀଚରଣଙ୍କ ଜୀବନରେ ୨୦୦୪ ମସିହା ଅଗଷ୍ଟ ମାସ ୧୭ ତାରିଖ ଦିନ ସତକୁ ସତ ସନ୍ଧ୍ୟା ଆସିଗଲା । ତାଙ୍କ ଭିତରେ ଖେଳୁଥିବା ଚିର ଦେଦୀପ୍ୟମାନ ସବିତାର ଶେଷ ରଶ୍ମି ଅସ୍ତାଚଳରେ ଲୀନ ହୋଇଗଲା । ଓଡ଼ିଆ ସାରସ୍ୱତ ଜଗତର ସମୃଦ୍ଧି ପାଇଁ ତାଙ୍କର ନିଷ୍ଠା ଓ ସାଧନା ତାଙ୍କୁ ଚିର ସ୍ମରଣୀୟ କରି ରଖିବ ।

 

ଶେଷଯାତ୍ରା

 

କିଶୋରୀଚରଣ ମୃତ୍ୟୁ ସଂପର୍କରେ ସତେ ଯେପରି ସଚେତନ ଥିଲେ । ମୃତ୍ୟୁ ଯେପରି ତାଙ୍କୁ ଆଖି ଆଗରେ ଦେଖା ଯାଉଥିଲା । ସେ ପ୍ରତ୍ୟେକ ବର୍ଷ ପତ୍ନୀ କୁମାରୀ ଦେବୀଙ୍କ ଜନ୍ମ ଦିନ କୁମାର ପୂର୍ଣ୍ଣିମାରେ ହୃଦୟର ଏକ କବିତାକୁ ଭେଟି ଭାବରେ ତାଙ୍କୁ ଅର୍ପଣ କରନ୍ତି । ୨୦୦୩ ମସିହାର କୁମାର ପୂର୍ଣ୍ଣିମା ତିଥିରେ ପତ୍ନୀଙ୍କ ଉଦ୍ଦେଶ୍ୟରେ ତାଙ୍କର ଥିଲା ଶେଷ ଉପହାରର କବିତା ‘ସନ୍ଧ୍ୟା’; ଯେଉଁ କବିତାଟିରେ ବାସ୍ତବରେ କିଶୋରୀଚରଣଙ୍କ ଜୀବନର ଶେଷ ଅଧ୍ୟାୟଟି ଉନ୍ମୋଚିତ ହୋଇଯାଇଛି । କବିତାଟିର ଶୀର୍ଷକ ଥିଲା ‘ସନ୍ଧ୍ୟା’ ।

 

ସନ୍ଧ୍ୟା

ଜଣା ଅଛି, ପୂରାପୂରି ଜଣାଅଛି

ଏହାପରେ ଯେଉଁ ଦୃଶ୍ୟ ରହିଛି ମୋ ପାଇଁ

ସୁରକ୍ଷିତ ହୋଇ-

ନାଆଁ ତା’ର ଘୋର ଅନ୍ଧକାର !

 

ସେହେତୁ ମୁଁ ସଂବୋଧିଲି ତା’କୁ

ଅଭିମାନେ ଜର୍ଜରିତ ହୋଇ,

ରଖ ତୋର ଅସ୍ତରାଗ ରଂଗ ମଉଛବ

ଅବା ତୋର ସ୍ୱର ସତେ କୋମଳ ଗାନ୍ଧାର

ଇତ୍ୟାଦି ଯାବତୀୟ ସୁଆଗିଆ ପଣ

ସତ କଥା ଶେଷ କଥା ଭିନ୍ନ ।

ଆସିଛୁ ତୁ ଅମଂଗୁଳୀ ବିନାଶର ବାର୍ତ୍ତା ନେଇ

ନାଆଁ ତା’ର ଘୋର ଅନ୍ଧକାର ।

ଏହା ପରେ ଆଉ କିଛି ନାହିଁ

ନାହିଁ କେଉଁ ସ୍ମୃତିର ଚାରଣ ସୁନ୍ଦରକୁ ହେଜି,

ବିସ୍ମୃତିର ପ୍ରବଣତା ଅବା

ଏଡ଼ାଇବା ପାଇଁ କେଉଁ ଅସୁନ୍ଦରଟାକୁ ।

କିଛି ନାହିଁ, କେହି ନାହିଁ

ମୁଇଁ ନାହିଁ ।

ଅତଏବ ଅଲାଜୁକୀ ଅନ୍ଧାର ଦୂତିକା

କହିବୁ କି କାହିଁକି ମୁଁ ବରିନେବି ତୋତେ

ଜୀବନକୁ ଭଲ ପାଏ ବୋଲି ?

 

ତହୁଁ କୁହେ ସନ୍ଧ୍ୟାରାଣୀ ମୃଦୁ ମୃଦୁ ହସି

ଆଂଗୁଳି ଦେଖାଇ ଏକ

ନୀଡ଼କୁ ତା’ ଫେରିଆସୁଥିବା

କ୍ଳାନ୍ତ, ହେଲେ ଅନୁଭବୀ, ବିହଙ୍ଗ ଆଡ଼କୁ-

ଏଇ କ’ଣ ସୁଖ ନୁହେଁ

ଶାନ୍ତି କ’ଣ ସୁଖ ନୁହେଁ ?

 

ନା !!

‘ନା’ ପରି ଗର୍ଜିଉଠେ ସ୍ୱାଭିମାନ ମୋର

ଶାନ୍ତି ସୁଖ ନୁହେଁ । ନୁହେଁ ଏଇ

ନିସ୍ତରଙ୍ଗ ଅଣ ଉଚ୍ଚାରଣ

ଅନ୍ଧକାରପୂର୍ବ ଏଇ ସହିଯିବାପଣ

ଅନୁଭବହୀନ ।

ତହୁଁ ତା’ର ହସଟିକ ଭିନ୍ନରୂପୀ ଦିଶେ

ଉଚ୍ଚମ୍ମନ୍ୟ ବିଦ୍ରୁପରେ ମାଖି ହେଲା ପରି ।

କୁହେ-

ସତେ ? ସତେ ତୁ ଝୁରୁଛୁ ତୋର ଦୀର୍ଘଜୀବନର

ରାଶି ରାଶି କ୍ଳେଶ ଓ କଷଣ

ପାପତାପ ଅନୁତାପ,

ହେଲା ଏବେ ଅଛି ତା’ ସାଙ୍ଗକୁ

ନାନାବିଧ ଉଲ୍ଲାସର ଛଇ

ପ୍ରେମ ଆଦି ଆବେଗକୁ ନେଇ ?

ହଁ । ସେହି ତ ଜୀବନ,

କୁହେ ମୁହିଁ ନିଶ୍ଚିତରେ,

ବିଚିତ୍ର ସୁନ୍ଦର, ତଥା ବିଧାତାର ସ୍ୱତନ୍ତ୍ର ହୁନ୍ଦର

କେବଳ ମୋଅରି ପାଇଁ !

ହେଲେ ଆଉ ସିଏ ଆସିବାକୁ ନାହିଁ, ହାୟ ଆସିବାକୁ ନାହିଁ,

ଯେଣୁ ବୁଝିବାକୁ ହୁଏ-

ହେଇ, ସନ୍ଧ୍ୟାନାନୀ ଆସିଲାଣି ପରା ?

ଆଉ କିବା ଅର୍ଥ ଅଛି କେଉଁ

ସୁଖଦୁଃଖ ସତମିଛ ଅନୁଭବଟାର

ଏହା ପରେ ଯଦି ଆସେ ନିଘୋଡ଼ ଓ ନିରବଧି ନିଦ

ନାଆଁ ଯା’ର ଘୋର ଅନ୍ଧକାର ?

 

ସେଇଠୁଁ ସେ ଚାହେଁ ମୋ ଆଡ଼କୁ

ଓଠରୁ ତା’ ପୋଛିଦେଇ ହସ,

ଆଉ କୁହେ ମୋତେ

ଅବୋଧ ବାଳକର ମାଷ୍ଟରାଣୀ ପରି-

ମୂର୍ଖ ! ଛବିଟାଏ ଆଙ୍କୁଥିଲୁ

ଗଳ୍ପଟାଏ ଲେଖୁଥିଲୁ

ଅଦ୍ୱିତୀୟ ତୋର ନିଜ ଜୀବନକୁ ନେଇ;

ଭଲ କଥା । ଅଛି ତା’ର ମୂଲ୍ୟ, ମାନୁଛି ମୁଁ

କହିପାରୁ ତାହା ଅତି ବିଚିତ୍ର ସୁନ୍ଦର...

ବିଧାତାର ସ୍ୱତନ୍ତ୍ର ହୁନ୍ଦର

ତୋଅରି ମନୋବୁଦ୍ଧି ଚରିତ୍ରକୁ ନେଇ ।

ବେଶ୍‌ । କିନ୍ତୁ କିଏ କୁହେ ଅନୁଭବ ସରିଗଲା ବୋଲି

ଅବା ତା’ର ମୂଲ୍ୟ ନାହିଁ ଆଉ, ଯେହେତୁ ମୁଁ ପହୁଁଚିଗଲିଣି ?

ଆରେ, ଯାହା କିଛି ଗଢ଼ି ହୋଇଗଲା

ତା’କୁ କଣ ଦେଖି ଓ ନିରେଖି

କହିପାରୁ ନାହୁଁ ଥରେ - ‘ଆହା କି ସୁନ୍ଦର’ ?

ସେଇ ଉପଭୋଗ

ଏବଂ ତା’ର ଉଚ୍ଚାରଣ

ସେଇ କ’ଣ ନୁହେଁ ତୋର ଅନୁଭବସାର,

ଅନୁଗମ ସ୍ରଷ୍ଟା ପଣିଆର ?

 

ହେଲା ଏବେ ଆଉ କିଛି ଆଙ୍କିବାର ନାହିଁ,

ମୋଟାମୋଟି ଅବକାଶ ନାହିଁ

ମହାକ୍ରୋଧ, କ୍ରନ୍ଦନ, ଅବା ଉଲ୍ଲାସର,

କିନ୍ତୁ ଜାଣିରଖ -

ସରି ନାହିଁ କଳାକୃତି ତୋର

ବିଚିତ୍ର ସୁନ୍ଦର ସେଇ ଅସାମାଜିକର ।

ପଚାରେ ତୋ ପୁଅଝିଅ

ତଥା ତୋର ‘ନବରତ୍ନ’ ନାତିନାତୁଣୀଙ୍କୁ ।

ତୂଳୀ ପରେ ତାଙ୍କରି ହାତରେ ?

 

ତେଣୁ କହ ଥରେ - ଆହା କି ସୁନ୍ଦର !

ଯାହା ଆହୁରି ସୁନ୍ଦର ହେବ ତାଙ୍କରି ହାତରେ ।

ସନ୍ଧ୍ୟା ପରେ ନାହିଁ ଖାଲି ମୋର ଅନ୍ଧକାର

ଅଛି ମଧ୍ୟ ନବୀନ ପ୍ରଭାତ, ଏବଂ ଲକ୍ଷେ ପ୍ରତିଶ୍ରୁତି

ତୋର ସେ ସୃଜନକୁ ନେଇ...

ଏଇ କ’ଣ ସୁଖ ନୁହେଁ, ଶାନ୍ତି ନୁହେଁ,

ମହାନ୍‍ନ୍ଦ ଶୋଇବା ଆଗରୁ ?

 

ହାରିଗଲି ।

(ତେଣୁ) ଆଜି ତମ ପୂର୍ଣ୍ଣିମାର ଓଳିତଳେ ବସି

ତୁମରି ହାତ ଧରି କହିବାକୁ ଚାହେଁ,

ହଁ ‘ଆମ’ ସଂଜଟି ସୁନ୍ଦର ।

ଏଇ ଆମ କୃତି ମଧ୍ୟ ଏଇ ତା’ର ପ୍ରତିଶ୍ରୁତି,

ସୁଖ ଅବା ଶାନ୍ତିଠାରୁ ବଳି

ଏଇ ଅବବୋଧଟିକ

ଆସନ୍ତାର ।

 

କିଶୋରୀଚରଣ ଦାସ

କୁମାର ପୂର୍ଣ୍ଣିମା

ଅକ୍ଟୋବର ୧୦, ୨୦୦୩

 

କିଶୋରୀଚରଣଙ୍କ ଜୀବନ ଥିଲା ଏକ ଶୃଙ୍ଖଳିତ ଜୀବନ । ସରକାରୀ ଚାକିରିରୁ ଅବସର ଗ୍ରହଣ କଲା ପରେ ମଧ୍ୟ ତାଙ୍କ ଜୀବନର ସେହି ନିୟମିତତା କେବେ ଦିଗହରା ହୋଇ ନ ଥିଲା; ବରଂ ଅବସର ପରେ ସବୁ ପ୍ରକାର ଦାୟିତ୍ୱରୁ ନିଜକୁ ମୁକ୍ତ କରି ନେଇ ସେ ଖୁବ୍‌ ମାତ୍ରାରେ ସାରସ୍ୱତ ସାଧନା ଦିଗରେ ନିଜକୁ ବ୍ରତୀ କରାଇ ନେଇଥିଲେ । ବୃତ୍ତିଗତ ଜୀବନରେ ସେ ପ୍ରତିଦିନ ଦିବା ୧୦ ଘଟିକାରୁ ନିଜର କାର୍ଯ୍ୟାଳୟକୁ ଯାଇ ବିଭିନ୍ନ କାର୍ଯ୍ୟ ମଧ୍ୟରେ ନିଜକୁ ମଗ୍ନ ରଖୁଥିଲେ ମଧ୍ୟ ଅଫିସରୁ ଫେରିବା ପରେ ନିଜର ଲେଖାଲେଖିରେ ନିଜେ ଆତ୍ମମଗ୍ନ ହୋଇ ଉଠୁଥିଲେ ।

୧୯୮୫ ମସିହା ଏପ୍ରିଲ ମାସରେ କିଶୋରୀଚରଣ ନିଜର ବୃତ୍ତିଗତ ଜୀବନରୁ ଆନୁଷ୍ଠାନିକ ଭାବରେ ଅବସର ଗ୍ରହଣ କରି ସ୍ୱଗୃହ କଟକକୁ ସେ ପ୍ରତ୍ୟାବର୍ତ୍ତନ କଲେ; ଖଟବିନ୍‌ ସାହିଠାରେ ଥିବା ନିଜ ପୈତୃକ ବାସଭବନକୁ- ବିପ୍ରଚରଣ ଭବନକୁ । ସକାଳୁ ସକାଳୁ ନିତ୍ୟକର୍ମ ସାରି ପ୍ରାୟ ୧୦ଟାବେଳକୁ ବସିଯାଉଥିଲେ ନିଜ ପଢ଼ାଘର ଟେବୁଲ ନିକଟରେ । ସେଠାରେ ସେ କେବଳ ଅଧ୍ୟୟନ କରୁ ନ ଥିଲେ; ସାହିତ୍ୟ ସଂରଚନାରେ ମଧ୍ୟ ମନୋନିବେଶ କରୁଥିଲେ । ସେ ପ୍ରାୟ ନିରନ୍ତର ଭାବରେ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ନିଜର ସୃଷ୍ଟି କର୍ମରେ ହଜି ଯାଉଥିଲେ । ମଧ୍ୟାହ୍ନ ଭୋଜନ ପାଇଁ ଡାକରା ନ ଆସିବା ପର୍ଯ୍ୟନ୍ତ ସେ ଯେପରି ଏକ ସାରସ୍ୱତ ତପସ୍ୱୀଟିଏ ହୋଇ ଯାଉଥିଲେ ନିଜର ସ୍ଥାଣୁ ବଳୟ ମଧ୍ୟରେ ।

 

ମଧ୍ୟାହ୍ନ ଭୋଜନ ପରେ ସାମାନ୍ୟ ମାତ୍ର ବିଶ୍ରାମ ଗ୍ରହଣ କରି ପୁନଶ୍ଚ ସନ୍ଧ୍ୟାବେଳକୁ ଦୂରଦର୍ଶନରୁ କିଛି ସମ୍ବାଦାଦି କାର୍ଯ୍ୟକ୍ରମମାନ ଦେଖି ସେ ନିଜକୁ ଟିକେ ହାଲୁକା-ଫୁଲୁକା କରାଇ ନେଉଥିଲେ ଓ ପୁଣି ପଢ଼ାଘରେ ପଢ଼ାପଢ଼ି ମଧ୍ୟରେ ହଜି ଯାଉଥିଲେ । ସତେ ଯେପରି ବୀଣାପାଣିଙ୍କର ବରପୁତ୍ର ଭାବରେ ସେ ବୀଣାପାଣିଙ୍କ କୋଳରେ ସ୍ୱପ୍ନାବିଷ୍ଟ ହୋଇ ଯିବାକୁ ଅତିମାତ୍ରାରେ ଭଲ ପାଉଥିଲେ ।

 

ହଠାତ୍‌ ତାଙ୍କଠାରେ ବାର୍ଦ୍ଧକ୍ୟଜନିତ ସାମୟିକ ଅସୁସ୍ଥତା ଆସି ଦେଖାଗଲା । ଅସୁସ୍ଥତା କିନ୍ତୁ ତାଙ୍କର ସାରସ୍ୱତ ସାଧନା ପଥରେ ଆଦୌ ପ୍ରତିବନ୍ଧକ ହୋଇ ଠିଆ ହୋଇପାରିଲା ନାହିଁ । ତାଙ୍କ ମନୋବଳ ଦୃଢ଼ ହୋଇ ରହିଥିବାରୁ ତାଙ୍କର ସାରସ୍ୱତ ସାଧନା ଅତ୍ୟନ୍ତ ଅପ୍ରତିହତ ରହିଥିଲା । ଦେହର ଅସୁସ୍ଥତା କିନ୍ତୁ କ୍ରମଶଃ ଗଭୀରରୁ ଗଭୀରତର ହୋଇ ଉଠେ । ପରିବାରବର୍ଗ ତାଙ୍କୁ ବିଶେଷ ଚିକିତ୍ସା ପ୍ରଦାନ କରିବା ଲାଗି କଟକରୁ ନେଇଯାନ୍ତି ସୁଦୂର ନୂଆଦିଲ୍ଲୀକୁ । ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ସେଠାକାର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS)ରେ ବିଶେଷ ଚିକିତ୍ସା ପାଇଁ ଅବସ୍ଥାପିତ କରାଗଲା । ସେ କିନ୍ତୁ ଥିଲେ ପୂର୍ଣ୍ଣମାତ୍ରାରେ; ସ୍ଥିତପ୍ରଜ୍ଞ ଅବସ୍ଥାରେ ।

 

ଦେହର ଅସୁସ୍ଥତା ତାଙ୍କର ଯେତିକି ବଢ଼ି ବଢ଼ି ଚାଲିଥିଲା, ତାଙ୍କ ମନର ସୁସ୍ଥତା ଠିକ୍‌ ସେହି ପରିମାଣରେ ସକ୍ରିୟ ଓ ଚଳଚଞ୍ଚଳ ହୋଇ ଉଠୁଥିଲା । ହସପିଟାଲର ବିଛଣା ଉପରୁ ସେ କ୍ରମାନ୍ୱୟ ଭାବରେ ଲେଖି ଚାଲୁଥିଲେ ଚିଠି ଉପରେ ଚିଠି; ବିଭିନ୍ନ ପ୍ରକାଶକଙ୍କ ନିକଟକୁ ତ ପୁଣି କେବେ କେଉଁ ସାରସ୍ୱତ ବନ୍ଧୁଙ୍କୁ । ଏହି ଉଦ୍ୟମ ଫଳରେ ତାଙ୍କ ଶେଷ ଗଳ୍ପ ‘ନିଆଁ’ ମଧ୍ୟ ପ୍ରକାଶିତ ହୋଇଥିଲା । ପୁନଶ୍ଚ ପେଙ୍ଗୁଇନ୍‌ ବୁକ୍ସ ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶ ଲାଭ କଲା ‘ଇନର୍‌ ଭଏସ୍‌’ । ଉଭୟ ‘ନିଆଁ’ ଓ ‘ଇନର ଭଏସ୍‌’ ତାଙ୍କୁ ଖୁବ୍‌ ବେଶି ଉତ୍ସାହିତ କରିଥିଲା । ଏହି ଗ୍ରନ୍ଥର ଲେଖକ ମଧ୍ୟ ଥିଲେ ତାଙ୍କ ସାରସ୍ୱତ ଜଗତର ଏକ ଅନ୍ତରଙ୍ଗ ବ୍ୟକ୍ତିବିଶେଷ । କିଶୋରୀଚରଣ ଦିଲ୍ଲୀକୁ ଚିକିତ୍ସା ପାଇଁ ଗଲାବେଳେ ଏହି ଗ୍ରନ୍ଥର ଲେଖକଙ୍କ ଉପରେ ଅନେକ ଦାୟିତ୍ୱ ଅଜାଡ଼ି ଦେଇଗଲେ; ଏପରିକି ତାଙ୍କ ଆତ୍ମଜୀବନୀ ‘ସମୟ ନାହିଁ’ର ପ୍ରକାଶନ ସଂକ୍ରାନ୍ତୀୟ ସମସ୍ତ ଦାୟିତ୍ୱକୁ ମଧ୍ୟ ନ୍ୟସ୍ତ କରି ଦେଇଥିଲେ । ଏହି କାରଣରୁ ସୁଦୂର ଦିଲ୍ଲୀରେ ଥାଇ ମଧ୍ୟ ସେ ଚିଠିପତ୍ର ମାଧ୍ୟମରେ ‘ସମୟ ନାହିଁ’ର ପରବର୍ତ୍ତୀ ସୋପାନ କଥା ବୁଝୁଥିଲେ । ଲେଖକଙ୍କୁ ଦେଇଥିବା ଶେଷ ଚିଠିରେ ମଧ୍ୟ ସେ ଲେଖିଥିଲେ,

X X X ‘ସମୟ ନାହିଁ’ର ଫାଇନାଲ ପ୍ରୁଫ୍‌ ଆସିଗଲାଣି କି ? ଆସିଲେ ତୁମେ ନିଜେ ତାକୁ ଭଲଭାବରେ ଦେଖିବ ଓ ତା’ ଉତ୍ତାରୁ ଏଠିକି ପଠାଇବ । X X X

 

ସତେଯେପରି ସେ ମନେ କରୁଥିଲେ ସେହି ଆତ୍ମଜୀବନୀଟିକୁ ଦେଖିବାକୁ ହୁଏତ ତାଙ୍କ ପାଖରେ ଆଉ ସମୟ ନାହିଁ ଓ ସମ୍ଭବତଃ ଏହି କାରଣରୁ ସେ ଏହାର ନାମ ମଧ୍ୟ ଏତାଦୃଶ ରଖିଥିଲେ । ‘ସମୟ ନାହିଁ’ର ସବୁ କାର୍ଯ୍ୟ ଶେଷ ହୋଇ ପ୍ରକାଶ ପାଇବା ଉପରେ; ମାତ୍ର ସେ ଆଉ କାହାନ୍ତି ? ୨୦୦୪ ମସିହା ଅଗଷ୍ଟ ମାସ ୧୭ ତାରିଖ ଦିନ ସେ ଏହି ମରସଂସାରକୁ ତ୍ୟାଗ କରି ଆରପୁରକୁ ଚାଲିଗଲେ ଏ.ଆଇ.ଆଇ.ଏମ୍‌.ଏସ୍‌.ରେ । ଏହି ଲେଖକଙ୍କୁ ସେ ସତେ ଯେପରି ତାଙ୍କ ଅକୁହା କଥାରେ କହିଗଲେ, “ଆତ୍ମଜୀବନୀଟିକୁ ଦେଖିବାକୁ ଆଉ ସମୟ ନାହିଁ ।’’

 

କଥାଶିଳ୍ପୀ କିଶୋରୀଚରଣ ଶେଷ ନିଃଶ୍ୱାସ ତ୍ୟାଗ କଲାବେଳକୁ ତାଙ୍କ ପାଖରେ ଥିଲେ ତାଙ୍କର ପ୍ରିୟତମା ପତ୍ନୀ କୁମାରୀ ଦେବୀ, ପୁତ୍ର ଅଂଜନୀ କୁମାର ଓ ପରିବାରର ଅନେକ ଆତ୍ମୀୟସ୍ୱଜନ । ଗୋଟିଏ ପଟରେ ଥିଲା ପାରିବାରିକ ସ୍ନେହ ରଜ୍ଜୁର ଧାରା ଓ ଅନ୍ୟପଟେ ଥିଲା ସାରସ୍ୱତ ଆନନ୍ଦର ମହାର୍ଣ୍ଣବ । ଉଭୟଙ୍କ ମଧ୍ୟରେ ହଜି ଯାଉଥିବା ସେହି ନିଆରା ମଣିଷଟି ଶେଷରେ ସବୁକିଛିକୁ ଉପେକ୍ଷା କରି ଆଖି ବୁଜି ଦେଲେ ।

 

କିଶୋରୀଚରଣଙ୍କ ମରଶରୀରକୁ ସେହି ସୁଦୂର ଲୋଧୀ ରୋଡ଼ରେ ଥିବା ଶ୍ମଶାନ ଧୂଳିରେ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ଶେଷ ଗଳ୍ପ ‘ନିଆଁ’ ପରି ଶ୍ମଶାନର ଶେଷ ନିଆଁ ତାଙ୍କୁ ନିଃଶେଷ କରିଦେଲା ସବୁଦିନ ପାଇଁ । ସେ କହୁଥିଲେ, “ମୁଁ ସାହିତ୍ୟ ଲେଖୁଛି, ଆପଣା ମୋକ୍ଷ ପାଇଁ ।’’(ମୋ ସମୟ-ମୋ ସାହିତ୍ୟ - ଏକବିଂଶ ଶତାବ୍ଦୀ/ପୃ: ୧୬) ବାସ୍ତବରେ କିଶୋରୀଚରଣ ସାହିତ୍ୟ ସାଧନା ମଧ୍ୟରେ ମୋକ୍ଷ ଲାଭ କରିଛନ୍ତି- ‘ଯଶୋଦେହେ ସେ ଆୟୁଷ୍ମାନ୍‌’ ହୋଇ ଉଠିଛନ୍ତି, ଆଗାମୀ ସମୟ ପାଇଁ । କିଶୋରୀଚରଣ ଅବିସ୍ମରଣୀୟ ଓ ଚିର ବନ୍ଦିତ । ତାଙ୍କ ସୃଷ୍ଟିରେ ସେ ଆଜି ଅମର ଓ ଅକ୍ଷୟ ।

 

ପରିଶିଷ୍ଟ

(କ)

ସଂକ୍ଷେପରେ କିଶୋରୀଚରଣ ଦାସ

 

 

-

କିଶୋରୀଚରଣ ଦାସ

ଜନ୍ମ

-

୧୯୨୪ ମସିହା ମାର୍ଚ୍ଚ ମାସ ୧ ତାରିଖ (ଶିବରାତ୍ରି ପୂର୍ବ ବଡ଼ ଏକାଦଶୀ)

ପୈତୃକ ଗ୍ରାମ

-

ଶୁକ୍ଳେଶ୍ୱର, ମାହାଙ୍ଗା, କଟକ ।

ଜନ୍ମସ୍ଥାନ

-

ଖଟବିନ୍‌ ସାହି, କଟକ ।

ପିତା

-

ବିପ୍ରଚରଣ ଦାସ ।

ମାତା

-

ସୀତାମଣୀ ଦେବୀ ।

ତିରୋଧାନ

-

୨୦୦୪ ମସିହା ଅଗଷ୍ଟ ୧୭ ତାରିଖରେ, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ନୂଆଦିଲ୍ଲୀଠାରେ ।

 

ଶିକ୍ଷା

 

କ)

୧୯୩୮ମସିହାରେ କେନ୍ଦ୍ରାପଡ଼ା ଉଚ୍ଚ ଇଂରାଜୀ ବିଦ୍ୟାଳୟରୁ କୃତିତ୍ୱର ସହିତ ମାଟ୍ରିକ୍ୟୁଲେସନ ପରୀକ୍ଷାରେ ଉତ୍ତୀର୍ଣ୍ଣ ।

(ଖ)

୧୯୪୨ ମସିହାରେ କଟକର ରେଭେନ୍ସା କଲେଜରୁ ଇତିହାସରେ ସ୍ନାତକ ଡିଗ୍ରୀ ଧାରଣ ଓ ସ୍ନାତକ ପରୀକ୍ଷାରେ ୧ମ ଶ୍ରେଣୀ ଅନର୍ସ ସହିତ ଡିଷ୍ଟିଙ୍ଗ୍‌ସନ୍‌ ଲାଭ ।

(ଗ)

୧୯୪୪ ମସିହାରେ ପାଟଣା ବିଶ୍ୱବିଦ୍ୟାଳୟରୁ ଇତିହାସ ବିଭାଗରେ ସ୍ନାତକୋତ୍ତର ଡିଗ୍ରୀ ଲାଭ ଓ ୧ମ ଶ୍ରେଣୀରେ ଉତ୍ତୀର୍ଣ୍ଣ ।

(ଘ)

୧୯୪୭ ମସିହାରେ କଟକର ଆଇନ୍‌ କଲେଜରୁ ବି.ଏଲ୍‌. ପାସ୍‌ ।

 

ବିବାହ

 

୧୯୪୭ ମସିହା ମଇ ମାସ ୬ ତାରିଖରେ ତୁଙ୍ଗ କଂଗ୍ରେସ ନେତା ତଥା ପାର୍ଲିଆମେଣ୍ଟ ସଦସ୍ୟ ଭୁବନାନନ୍ଦ ଦାସଙ୍କ ତୃତୀୟ ସନ୍ତାନ କୁମାରୀ ଦେବୀ ସହିତ ଶୁଭ ପରିଣୟ ।

 

ବୃତ୍ତି

 

(କ)

୧୯୪୭

-

ଓଡ଼ିଶା ଆଡ଼ମିନିଷ୍ଟ୍ରେଟିଭ ସର୍ଭିସରେ ଯୋଗଦାନ ।

(ଖ)

୧୯୫୦

-

ଇଣ୍ଡିଆନ୍‌ ଅଡ଼ିଟ୍‌ ଏଣ୍ଡ ଆକାଉଣ୍ଟସ ସର୍ଭିସରେ ଯୋଗଦାନ ।

(ଗ)

୧୯୫୮

-

ଦକ୍ଷିଣ ଭିଏତ୍‌ନାମର ରାଜଧାନୀ ସାଏସନରେ ତିନିମାସ ପାଇଁ ସ୍ୱଳ୍ପ ସଂଚୟ ଯୋଜନାର ଏକ ବିଶେଷଜ୍ଞ ଭାବରେ ଯୋଗଦାନ ।

(ଘ)

୧୯୬୧-୬୪

-

ଯୁକ୍ତରାଷ୍ଟ୍ରର ୱାଶିଂଟନ୍‌ ଡି.ସି.ରେ ଡାଇରେକ୍ଟର ଅଫ୍‌ ଅଡ଼ିଟ୍‌ ଇଣ୍ଡିଆନ୍‌ ଆକାଉଣ୍ଟସରେ କାର୍ଯ୍ୟ ।

(ଙ)

୧୯୭୫-୭୬

-

ଆନ୍ତର୍ଜାତିକ କମନୱେଲ୍‌ଥ ଫଣ୍ଡ ଫର ଟେକ୍‌ନିକାଲ କୋ ଅପରେସନକୁ ଦକ୍ଷିଣ ଆଫ୍ରିକାର ସ୍ୱିଜିଲାଣ୍ଡର ରାଜଧାନୀ ଆମ୍ବାବେନ୍‌ଠାରେ ବିତ୍ତୀୟ ପରାମର୍ଶଦାତା ଭାବରେ ଯୋଗଦାନ ।

(ଚ)

୧୯୮୨

-

ଭାରତ ସରକାରଙ୍କ ଇଣ୍ଡିଆନ୍‌ ଅଡ଼ିଟ୍‌ ଏଣ୍ଡ ଆକାଉଣ୍ଟସ ଅଫ ଅଡ଼ିଟ୍‌ର ଜେନେରାଲ ସର୍ଭିସ୍‌ରୁ ଡେପୁଟୀ କଂପ୍‌ଟ୍ରୋଲର ଭାବରେ ଅବସର ଗ୍ରହଣ ।

(ଛ)

୧୯୮୫

-

ଆସାମ ରାଜ୍ୟ ବିଦ୍ୟୁତ୍‌ ବୋର୍ଡ଼ର ବିତ୍ତୀୟ ସଦସ୍ୟ ପଦରୁ ସଂପୂର୍ଣ୍ଣ ଭାବରେ ଅବସର ଗ୍ରହଣ ।

 

ସାରସ୍ୱତ ପଦପଦବୀ

 

(କ)

୧୯୮୫-୧୯୯୨

-

ସଭାପତି, ସାଂପ୍ରତିକ ।

(ଖ)

୧୯୯୪-୧୯୯୭

-

ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ ।

 

(ଖ)

କିଶୋରୀଚରଣଙ୍କ ପ୍ରକାଶିତ ରଚନାବଳୀ

ଉପନ୍ୟାସ

 

୧.

ସାତୋଟି ଦିନର ସତୀ

ବିଦ୍ୟାପୁରୀ, କଟକ

୧୯୯୩

୨.

ନେତା ଓ ନେତ୍ରମଣି

ପ୍ରଜାତନ୍ତ୍ର ପ୍ରଚାର ସମିତି, କଟକ

୧୯୯୬

୩.

ସକଳ ସନ୍ତାନ

ବିଦ୍ୟାପୁରୀ, କଟକ

୧୯୯୫

୪.

ସ୍ୱର୍ଗସୀମା

ଫ୍ରେଣ୍ଡସ୍‌ ପବ୍ଲିଶର୍ସ, କଟକ

୧୯୯୮

୫.

ବିଦେଶିନୀ

ବିଦ୍ୟାପୁରୀ, କଟକ

୨୦୦୦

୬.

ତୁମ ଆମ ଶତାବ୍ଦୀ

ଫ୍ରେଣ୍ଡସ୍‌, ପବ୍ଲିଶର୍ସ, କଟକ

୨୦୦୨

୭.

ଶେଷ ଅଙ୍କ, ପ୍ରଥମ ଦୃଶ୍ୟ

ବିଦ୍ୟାପୁରୀ, କଟକ

୨୦୦୩

 

 

 

 

ଗଳ୍ପ ସଂକଳନ

 

 

 

 

୧.

ଭଙ୍ଗା ଖେଳଣା

ବିକାଶ ପ୍ରତିଷ୍ଠାନ, ଜୟପୁର (କୋରାପୁଟ)

୧୯୬୧

୨.

ଲକ୍ଷବିହଙ୍ଗ

ଜଗନ୍ନାଥ ରଥ, କଟକ

୧୯୬୮

୩.

ଘରବାହୁଡ଼ା

କଟକ ଷ୍ଟୁଡେଣ୍ଟସ୍‌ ଷ୍ଟୋର୍‌, କଟକ

୧୯୬୮

୪.

ମଣିହରା

ଲାର୍କ ବୁକ୍‌ସ, କଟକ

୧୯୭୦

୫.

ଠାକୁରଘର

କଟକ ଷ୍ଟୁଡେଣ୍ଟସ୍‌ ଷ୍ଟୋର୍‌, କଟକ

୧୯୭୫

୬.

ନାଲି ଗୁଲୁଗୁଲୁ ସାଧବବୋହୂ

ଗ୍ରନ୍ଥ ମନ୍ଦିର, କଟକ

୧୯୭୮

୭.

ଗମନ

ଫ୍ରେଣ୍ଡସ୍‌ ପବ୍ଲିଶର୍ସ, କଟକ

୧୯୮୦

୮.

ଖେଳର ନାଆଁ ରଙ୍ଗ

ଗ୍ରନ୍ଥ ମନ୍ଦିର, କଟକ

୧୯୮୨

୯.

ଭିନ୍ନ ପାଉଁଶ

ଓଡ଼ିଶା ବୁକ୍‌ ଷ୍ଟୋର୍‌, କଟକ

୧୯୮୪

୧୦.

ଶୀତ ଲହରୀ

ଫ୍ରେଣ୍ଡସ୍‌ ପବ୍ଲିଶର୍ସ, କଟକ

୧୯୮୬

୧୧.

ତ୍ରୟୋବିଂଶ ମୃତ୍ୟୁ

ଓଡ଼ିଶା ବୁକ୍‌ ଷ୍ଟୋର୍‌, କଟକ

୧୯୮୭

୧୨.

ଲେଉଟାଣି

ଫ୍ରେଣ୍ଡସ୍‌ ପବ୍ଲିଶର୍ସ, କଟକ

୧୯୮୯

୧୩.

ନିଜ ସଂଜ

ବିଦ୍ୟାପୁରୀ, କଟକ

୧୯୯୨

୧୪.

ଧବଳ ଆକାଶ

ଓଡ଼ିଶା ଲେଖକ ସମବାୟ ସମିତି, ଭୁବନେଶ୍ୱର

୧୯୯୪

୧୫.

ଥରୁଟିଏ

ଦିବ୍ୟଦୂତ ପ୍ରକାଶନୀ, କଟକ

୧୯୯୭

୧୬.

ତରଙ୍ଗ

ଆର୍ଯ୍ୟ ପ୍ରକାଶନୀ, କଟକ

୧୯୯୭

୧୭.

ଶେଷଗଳ୍ପ

ଫ୍ରେଣ୍ଡସ୍‌ ପବ୍ଲିଶର୍ସ, କଟକ

୨୦୦୦

୧୮.

ପରଦା ତଳେ ଏବଂ ଅନ୍ୟାନ୍ୟ ଗଳ୍ପ

ଓଡ଼ିଶା ବୁକ୍‌ ଷ୍ଟୋର୍‌, କଟକ

୨୦୦୨

୧୯.

ଶାନ୍ତ ଅପରାହ୍ନ

ବିଦ୍ୟାପୁରୀ, କଟକ

୨୦୦୨

୨୦.

ନିଆଁ

ଲାର୍କ ବୁକ୍‌ସ, ଭୁବନେଶ୍ୱର

୨୦୦୪

 

 

 

 

 

ଲେଖକଙ୍କର ଅଦ୍ୟାବଧି ପ୍ରକାଶିତ ଗଳ୍ପର ସର୍ବମୋଟ ସଂଖ୍ୟା - ୨୧୯

 

ସେଥିମଧ୍ୟରୁ ଗଳ୍ପ ସଂକଳନରେ ସଂଗୃହୀତ ଗଳ୍ପର ସର୍ବମୋଟ ସଂଖ୍ୟା – ୨୧୪

 

 

 

 

କବିତା ସଂକଳନ

 

 

 

 

୧.

ମିନି କାମନା

ଲାର୍କ ବୁକ୍ସ, କଟକ

୧୯୮୭

୨.

ସଂଜବତୀ

ଲାର୍କ ବୁକ୍ସ, ଭୁବନେଶ୍ୱର

୨୦୦୧

 

 

 

 

ଆଳାପ ଆଲୋଚନା

 

 

 

 

୧.

ଲେଖକର ସଂସାର

କଟକ ଷ୍ଟୁଡେଣ୍ଟସ୍‌ ଷ୍ଟୋର

୧୯୮୬

୨.

କଥାସାହିତ୍ୟରେ କଳା ଓ କାରିଗରୀ

ଇଷ୍ଟର୍ଣ୍ଣ ମିଡ଼ିଆ, ଭୁବନେଶ୍ୱର

୧୯୯୦

୩.

ଚେନାଏ ପୃଥିବୀ ଚିରୁଡ଼ାଏ ଘର

ବିଦ୍ୟାପୁରୀ

୧୯୯୫

୪.

ଲେଖକର ଦୁଃଖ

ଫ୍ରେଣ୍ଡସ୍‌ ପବ୍ଲିଶର୍ସ, କଟକ

୧୯୯୫

୫.

ମୋର ତୁମେ

ଲାର୍କ ବୁକ୍ସ, ଭୁବନେଶ୍ୱର

୧୯୯୭

୬.

ମୋ ସମୟ ଓ ମୋ ସାହିତ୍ୟ

ଓଡ଼ିଶା ବୁକ୍‌ ଷ୍ଟୋର, କଟକ

୨୦୦୦

୭.

ସାହିତ୍ୟ ପ୍ରେମର ଶେଷ କଥା

ଓଡ଼ିଶା ଲେଖକ ସମବାୟ ସମିତି, ଭୁବନେଶ୍ୱର

୨୦୦୪

 

 

 

 

ଅନୁବାଦ

 

 

 

 

୧.

ଶେଷ ଗୋଲକଧନ୍ଦା

ସାହିତ୍ୟ ଏକାଡେମୀ, ନୂଆଦିଲ୍ଲୀ

୧୯୯୬

୨.

ଆମରି ପରି ବଡ଼ ଲୋକ

ସାହିତ୍ୟ ଏକାଡେମୀ, ନୂଆଦିଲ୍ଲୀ

 

୨୦୦୧

ସଂକଳନ ଓ ସଂପାଦନା

 

 

 

 

୧.

Modern Indian Short Stories (Vol.IV)

Indian Council of Cultural Relation, New Delhi

୧୯୮୩

୨.

ମଶାଣିର ଫୁଲ ଓ ଅନ୍ୟାନ୍ୟ ଗଳ୍ପ

ନ୍ୟାସନାଲ୍‌ ବୁକ୍‌ ଟ୍ରଷ୍ଟ ଇଣ୍ଡିଆ, ନୂଆଦିଲ୍ଲୀ

୧୯୯୨

୩.

Beyond the Roots

National Book Trust India, New Delhi

୧୯୯୮

 

 

 

 

ଗ୍ରନ୍ଥାବଳୀ

 

 

 

 

୧.

ତିରିଶ ବର୍ଷର ଗଳ୍ପ ଓ ଆଳାପ (୧ମ ଭାଗ)

ଫ୍ରେଣ୍ଡସ୍‌ ପବ୍ଲିଶର୍ସ, କଟକ

୧୯୮୮

୨.

ତିରିଶ ବର୍ଷର ଗଳ୍ପ ଓ ଆଳାପ (୨ୟ ଭାଗ)

ଫ୍ରେଣ୍ଡସ୍‌ ପବ୍ଲିଶର୍ସ, କଟକ

୧୯୯୧

୩.

ତିରିଶ ବର୍ଷର ଗଳ୍ପ ଓ ଆଳାପ (୩ୟ ଭାଗ)

ଫ୍ରେଣ୍ଡସ୍‌ ପବ୍ଲିଶର୍ସ, କଟକ

୧୯୯୨

୪.

ତିରିଶ ବର୍ଷର ଗଳ୍ପ ଓ ଆଳାପ (୪ର୍ଥ ଭାଗ)

ଫ୍ରେଣ୍ଡସ୍‌ ପବ୍ଲିଶର୍ସ, କଟକ

୨୦୦୦

୫.

କିଶୋରୀଚରଣଙ୍କ ଶ୍ରେଷ୍ଠ ଗଳ୍ପ

ଚତୁରଙ୍ଗ ପ୍ରକାଶନୀ, ଭୁବନେଶ୍ୱର

୧୯୯୨

 

 

 

 

ଆତ୍ମଜୀବନୀ

 

 

 

 

୧.

ସମୟ ନାହିଁ

ଓଡ଼ିଶା ବୁକ୍‌ ଷ୍ଟୋର, କଟକ

୨୦୦୪

 

(ଗ)

ସାରସ୍ୱତ ପୁରସ୍କାର ଓ ସମ୍ମାନ

 

(୧)

ପ୍ରଜାତନ୍ତ୍ର ପ୍ରଚାର ସମିତି, କଟକଦ୍ୱାରା ପ୍ରଦତ୍ତ ‘ବିଷୁବ ମିଳନ ରୌପ୍ୟ ଜୟନ୍ତୀ ପୁରସ୍କାର’ - ୧୯୭୨

(୨)

“ଜୀବନ ରଙ୍ଗ’’ ସାହିତ୍ୟ ପତ୍ରିକାଦ୍ୱାରା ପ୍ରଦତ୍ତ ମାନପତ୍ର - ୧୯୭୪ ।

(୩)

“ମଣିହରା’’ ଗଳ୍ପ ସଂକଳନ ପାଇଁ ପ୍ରଦତ୍ତ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୭୬ ।

(୪)

“ଠାକୁର ଘର’’ ଗଳ୍ପ ସଂକଳନ ପାଇଁ ପ୍ରଦତ୍ତ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୭୬ ।

(୫)

“ଧରିତ୍ରୀ’’ ସମ୍ବାଦପତ୍ର ଦ୍ୱାରା ପ୍ରଦତ୍ତ ସଂବର୍ଦ୍ଧନା ଓ ଉପହାର - ୧୯୭୯ ।

(୬)

“ଭିନ୍ନ ପାଉଁଶ’’ ଗଳ୍ପ ସଂକଳନ ପାଇଁ ପ୍ରଦତ୍ତ ସାରଳା ପୁରସ୍କାର - ୧୯୮୫ ।

(୭)

ପ୍ରଜାତନ୍ତ୍ର ପ୍ରଚାର ସମିତି, କଟକ ଦ୍ୱାରା ଆଜୀବନ ସାହିତ୍ୟକୃତି ପାଇଁ ପ୍ରଦତ୍ତ ‘ବିଷୁବ ପୁରସ୍କାର’-୧୯୯୨ ।

(୮)

“ବୁଧବାରିଆ ସାହିତ୍ୟ ଆସର’’ ବିଶ୍ୱଭାରତୀ ଶାନ୍ତିନିକେତନ ଦ୍ୱାରା ପ୍ରଦତ୍ତ ସମ୍ବର୍ଦ୍ଧନା ଓ ମାନପତ୍ର -୧୯୯୩ ।

(୯)

ମାହାଙ୍ଗା ମହିଳା ମହାବିଦ୍ୟାଳୟରେ ମାହାଙ୍ଗା ବ୍ଲକ୍‌ ଏବଂ ଆଖପାଖ ଅଞ୍ଚଳରେ ଥିବା ୧୨ଗୋଟି ସାହିତ୍ୟ ଅନୁଷ୍ଠାନଦ୍ୱାରା ପ୍ରଦତ୍ତ ସମ୍ବର୍ଦ୍ଧନା ଓ ମାନପତ୍ର ।

(୧୦)

ଉତ୍କଳ ପାଠକ ସଂସଦଙ୍କ ଦ୍ୱାରା ପ୍ରଦତ୍ତ ସମ୍ବର୍ଦ୍ଧନା ଓ ମାନପତ୍ର - ୧୯୯୬ ।

(୧୧)

“ଭୁବନେଶ୍ୱର ପୁସ୍ତକ ମେଳା କମିଟି’’ ଦ୍ୱାରା ପ୍ରଦତ୍ତ ସମ୍ବର୍ଦ୍ଧନା ଓ ମାନପତ୍ର - ୧୯୯୭ ।

(୧୨)

ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ ସମ୍ମାନସୂଚକ ଡି.ଲିଟ୍‌. (D. Litt. honoris Causa) “କଳା ପରମ ଭୂଷଣ’’ ଉପାଧି ଓ ମାନପତ୍ର - ୧୯୯୭ ।

(୧୩)

ଖରସ୍ରୋତା ସାଂସ୍କୃତିକ ପରିଷଦର ଦଶମ ସୀମାବର୍ତ୍ତନ ଉତ୍ସବରେ ପ୍ରଦତ୍ତ ସମ୍ବର୍ଦ୍ଧନା ଓ ମାନପତ୍ର-୧୯୯୮ ।

(୧୪)

ଲେଖକଙ୍କ ‘ପ୍ଲାଟିନମ୍‌ ଜୁବ୍‌ଲି’ ଉପଲକ୍ଷେ କିଶୋରୀଚରଣ ଅଭିନନ୍ଦନ ସମିତିଙ୍କ ଦ୍ୱାରା ପ୍ରଦତ୍ତ ସମ୍ବର୍ଦ୍ଧନା ଓ ମାନପତ୍ର - ୧୯୯୯ । ଏହି ଉପଲକ୍ଷ୍ୟରେ, “ଗଦ୍ୟଶିଳ୍ପୀ କିଶୋରୀଚରଣ’’ ନାମକ ଗୋଟିଏ ପୁସ୍ତକ ମଧ୍ୟ ସମିତିଙ୍କ ଦ୍ୱାରା ପ୍ରକାଶିତ ହୋଇଛି ।

(୧୫)

“ସହକାର ମକର ମିଳନ’’ ଉତ୍ସବରେ ପ୍ରଦତ୍ତ ସମ୍ବର୍ଦ୍ଧନା ଓ ମାନପତ୍ର- ୨୦୦୦ ।

(୧୬)

“ଉତ୍କଳ ସାହିତ୍ୟ କଳା ପରିଷଦ’’ ଦ୍ୱାରା ପ୍ରଦତ୍ତ ଉପାଧି “ଉତ୍କଳ ସାହିତ୍ୟ ଶ୍ରୀ’’ ଏବଂ ମାନପତ୍ର - ୨୦୦୩ ।

 

(ଘ)

 

ସାକ୍ଷାତ୍‍କାର ଓ ନିଜସ୍ୱ ବକ୍ତବ୍ୟର ଉପସ୍ଥାପନା-ଏକ ସୂଚୀ

 

(୧)

ପ୍ରଶ୍ନୋତ୍ତର ମାଧ୍ୟମରେ ଲେଖକଙ୍କ ସହିତ ଅନୁଷ୍ଠିତ ବିଭିନ୍ନ ସାକ୍ଷାତ୍‌କାର ସୂଚୀ ।

(୨)

ପ୍ରଶ୍ନୋତ୍ତର ବହିର୍ଭୂତ କେଉଁ ଲିଖିତ ଅବା ପଠିତ ଆଳାପ ଆଲୋଚନା ମାଧ୍ୟମରେ ଲେଖକ ତାଙ୍କ ନିଜ ସାହିତ୍ୟ ବିଷୟରେ ଯାହା କହିଛନ୍ତି, ସେହି ଉପସ୍ଥାପନାର ସୂଚୀ :

 

 

୧.ସାକ୍ଷାତ୍‌କାର ସୂଚୀ

 

୧)

‘ଗଳ୍ପ’ ସାହିତ୍ୟ ପତ୍ରିକାର ସମ୍ପାଦକ ବିଭୂତି ପଟ୍ଟନାୟକଙ୍କ ସହିତ ସାକ୍ଷାତ୍‌କାର ‘ଗଳ୍ପ’ ଅକ୍ଟୋବର-ଡିସେମ୍ବର ୧୯୭୨ ।

୨)

ଅଭୟ ସିଂହଙ୍କ ସହିତ ସାକ୍ଷାତ୍‌କାର “ଅଧୁନା, ସେପେଫମ୍ବର-ଅକ୍ଟୋବର, ୧୯୮୦’’ ।

୩)

“କିଶୋରୀଚରଣ ଦାସଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତ କେତୋଟି’’-ସାକ୍ଷାତ୍‌କାର । ‘ଅନିଷା’ ‘ସାହିତ୍ୟ ପତ୍ର’, ପୂଜା ସ୍ପେଶାଲ୍‌ ୧୯୮୭ ।

୪)

“ଛାଇ ଆଲୁଅର ଖେଳ ଦେଖି ଦେଖି ଆପଣାକୁ ଝୁଣୁଥାରେ ମନୁଆ’’-ବିଜୟ ମଲ୍ଲଙ୍କ ସହିତ ସାକ୍ଷାତ୍‌କାର । ‘ଆମରି ଗପ’ ଜାନୁୟାରୀ-ମାର୍ଚ୍ଚ ୧୯୮୮ ।

୫)

“ମୋ ଦୃଷ୍ଟିରେ ନାରୀ’’-ଜ୍ୟୋତ୍ସ୍ନା ରାଉତରାୟଙ୍କ ସହିତ ସାକ୍ଷାତ୍‌କାର । ରବିବାର ‘ସଂବାଦ’ ୨୩ ଅକ୍ଟୋବର ୧୯୮୮ ।

୬)

“ଗୋଧୂଳି ବେଳାର ହସ’’-ଗୁରୁ ରାଉତଙ୍କ ସହିତ ସାକ୍ଷାତ୍‌କାର ରେଭେନ୍‌ସା ମହାବିଦ୍ୟାଳୟ ନୂତନ ସ୍ନାତକୋତ୍ତର ମୁଖପତ୍ର, ସୃଷ୍ଟି, ୧୯୮୮-୧୯୯୦ ।

୭)

ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱରଙ୍କଦ୍ୱାରା ଅନୁଷ୍ଠିତ ଏକ ପ୍ରଶ୍ନମଞ୍ଚରେ ସର୍ବଶ୍ରୀ ଡଃ ବିଜୟ କୁମାର ଶତପଥୀ, ଡଃ ଜୀତେନ୍ଦ୍ର ନାରାୟଣ ଦାସ ଏବଂ ଡଃ ଅପର୍ଣ୍ଣା ମହାନ୍ତିଙ୍କ ପ୍ରଶ୍ନାବଳୀର ଉତ୍ତର-୨୯.୮.୧୯୯୦ ।

୮)

ଛାଇ ଆଲୁଅର ଅସପତ୍ନ ରୂପକାର: କିଶୋରୀଚରଣ ଦାସ,-ବିଜୟ ମଲ୍ଲଙ୍କ ସହିତ ସାକ୍ଷାତ୍‌କାର । “କ୍ରାନ୍ତିଧାରା’’ ପୂଜା ସ୍ପେଶାଲ୍‌ ୧୯୯୦ ।

୯)

କଥୋପକଥନ : ଜୀବନର ବୈଚିତ୍ର୍ୟ ହିଁ ମୋତେ ଗାଳ୍ପିକ କରାଇଛି । ସର୍ବଶ୍ରୀ ବିଭୂତିଭୂଷଣ ଶତପଥୀ ଏବଂ ମୀନାକ୍ଷୀ ଦାସ ମହାପାତ୍ରଙ୍କ ସହିତ ସାକ୍ଷାତ୍‌କାର । “ନବଧ୍ୱନି’’ ତୃତୀୟ ବର୍ଷ, ତୃତୀୟ ଏବଂ ଚତୁର୍ଥ ସଂଖ୍ୟା ୧୯୯୦ ।

୧୦)

“ସାକ୍ଷାତ୍‌କାର : ଗାଳ୍ପିକ କିଶୋରୀଚରଣ ଦାସଙ୍କ ସହ’’-“ପ୍ରଜାତନ୍ତ୍ର ସାପ୍ତାହିକୀ’’ ୨୧-୨୭ ଏପ୍ରିଲ୍‌ ୧୯୯୧ ।

୧୧)

“ଭଙ୍ଗା ଖେଳଣାରେ ବିଭୋର ନିଜ ସଞ୍ଜ: କଥାକାର କିଶୋରୀଚରଣ’’-ସଂପାଦନା ମଣ୍ଡଳୀଙ୍କ ସହିତ ସାକ୍ଷାତ୍‌କାର । ଅକ୍ଟୋବର-ନଭେମ୍ବର-ଡିସେମ୍ବର ଶାରଦୀୟ “ଶବ୍‌ଦସୌଧ’’ ୧୯୯୨ ।

୧୨)

“କିଶୋରୀଚରଣଙ୍କ ସହିତ କେତୋଟି ଅନ୍ତରଙ୍ଗ ମୁହୂର୍ତ୍ତ’’-ଶ୍ରୀମତୀ ହେମାଙ୍ଗିନୀ ରାୟଙ୍କ ସହିତ ସାକ୍ଷାତ୍‌କାର । “ଜୀବନ ରଙ୍ଗ’’ ଏପ୍ରିଲ୍‌-ମେ ୧୯୯୩ ।

୧୩)

“ମାନନୀୟେଷୁ : କିଶୋରୀଚରଣ ଦାସଙ୍କ ସହିତ ଏକ ଅନ୍ତରଙ୍ଗ ମୁହୂର୍ତ୍ତ-ଶ୍ରୀମତୀ ଅନୁରାଧା ମହାନ୍ତିଙ୍କ ସହିତ ସାକ୍ଷାତ୍‌କାର । “ନବଦିଗନ୍ତ’’ ତୃତୀୟ ବର୍ଷ, ତୃତୀୟ ସଂଖ୍ୟା ୧୯୯୪ ।

୧୪)

“ସ୍ୱନାମଧନ୍ୟ କଥାକାର ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀଯୁକ୍ତ କିଶୋରୀଚରଣ ଦାସଙ୍କ ସହ ଏକ ଅନ୍ତରଙ୍ଗ ଆଳାପ ଆଲୋଚନା’’-ଶ୍ରୀମତୀ ମୀନାକ୍ଷୀ ଦେବୀଙ୍କ ସହିତ ସାକ୍ଷାତ୍‌କାର । “ବର୍ତ୍ତିକା’’ ଦଶହରା ବିଶେଷାଙ୍କ ୧୯୯୪ ।

୧୫)

“ସାରସ୍ୱତ ବନରେ ସୂର୍ଯ୍ୟାସ୍ତ’’-ଅଭୟ ସିଂହଙ୍କ ସହିତ ସାକ୍ଷାତ୍‌କାର । “ସଚିତ୍ର ବିଜୟା’’ ନଭେମ୍ବର ୧୯୯୫ ।

୧୬)

“ଶ୍ରୀଯୁକ୍ତ କିଶୋରୀଚରଣ ଦାସଙ୍କ ସହିତ କେତୋଟି ମୁହୂର୍ତ୍ତ’’-ସାକ୍ଷାତ୍‌କାର ରେଭେନ୍‌ସା ମହାବିଦ୍ୟାଳୟ ଛାତ୍ରୀନିବାସର ମୁଖପତ୍ର “ଅୟସ୍‌କାନ୍ତ’’ ଏକତ୍ରିଂଶ ସଂସ୍କରଣ ୧୯୯୬ ।

୧୭)

“ଅପୂର୍ବା’’ର ସଂପାଦକ କ୍ଷୀରୋଦ ଚନ୍ଦ୍ର ପତିଙ୍କ ସହିତ ସାକ୍ଷାତ୍‌କାର-୨୭ ସେପେଫମ୍ବର ୧୯୯୯ । “ଅପୂର୍ବା’’ ପ୍ରଥମ ବର୍ଷ, ପ୍ରଥମ ସଂଖ୍ୟା, ୧୯୯୯ ।

୧୮)

“ପ୍ରଖ୍ୟାତ କଥାଶିଳ୍ପୀ ସ୍ରଷ୍ଟା କିଶୋରୀଚରଣ ଦାସ’’-ଡକ୍ଟର ବିଜୟାନନ୍ଦ ସିଂହଙ୍କ ସହିତ ସାକ୍ଷାତ୍‌କାର । “ଆଗାମୀ ଶତାବ୍‌ଦୀ’’ ନଭେମ୍ବର-ଡିସେମ୍ବର ୧୯୯୯ ।

୧୯)

ଡକ୍ଟର ହୃଷୀକେଶ ପଣ୍ଡାଙ୍କ ସହିତ ସାକ୍ଷାତ୍‌କାର । ଆକାଶବାଣୀ କଟକଦ୍ୱାରା ପ୍ରସାରିତ-୧୪ ଜାନୁୟାରୀ ୨୦୦୦ ଏବଂ ଆକାଶବାଣୀ, କଟକର ମୁଖପତ୍ର ‘ତରଙ୍ଗ’ରେ ପ୍ରକାଶିତ-ଫେବୃୟାରୀ ୨୦୦୦ ।

୨୦)

‘‘Knit India Though Literature’’ (East), Vol-II’’ର ସଂପାଦିକା ସୁଶ୍ରୀ ଶିବଶଙ୍କରୀଙ୍କ ସହିତ ସାକ୍ଷାତ୍‌କାର । ସେପେଫମ୍ବର ୧୬/୨୦୦୦ରେ ବହିଟି କଲିକତାରେ ପଶ୍ଚିମବଙ୍ଗର ରାଜ୍ୟପାଳ ଶ୍ରୀ ବୀରେନ୍ଦ୍ର ସାହାଙ୍କ ଦ୍ୱାରା ଉନ୍ମୋଚିତ । ପ୍ରକାଶକ - East West Books Pvt. Ltd. Chennai, 2000 ।

୨୧)

“ନବଲିପି’’ର ସମ୍ପାଦକଙ୍କ ସହିତ ଅନୁଷ୍ଠିତ ସାକ୍ଷାତ୍‌କାର । “ନବଲିପି’’ ପୂଜା ସଂଖ୍ୟା, ୨୦୦୦ ।

୨୨)

କେନ୍ଦୁଝର ମହାବିଦ୍ୟାଳୟର “ସବୁଜିମା ସାହିତ୍ୟ ସଂସଦ’’ ସହିତ ରଚିତ ସାକ୍ଷାତ୍‌କାର । ସଂସଦର ମୁଖପତ୍ର “ଜୀବନ’’ର ବାର୍ଷିକ ବିଶେଷାଙ୍କ ୨୦୦୦ରେ ପ୍ରକାଶିତ ।

୨୩)

“ଶୋଭନା’’ର ସଂପାଦିକାଙ୍କ ପ୍ରଶ୍ନାବଳୀର ଉତ୍ତର । “ଶୋଭନା’’ ପୂଜାସଂଖ୍ୟା ୨୦୦୧ରେ ପ୍ରକାଶିତ ।

୨୪)

ଉତ୍କଳ ସାହିତ୍ୟ ସମାଜ କଟକଙ୍କ ଦ୍ୱାରା ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ “କିଶୋରୀଚରଣ ସାରସ୍ୱତ ସନ୍ଧ୍ୟା’’ ୨୩.୨.୨୦୦୨ ।

୨୫)

ଇ.ଟି.ଭି. (ଓଡ଼ିଆ)ଙ୍କଦ୍ୱାରା ଅନୁଷ୍ଠିତ ଡଃ ହରପ୍ରସନ୍ନ ଦାସଙ୍କଦ୍ୱାରା ରଚିତ ସାକ୍ଷାତ୍‌କାର । ଫେବୃୟାରୀ ୮, ୨୦୦୩ରେ ଇ.ଟି.ଭି. ଚ୍ୟାନେଲ୍‌ଦ୍ୱାରା ପ୍ରସାରିତ ।

୨୬)

ଡକ୍ଟର ବିଜୟାନନ୍ଦ ସିଂହଙ୍କଦ୍ୱାରା ରଚିତ ସାକ୍ଷାତ୍‌କାର । “ନବଲିପି’’ ନବବର୍ଷ ସଂଖ୍ୟା ୨୦୦୩ରେ ପ୍ରକାଶିତ ।

୨୭)

ଦୂରଦର୍ଶନ, ଭୁବନେଶ୍ୱର କେନ୍ଦ୍ରର “ଅକ୍ଷର କାରିଗର’’ ପ୍ରୋଗ୍ରାମରେ, ବିଜୟ ମଲ୍ଲଙ୍କ ସହିତ ସାକ୍ଷାତ୍‌କାର-୧୦.୬.୨୦୦୩ ।

୨୮)

OTV ଭୁବନେଶ୍ୱରର ‘‘Heart to Heart’’ ପ୍ରୋଗ୍ରାମ୍‌ରେ ଲେଖକ ଓ ତାଙ୍କ ପତ୍ନୀ କୁମାରୀ ଦାସଙ୍କ ସହିତ ବିଜୟ ମଲ୍ଲଙ୍କଦ୍ୱାରା ରଚିତ ସାକ୍ଷାତ୍‌କାର । ୨୮.୮.୨୦୦୩ ।

୨୯)

“ଅବୋଲକରା ଜିଜ୍ଞାସା: ବରିଷ୍ଠ ଗାଳ୍ପିକଙ୍କୁ ପ୍ରଶ୍ନ’’ ପର୍ଯ୍ୟାୟରେ “କାଦମ୍ବିନୀ’’ ଗଳ୍ପ ବିଶେଷାଙ୍କ ଜାନୁୟାରୀ ୨୦୦୪ରେ ପ୍ରକାଶିତ ପ୍ରଶ୍ନୋତ୍ତର ।

 

 

୨. ଉପସ୍ଥାପନାର ସୂଚୀ

 

 

(I)

ଶାନ୍ତିନିକେତନ ବିଶ୍ୱଭାରତୀର ଓଡ଼ିଶା ବିଭାଗଦ୍ୱାରା ଆୟୋଜିତ, ଏକ ସାହିତ୍ୟ ଆସରରେ ଅନୁଷ୍ଠିତ ବାର୍ତ୍ତାଳପ - (I) ମୁଁ କାହିଁକି ଲେଖେ ? (II) ମୁଁ କାହିଁକି ଏମିତି ଲେଖେ ? ୨୯ ମାର୍ଚ୍ଚ ୧୯୭୦ ।

(II)

“ଅକୁହା କାହାଣୀ’’ - ଲେଖକଙ୍କର କାହାଣୀ ସବୁ କେଉଁଠି ଆସିଛି ଏବଂ ସେଥିରେ ସତମିଛ କେଉଁ ପ୍ରକାର, ସେ ବିଷୟରେ ତାଙ୍କର ‘ସତ୍ୟପାଠ’ । ‘କବିଲିପି’ ଅକ୍ଟୋବର ୧୯୮୬ରେ ପ୍ରକାଶିତ ଏବଂ ‘ଲେଖକର ଦୁଃଖ’ ସଂକଳନରେ ସଂଗୃହୀତ । (ଏହା ଲେଖକଙ୍କର ମୌଳିକ ରଚନା ‘‘The Untold Story’’ର ଓଡ଼ିଆ ରୂପାନ୍ତର । ‘‘The Inside Story : an Introduction’’ ନାମରେ ଏହା ମଧ୍ୟ ‘‘ndian Literature’’ରେ ପ୍ରକାଶିତ ହୋଇଥିଲା । “ଲେଖକର ଦୁଃଖ’’ ସଂକଳନରେ ସଂଗୃହୀତ । (୧୯୯୫)

(III)

“ଏକବିଂଶ ଶତାବ୍ଦୀର ଭୂତ’’ - ୧୯୮୬ରେ ଭୁବନେଶ୍ୱର ଇଂରାଜୀ ବିଭାଗ ଆନୁକୂଲ୍ୟରେ ପ୍ରଦତ୍ତ ଇଂରାଜୀ ଭାଷଣ ‘‘Who's afraid of the 21st Century ?’’ର ଓଡ଼ିଆ ରୂପାନ୍ତର ।

(IV)

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓଡ଼ିଶା ବିଭାଗର ଆନୁକୂଲ୍ୟରେ ପ୍ରଦତ୍ତ ଭାଷଣ ‘ନିଜକଥା’ । “ଝଙ୍କାର’’ ଅଗଷ୍ଟ ୧୯୯୩ରେ ପ୍ରକାଶିତ ହୋଇଥିଲା ।

(V)

“ମୋ ସମୟ, ମୋ ସାହିତ୍ୟ’’ । ୧୯୯୪ରେ କେରଳର କୋଚିନ୍‌ରେ ଅନୁଷ୍ଠିତ ସର୍ବଭାରତୀୟ ସମ୍ମେଳନୀରେ ଉପସ୍ଥାପିତ ଇଂରାଜୀ ପ୍ରବନ୍ଧ ‘‘My Writing, My Times’’ର ଓଡ଼ିଆ ରୂପାନ୍ତର । “ଲେଖକର ଦୁଃଖ’’ ସଂକଳନ (୧୯୯୫)ରେ ସଂଗୃହୀତ ।

(Vi)

“ମୁଁ କ’ଣ ଭାରତୀୟ ଲେଖକ ନୁହେଁ ?’’ ୧୯୯୭ରେ କ୍ୟାନେଡାର ‘‘Methastor University’’ରେ ପ୍ରଦତ୍ତ ଭାଷଣ ‘Being an Indian Writer ’ର ଓଡ଼ିଆ ରୂପାନ୍ତର । “ନବଲିପି’’ ଶାରଦୀୟ ବିଶେଷାଙ୍କ ୧୯୯୮ରେ ପ୍ରକାଶିତ ।

 

ପ୍ରକାଶ ଥାଉ କି ଲେଖକ ଅନ୍ୟାନ୍ୟ ଅନେକ ଲିଖିତ ଏବଂ ପଠିତ ପ୍ରବନ୍ଧରେ ନିଜ ଲେଖା ବିଷୟରେ ଅଳ୍ପ ବହୁତେ କହିଥିଲେ ହେଁ, ଉପରୋକ୍ତ ଲେଖାଗୁଡ଼ିକରେ ସେ ମୁଖ୍ୟତଃ ନିଜ ଲେଖା ବିଷୟରେ କହିଛନ୍ତି ଏବଂ ସେହେତୁ ଏଗୁଡ଼ିକୁ ଏହି ବିଭାଗରେ ଅନ୍ତର୍ଭୁକ୍ତ କରାଯାଉଛି । ଏହା ମଧ୍ୟ କହିରଖିଛୁ ଯେ ଏହାଛଡ଼ା ଦୂରଦର୍ଶନ ଏବଂ ଆକାଶବାଣୀ ମାଧ୍ୟମରେ ଲେଖକଙ୍କ ସହିତ ଏକାଧିକ ସାକ୍ଷାତ୍‌କାର ରଚିତ ହୋଇଛି । କିନ୍ତୁ ସେଥିରେ ପ୍ରତିଲିପି ଆମର ହସ୍ତଗତ ହୋଇ ନ ଥିବାରୁ ସେଥିରେ ସୂଚୀ ଦିଆ ଯାଇପାରି ନାହିଁ । ତେବେ ଉଲ୍ଲେଖଯୋଗ୍ୟ ଯେ ୩୧.୧.୨୦୦୩ରେ ଲେଖକଙ୍କ ଗାଳ୍ପିକ ଗୌରହରି ଦାସଙ୍କ ସହିତ ରଚିତ ଏକ ସାହିତ୍ୟମୂଳକ କଥାଭାଷା, ଆକାଶବାଣୀ କଟକ କେନ୍ଦ୍ରରେ ‘ବାର୍ତ୍ତାଳାପ’ କାର୍ଯ୍ୟଲିପି ଜରିଆରେ ପ୍ରସାରିତ ହୋଇଛି ।

 

ପ୍ରତ୍ୟେକ ସାକ୍ଷାତ୍‌କାର ଏବଂ ଉପସ୍ଥାପନାର ସ୍ୱାତନ୍ତ୍ର୍ୟ ରହିଛି । ହେଲେ ଲେଖକଙ୍କର ସୁଦୀର୍ଘ ସାହିତ୍ୟକଳkର ପୃଷ୍ଠଭୂମିରେ କେତେଗୁଡ଼ିଏ ଲେଖା ଏକାଧାରରେ ତତ୍‌କାଳୀନ ତଥା ଅଧୁନାତନ ବୋଲି ମନେହେଲେ । ମଧ୍ୟ କେତୋଟି ଅପେକ୍ଷାକୃତ ଗଭୀର ଏବଂ ବ୍ୟାପକ ବୋଲି ଆମର ଧାରଣା ।

 

(ଙ)

କିଶୋରୀଚରଣ : ମତ ଓ ମନ୍ତବ୍ୟ

 

He (Kishori Charan) has distinguished himself by concentrating on a particular area of experience, the middle and the upper middle class and also by bringing an introspective and reflective element into the Oriya Short Story Form. The predominant theme of his stories in a search for meaning of life by the members of a comfortable middle class. Das attempts to shock his character out of the complacence of a secured middle class life and make them confront the shallowness and emptiness of their experiences. This frustration peoples them to achieve significant human relationship or even at times spiritual communion.

 

 

(Encyclopaedia of Indian Literature),-Vol - I, 1987

 

 

Kishori Babu was acutely aware of time passing by, and wanted desperately to found a sort of literary Association - where writers, both established and new, could sit down and read and discuss their work. I visualise today a meeting we had once at Press Club premises near Gauri Shankar Park, and one other we attended at the Barabati Stadium Club House. Kishori Babu stood out as a leader among us at these Literary gatherings, and we looked up to him for guidance and adviced as various aspects of writings.

 

 

(Jayanta Mohapatra)

 

 

Das’s (Kishori Charan Das’s) writing style is unique to himself. His stories neither have a beginning nor and an end, but depict a series of events guiding the reader deep into the mental state of the characters and thus making the events secondary. They are resolved at the end usually in a moment of revelation.

 

 

(Sri Gopal Mohanty)

 

 

x x x I could see happiness on Shri Das’s (Kishori Charan’s) face when I answered a couple of questions related to the culture of Orissa and the Temple of Lord Jagannath perhaps to his satisfaction. Himself a literary figure, he enlightened me on more facts about Orissa.

 

 

(Ananda Shankar)

 

 

ବ୍ୟକ୍ତି ଭାବରେ ସେ (କିଶୋରୀଚରଣ) ଥିଲେ ଅତ୍ୟନ୍ତ ନମ୍ର ଓ ତାଙ୍କର ବନ୍ଧୁତ୍ୱପୂର୍ଣ୍ଣ ଏବଂ ଭଦ୍ର ବ୍ୟବହାର ଅନେକଙ୍କୁ ଅଭିଭୂତ କରୁଥିଲା । କୌଣସି ଛୋଟ ଛୋଟ କଥା ତାଙ୍କୁ ଭଲ ଲାଗିଲେ, ସେ ମୋତେ ସଙ୍ଗେ ସଙ୍ଗେ ଟେଲିଫୋନ କରୁଥିଲେ ବା ଦେଖା ହେଲେ କହୁଥିଲେ ।

 

 

(ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ)

 

 

ଆମେ ଦୁହେଁ (ଡାକ୍ତର ବଂଶୀଧର ଜେଠୀ ଓ କିଶୋରୀଚରଣ) ସରକାରୀ କାମରୁ ପୂରାପୂରି ଅବସର ନେବା ପରେ ସମାଜସେବା ସକାଶେ ଓଡ଼ିଶାର ସବୁଠାରୁ ପୁରୁଣା ବାଳାଶ୍ରମ-ସ୍ୱାମୀ ବିଚିତ୍ରାନନ୍ଦ କଲ୍ୟାଣ ଆଶ୍ରମରେ ଏକାଠି ମିଶି କିଛି ବର୍ଷ କାମ କରିବାର ସୁଯୋଗ ପାଇଥିଲୁ ମଧ୍ୟ । ଏଇ ଅନୁଷ୍ଠାନରେ କାମ କରିବା ଅବସରରେ ପିତୃମାତୃହୀନ ପିଲାଙ୍କୁ ଆର୍ଥିକ ବୃତ୍ତି ପ୍ରଦାନ ନେଇ ସାହାଯ୍ୟ କରିବାକୁ ସେ ଅଗ୍ରଣୀ ଥିଲେ, ତାଙ୍କର ଅର୍ଜିତ ଅର୍ଥ penguin seriesରୁ ଯାହା ମିଳେ, ସେ ତାହା ଅନାଥ ଆଶ୍ରମର ଅନ୍ତେବାସୀମାନଙ୍କ ସକାଶେ ଦାନ କରିଯାଇଛନ୍ତି । ଏଥିର ବଦାନ୍ୟତା ସକାଶେ ସେ ସ୍ମରଣୀୟ ହୋଇ ରହିବେ ।

 

 

(ଡାକ୍ତର ବଂଶୀଧର ଜେଠୀ)

 

 

ତାଙ୍କର (କିଶୋରୀଚରଣଙ୍କର) ବଡ଼ ଇଚ୍ଛା ଥିଲା, ଓଡ଼ିଆ ଲେଖାଗୁଡ଼ିକ କିପରି ଇଂରାଜୀରେ ଅନୁବାଦ ହୋଇ ପ୍ରକାଶିତ ହେବ - ତାଙ୍କର ଦୃଢ଼ ଧାରଣା ଥିଲା ଯେ ଓଡ଼ିଆ ଲେଖକମାନଙ୍କର ପ୍ରତିଭା ପ୍ରସ୍ପୁଟିତ ହୋଇପାରିବ ନାହିଁ, ଯେ ପର୍ଯ୍ୟନ୍ତ ଲେଖାଗୁଡ଼ିକ ଇଂରାଜୀରେ ଅନୁବାଦ ହୋଇ ପ୍ରକାଶିତ ନ ହୋଇଛି-ଏ ଦିଗରେ ସେ ଯଥେଷ୍ଟ ପରିଶ୍ରମ କରିଥିଲେ-ତାଙ୍କର ସାହିତ୍ୟିକ ବନ୍ଧୁ ଜଗନ୍ନାଥ ପ୍ରସାଦ ଦାସ ଏଥିରେ ସାହାଯ୍ୟ କରୁଥିଲେ-କିନ୍ତୁ ବୋଧହୁଏ ଅନୁବାଦଗୁଡ଼ିକ ପ୍ରକାଶିତ ହୋଇ ନାହିଁ-ସେହି ଇଂରାଜୀ ଅନୁବାଦଗୁଡ଼ିକ ପ୍ରକାଶିତ ହୋଇପାରିଲେ, ତାଙ୍କର ଆତ୍ମା ଚିର ଶାନ୍ତି ଲାଭ କରିବ ।

 

 

(ଜଷ୍ଟିସ୍‌ ଗୋପାଳବଲ୍ଲଭ ପଟ୍ଟନାୟକ)

 

 

ନିଜର ଲେଖିବା ବିଷୟରେ କିଶୋରୀବାବୁ ସବୁ ସମୟରେ ସଚେତନ ଓ ସନ୍ତୁଷ୍ଟ ଥିଲେ ଏବଂ ଶେଷ ଜୀବନରେ ନିୟମିତ ଓ ପ୍ରଚୁର ଲେଖୁଥିଲେ । ସେ ସବୁବେଳେ କହୁଥିଲେ, ତାଙ୍କ ଜୀବନର କେତୋଟି ଅସମ୍ପୂର୍ଣ୍ଣ କାମ ଭିତରେ ଥିଲା ସାଂପ୍ରତିକ ସଂସ୍ଥାରେ ତାଙ୍କର ଯୋଜନାମାନ ଏବଂ ଆମ ଦୁହିଁଙ୍କର ପ୍ରସ୍ତାବିତ ସଂକଳନ ।

 

 

(ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ)

 

 

କିଶୋରୀବାବୁଙ୍କ ଗଳ୍ପଗୁଡ଼ିକର ବିଶେଷତ୍ୱ ହେଲା-ସେଗୁଡ଼ିକ ମନସ୍ତାତ୍ତ୍ୱିକ ଦୃଷ୍ଟିରୁ ଖୁବ୍‌ ଗଭୀର । ସେ ସମାଜର ଗୋଟିଏ ବର୍ଷର ଚରିତ୍ର ଓ ସେମାନଙ୍କର ବୃତ୍ତାନ୍ତକୁ ନେଇ ଲେଖନ୍ତି । ସମାଜର ବିଭିନ୍ନ ଶ୍ରେଣୀର ନରନାରୀଙ୍କର ଜୀବନ ସହିତ ତାଙ୍କର ପରିଚୟ ନାହିଁ । କିନ୍ତୁ ସେଇ ଉଚ୍ଚ ମଧ୍ୟମ ବର୍ଗର ନରନାରୀଙ୍କ ଜୀବନର ଲୀଳାଖେଳାକୁ ସେ ଖୁବ୍‌ ଗଭୀର ଭାବେ ଦେଖିଛନ୍ତି ଓ କଳନା ମଧ୍ୟ କରିଛନ୍ତି । ତାଙ୍କର ସାରସ୍ୱତ ଚେତନାର ଦିଗ୍‌ବଳୟିତ ବିସ୍ତୃତି ହୁଏତ ବେଶି ନ ଥିଲା । ମାତ୍ର ଗଭୀରତାରେ ସେ ମଣିଷ ମନର ଅତଳ ବିତଳ, ରସାତଳ ପର୍ଯ୍ୟନ୍ତ ଖନନ କରି ତା’ ଭିତରୁ ବହୁ ବିସ୍ମୟକର ବିଷୟ ଆବିଷ୍କାର କରିଛନ୍ତି । ତାଙ୍କ ଗଳ୍ପଗୁଡ଼ିକରେ ଘଟଣାଗୁଡ଼ିକର ନାଟକୀୟ ହଟଗୋଳ ନାହିଁ-ଦଉଡ଼ ଧାପଡ଼ ନାହିଁ । ସେହିପରି ମଧ୍ୟ ନାହିଁ; ଏକ ଆଧ୍ୟାତ୍ମିକ ସ୍ଥିର, ଶାନ୍ତ, ନିସ୍ତବ୍‌ଧତା-ଯାହା ଭାବସମାଧିରେ ହୁଏ । କିନ୍ତୁ କିଶୋରୀବାବୁଙ୍କ ଗଳ୍ପର ନରନାରୀମାନେ ଯେଝା ମନର ଅନ୍ତରାଳରେ ନାନାଦି କାଣ୍ଡ-କାରଖାନା କରୁଥାନ୍ତି । ଅବଚେତନ ଭିତରୁ ନାନାଦି ଜଟିଳ ଆବେଗ, ପ୍ରବେଗ, ପ୍ରବଣତା, କୂଟୈଷା ସବୁ ବାହାରି ତାଙ୍କର ଚରିତ୍ରମାନଙ୍କୁ ମନେ ମନେ ପକାଉଥାନ୍ତି-ଉଠାଉଥାନ୍ତି ।

 

 

(ମହାପାତ୍ର ନୀଳମଣି ସାହୁ)

 

 

କିଶୋରୀବାବୁ ପ୍ରକୃତରେ ଜଣେ ବିରଳ ସାରସ୍ୱତ ସାଧକ, ଯିଏ କଟକରୁ-କଲିକତା-ଦିଲ୍ଲୀ ପୁଣି ଲଣ୍ଡନ, କ୍ୟାନେଡ଼ା, ଆମେରିକା ତଥା ବିଭିନ୍ନ ୟୁରୋପୀୟ ରାଷ୍ଟ୍ରରେ ଗଳ୍ପ ଓ ସାହିତ୍ୟ ଚର୍ଚ୍ଚାରେ ଏକ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଥିଲେ - ଓଡ଼ିଆ ଭାଷାସାହିତ୍ୟ ଏବଂ କଥାସାହିତ୍ୟକୁ ପ୍ରଚାର, ପ୍ରସାର ଏବଂ ଗୌରବାନ୍ୱିତ କରିବାରେ ଅଗ୍ରଣୀ ଥିଲେ । xxxx ହେଲେ ତାଙ୍କର ସାହିତ୍ୟିକ ଗୋଷ୍ଠୀ ନ ଥିଲା ତାଙ୍କର ଅମାୟିକ ଭଦ୍ର ବ୍ୟବହାର ପାଇଁ ସେ ଥିଲେ ସମସ୍ତଙ୍କର ଅତି ପ୍ରିୟ ।

 

 

(ସେକ୍‌ ମତଲୁବ୍‌ ଅଲ୍ଲି)

 

 

ସ୍ୱାଧୀନତା ପ୍ରାପ୍ତି ପରେ ପ୍ରଜାତନ୍ତ୍ର ସାହିତ୍ୟ ପୃଷ୍ଠା ଓ ଝଙ୍କାର ମାସିକ ଜରିଆରେ ଯେଉଁ ଅଭିନବ ସାରସ୍ୱତ ଆନ୍ଦୋଳନ ଆରମ୍ଭ କରାଯାଇଥିଲା, ସେହି ପ୍ରକାର ମସୀଯୁଦ୍ଧରେ କିଶୋରୀଚରଣ ଅନ୍ୟତମ ମହାରଥୀର ସ୍ୱୀକୃତି ଲାଭ କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

 

(ଅଧ୍ୟାପକ ପଠାଣି ପଟ୍ଟନାୟକ)

 

 

ଅନନ୍ୟ ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ କିଶୋରୀଚରଣ ଦାସ । ଯେମିତି ଗଳ୍ପ, ସେମିତି ଉପନ୍ୟାସ, ପ୍ରବନ୍ଧ, ଜୀବନୀ ଓ ସାହିତ୍ୟର ବିଭିନ୍ନ ବିଭାଗରେ ଥିଲା ତାଙ୍କର ଅନବରତ ଲେଖନୀ ଚାଳନା । ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ଭାବରେ ସେ ଭାରତବର୍ଷର ବିଭିନ୍ନ ସହରରେ ସୁଚାରୁରୂପେ କାର୍ଯ୍ୟ ନିର୍ବାହ କରିଥିଲେ । ଚାକିରିରୁ ଅବସର ନେବା ପରେ ସେ ବହୁବାର ବିଦେଶ ଭ୍ରମଣ କରିଥିଲେ ଏବଂ ସେଥିରୁ ଉପଲବ୍‌ଧ ଅନୁଭୂତିରେ ରସାଣିତ ହୋଇଛି ତାଙ୍କର କଥାସାହିତ୍ୟ ।

 

 

(ଶ୍ରୀମତୀ ବୀଣାପାଣି ମହାନ୍ତି)

 

 

କିଶୋରୀବାବୁ ଥିଲେ ଜଣେ ଆଦର୍ଶ ପୁରୁଷ । ଅନ୍ତରଙ୍ଗ ବନ୍ଧୁ । ଏତେ ସରଳ ଓ ନିଷ୍କପଟ ଯେ ସେ ଅନେକଙ୍କୁ ସହଜରେ ବିଶ୍ୱାସ କରୁଥିଲେ । ସଂସାର ଯେ ଜଟିଳ ହୋଇଗଲାଣି, ଲୋକଚରିତ୍ର ଯେ ଖରାପ ହୋଇଗଲାଣି ଏ ଖବର ପହଞ୍ଚି ନ ଥିଲା ତାଙ୍କ ପାଖରେ । xxx ସାହିତ୍ୟ ସଭା ହେଲେ, ସେମିନାରରେ କହିବାକୁ ଥିଲେ ସେ ପ୍ରସ୍ତୁତ ହୋଇ ଆସୁଥିଲେ । ସାହିତ୍ୟ ସମ୍ମିଳନୀର ବିଷୟରେ ତାଙ୍କର ଗଭୀର ପାଣ୍ଡିତ୍ୟ ଓ ଅଭିନିବେଶ ଥିଲା । ଜଣେ ଉଚ୍ଚକୋଟୀର ଭଲ ମଣିଷ ଭାବେ ସେ ଖ୍ୟାତି ଅର୍ଜିଥିଲେ ।

 

 

(ଶ୍ରୀ ସାତକଡ଼ି ହୋତା)

 

 

‘ସମୟ ନାହିଁ’ ବିଷୟରେ ଏତିକି କହିବି ଯେ, ଏହା ଏକ ଅସାଧାରଣ ଆତ୍ମଚରିତ୍ର, ଗଭୀର ଅନ୍ତର୍ଦୃଷ୍ଟି ସହିତ ନିଜକୁ ଓ ନିଜର ସୃଷ୍ଟିକୁ ଦେଖିବାର ଦସ୍ତାବିଜ୍‌ ।

 

 

(ରମାକାନ୍ତ ରଥ)

 

 

ଗଳ୍ପ ସାହିତ୍ୟରେ ସେ ଥିଲେ ଅନନ୍ୟ ପ୍ରତିଭା । ଅନନ୍ୟ ଏଇଥିପାଇଁ ଯେ ଓଡ଼ିଆ କଥାସାହିତ୍ୟରେ ନାତିଦୀର୍ଘ ପରମ୍ପରା ତାଙ୍କ ଗଳ୍ପରେ ଖୋଜିଲେ ନିରାଶ ହେବାକୁ ପଡ଼ିବ । ସେ ସ୍ୱୟଂ ପରମ୍ପରାଟିଏ ସୃଷ୍ଟି କରିଛନ୍ତି; “ଗଳ୍ପର କାନ୍‌ଭାସରେ, ଭଙ୍ଗୀରେ, ଧାରାରେ’’ । ଆଜି ସେ ନିଜ ସୃଷ୍ଟ ସେଇ ପରମ୍ପରାରେ ଅଂଶ ହୋଇ ସାରିଛନ୍ତି, ତାଙ୍କର ପରବର୍ତ୍ତୀ କଥାସାହିତ୍ୟ ଉପରେ ପ୍ରଗାଢ଼ ପ୍ରଭାବ ପକେଇ ସାରିଛନ୍ତି ।

 

 

(ଡକ୍ଟର ସୀତାକାନ୍ତ ମହାପାତ୍ର)

 

 

ମୁଁ ଚିହ୍ନିଥିବା ବହୁ ଓଡ଼ିଆ ଲେଖକଙ୍କ ଭିତରେ କିଶୋରୀଚରଣ ଦାସ ଥିଲେ ସବୁଠାରୁ ବେଶି ଉଦାର - କନିଷ୍ଠ ଲେଖକମାନଙ୍କୁ ଉତ୍ସାହିତ କରିବାରେ, ସେମାନଙ୍କ ଲେଖା ପଢ଼ିବାରେ, ସେମାନଙ୍କ ଲେଖା ଚର୍ଚ୍ଚା କରିବାରେ, ସେମାନଙ୍କ ଲେଖା ଅନୁବାଦ କରିବା ଓ କରାଇବାରେ ।

 

 

(ଶ୍ରୀ କମଳାକାନ୍ତ ମହାପାତ୍ର)

 

 

କିଶୋରୀବାବୁଙ୍କ ଗଳ୍ପ ପ୍ରବାହ ଅତୁଟ ରହିଥିଲା ଆଜୀବନ । ଗୋଟାକ ପରେ ଗୋଟାଏ ଅନ୍ୟୁନ ପନ୍ଦରଟି ଗଳ୍ପ ସଂଗ୍ରହ ତାଙ୍କର ପ୍ରକାଶ ପାଇବାରେ ଲାଗିଲା କଟକରୁ ନିୟମିତ ବ୍ୟବଧାନରେ । ସେଥି ମଧ୍ୟରେ ମଣିହରା, ଲକ୍ଷେ ବିହଙ୍ଗ, ଭିନ୍ନ ପାଉଁଶ, ଠାକୁରଘର ପ୍ରଭୃତି ଆୱାର୍ଡ଼ ଉଇନର୍‌ଭାବେ ପାଠକ ମହଲରେ ବିଶେଷ ଆଦୃତି ଲାଭ କରିଛି । ଏ ଭିତରୁ ଅନେକ ମଧ୍ୟ ଇଂରେଜୀ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୂଦିତ ଓ ପ୍ରକାଶିତ । ତାଙ୍କର ପ୍ରକାଶିତ ଗଳ୍ପ-ଉପନ୍ୟାସ, ସମାଲୋଚନା, ଆତ୍ମଜୀବନୀର ସଂଭାର ଆଧୁନିକ ଓଡ଼ିଆ ଭାଷାରେ ରଚିତ ସାହିତ୍ୟ ଭଣ୍ଡାରରେ ପ୍ରତିନିଧି ସ୍ଥାନୀୟ ଏବଂ ତାହା ବିଶ୍ୱ ସାହିତ୍ୟ ଶ୍ରେଣୀର-ୱାର୍ଲଡ୍‌ କ୍ଳାସ ଲିଟରେଚର - ଏହା ଉଦ୍‌ଘୋଷଣାର ସହିତ କୁହାଯାଇପାରେ ।

 

 

(ଶ୍ରୀ ଶାନ୍ତନୁ କୁମାର ଆଚାର୍ଯ୍ୟ)

 

 

ନିଜ ବିଚାରରେ ସେ (କିଶୋରୀଚରଣ) ଥିଲେ ଅବିଚଳିତ । କଥା ଶୁଣୁଥିଲେ, କିନ୍ତୁ ନିଜ ବାଟରେ ନିଜ ଢଙ୍ଗରେ ଚାଲୁଥିଲେ । ସେଇଥିପାଇଁ ତୁମ ଆମ ଶତାବ୍ଦୀର ନାମ ବଦଳାଇଲେ ନାହିଁ । ଆମ ମତାନ୍ତର କେଉଁ ଦିନ ମନାନ୍ତରରେ ପରିଣତ ହୋଇ ନାହିଁ ।

 

 

(ଡକ୍ଟର ଦାଶରଥି ଦାସ)

 

 

କିଶୋରୀଚରଣ ଅମୃତ ପୁତ୍ର ! ବିଜ୍ଞାପନର ସେ ମଣିଷ ନୁହନ୍ତି, ନିରବତାର ମୁଗ୍ଧ ଉପାସକ । କିଶୋରୀଚରଣ ଅର୍ଦ୍ଧ ଶତାବ୍ଦୀ ଓଡ଼ିଆ ଗଳ୍ପ ଉପନ୍ୟାସର ଜðତ୍ରବାଣୀ । ବନ୍ଧୁତା ଓ ମାନବିକତାର ଜୀବନ୍ତ ଗାୟତ୍ରୀ । ମୋ ଜୀବନରେ ସେ ଏକ ଅଭୁଲା ସ୍ମୃତି ।

 

 

(ଡକ୍ଟର ବୈଷ୍ଣବ ଚରଣ ସାମଲ)

 

 

କିଶୋରୀଚରଣ ଆମ ସମୟର ଏକ ମୁଗ୍ଧ ଉଚ୍ଚାରଣ । ସେ କେବଳ ଭଲ ମଣିଷ ନ ଥିଲେ । ସେ ଥିଲେ ନିଦା ଓ ଖାଣ୍ଟି ସାହିତ୍ୟିକ । ତାଙ୍କର ଗଳ୍ପଗୁଡ଼ିକ ଜୀବନର ରହସ୍ୟଗୁଡ଼ିକୁ ଯେମିତି ଭେଦି ପାରିଛି ସେମିତି ପାଠକ ପ୍ରାଣରେ ଅଜସ୍ର ପ୍ରଶ୍ନର ତରଙ୍ଗ ବି ତାହା ସୃଷ୍ଟି କରିପାରିଛି ।

 

 

(ଡକ୍ଟର ବିଜୟ କୁମାର ଶତପଥୀ)

 

 

ଆଧୁନିକ ଓଡ଼ିଆ କଥାସାହିତ୍ୟରେ କିଶୋରୀଚରଣ ଦାସ ହୀରାର ଦୀପ୍ତିରେ ଝଲମଲ କରୁଥିବା ଏକ ଉଜ୍ଜ୍ୱଳ, ଅବିସ୍ମରଣୀୟ ନାମ । ବିଶେଷକରି ଗତ ଷଷ୍ଠ ଦଶକର ଓଡ଼ିଆ ଗଳ୍ପ-ସାହିତ୍ୟ କ୍ରମଶଃ ଯେତେବେଳେ ନିର୍ଜନ ହୋଇ ଆସୁଥିଲା, ରାଜକିଶୋର ରାୟ, ନିତ୍ୟାନନ୍ଦ ମହାପାତ୍ର ପ୍ରମୁଖ ଅଭିଜ୍ଞ, ପ୍ରବୀଣ କଥାଶିଳ୍ପୀଗଣ ଯୁଦ୍ଧ-କ୍ଳାନ୍ତ ସେନାପତିଙ୍କ ଭଳି କାନ୍ଧରୁ ତୂଣୀର, ହାତରୁ ଧନୁତୀର ଓହ୍ଲାଇ ନେଇ ବିଶ୍ରାମ କକ୍ଷରୁ ପ୍ରସ୍ଥାନ କରି ଯାଉଥିଲେ, ସେତେବେଳେ କଥା-ସାହିତ୍ୟର ରଙ୍ଗମଞ୍ଚ ଭିତରୁ ଧୀର ଅଥଚ ନିଶ୍ଚିତ ପଦକ୍ଷେପରେ ପ୍ରବେଶ କରିଥିଲେ ଏହି ଧୀରୋଦାତ୍ତ ନାୟକ, ଯାହାଙ୍କ କ୍ଷୁଦ୍ରଗଳ୍ପର ପ୍ରବୀଣ ଅଭିଜ୍ଞତା ଓ ନବୀନର ଉଦ୍ଦାମତା ପାଠକ ଓ ସମାଲୋଚକଙ୍କ ହୃଦୟରେ ଆଶା ଓ ଆନନ୍ଦର ତରଙ୍ଗ ସୃଷ୍ଟି କରିଥିଲା । ହୋଇପାରେ ଏପରି ଲୋକପ୍ରିୟତା ଓ ପ୍ରତିଷ୍ଠା ଅର୍ଜନ ପାଇଁ କିଶୋରୀଚରଣଙ୍କର ପୂର୍ବପ୍ରସ୍ତୁତି ଥିଲା । ଓଡ଼ିଆ କଥାସାହିତ୍ୟରେ ଏହା ତାଙ୍କର ଆକସ୍ମିକ, ଅନହୂତ ଅନୁପ୍ରବେଶ ନୁହେଁ, କିନ୍ତୁ ଯେପରି ଆଶ୍ଚର୍ଯ୍ୟ ଦକ୍ଷତାର ସହ କାଳର ଦନ୍ତାଘାତରେ ବିଚିତ୍ର ସମାଜ ଜୀବନର ଭାବମୂର୍ତ୍ତିକୁ ସେ ଅବିକଳ ନିଜ ଗଳ୍ପ ଭିତରେ ଫୁଟାଇ ନେଇପାରିଲେ, ତାହା ଶବ୍ଦଭେଦୀ ତୀର ଭଳି ପାଠକର ହୃଦୟ ଭେଦ କରିଗଲା । ଅଭିଜ୍ଞତାରେ ଉଜ୍ଜ୍ୱଳ ଏବଂ ଗଭୀର, ଶୈଳ୍ପିକ ସାର୍ଥକତାର ନିଖୁଣ ତାଙ୍କର ଗଳ୍ପଗୁଡ଼ିକ ପାଇଁ ପାଠକର ପିପାସା ଆଜି ପ୍ରବଳ ।

 

 

(ବିଭୂତି ପଟ୍ଟନାୟକ)

 

 

କିଶୋରୀଚରଣ ସମୟର ବିଶ୍ୱସ୍ତ ରୂପକାର । ତେଣୁ ତାଙ୍କର ଗଳ୍ପ ସମୟର ବାସ୍ତବ ଓ ଜୀବନ୍ତ ରୂପଚିତ୍ର । ତା’ ମଧ୍ୟକୁ କେତେ କେତେ ଚରିତ୍ର ଆସିଛନ୍ତି, କେତେ କୋଳାହଳ ସୃଷ୍ଟି କରିଛନ୍ତି, କେତେ ଅଶ୍ରୁ ଆଉ କାରୁଣ୍ୟ ଭିତରେ ଉବୁଟୁବୁ ହୋଇଛନ୍ତି, କେତେ ଶଠତା ଓ ପ୍ରତାରଣା ଭିତରେ ବୁଡ଼ିରହି ବାହାରକୁ ଭଦ୍ର ଖୋଳ ପିନ୍ଧି ବାହାରିଛନ୍ତି । ତଥାପି ସବୁ ଯେମିତି ପ୍ରଗଳ୍‌ଭତାରୁ ନୀରବତାକୁ ଗତି କରି ଯାଇଛନ୍ତି ଧୀରେ ଧୀରେ ଏବଂ ସେହି ନୀରବତା ହିଁ ହୋଇଯାଇଛି ତାଙ୍କ ଗଳ୍ପର ଦିବ୍ୟ ଦ୍ୟୁତି ।

 

 

(ଡକ୍ଟର ବୈଷ୍ଣବ ଚରଣ ସାମଲ)

 

 

ଶ୍ରୀଯୁକ୍ତ କିଶୋରୀଚରଣ ଦାସ ଗଳ୍ପ ଜଗତରେ ଓଡ଼ିଆ ପାଠକଙ୍କୁ ଯେଉଁ ନୂଆ ରୁଚି ଆଣି ଦେଇଛନ୍ତି ସୂକ୍ଷ୍ମାତିସୂକ୍ଷ୍ମ ବର୍ଣ୍ଣନାମୂଳକ ଅଭିବ୍ୟକ୍ତି ଭିତରେ, ତା’ର ଏକ ପ୍ରଶସ୍ତତର ରୂପ ଉପନ୍ୟାସରେ ସେ ପରୀକ୍ଷା କରିଛନ୍ତି । ତାଙ୍କର ଧ୍ୟାନର ଜଗତଟି ନିଷ୍ଠୁର ଭାବେ ପରିମିତ, ଅଥଚ ସେହି ପରିଚିତ ତଳାତଳ ରସାତଳଚୁମ୍ବୀ । ତାଙ୍କର ଅନୁଭୂତିର ସ୍ୱଚ୍ଛଳ ଲୀଳା ଉଚ୍ଚ ଓ ମଧ୍ୟବିତ୍ତ ଜୀବନପଦ୍ମକୁ ଏକତ୍ର କରିଛି ସତ, କିନ୍ତୁ ତା’ର ବିରଳ ସୌକୁମାର୍ଯ୍ୟଟି ହେଉଛି ଅନ୍ତଃଦର୍ଶନର ପ୍ରତିଫଳନ । ସୁଧାର ମଧ୍ୟବିତ୍ତ ସଂସାର ଭିତରେ ବ୍ୟକ୍ତିଟିଏ ନିମଜ୍ଜିତ ହେଲା ପରେ ତା’ର ଅସ୍ତିତ୍ୱ ଯେଉଁ ସ୍ଥାନାନ୍ତର ରୂପ ପରିଗ୍ରହ କରେ ତାହା ଏକକ-ପୁଣି ବହୁ ବ୍ୟତିକ୍ରମର ଶେଷ ଶିଖର ସ୍ପର୍ଶ କରିବାକୁ ବ୍ୟାକୁଳ । ତା’ର ଜୀବନ ସାଧାରଣ ଲାଭକ୍ଷତିର ପରିବେଶରୁ ଛିନ୍ନ ହୋଇ ଏକ ସ୍ୱତନ୍ତ୍ର ନିଜସ୍ୱ ଆଶ୍ରୟ ଖୋସା ଲୋଡ଼େ । ଏଇ ଖୋସାବାସ ଭିତରୁ କିଶୋରୀବାବୁ ତା’ର ଜୀବନ ଲକ୍ଷ୍ୟକୁ ଅନୁଧ୍ୟାନ କରନ୍ତି- ଦୁଃଖ ପ୍ରକାଶନ୍ତି, ସମ୍ବେଦିତ ହୁଅନ୍ତି, ଅଭିଭୂତ ହୁଅନ୍ତି, ବେଳେବେଳେ ବି ଟିକିଏ ତାଙ୍କ ଭାଷାରେ ଶୁଣାନ୍ତି ।

 

 

(ଡକ୍ଟର ନଟବର ଶତପଥୀ)

 

 

୧୯୨୫/୨୬ ମସିହାରେ ମୋ ବାପା ଯେତେବେଳେ କଟକ ରେଭେନ୍ସା କଲେଜରେ ପଢ଼ୁଥିଲେ, ସେତେବେଳେ ତାଙ୍କର ସେଇ ଛାତ୍ରାବସ୍ଥାରେ ହିଁ ସେ ‘ତାରାବାଈ’ ନାମକ ଏକ ତୃତୀୟ ଅଙ୍କ ବିଶିଷ୍ଟ ନାଟକ ଲେଖୁଥିଲେ । ୧୯୩୬/୩୭ ମସିହାରେ ଅଫିସର ହିସାବରେ ତାଙ୍କର କେନ୍ଦ୍ରାପଡ଼ାରେ ଅବସ୍ଥାନ ସମୟରେ ସେ ‘ତାରାବାଈ’ ନାଟକଟିକୁ ମଞ୍ଚସ୍ଥ କରାଇଥିଲେ । ରାଜସ୍ଥାନ ଇତିହାସର ଗୋଟିଏ କାହାଣୀରୁ ‘ତାରାବାଈ’ ନାଟକର ଜନ୍ମ ହୋଇଥିଲା । ସେଥିରେ ଆମର କେଶଭାଇ ମୁଖ୍ୟ ଭୂମିକାରେ ସୁନ୍ଦର ଭାବରେ ଅଭିନୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏଣୁ କେଶଭାଇ ଆମର ସର୍ବଗୁଣସମ୍ପନ୍ନ, ଜଣେ ଓଡ଼ିଆ ମାଟିର କୃତି ସନ୍ତାନ ।

(ଶ୍ରୀ ଶ୍ରୀକାନ୍ତ ପଣ୍ଡା)

 

(ଚ)

ସୃଜନଶୀଳତାର ମୁକ୍ତ ସ୍ୱୀକାରୋକ୍ତି

 

ମୁଁ ପ୍ରଥମେ କବିତା ଲେଖୁଥିଲି । ମୋର ମନେପଡ଼ୁଛି ସ୍କୁଲରେ ପଢ଼ିଲାବେଳେ ବସନ୍ତ ଋତୁଠାରୁ ଆରମ୍ଭ କରି ରାଣୀ ମେରୀଙ୍କର ବୈଧବ୍ୟ ଶୋକ ପର୍ଯ୍ୟନ୍ତ ବିଭିନ୍ନ ଉପଲକ୍ଷର ସୁଯୋଗ ନେଇ ଦୁଇ ଧାଡ଼ି କବିତା ଲେଖିବାରେ ଆନନ୍ଦ ପାଉଥିଲି । କଲେଜ ଜୀବନରେ କବିତା ସହ ଗଳ୍ପ ଲେଖିବାକୁ ଆରମ୍ଭ କଲି । ବ୍ରହ୍ମପୁରରୁ ପ୍ରକାଶିତ ‘ନବୀନ’ ପତ୍ରିକାରେ ମୋର ପ୍ରଥମ ଗଳ୍ପର ଆବିର୍ଭାବ । ବୋଧହୁଏ ‘ପରଦା ତଳେ’ ମୋର ପ୍ରଥମ ପ୍ରକାଶିତ ଗଳ୍ପ । ସେଥିରେ ମୁଁ ଜଣାଇବାକୁ ଚାହିଁଥିଲି ଯେ ଆମେ ସିନେମା ପରଦାରେ ଫୁଟିଉଠୁଥିବା ଦରିଦ୍ର ତାରକାର ଦୁଃଖରେ ବ୍ୟଥିତ ହେଉ, ଲୁହ ଗଡ଼ାଉ, କିନ୍ତୁ ସିନେମା ହଲରୁ ଫେରି ଆସି ରୋମାଣ୍ଟିକ୍‌ ଦରିଦ୍ର ପ୍ରାଣୀମାନଙ୍କୁ ବାଟଘାଟର ଦୃଶ୍ୟ ବୋଲି ମନେକରୁ ।

 

ମୁଁ ଯେତେବେଳେ ଲେଖାଲେଖି ଆରମ୍ଭ କଲି, କାଳିନ୍ଦୀବାବୁ ପ୍ରବୀଣ ହୋଇ ସାରିଥିଲେ, ‘ମାଟିର ମଣିଷ’ ମୋ ବହିଥାକରେ ଗୋଟିଏ ଗୁରୁଜନ ଅନୁମୋଦିତ ପୁସ୍ତକ ରୂପେ ସମ୍ମାନିତ ହେଉଥିଲା । ଅଥଚ ନଭେଲ ପଢ଼ିଲେ ପିଲାମାନେ ବିଗିଡ଼ିଯିବେ ବୋଲି କୁହା ହେଉଥିଲା । କଲେଜରେ ପଢ଼ିଲାବେଳକୁ କାହ୍ନୁବାବୁଙ୍କ ଉପନ୍ୟାସ ଦେଖିବାକୁ ମିଳିଲା । ବିଗିଡ଼ିଯିବାର ଗୋପନ ଉପାଦାନ ଖୋଜିଲି, କିନ୍ତୁ ପାଇଲି ନାହିଁ । କ୍ରମଶଃ ମୋର ମନେହେଲା (ସେତେବେଳକୁ ‘ଶାସ୍ତି’ ଅନେକ ଦୂରରେ) ଯେ ପଢ଼ିବାକୁ ମଜା ଲାଗୁଛି, ହେଲେ ଥିଏଟର୍‌ ଦେଖିଲା ପରି ଲାଗୁଛି । ପ୍ରେମିକ-ପ୍ରେମିକା କ’ଣ ଏମିତି କଥାବାର୍ତ୍ତା ହୁଅନ୍ତି, ସାହିତ୍ୟିକ ଭାଷାରେ ଆତ୍ମ ନିବେଦନ, ଆତ୍ମ ଉତ୍ସର୍ଗ ଇତ୍ୟାଦି ସ୍ୱର୍ଗୀୟ ଆଦର୍ଶର କମ୍ପିଟିସନ୍‌ କରନ୍ତି ? ପରେ ଉଦୀୟମାନ କବି ସଚ୍ଚି ରାଉତରାୟଙ୍କର ‘ମଶାଣିର ଫୁଲ’, ‘ମାଟିର ତାଜ୍‌’ ପ୍ରଭୃତି କେତୋଟି ଗଳ୍ପ ଏବଂ ଉଦୀୟମାନ ଲେଖକ ରାଜକିଶୋର ପଟ୍ଟନାୟକଙ୍କର ‘ସିନ୍ଦୂର ଗାର’ ସମେତ କେତେଗୁଡ଼ିଏ ଗଳ୍ପ ଉପନ୍ୟାସ ମୋତେ ବିଶେଷ ଆକୃଷ୍ଟ କରିଥିଲା ।

 

ଗୋପୀବାବୁଙ୍କ ପରେ ଆଉ କୌଣସି ଓଡ଼ିଆ ଲେଖକ ମୋ ଉପରେ ବିଶେଷ ପ୍ରଭାବ ପକାଇ ପାରିନାହାନ୍ତି । ଧୀରେ ଧୀରେ କ୍ରମବର୍ଦ୍ଧମାନ ଜ୍ଞାନ ବିଜ୍ଞାନ, ଫ୍ରଏଡ୍‌, ମାର୍କ୍ସ, ସାତ୍ରେ, କାମ୍ୟୁ ଓଗେରଙ୍କ କାନକୁହା ଏବଂ ଅଙ୍ଗେ ନିଭାଇବା କଷଣ ଚାପରେ ମୁଁ ‘ଆଧୁନିକତା’ର ସ୍ରୋତରେ ମିଶିଗଲି ।

 

ମୁଁ ପିଲାଦିନୁ ଲାଜକୁଳା, ମୁହଁ ଗୋରା । ତେଣୁ ‘ସେମାନଙ୍କର’ ମିଛକଥାର ଚାତୁରୀକୁ ସହି ନ ପାରି କାଗଜ କଲମରେ ସତକଥାର ଉତ୍ତର ଦେବାକୁ ବସିଥିଲି । ତେବେ Adlerଙ୍କ ଥିଓରୀକୁ କ’ଣ ମାନିବାକୁ ପଡ଼ିବ ଯେ ପ୍ରତ୍ୟେକ କୃତିତ୍ୱ ଏକ କ୍ଷତିପୂରଣ ମାତ୍ର; କୌଣସି ଏକ ହୀନମ୍ମନ୍ୟତାର ଉତ୍ତରଣ ? ବେଶ୍‌, ତାହାହିଁ ଯଦି ହୋଇଥାଏ, ତାହାହେଲେ ମୋ କପାଳରେ ଗଳ୍ପ ଲେଖା ହିଁ ଲେଖା ହୋଇଥିଲା । କାରଣ କଳ୍ପନାର ଆବିଷ୍କାରରେ ଉଲ୍ଲସିତ ହେବାଠାରୁ ଚିନ୍ତାର ଆବିଷ୍କାରରେ ଉଲ୍ଲସିତ ତଥା ‘ଉତ୍‌ଥିତ’ ହେବା ଅଧିକ ଆବଶ୍ୟକ ବୋଲି ହୁଏତ ମୁଁ ମନେ କରିଥିଲି ।

ବ୍ୟକ୍ତିଗତ ଜୀବନର ପାପପୁଣ୍ୟ ନିଶ୍ଚୟ ମୋ ଗଳ୍ପକୁ ପ୍ରଭାବିତ କରିଛି । ଅନେକ ଗଳ୍ପର ନାୟକ ମୁଁ ନିଜେ, ଏହା ମଧ୍ୟ ନିଃସନ୍ଦେହରେ କୁହାଯାଇପାରିବ ।

 

ଭାରତୀୟ ଗାଳ୍ପିକମାନଙ୍କ ମଧ୍ୟରେ ପ୍ରେମଚନ୍ଦଙ୍କ କେତୋଟି ଗଳ୍ପ ଏବଂ ଅନେକ ବଂଗୀୟ ଲେଖକ ଯଥା ପ୍ରେମେନ୍ଦ୍ର ମିତ୍ର, ଅଚିନ୍ତ୍ୟ ସେନ୍‌ଗୁପ୍ତ, ମାଣିକ ବନ୍ଦୋପାଧ୍ୟାୟ, ବନଫୁଲ ଇତ୍ୟାଦିଙ୍କ ଗଳ୍ପ ମୋତେ ଆକୃଷ୍ଟ କରିଛି । ଆନ୍ତର୍ଜାତିକ କ୍ଷେତ୍ରରେ ମୋର ପୁରୁଣା ପ୍ରିୟ ଲେଖକ ଥିଲେ ସମରସେଟ୍‌ ମମ୍‌ ଏବଂ ଚେକଭ୍‌ । ପରବର୍ତ୍ତୀ କାଳରେ କାଫ୍‌କା, ଆଲବର୍ଟ କାମ୍ୟୁ, ଉଇଲିୟମ୍‌ ସାରୋୟାଁ ଏବଂ କ୍ୟାଥାରାଇନ୍‌ ଅନ୍‌ ପୋର୍ଟରଙ୍କ ଛୋଟ ବଡ଼ ଗଳ୍ପ ମୋତେ ବିଶେଷ ଭାବରେ ମୁଗ୍‌ଧ କରିଛି ।

 

ଅଶ୍ଳୀଳତା ସମ୍ବନ୍ଧରେ ମୋର ଦୃଢ଼ ମତ ଯେ, ଯାହା ଗଳ୍ପର ମୂଳ କଥା ଚିନ୍ତା ଓ ଦର୍ଶନର ବହିର୍ଭୂତ ନୁହେଁ, ତାକୁ ଅଶ୍ଳୀଳ କୁହାଯାଇ ନ ପାରେ । ହୁଏତ କୌଣସି ବର୍ଣ୍ଣନାରେ ତରଳମତି ବାଳକ ବାଳିକା କିମ୍ବା ହୀନବୀର୍ଯ୍ୟ ପ୍ରୌଢ଼ମାନେ ନିଷିଦ୍ଧ ଆନନ୍ଦରେ ଉଲ୍ଲସି ଉଠିବେ । ତା’ ବୋଲି ଲେଖକ ସେମାନଙ୍କୁ ରକ୍ଷା କରିବା ପାଇଁ ଗଳ୍ପ ଲେଖିପାରିବ ନାହିଁ । ଯଦି ଜଣେ ଲେଖକ ହାଲୁକା ମନୋବୃତ୍ତି ନେଇ କେବଳ ସେହିମାନଙ୍କ ଉଦ୍ଦେଶ୍ୟରେ ଗଳ୍ପ ଲେଖେ, ତାହାହେଲେ ସେ ସହଜେ ଧରାପଡ଼ିଯିବ, ତାକୁ କେହି ସାହିତ୍ୟିକ ବୋଲି ମଣିବ ନାହିଁ ।

 

ଯେକୌଣସି ଗଳ୍ପରେ ମନସ୍ତତ୍ତ୍ୱର ଅଗ୍ରାଧିକାର ଅନସ୍ୱୀକାର୍ଯ୍ୟ । ସେହେତୁ ମନସ୍ତତ୍ତ୍ୱର ନ୍ୟାଯ୍ୟ ଅଧିକାରକୁ ମାନିନେଇ ମୁଁ ମୋର ଅନୁଭବ ଓ ବିଦ୍ୟାବୁଦ୍ଧି ଜରିଆରେ ସେଇ ଏକା କଥା କହୁଛି- ମଣିଷ ଦଶାର ଅଛିଣ୍ଡା କଥା ଏବଂ କୌଣସି ସଫଳ ଲେଖକ ମନଟାକୁ ‘ଥାଉ’ ବୋଲି କହି ବର୍ତ୍ତିଯାଇଛି ବୋଲି ମନେହୁଏ ନାହିଁ । କିଏ ତାକୁ ରଂଗେଇଛି, କିଏ ତାକୁ ଖେଳେଇଛି ଏବଂ କିଏ ହୁଏତ (ମୋ ପରି) ତା’ ଗହୀର ଭିତରେ ପଶି ତା’ର ହୁନ୍ଦର ଦେଖାଇବାକୁ ଚାହିଁଛି ।

 

ମୁଁ ଭାବେ ଯେ ମୋର ତଥାକଥିତ ଘଟଣାବିହୀନ ଗଳ୍ପରେ ବାହି୍ୟକ ଘଟଣାର ସଂଘାତ ଓ ତଜ୍ଜନିତ ଚମକ ନ ଥିଲେ ମଧ୍ୟ ଆପାତତଃ ସାମାନ୍ୟ ବୋଲି ମନେ ହେଉଥିବା ପାରିବାରିକ, ସାମାଜିକ ଅଥବା ବ୍ୟକ୍ତିଗତ ଦିନଚର୍ଯ୍ୟାର କ୍ରମରେ ନାନା କଥା ଘଟେ ତଥା ସ୍ମୃତିଗତ ଭାବନାରେ; ଯାହାକି ଉପରୋକ୍ତ ପ୍ରବାହ କିମ୍ବା ତରଙ୍ଗ ସୃଷ୍ଟି କରେ ଓ ଗଳ୍ପକୁ ମୋର ବରାଦିଆ ପରିଣତି ଆଡ଼କୁ ଟାଣି ନିଏ ।

 

ସ୍ଥାନ ହିସାବରେ ମୋର ଏଇ ପୁରାତନ ଜନାକୀର୍ଣ୍ଣ ଛୋଟ ସହର କଟକ, ତା’ର ଗଳି-ନାଳ-ନର୍ଦ୍ଦମା, ତା’ରି ପୃଷ୍ଠଭୂମିରେ ଘଟୁଥିବା ନାନା ଘଟଣା ଏବଂ ସେ ସବୁକୁ ନେଇ ଆତଯାତ ହେଉଥିବା ନାନା ଚରିତ୍ର ମୋ ଗଳ୍ପର ଖୋରାକ୍‌ ଯୋଗାଇପାରିଛି । X X X X ତେବେ କଟକ ସହର ନାମକ ଏଇ ଚରିତ୍ର ଓ ତା’ ସହିତ ମୋର ସମ୍ପର୍କକୁ ଛାଡ଼ି ଦେଲେ ଓଡ଼ିଶାର ଅନ୍ୟ କୌଣସି ଏକ ବିଶିଷ୍ଟ ଚରିତ୍ର ବା ଘଟଣା ମୋର ସାହିତ୍ୟିକ ସ୍ୱକୀୟତାକୁ ବିମଥିତ କରିଛି ବୋଲି ମୋର ମନେ ହେଉ ନାହିଁ । ଜଗନ୍ନାଥ ଦେଶର ବିଶିଷ୍ଟ ସାଂସ୍କୃତିକ ଚେତନା ଅବଶ୍ୟ ମତେ ପ୍ରଭାବିତ କରିଛି । କିନ୍ତୁ ବିମଥିତ ହେବା ଏକ ଭିନ୍ନ ଅନୁଭବ । ପ୍ରତ୍ୟକ୍ଷ ଓ ତୀବ୍ର ।

 

ଆଜିକାଲି ଶିଶୁର ହସ ବୋଧହୁଏ ମୋତେ ସବୁଠାରୁ ବେଶି ଆନନ୍ଦ ଦିଏ ।

 

ମୋତେ ସବୁଠାରୁ ବ୍ୟଥିତ କରେ ଜାଣିଶୁଣି ନିଜକୁ ଠକେଇବାର ମନୋବୃତ୍ତି । ଅଜାଣତରେ ତ ଆମେ ସମସ୍ତେ ନିଜକୁ ଠକେଇଥାଉ, ଅଳ୍ପ ବହୁତେ । କିନ୍ତୁ ସ୍ୱାର୍ଥସୁଖ ପାଇଁ କିମ୍ବା ଯେକୌଣସି ଉଦ୍ଦେଶ୍ୟରେ ପୂର୍ତ୍ତି ପାଇଁ ଜାଣିଶୁଣି ନିଜକୁ ଠକେଇବାର ଢଙ୍ଗ ମୁଁ ଆଦୌ ସହିପାରି ନାହିଁ ।

 

ପ୍ରେରଣାର ଉତ୍ସ ବୋଲି କିଛି ନ ଥିଲା । କେବଳ ଗୋଟିଏ ତାଡ଼ନା, ଯାହାକୁ ପ୍ରେରଣା ବୋଲି କୁହାଯାଇ ନ ପାରେ । ସତେକି ନ ଲେଖିଲେ ଚଳିବ ନାହିଁ, ପେଟ ପୂରିବ ନାହିଁ, ମୋ ମନକଥା କେହି ବୁଝିବେ ନାହିଁ ଇତ୍ୟାଦି ।

 

ପିଲାଦିନୁ ମୁଁ ଅଳ୍ପବହୁତେ ଆତ୍ମଭୋଳା (ଇଣ୍ଟ୍ରୋଭର୍ଟ) ଥିଲି ବୋଲି କୁହାଯାଏ ଏବଂ ମୋର ପରିବେଶ ଏଇ ‘ଅବିଗୁଣ’ର ପ୍ରତିକୂଳ ନ ଥିଲା । ସେହେତୁ ମୁଁ ସ୍ୱଚ୍ଛନ୍ଦରେ ମୋର ଲେଖକୀୟ ଆତ୍ମାନନ୍ଦକୁ ବଢ଼େଇ ଦେଇପାରିଥିଲି ବୋଲି କହିଲେ ଭୁଲ ହେବ ନାହିଁ ।

 

ଯେଉଁ ମଣିଷମାନଙ୍କୁ ମୁଁ ପାଖରୁ ଦେଖିଛି ଏବଂ ସେମାନଙ୍କଠାରୁ ପାଇଛି କିଛି ପ୍ରତ୍ୟକ୍ଷ, ପରୋକ୍ଷ ତଥା ସମ୍ଭାବ୍ୟ ଆଚାର ବ୍ୟବହାର ଓ ଭାବଭାବନା, ସେଇମାନଙ୍କୁ ମୁଁ ନେଇ ମୋର ‘ଚରିତ୍ର’ ତିଆରି କରେ ।

 

କେଉଁ ପ୍ରକାର ଅକ୍ଷମତା ହେତୁ ମୁଁ ମୋର ସାହିତ୍ୟ ଲେଖିଆସୁଛି ଜାଣେ ନାହିଁ, କିନ୍ତୁ ମୋର ଯଥେଷ୍ଟ ଗର୍ବ ଯେ ଉକ୍ତ ଅକ୍ଷମତା ମୋତେ ଅନ୍ୟ କେଉଁ କ୍ଷତିପୂରଣର ଲୋଭ ନ ଦେଖାଇ ଏଇ ବାଟକୁ ନେଇଆସିଛି ।

 

ମୋର ସାହିତ୍ୟ ଅଭିଜାତ । ଆଭିଜାତ୍ୟର ଅର୍ଥ ନୁହେଁ ଶ୍ରେଣୀଗତ ଦୂରତ୍ୱ, ଯାହା କେତେକାଂଶରେ ଅନିବାର୍ଯ୍ୟ ଏବଂ ଯେଉଁଥିପାଇଁ ମୋର ସବୁଦିନିଆ ଦୁଃଖ ଯେ ମୋର ସାହିତ୍ୟର ପ୍ରାଙ୍ଗଣ ଯଥେଷ୍ଟ ବିସ୍ତୃତ ହୋଇପାରି ନାହିଁ । ଚିନ୍ତାବଦ୍ଧତା ହିଁ ମୋର ଆଭିଜାତ୍ୟର ଲକ୍ଷଣ ଏବଂ ସେଥିରେ ମୋର ଦୁଃଖ କରିବାର ଅବା ଲଜ୍ଜିତ ହେବାର କୌଣସି କାରଣ ନାହିଁ ।

 

ମୋର ଚିନ୍ତାରେ ଦାର୍ଶନିକତା ଅବଶ୍ୟ ରହିଛି । କାହିଁକି ବା ନ ରହିବ ? କିନ୍ତୁ ଇଏ ଦାର୍ଶନିକର ଚିନ୍ତା ନୁହେଁ, ଅନୁଭବୀର ଚିନ୍ତା । ମୁଁ ଏକାଧାରରେ ସାଧାରଣ ଏବଂ ଅଦ୍ୱିତୀୟ ।

 

ମୋ ସାହିତ୍ୟକୁ ନେଇ ମୁଁ ଅବଶ୍ୟ କହିବି ଯେ ମୁଖ୍ୟତଃ ତା’ର ଆଭିମୁଖ୍ୟ କେବେହେଲେ ସମାଜ ସୁଧାର ନ ଥିଲା କି ନାହିଁ । ସେଭଳି ପ୍ରଗଳ୍‌ଭତାକୁ ଦୂରରେ ରଖି ମୁଁ ସବୁବେଳେ ଚାହିଁଛି ଯେ ମୁଁ ମୋର ଅନୁଭବ ସତ୍ୟକୁ ନିଷ୍ଠାର ସହିତ ପ୍ରକାଶ କରିବି, ଯେତେଟା ସମ୍ଭବ, ଗଭୀରତମ ଚିନ୍ତା ଏବଂ ଅନୁଭବର ମାଧ୍ୟମରେ । ସମାଜର ମଣିଷ ହିସାବରେ ଯଦି ମୋର କୌଣସି ଶୁଭଙ୍କରୀ ଦୃଷ୍ଟିକୋଣ ଥାଏ, ତାହା ଆପେ ଆପେ ଫୁଟିଉଠିବ ଏବଂ ମୋ ସାହିତ୍ୟକୁ ରଙ୍ଗେଇବ ।

 

ଅସମ୍ଭାଳ ଗୁହାରି ଆପଣମାନଙ୍କ ପାଖରେ । ଯେ ଦେଖନ୍ତୁ ଏଇ ମୋର ସାହିତ୍ୟ, ସେଥିରେ ଏଇ ଦୋଷଗୁଣ, ଅହମିକା ଏବଂ ଅକ୍ଷମତା ଅଛି ବୋଲି ମୋର ବିଶ୍ୱାସ । ହୁଏତ ଆହୁରି ଥିବ । ତା’ ବୋଲି କ’ଣ ଏଭଳି ସାହିତ୍ୟ ଲେଖିବାକୁ ମନା ? ମୋର ତ ବେଳକାଳ ସରି ଆସିଲାଣି, ମୋର ଅନୁଜ ଓ ବଂଶଧରମାନେ କ’ଣ ସ୍ୱେଚ୍ଛାକୃତ, ସ୍ୱାଧୀନ ଏବଂ ଆନ୍ତରିକତାରେ ଜୁଡ଼ୁବୁଡ଼ୁ ହେଉଥିବା ସାହିତ୍ୟ ଲେଖିପାରିବେ ନାହିଁ ?

 

ମୋର ଦୁଃଖ ଯେ ଓଡ଼ିଶାଠାରୁ ପ୍ରାୟ ଦୂରରେ ରହୁଥିବାରୁ ମୁଁ ଓଡ଼ିଆ ସାହିତ୍ୟ ସମ୍ପର୍କରେ ଆଳାପ ଆଲୋଚନା କରିପାରୁ ନାହିଁ; ବାଦ ବିବାଦର ଖଣ୍ଡାଯୁଦ୍ଧ ଖେଳୁ ପାରୁନାହିଁ; କିନ୍ତୁ ଏହି ଦୂରତ୍ୱ ମୋର ସାହିତ୍ୟ ସୃଷ୍ଟିରେ ଅନ୍ତରାୟ ହୋଇ ନାହିଁ ବୋଲି ମୋର ଧାରଣା ।

 

ଓଡ଼ିଶା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ଥିଲାବେଳେ ଯେଉଁ ସମସ୍ତ ସମ୍ମାନ ଓ ସମ୍ବର୍ଦ୍ଧନା ମିଳିଥିଲା ମୋତେ, ତା’ ଉପରେ ବିଶେଷ ଗୁରୁତ୍ୱଦେବାର ନୁହେଁ । କାରଣ ମୋର ମନେ ଥିଲା ଯେ ସେଥିରେ ମୋର ଲେଖକତ୍ୱଠାରୁ ବେଶି ସମ୍ମାନ ଦିଆଯାଉଛି ମୋ ପଦବୀର ।

 

ତରୁଣ ଲେଖକମାନଙ୍କ ପ୍ରତି କିଛି ବାର୍ତ୍ତା ଦେବାର ଅଧିକାର ଅଛି ମୋ ପକ୍ଷରେ, ଏଭଳି ଧାରଣା ମୋତେ ଅଡ଼ୁଆ ଲାଗେ । ତୁଚ୍ଛା ପ୍ରବୀଣତାର ବାହାଦୂରୀ ବୋଲି ମନେହୁଏ । ଯାହାହେଉ, ପ୍ରଶ୍ନର ଉତ୍ତର ହିସାବରେ କହିବି ଯେ ତୁମ ଅନୁଭୂତି ସତ୍ୟ ନୁହେଁ ଦର୍ଶାଇବାର ଯତ୍ନ କର । କାହା କଥାରେ ପଡ଼ ନାହିଁ- କେଉଁ ବହି ପଢ଼ା କଥା, ନେତାଙ୍କ ଉପଦେଶ, ଅବା ତଥାକଥିତ ଯୁଗଧର୍ମର ଚାହିଦା ଏବଂ ନିଷ୍ଠାର ସହ । କିନ୍ତୁ ସର୍ବୋପରି ମଣିଷ ଭାଇଭଉଣୀମାନଙ୍କ ପ୍ରତି ଗୋଟାଏ ବ୍ୟାପକ କରୁଣାର ଜାଲରେ ବାନ୍ଧି ହୋଇ ।

 

ମୋର ବିଶ୍ୱାସ ଯେ ଏକବିଂଶ ଆସୁ ଅବା ଦ୍ୱାବିଂଶ, ‘ଅଦ୍ୟୈବ ମରଣମସ୍ତୁ ଯୁଗାନ୍ତରେ’ ବା ସାହିତ୍ୟର ସତ୍ୟଦର୍ଶୀ ମହାନ୍‍ତା ନଷ୍ଟ ହୋଇ ରହିଯିବ ନାହିଁ ଏବଂ ତାକୁ କେହି ହେଲେ ଲେଖିବ, କେହି ହେଲେ ପଢ଼ିବ । ଶଶୀମଣିକୁ କେହି ହେଲେ ବଞ୍ଚାଇ ରଖିବ ।